Unknown

 

 

 

 

 

 

 

 

 

ସପ୍ତ ସାରଥି

ଅଧ୍ୟାପକ ପ୍ରହଲ୍ଲାଦ ପଣ୍ଡା, ଡକ୍ଟର ସୁବାସଚନ୍ଦ୍ର ପତି

 

ମୁଖବନ୍ଧ

 

ଯେ କୌଣସି ସାହିତ୍ୟରେ ଜୀବନୀର ଭୂମିକା ସ୍ପଷ୍ଟତଃ ସ୍ଵୀକୃତ । ଓଡ଼ିଆ ସାହିତ୍ୟ ଏ କ୍ଷେତ୍ରରେ ସେ ଭଳି ଋଦ୍ଧିମନ୍ତ ନଥିବା ହେତୁ ଏ ଅଭାବର କିଞ୍ଚିତ ପୂରଣ ଦିଗରେ ‘ସପ୍ତସାରଥୀ’ ଏକ ସାମାନ୍ୟତମ ଉଦ୍ୟମ ମାତ୍ର । ଭାରତର ଜନକ ମହାତ୍ମା ଗାନ୍ଧୀ, ଆମେରିକାର ଜାତୀୟ ଜୀବନର କର୍ଣ୍ଣାଧାର ଆବ୍ରାହମ୍ ଲିଙ୍କନ, ସମାଜବାଦୀ ଆନ୍ଦୋଳନର ବାସ୍ତବ ସ୍ରଷ୍ଟା ଲେନିନ୍, ଚୀନ ଦେଶର ପ୍ରଖ୍ୟାତ ସଂସ୍କାରକ ସନୟାତ୍ ସେନ୍, ଇଟାଲୀର ସ୍ଵାଧୀନତା ସଂଗ୍ରାମ ତଥା ଜାତୀୟ ଚେତନାର ଜାଗ୍ରତ ପ୍ରହରୀ ଯଶେଫ୍ ଗାରିବାଲ୍ ଡି, ତୁର୍କୀ ଦେଶରେ ସଂଗଠିତ ଅଭୂତପୂର୍ବ ବିପ୍ଳବର ନିୟନ୍ତ୍ରଣ କର୍ତ୍ତା ମୃସ୍ତାଫା କେମାଲ ଏବଂ ବିଂଶ ଶତାବ୍ଦୀର ସର୍ବପ୍ରଧାନ ଇଂରେଜ ଜନନାୟକ ଚର୍ଚ୍ଚିଲଙ୍କ କର୍ମମୟ ତଥା ବାଲ୍ୟଜୀବନୀ ‘ସପ୍ତସାରଥୀ’ରେ ସନ୍ନିବେଶିତ । ଜୀବନୀ ରଚନା କ୍ଷେତ୍ରରେ ଲେଖକମାନଙ୍କ ପ୍ରଧାନ ଉପଜୀବ୍ୟ ହେଲା ତଥ୍ୟ ସଂଗ୍ରହ ଏବଂ ଏ ଦିଗରେ ଆମେ ମୋଟେ ଅବହେଳା ପ୍ରଦର୍ଶନ କରି ନାହୁଁ । ଉପରୋକ୍ତ ସାତ ଜଣ ଜନନାୟକଙ୍କର ଜୀବନୀ ସମ୍ବଳିତ ଉପାଦାନ ସଂଗ୍ରହ ନିମିତ୍ତ ବଜାରରୁ ପ୍ରାପ୍ତ ବିଭିନ୍ନ ଗ୍ରନ୍ଥ ଓ ପତ୍ରପତ୍ରିକା ବ୍ୟବହାର କରିବା ସଙ୍ଗେ ସଙ୍ଗେ ବିଶେଷ ତଥ୍ୟ ସଂଗ୍ରହ ଲାଗି କେତେକ ବୈଦେଶିକ ମନ୍ତ୍ରଣାଳୟ ସହ ପତ୍ରାଳାପ କରି ସେମାନଙ୍କଠାରୁ ବହୁ ଉପାଦେୟ ମେଗାଜିନ ପାଇଥିଲୁ । ସୁତରାଂ ସେମାନଙ୍କ ନିକଟରେ ଆମେ କୃତଜ୍ଞ । ଆମର ବହିଟିକୁ ତ୍ଵରାନ୍ୱିତ କରିବା ଲାଗି ଯେଉଁ ବନ୍ଧୁମାନେ ଅନୁପ୍ରେରଣା ଯୋଗାଇଥିଲେ ସେମାନେ ନିଶ୍ଚିତ ଭାବେ ଧନ୍ୟବାଦାର୍ହ । ବହିଟିର ପ୍ରୂଫ୍ ଦେଖିବା ଲାଗି ଅଧ୍ୟାପକ ସୁଦର୍ଶନ ଆଚାର୍ଯ୍ୟ ତାଙ୍କର ବିଶେଷ ସମୟ ଦେଇ ଆମ୍ଭମାନଙ୍କୁ ଯେଭଳି ଉତ୍ସାହିତ କରିଛନ୍ତି ତାହା କଦାପି ଭୁଲିବାର ନୁହେ । ତାଙ୍କଠାରେ ଆମେ କୃତଜ୍ଞ । ବହିଟିର ଅଶୁ ପ୍ରକାଶନ ଦିଗରେ ପ୍ରଚ୍ଛଦପଟର ଶିଳ୍ପୀ ଶ୍ରୀ ସୀତାକାନ୍ତ ମହାପାତ୍ରଙ୍କର ସାର୍ଥକ ଉଦ୍ୟମ ପ୍ରଶଂସନୀୟ । ପରିଶେଷରେ ପ୍ରକାଶକ ବ୍ରହ୍ମପୁର ‘ବିଜୟ ବୁକ୍ ଷ୍ଟୋର’ର ସ୍ଵତ୍ଵାଧିକାରୀ ଶ୍ରୀ ଭାସ୍କରଚନ୍ଦ୍ର ପାତ୍ରଙ୍କର ଆନ୍ତରିକତା କଦାପି ଭୁଲିବାର ନୁହେ । ବହିଟିକୁ ପୂର୍ଣ୍ଣାଙ୍ଗ କରିବା ଦିଗରେ ତାଙ୍କର ପ୍ରେରଣାହିଁ ମୁଖ୍ୟତଃ ଦାୟୀ । ତାଙ୍କ ନିକଟରେ ଆମେ ଋଣୀ ।

★★★

 

ସୂଚୀପତ୍ର

 

୧.

ମହାତ୍ମାଗାନ୍ଧୀ

୨.

ଆବ୍ରାହମ୍‍ ଲିଙ୍କନ

୩.

ଲେନିନ୍

୪.

ସନୟାତ୍ ସେନ୍

୫.

ଯଶେଫ୍ ଗାରିବାଲଡି

୬.

ଆତାତୁର୍କ ମୁସ୍ତାଫା କେମାଲ

୭.

ଉଇନଷ୍ଟନ୍ ଚର୍ଚ୍ଚିଲ

★★★

 

ମହାତ୍ମା ଗାନ୍ଧୀ

 

ବିଶ୍ୱର ମୁକ୍ତିକାମୀ ରାଷ୍ଟ୍ରଗୁଡ଼ିକର ଜନନାୟକ ଭାବରେ ମହାମାନବ ଗାନ୍ଧିଜୀଙ୍କର ସ୍ଥାନ ଅତୁଳନୀୟ । ସେ ଥିଲେ ଜଣେ ମହାତ୍ମା ଏବଂ ରାଜନୀତିଜ୍ଞ ଭାବରେ ତାହା ହିଁ ତାଙ୍କୁ ଏକ ସ୍ୱତନ୍ତ୍ର ଆସନରେ ଅଧିଷ୍ଠିତ କରାଇ ପାରିଥିଲେ । ସେ କେବଳ ଆମ ଯୁଗର ନୁହନ୍ତି, ସବୁ ଯୁଗର ଏକ ବିରାଟ ବ୍ୟକ୍ତିତ୍ଵ । ସମାଜର ସକଳ ପ୍ରକାର ଉନ୍ନତି ନିମିତ୍ତ ତାଙ୍କର ମହତ୍ ଅବଦାନ ଅବିସ୍ମରଣୀୟ-। କୌଣସି ମୁଖ୍ୟାତିସମ୍ପନ୍ନ ଯୋଦ୍ଧା କିମ୍ବା ଶାସକ ପୁରୁଷ ପୁରୁଷ ଧରି ଜନତାର ଉପାସ୍ୟ ହୋଇପାରନ୍ତି ନାହିଁ । ସମୟର ପ୍ରବାହରେ ସେମାନେ କେବଳ ଇତିହାସର ସାମଗ୍ରୀ ହୋଇ ପଡ଼ନ୍ତି-। ମହାମାନବ ଗାନ୍ଧିଜୀ କିନ୍ତୁ ସମୟର ସୀମା ମଧ୍ୟରେ ଆବଦ୍ଧ ହୋଇ ନ ପାରନ୍ତି । ମଣିଷ ଭାବରେ ଜନ୍ମଲାଭ କରି ସେ ପାଇଛନ୍ତି ଦେବକଳ୍ପ ସମ୍ମାନ । ସତ୍ୟର ସନ୍ଧାନରେ ସେ ଥିଲେ ଆଜୀବନ ବ୍ରତୀ ଏବଂ ତାଙ୍କ ଜୀବନର ଛତ୍ରେ ଛତ୍ରେ ସତ୍ୟର ମହିମା ପ୍ରକଟିତ ହୋଇଥିଲା ।

 

ଗୁଜୁରାଟର ପୋର ବନ୍ଦରଠାରେ ୧୮୬୯ ମସିହା ଅକ୍ଟୋବର ଦୁଇ ତାରିଖରେ ଜନ୍ମଲାଭ କରିଥିଲେ ଗାନ୍ଧିଜୀ । ତାଙ୍କର ପିତା ଓ ପିତାମହ କାଥିଆୱାଡ ରାଜ୍ୟଗୁଡ଼ିକର ପ୍ରଧାନମନ୍ତ୍ରୀ ରୂପେ କାର୍ଯ୍ୟ କରି ଆସୁଥିଲେ । ସରକାରୀ ଚାକିରିରେ ନିଯୁକ୍ତି ଥାଇ ମଧ୍ୟ ସେମାନେ ନିଷ୍ଠାପର ଭଗବତ୍ ପ୍ରେମୀ ଥିଲେ ଏବଂ ଗାନ୍ଧିଜୀ ଶୈଶବରୁ ହିଁ ସେମାନଙ୍କର ପ୍ରଭାବରେ ବିଶେଷ ଅନୁପ୍ରାଣିତ ହୋଇଥିଲେ । ତାଙ୍କ ପିତାମହଙ୍କ ନାମ ଥିଲା ଓତା ଗାନ୍ଧୀ ଏବଂ ପିତାଙ୍କ ନାମଥିଲା କାବା ଗାନ୍ଧୀ । ପିତା କାବା ଗାନ୍ଧୀ ରାଜସ୍ଥାନିକ୍ କୋର୍ଟର ସଭ୍ୟଭୁକ୍ତଥିଲେ । ସମାଜ ଉପରେ ଉକ୍ତ କୋର୍ଟ ସେତେବେଳେ ଖୁବ୍ ପ୍ରଭାବ ବିସ୍ତାର କରିପାରୁଥିଲା । ପରବର୍ତ୍ତୀ ସମୟରେ ସେ ରାଜସ୍ଥାନ ଷ୍ଟେଟର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ପାଇଥିଲେ । କାବା ଗାନ୍ଧୀଙ୍କର ବୈବାହିକ ଜୀବନ ଘୋର ବିଷାଦ ପୂର୍ଣ୍ଣ ଥିଲା । କାରଣ ତାଙ୍କର ପ୍ରଥମ ତିନୋଟି ବିବାହ ବିପର୍ଯ୍ୟୟରେ ପରିଣତ ହୋଇଥିଲା-। ବିବାହର କିଛି ବର୍ଷପରେ ତାଙ୍କର ପ୍ରଥମ ତିନୋଟି ପତ୍ନୀ ଗୋଟିକ ପରେ ଗୋଟିଏ ଇହଧାମରୁ ବିଦାୟ ନେଇଥିଲେ । କିନ୍ତୁ ଚତୁର୍ଥ ବିବାହ ତାଙ୍କ ଜୀବନରେ ଆଶାର ସଂଚାର କରିଥିଲା-। ଉକ୍ତ ପତ୍ନୀଙ୍କ ଗର୍ଭରୁ ତିନିଗୋଟି ପୁତ୍ର ସନ୍ତାନ ଏବଂ ଗୋଟିଏ କନ୍ୟା ଜନ୍ମଲାଭ କରିଥିଲେ । ମହାତ୍ମା ଗାନ୍ଧୀ ଥିଲେ ସର୍ବକନିଷ୍ଠ ପୁତ୍ର । ମଣିଷ ଭାବରେ କାବା ଗାନ୍ଧୀ ଥିଲେ ସାଧୁ, ସାହସୀ ଓ ସତ୍ୟବାଦୀ-। ଦୀର୍ଘଦିନ ସରକାରୀ ଅଫିସରେ କାର୍ଯ୍ୟ କରି ସୁଦ୍ଧା ସେ ଉତ୍କୋଚ ଗ୍ରହଣ ମୋଟେ କରୁନଥିଲେ ଏବଂ ଆଜୀବନ ରାଜପରିବାର ପ୍ରତି ଅନୁରକ୍ତ ରହିଥିଲେ । ବିଶେଷ କିଛି ଶିକ୍ଷା ନଥିଲେ ମଧ୍ୟ ତାଙ୍କର ପ୍ରଭୂତ ଶାସନ ଅଭିଜ୍ଞତା ଥିଲା । ମହାତ୍ମା ଗାନ୍ଧୀଙ୍କର ଶୈଶବର ନାମଥିଲା କରମଚାନ୍ଦ-

 

ଗୁଜରାଟରେ ସେତେବେଳେ ବାଲ୍ୟବିବାହ ପ୍ରଥା ପ୍ରଚଳିତ ଥିଲା ଏବଂ ଗାନ୍ଧିଜୀ ତାର ଶିକାର ହୋଇଥିଲେ । କରମଚାନ୍ଦଙ୍କୁ ସାତବର୍ଷ ବୟସ ବେଳେ ତାଙ୍କ ପରିବାର ରାଜକୋଟକୁ ସ୍ଥାନାନ୍ତରିତ ହେଲେ ଏବଂ ତେର ବର୍ଷ ବୟସରେ ତାଙ୍କର ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ବିବାହବେଳେ ଗାନ୍ଧିଜୀ ତାର ଗୁରୁତ୍ଵ ସମ୍ପର୍କରେ ମୋଟେ ସଚେତନ ନଥିଲେ । ପରବର୍ତ୍ତୀ ସମୟରେ ଅବଶ୍ୟ ସେ ଏଭଳି ବିବାହ ପ୍ରଥାର ମାରାତ୍ମକତା ହୃଦୟଙ୍ଗମ କରିଥିଲେ ଏବଂ ତାର ଉଚ୍ଛେଦ ସାଧନ ଦିଗରେ ଗଠନମୂଳକ ପନ୍ଥାମାନ ଆବିଷ୍କାର କରିଥିଲେ । ଗାନ୍ଧିଜୀ ଓ ତାଙ୍କ ପତ୍ନୀ କସ୍ତୁରବା ଉଭୟେ ୧୮୬୯ ମସିହାରେ ଜନ୍ମଗ୍ରହଣ କରିଥିଲେ ।

 

ଛାତ୍ର ହିସାବରେ ଗାନ୍ଧିଜୀ ସେତେ ମେଧାବୀ ନଥିଲେ । ବହୁ କଷ୍ଟରେ ସେ ସଂସ୍କୃତ ଆୟତ୍ତ କରିଥିଲେ । ପଣକିଆ ଘୋଷି ମନେରଖିବା ଶୈଶବରେ ତାଙ୍କ ପକ୍ଷେ ଏକ କଷ୍ଟକର ବ୍ୟାପାର ହୋଇଥିଲା । ପରବର୍ତ୍ତୀ ଜୀବନରେ ସେ ସଂସ୍କୃତର ଗୁରୁତ୍ଵ ଉପଲବ୍ଧି କରିଥିଲେ ଏବଂ ପ୍ରତ୍ୟେକ ହିନ୍ଦୁ ଛାତ୍ର ସଂସ୍କୃତ, ପାରସିଆନ୍, ଆରବିକ ଏବଂ ଇଂରାଜୀ ଭାଷା ଶିକ୍ଷା କରିବା ଉଚିତ ବୋଲି ସେ ମନେ କରୁଥିଲେ ।

 

ବୟସ ଓ ଅନୁଭୂତିରୁ ଜ୍ଞାନ ଓ ଗୁଣର ମାତ୍ରା ବୃଦ୍ଧି ପାଇଥାଏ । କିନ୍ତୁ ଗାନ୍ଧିଜୀ ଥିଲେ ଶୈଶବରୁ ଜ୍ଞାନ ବୃଦ୍ଧ । ଖୁବ୍ କମ୍ ବୟସରୁ ସେ ବିବେକର ନିର୍ଦ୍ଦେଶ ଦ୍ଵାରା ନିଜକୁ ପରିଚାଳିତ କରିଥିଲେ । ପିତୃମାତୃ ଭକ୍ତି ଗାନ୍ଧୀ ପରିବାରର ଥିଲା ଏକ କୌଳିକ ଗୁଣ । ପିତାମାତାଙ୍କର ନିଷ୍ପତ୍ତି ବିରୁଦ୍ଧରେ ସ୍ୱର ଉଠାଇବା ମୋଟେ ସମ୍ଭବ ହେଉ ନଥିଲା । ଏକଦା ତାଙ୍କର କେହି ଜଣେ ବନ୍ଧୁ ମାଂସଭକ୍ଷଣର ଉପକାରିତା ସମ୍ପର୍କରେ ତାଙ୍କୁ ବୁଝାଇବାକୁ ଲାଗିଲେ । ଗାନ୍ଧିଜୀ ମଧ୍ୟ ଶୁଣିବାକୁ ପାଇଲେ ଯେ ରାଜକୋଟର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାଂସ ଓ ମଦ୍ୟପାନରେ ଖୁବ୍ ଅଭ୍ୟସ୍ତ ହୋଇ ଗଲେଣି । ତାଙ୍କର ବଡ଼ ଭାଇ ମଧ୍ୟ ପିତାମାତାଙ୍କର ଅଗୋଚରରେ ମାଂସ ଭକ୍ଷଣ ଆରମ୍ଭ କରି ଦେଇଥାନ୍ତି । ସେହି ଗୋଷ୍ଠୀରେ ଯୋଗ ଦେବା ପାଇଁ ଗାନ୍ଧିଜୀଙ୍କୁ ମଧ୍ୟ ବନ୍ଧୁ ମହଲରୁ ନିର୍ଦ୍ଦେଶ ଆସିଲା । ମାଂସଭକ୍ଷଣ ଫଳରେ ମଣିଷ ଅଧିକ ଶକ୍ତିଶାଳୀ ଓ ପରିଶ୍ରମୀ ହୋଇପାରନ୍ତି ବୋଲି ଯୁକ୍ତି ହେଲା ଏବଂ ତାରି ଫଳରେ ବିଲାତବାସୀ ଭାରତୀୟଙ୍କ ଅଧିକ ଉଚ୍ଚତର ଏବଂ ଶାସନକ୍ଷମ ହୋଇଛନ୍ତି ବୋଲି ମଧ୍ୟ ଯୁକ୍ତି ହେଲା । ଦେଶସାରା ଉକ୍ତ ଅଭ୍ୟାସ ପ୍ରସାରିତ କରିପାରିଲେ ଇଂରେଜୀଙ୍କୁ ସହଜରେ ହଟାଇ ଦିଆଯାଇ ପାରିବ ବୋଲି ତାଙ୍କୁ ବୁଝାଇ ଦିଆଗଲା । ଗାନ୍ଧୀ ପରିବାରର ଲୋକେ ବୈଷ୍ଣବ ସମ୍ପ୍ରଦାୟ ଭୁକ୍ତ ଥିବାରୁ ଆମିଷ ଆହାର ମୋଟେ କରୁନଥିଲେ । ଜୈନଧର୍ମର ପ୍ରାଧାନ୍ୟ ଗୁଜରାଟର ସର୍ବତ୍ର ଉପଲବ୍‍ଧ ହେଉଥିଲା । ପିତାମାତାଙ୍କର ଯୋଗ୍ୟ ସନ୍ତାନ କରମଚାନ୍ଦ ଗାନ୍ଧୀ ମଧ୍ୟ ଆମିଷ ଆହାର କରୁନଥିଲେ । କିନ୍ତୁ ଗୁଜରାଟରେ ସଂସ୍କାର ଅଣାଇବା ଦିଗରେ ଯେଉଁ କେତେକ ଯୁବକ ତାଙ୍କୁ ଆମିଷ ଆହାର ପାଇଁ ପରାମର୍ଶ ଦେଲେ, ସେ ସେମାନଙ୍କର ଯୁକ୍ତିକୁ ସହଜରେ ଉଡ଼ାଇ ଦେଇ ପାରିଲେ ନାହିଁ । ସେମାନଙ୍କର ସଂସ୍କାର ମନୋବୃତ୍ତିକୁ ସେ ପସନ୍ଦ କରିବାରେ ଲାଗିଲେ ସତ; କିନ୍ତୁ ପିତାମାତାଙ୍କର ଅଗୋଚରରେ କୌଣସି ଗୋଟିଏ ନୂତନ କାର୍ଯ୍ୟ କରି ପକାଇବାକୁ ସେ ମୋଟେ ଶ୍ରେୟସ୍କର ମଣୁ ନଥିଲେ । କିନ୍ତୁ ବନ୍ଧୁମାନଙ୍କ ଚାପ ଏତେ ପ୍ରବଳ ହେଲା ଯେ ସେ ଏକରକମ ବାଧ୍ୟବାଧକତାରେ ନଦୀତଟସ୍ଥ ଏକ ନିର୍ଜ୍ଜନ ସ୍ଥାନରେ ଜୀବନରେ ସର୍ବ ପ୍ରଥମଥର ପାଇଁ ମାଂସ ସ୍ପର୍ଶ କଲେ । କିନ୍ତୁ ସେ ତାଙ୍କୁ ମୋଟେ ତୃପ୍ତିକର ବୋଧକଲେ ନାହିଁ ଏବଂ ମାଂସଭକ୍ଷଣ କରିବା ତାଙ୍କ ପକ୍ଷେ ସମ୍ଭବ ହେଲା ନାହିଁ । ଉକ୍ତ ଦିନ ରାତ୍ରରେ ପେଟ ଭିତରେ ଛେଳିଟିଏ ଚିତ୍କାର କରୁଥିଲା ଭଳି ଏକ ଅଦ୍ଭୁତ ଓ କିମ୍ବୁତକିମାକାର ସ୍ୱପ୍ନ ଦେଖିଲା ପରେ ସେ ଜୀବନର ଅବଶିଷ୍ଟ ସମୟ ପାଇଁ ମାଂସଭକ୍ଷଣ ପରିତ୍ୟାଗ କରିଥିଲେ । କିନ୍ତୁ ଭାରତ ଭଳି ଏକ ଅନୁନ୍ନତ ରାଷ୍ଟ୍ରର ମାଂସ ଭକ୍ଷଣର ଆବଶ୍ୟକତାକୁ ସେ କଦାପି ଅସ୍ୱୀକାର କରୁନଥିଲେ ଏବଂ ଖାଦ୍ୟାଭ୍ୟାସର ପରିବର୍ତ୍ତନ ସଙ୍ଗେ ମାଂସାଦି ଖାଦ୍ୟର ଉପାଦେୟତା ବିଶେଷ ପ୍ରଚାରିତ ହେବା ଉଚିତ ବୋଲି ସେ ମନେ କରୁଥିଲେ । ମାଂସ ବର୍ଜ୍ଜନ ତାଙ୍କର ଥିଲା ଏକ ବ୍ୟକ୍ତିଗତ ନିଷ୍ପତ୍ତି ।

 

ଗାନ୍ଧୀ ପରିବାର ବୈଷ୍ଣବ ସମ୍ପ୍ରଦାୟଭୁକ୍ତ ଥିବାରୁ ଅତି ଶୈଶବରୁ ଗାନ୍ଧିଜୀଙ୍କୁ ମନ୍ଦିରକୁ ଯିବାକୁ ପଡ଼ୁଥିଲା । ଧର୍ମକୁ ସେ ଅତି ଉଦାର ଭାବରେ ଗ୍ରହଣ କରୁଥିଲେ । ରାମନାମ ଉଚ୍ଚାରଣରେ ମନ ଭିତରର ଭୟ ଦୂର ହୋଇପାରେ ବୋଲି ରମ୍ଭାନାମ୍ନୀ ଜଣେ ଧାଈଙ୍କଠାରୁ ସେ ଶୁଣିବାକୁ ପାଇଥିଲେ ଏବଂ ଭବିଷ୍ୟତରେ ଉକ୍ତ ଧାଈଙ୍କ ଉପଦେଶକୁ କାର୍ଯ୍ୟରେ ଲଗାଇଥିଲେ । ସେହିଦିନଠାରୁ ରାମ ଭକ୍ତି ତାଙ୍କର ମଜ୍ଜାଗତ ହେଲା । ତୁଳସୀ ରାମାୟଣକୁ ସେ ଭକ୍ତି ସାହିତ୍ୟରେ ଏକ ବହୁମୂଲ୍ୟ ଗ୍ରନ୍ଥ ବୋଲି ବିବେଚନା କରୁଥିଲେ । ଗାନ୍ଧିଜୀଙ୍କ ପିତା ବହୁ ମୁସଲମାନ ବନ୍ଧୁଙ୍କୁ ଗୃହକୁ ନିମନ୍ତ୍ରଣ କରି ତାଙ୍କ ସହ ଶାସନ ସମ୍ପର୍କରେ ଜଡ଼ିତ ବହୁ ବିଷୟରେ ପରାମର୍ଶ କରୁଥିଲେ । ଗାନ୍ଧିଜୀ ତେଣୁ ସେମାନଙ୍କୁ ବନ୍ଧୁ ଭାବରେ ବ୍ୟବହାର କରିବା ପାଇଁ ଶୈଶବରୁ ହିଁ ଶିକ୍ଷାଲାଭ କରିଥିଲେ । ଅବଶ୍ୟ ଖ୍ରୀଷ୍ଟିଆନ ଧର୍ମପ୍ରତି ସେତେବେଳେ ତାଙ୍କର ଟିକିଏ ବିତୃଷ୍ଣା ଥିଲା । ଅର୍ଥର ପ୍ରଲୋଭନ ଦେଖାଇ ଯେଉଁ ଧର୍ମପ୍ରଚାର କରାଯାଏ, ତାର ବୈଶିଷ୍ଟ୍ୟରେ ସେ କମ୍ ବିଶ୍ଵାସ କରୁଥିଲେ ।

 

ମାଟ୍ରିକୁଲେସନ ଶିକ୍ଷାପରେ ଭାବନଗର କଲେଜରେ ଗାନ୍ଧିଜୀଙ୍କର ଉଚ୍ଚଶିକ୍ଷା ଆରମ୍ଭ ହେଲା । କିନ୍ତୁ କଲେଜର ବାୟୁମଣ୍ଡଳରେ ସେ ଏକରକମ ନିଃଶ୍ୱାସ ରୁଦ୍ଧ ହୋଇ କିଛି ଦିନ ମଧ୍ୟରେ ଗୃହକୁ ପ୍ରତ୍ୟାଗମନ କରିଥିଲେ । ତତ୍ପରେ ବହୁ ଆଲୋଚନା ଓ ଆଲୋଡ଼ନ ପରେ ଆଇନ ଶିକ୍ଷା ଲାଗି ତାଙ୍କୁ ବିଲାତ ପଠାଯିବା ନିଷ୍ପତ୍ତି ହେଲା ।

 

୧୮୮୮ ମସିହା ସେପ୍ଟେମ୍ବର ମାସରେ ଗାନ୍ଧିଜୀ ସେହି ଉଦ୍ଦେଶ୍ୟରେ ଲଣ୍ଡନରେ ପହଞ୍ଚିଲେ । ନିରାମିଷଭୋଜୀ ହେତୁ ତାଙ୍କୁ ସେଠାରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଲା-। ଇଂରାଜୀ ବ୍ୟତୀତ ସେ ସେଠାରେ ଲାଟିନ୍ ଓ ଫରାସୀ ଭାଷା ଶିକ୍ଷା କରିବାରେ ଲାଗିଲେ । ଏକ ଥିଓସଫିକାଲ କ୍ଲବରେ ଯୋଗଦାନ କରି ସେ ଇଂରେଜ ବନ୍ଧୁମାନଙ୍କ ସହାୟତାରେ ଗୀତାତତ୍ତ୍ଵ ପ୍ରତି ବିଶେଷ ଆକୃଷ୍ଟ ହୋଇଥିଲେ । ବହୁ ଇଂରେଜୀ ବ୍ୟକ୍ତି ଗୀତା ଓ ଭାରତୀୟ ଦର୍ଶନ ସମ୍ପର୍କରେ ସେଠାରେ ଜ୍ଞାନହାସଲ କରିଥାନ୍ତି । ଫଳରେ ଗାନ୍ଧିଜୀ ମଧ୍ୟ ଖ୍ରୀଷ୍ଟିଆନ ଧର୍ମସମ୍ବଳିତ ଗ୍ରନ୍ଥ ଅଧ୍ୟୟନ ପାଇଁ ଉତ୍କଣ୍ଠା ପ୍ରକାଶ କଲେ । ନିଉ ଟେଷ୍ଟାମେଣ୍ଟ, ବିଶେଷତଃ ପର୍ବତ ଉପରୁ ଯୀଶୁଙ୍କ ବାଣୀ ପଢ଼ିବା ପରେ ଖ୍ରୀଷ୍ଟଧର୍ମ ସମ୍ପର୍କରେ ଭାରତରେ ସେ ଯେଉଁ ସଙ୍କୀର୍ଣ୍ଣ ଧାରଣା ପୋଷଣ କରିଥିଲେ ତାହା ଦୂରୀଭୂତ ହେଲା । ଭାରତରେ ଯେଉଁ ଭାବରେ ଉକ୍ତ ଧର୍ମକୁ ପ୍ରଚାର କରାଯାଉଛି, ତାହାର ଅସାଧୁତା ସେ ସଙ୍ଗେ ସଙ୍ଗେ ହୃଦୟଙ୍ଗମ କରିଥିଲେ ଏବଂ ତଦ୍ଦ୍ଵାରା ଏତେବଡ଼ ଉଦାର ଧର୍ମର ବିଶେଷତ୍ଵ କ୍ଷୁଣ୍ଣ ହେବାକୁ ଯାଉଛି ବୋଲି ସେ ବିଶ୍ୱାସ କରୁଥିଲେ । ଲଣ୍ଡନ ମାଟ୍ରିକୁଲେସନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ସେ ଆଇନ ପରୀକ୍ଷାରେ ମଧ୍ୟ ଉତ୍ତୀର୍ଣ୍ଣ ହୋଇଥିଲେ । ଏହି ସମୟ ମଧ୍ୟରେ ତାଙ୍କ ମାତାଙ୍କର ଦେହାନ୍ତ ଘଟିଥିଲା । କିନ୍ତୁ ସେ ଭାରତକୁ ଫେରି ଆସିଲା ପରେ ହିଁ ଉକ୍ତ ଖବର ପାଇଥିଲେ ।

 

ବନ୍ଧୁମାନଙ୍କର ପରାମର୍ଶକ୍ରମେ ଗାନ୍ଧିଜୀ ବମ୍ୱେଠାରୁ ଭାରତୀୟ ଆଇନ ସମ୍ପର୍କରେ ଶିକ୍ଷା ଅର୍ଜ୍ଜନ କରିଥିଲେ । କିନ୍ତୁ କୋର୍ଟରେ ଉପସ୍ଥିତ ହୋଇ ମକଦ୍ଦମା ଚଳାଇବା ତାଙ୍କ ପକ୍ଷରେ ସମ୍ଭବପର ହେଲା ନାହିଁ । ମାମିବାଈ ନାମ୍ନୀ ଜଣେ ମହିଳାଙ୍କ ପକ୍ଷରୁ ମକଦ୍ଦମା ଚଳାଉଥିବାବେଳେ ସେ ଅତି ଦୟନୀୟ ଭାବରେ କୋର୍ଟ ଛାଡ଼ି ଚାଲି ଆସିଥିଲେ । ଫଳରେ ଜଣେ ଓକୀଲ ଭାବରେ ସେ ଅକୃତକାର୍ଯ୍ୟ ହୋଇ ବମ୍ବେରୁ ରାଜକୋଟ ପ୍ରତ୍ୟାବର୍ତ୍ତନ କରିବାକୁ ବାଧ୍ୟ ହେଲେ । ସେଠାରେ ସେ ବଡ଼ ଭାଇଙ୍କ ସହାୟତାରେ କେତେକ ଅଭିଜ୍ଞ ଓକୀଲଙ୍କର ସାହଚର୍ଯ୍ୟ ଲାଭ କରି ଭରଣପୋଷଣ ଲାଗି କେତେକ ଛୋଟ ଦରର କାର୍ଯ୍ୟ ହାତକୁ ନେଲେ । ଠିକ୍ ଏହି ସମୟରେ ଜଣେ ଭାରତୀୟ ଶେଠ୍ ଅବଦୁଲ୍ କରିମ୍ ତାଙ୍କ ବ୍ୟବସାୟ ପ୍ରତିଷ୍ଠାନରେ ନିଯୁକ୍ତି ଦେବା ଲାଗି ଗାନ୍ଧୁଜିଙ୍କୁ ଦକ୍ଷିଣ-ଆଫ୍ରିକା ନେଇଗଲେ ଏବଂ ସେ ସେଠାରେ ଉକ୍ତ ସେଠଙ୍କର ଜଣେ ଆଇନ ପରାମର୍ଶଦାତା ଭାବରେ ନିଯୁକ୍ତି ପାଇଲେ । ଅବଦୁଲ୍ କରିମ୍ ନେଟାଲ୍ ରାଜ୍ୟରେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ରୂପେ ସୁନାମ ହାସଲ କରିଥିଲେ । ତାଙ୍କର ଶିକ୍ଷା ସୀମିତ ଥିବାରୁ ତାଙ୍କ ପକ୍ଷରୁ ଗାନ୍ଧିଜୀଙ୍କୁ କୋର୍ଟରେ ହାଜର ହେବାକୁ ପଡ଼ୁଥିଲା ।

 

ଦକ୍ଷିଣ-ଆଫ୍ରିକାରେ ନିଯୁକ୍ତି ପାଇଲା ପରେ ଗାନ୍ଧିଜୀ ଗୋରା ଲୋକଙ୍କର ଅତ୍ୟାଚାର ସମ୍ପର୍କରେ ବହୁ କଥା ଶୁଣିବାକୁ ପାଇଥିଲେ । ଏବଂ ନିଜେ ତା’ର ଶିକାର ହୋଇଥିଲେ । ଦକ୍ଷିଣ-ଆଫ୍ରିକାର ଅନ୍ୟତମ ସହର ଫ୍ରିଟୋରିଆ ଅଭିମୁଖେ ଟ୍ରେନରେ ଯାତ୍ରା କଲାବେଳେ ସେ ସର୍ବପ୍ରଥମେ ଜଣେ ଗୋରା ଯାତ୍ରୀଙ୍କଦ୍ୱାରା ଲାଞ୍ଛିତ ହୋଇଥିଲେ । ରେଳବାଇ କର୍ତ୍ତୃପକ୍ଷ କଳା-ଗୋରା ଭେଦନୀତିକୁ ସମର୍ଥନ କରୁଥିବାରୁ ନ୍ୟାୟସଙ୍ଗତ ବ୍ୟବହାର ପାଇବା ତାଙ୍କ ପକ୍ଷେ ସମ୍ଭବ ହେଲା ନାହିଁ । ଉକ୍ତ ଅଭିଜ୍ଞତା ପରେ ପରେ ସେ ଦକ୍ଷିଣ-ଆଫ୍ରିକାର ମୁକ୍ତି ଆନ୍ଦୋଳନ ସମ୍ପର୍କରେ ଚିନ୍ତା କରିଥିଲେ ଏବଂ ପ୍ରକାଶ୍ୟରେ ଗୋରା ସରକାରଙ୍କର କେତେକ କାର୍ଯ୍ୟର ପ୍ରତିବାଦ କରିଥିଲେ । ଜୋହାନସ୍ ବର୍ଗଠାରେ ସେଠ୍ ଅବଦୁଲ୍ ଗାନିଙ୍କଠାରୁ ସେ ଭାରତୀୟ ଓ ନିଗ୍ରୋମାନଙ୍କର ଦୁର୍ଦ୍ଧଶା ସମ୍ପର୍କରେ ବିସ୍ତୃତଭାବେ ଶୁଣିବାକୁ ପାଇଥିଲେ । ଭାରତୀୟ ବ୍ୟବସାୟୀମାନେ ଦକ୍ଷିଣ-ଆଫ୍ରିକାର ଘନଘନ ପରିବର୍ତ୍ତିତ ଆଇନ ସମ୍ପର୍କରେ ପ୍ରତ୍ୟକ୍ଷ ଖବର ପାଉନଥିବାରୁ ୟୁରୋପୀୟମାନଙ୍କର ଚକ୍ରାନ୍ତରେ ଅଳ୍ପଦିନ ମଧ୍ୟରେ ସର୍ବସ୍ୱ ହରାଇ ବସୁଥିଲେ । ଫଳରେ ଗାନ୍ଧିଜୀ ସେଠାରେ ନିଃସ୍ୱ ଜାତିଗୁଡିକର ଆର୍ଥିକ ଅବସ୍ଥା ଏବଂ ଗୋରାମାନଙ୍କର ଅତ୍ୟାଚାର ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ପରମ ସୁଯୋଗ ଲାଭ କଲେ । ଜାତୀୟ ସ୍ୱାର୍ଥରକ୍ଷା ପାଇଁ ଲଢ଼ିବା ନିମିତ୍ତ ସେ ସେଠା ଅଧିବାସୀମାନଙ୍କୁ ପ୍ରଥମଥର ପାଇଁ ଶିକ୍ଷାଦାନ କଲେ ।

 

ତଦାପି ଗାନ୍ଧିଜୀ ଦକ୍ଷିଣ-ଆଫ୍ରିକାରେ କେତେକ ଉଦାର ଗୋରା ବ୍ୟକ୍ତିଙ୍କର ସଂସ୍ପର୍ଶରେ ଆସିଥିଲେ । ଡରବାନ୍ ସହରର ମି: ଲାଫ୍ ଟନ୍ ନାମକ ଜଣେ ଅଭିଜ୍ଞ ଓ ବୟସ୍କ ଆଇନଜୀବୀଙ୍କୁ ସେ ବେଶ୍ ଭକ୍ତି କରୁଥିଲେ ଏବଂ ଆବଶ୍ୟକସ୍ଥଳେ ତାଙ୍କଠାରୁ ପରାମର୍ଶ ମଧ୍ୟ ଗ୍ରହଣ କରୁଥିଲେ । ମି: ଲାଫ୍ ଟନ୍ ଗାନ୍ଧିଜୀଙ୍କୁ ଏକଦା ଗୋରା-କଳାଜନିତ ଏକ ଭୟାନକ ବିପଦରୁ ରକ୍ଷା କରିବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ ଏବଂ ସେହି କାରଣରୁ ନିଜେ ୟୁରୋପୀୟମାନଙ୍କଦ୍ୱାରା ଆକ୍ରାନ୍ତ ଓ ଆହତ ବି ହୋଇଥିଲେ । ଉକ୍ତ ସହରରେ ଏକଦା ଗାନ୍ଧୀଜୀଙ୍କୁ ନିର୍ମମ ପ୍ରହାର ସହ୍ୟ କରିବାକୁ ପଡ଼ିଥିଲା ଏବଂ ସେଠା ପୋଲିସ ସୁପରିଟେଣ୍ଡେନଣ୍ଟଙ୍କର ବୃଦ୍ଧାପତ୍ନୀ ତାଙ୍କୁ ମୃତ୍ୟୁମୁଖରୁ ରକ୍ଷା କରିଥିଲେ । ଡରବାନ୍ ଠାରେ ସେଠ୍ ରୁସ୍ତମଜୀଙ୍କ ଗୃହରେ ଅବସ୍ଥାନବେଳେ ଗାନ୍ଧିଜୀ ପୁଣି ଏକ ଆକ୍ରମଣର ସମ୍ମୁଖୀନ ହୋଇଥିଲେ ଏବଂ ସେଠଜୀଙ୍କର ଜୀବନ ଓ ସମ୍ପତ୍ତିର ନିରାପତ୍ତା ଦୃଷ୍ଟିରୁ ପୋଲିସ ସୁପରିଟେଣ୍ଡଣ୍ଟଙ୍କ ପରାମର୍ଶକ୍ରମେ କନେଷ୍ଟବଲ୍ ପୋଷାକ ପରିଧାନ କରି ଗୋପନରେ ସ୍ଥାନୀୟ ପୋଲିସ ଥାନାରେ ପହଞ୍ଚିଯାଇଥିଲେ ।

 

ଦକ୍ଷିଣ-ଆଫ୍ରିକାରେ ତାଙ୍କର ତିକ୍ତ ଅନୁଭୂତି ଭାରତୀୟ-ମାନଙ୍କୁ ଅଧିକ ସଙ୍ଗଠିତ ଓ ସଂଯତ କରିପାରିବ ବୋଲି ଗାନ୍ଧିଜୀ ବିଶ୍ୱାସ କରୁଥିଲେ । ଏହିଠାରେ ହିଁ ସେ ତାଙ୍କର ଅଦ୍ଵିତୀୟ ଅହିଂସ ଅସ୍ପଷ୍ଟ ସତ୍ୟାଗ୍ରହର ଆବିଷ୍କାର ଓ ପ୍ରୟୋଗ କରି ଆନ୍ଦୋଳନ ଇତିହାସରେ ଏକ ସମ୍ପୂର୍ଣ୍ଣ ନୂତନ ପରିଚ୍ଛେଦ ସୃଷ୍ଟି କରିଦେଇଥିଲେ । ମାନବିକ ମୂଲ୍ୟବୋଧକୁ ଗାନ୍ଧିଜୀ ସର୍ବୋଚ୍ଚ ସମ୍ମାନ ଦେଉଥିଲେ । ଏକଦା ଗୋଟିଏ ମାଜିଷ୍ଟ୍ରେଟ କୋର୍ଟରେ ଉପସ୍ଥିତ ଥିଲାବେଳେ ଗାନ୍ଧୀଜୀଙ୍କୁ ତାଙ୍କର ପଗଡ଼ି ବାହାର କରିନେବା ପାଇଁ ମାଜିଷ୍ଟ୍ରେଟ ଆଦେଶ ଦେଲେ । କିନ୍ତୁ ସେ ଉକ୍ତ ଆଦେଶ ପାଳନ କରିବା ପରିବର୍ତ୍ତେ କୋର୍ଟ ଛାଡ଼ି ଚାଲିଯାଇଥିଲେ । ଆତ୍ମସମ୍ମାନକୁ ବଳି ଦେଇ ମୋକଦ୍ଦମାରେ ବିଜୟ ହାସଲ କରିବା ତାଙ୍କର ଉଦ୍ଦେଶ୍ୟ ନଥିଲା । ଦକ୍ଷିଣ-ଆଫ୍ରିକା ସରକାର ହିନ୍ଦୁ ବିବାହକୁ ଅବୈଧ ଘୋଷଣା କରିବା ସଙ୍ଗେ ସଙ୍ଗେ ଭାରତୀୟମାନଙ୍କ ଉପରେ ଯେଉଁ ଅପମାନସୂଚକ ଟିକସ ବସାଇଥିଲେ, ଗାନ୍ଧିଜୀ ତା’ର ଘୋର ପ୍ରତିବାଦ କରି ଜେଲବରଣ ମଧ୍ୟ କରିଥିଲେ । ଭାରତୀୟମାନଙ୍କର ସ୍ୱାର୍ଥରକ୍ଷା ଦିଗରେ ଗାନ୍ଧୀଜୀଙ୍କ ଅହିଂସା କାର୍ଯ୍ୟପନ୍ଥାକୁ ଭାରତର ତତ୍ କାଳୀନ ବଡଲାଟ ଲର୍ଡ ବାର୍ଡିଞ୍ଜ ସମର୍ଥନ ଜଣାଇ ଦକ୍ଷିଣ-ଆଫ୍ରିକା ସରକାରଙ୍କର ଦମନମୂଳକ କାର୍ଯ୍ୟକୁ ନିନ୍ଦା କରିଥିଲେ ।

 

ଭାରତୀୟମାନଙ୍କୁ ଦକ୍ଷିଣ-ଆଫ୍ରିକାର ଦ୍ଵିତୀୟ ଶ୍ରେଣୀ ନାଗରିକ ଭାବରେ ଗଣ୍ୟ କରି ସେମାନଙ୍କୁ ରେଜିଷ୍ଟ୍ରୀଭୁକ୍ତ କରିବା ଯେଉଁ କଳା-ଆଇନ ପାସ ହେଲା, ଗାନ୍ଧିଜୀ ତା’ର ଦୃଢ଼ ସମାଲୋଚନା କରି ଭାରତୀୟମାନଙ୍କ ମଧ୍ୟରେ ଐକ୍ୟ ପ୍ରତିଷ୍ଠା କରାଇ ପାରିଥିଲେ । କିନ୍ତୁ ଖୁବ୍ ସାବଧାନତାର ସହିତ ଉକ୍ତ କଳା-ଆଇନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ସେ ଯେଉଁ ନିଷ୍ପତ୍ତି ନେଲେ, ତଦ୍ଦ୍ଵାରା କେତେକ ଭାରତୀୟ ଉତ୍‍କ୍ଷିପ୍ତ ହୋଇ ତାଙ୍କୁ ନିସ୍ତୁକ ପ୍ରହାର କରିଥିଲେ । ନିଜ ଜୀବନକୁ ଭଗବାନଙ୍କଠାରେ ସମର୍ପଣ କରିଦେଇଥିବା ଫଳରେ ସେ କୌଣସି ବିପଦରେ ଭାଙ୍ଗିପଡ଼ୁନଥିଲେ । ୧୯୦୭ ମସିହାରେ ଉକ୍ତ କଳା-ଆଇନର ବିରୁଦ୍ଧାଚରଣ କରୁଥିବା ଅଭିଯୋଗରେ ଗାନ୍ଧିଜୀଙ୍କୁ ବନ୍ଦୀ କରାଗଲା । ବନ୍ଦୀଶାଳା ମଧ୍ୟରେ ସେ ସେଠାରେ ସମସ୍ତ ନିୟମକୁ ଶୃଙ୍ଖଳିତ ଭାବରେ ମାନି ନେଉଥିଲେ । ଅବଶ୍ୟ ବ୍ୟକ୍ତିଗତ ସମ୍ମାନରେ ଆଞ୍ଚ ଆସିଲାଭଳି ଜେଲ୍, କର୍ତ୍ତୃପକ୍ଷଙ୍କର କୈଣସି ନିର୍ଦ୍ଦେଶକୁ ସେ ମାନିବାକୁ ପ୍ରସ୍ତୁତ ନଥିଲେ । ଜେଲରୁ ଖଲାସ୍ ହେବା ପରେ ସେ ଦକ୍ଷିଣ-ଆଫ୍ରିକାରେ ବସବାସ କରିଥିବା ଏସୀୟମାନଙ୍କର ନେତୃତ୍ଵ ନେଇଥିଲେ ଏବଂ ସରକାର ଉପରୋକ୍ତ କଳା-ଆଇନକୁ ପ୍ରତ୍ୟାହାର କରିନେବା ଉଚିତ ବୋଲି ଦୃଢ଼ ଦାବୀ ଜଣାଇଥିଲେ । ଦକ୍ଷିଣ-ଆଫ୍ରିକାସ୍ଥ ଭାରତୀୟ ନରନାରୀ ଗାନ୍ଧିଜୀଙ୍କୁ ସେମାନଙ୍କର ହାର୍ଦ୍ଦିକ ସମର୍ଥନ ଜଣାଇ ଏକ ବିରାଟ ଶୋଭାଯାତ୍ରାରେ ବାହାରିଥିଲେ । ଉକ୍ତ ଶୋଭାଯାତ୍ରାର ଆୟୋଜନ ପରେ ପୁଣି ଥରେ ଗାନ୍ଧିଜୀଙ୍କୁ ଗିରଫ କରାଯାଇଥିଲା । କିନ୍ତୁ ୧୯୧୪ ମସିହାରେ ଭାରତୀୟମାନଙ୍କ ନିରାପତ୍ତା ଲାଗି ଏକ ଚୁକ୍ତି ସ୍ଵାକ୍ଷରିତ ହୋଇଥିଲା । ତାହା ହେଲା ଗାନ୍ଧିଜୀଙ୍କ ଆନ୍ଦୋଳନର ସାମାନ୍ୟ ସୁଫଳ । ଦକ୍ଷିଣ-ଆଫ୍ରିକାରେ ଗାନ୍ଧିଜୀଙ୍କର ଅନ୍ୟ ଏକ ଅନୁଭୂତି ହେଲା ବୋଏର ଯୁଦ୍ଧ । ଏହି ଯୁଦ୍ଧରେ ବହୁ ଭାରତୀୟ ଯୁବକ ବ୍ରିଟିଶ ସରକାରଙ୍କର ବିରୁଦ୍ଧରେ ଯିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । କିନ୍ତୁ ଗାନ୍ଧିଜୀ ସେମାନଙ୍କୁ ବୁଝାଇ କହିଥିଲେ ଯେ ସେମାନେ ବ୍ରିଟିଶ ସରକାରଙ୍କର ପ୍ରଜାଥିବା ହେତୁ ଉକ୍ତ ସରକାରଙ୍କୁ ଯଥାଶକ୍ତି ସାହାଯ୍ୟ କରିବା ବାଞ୍ଛନୀୟ । ନିଜେ ମହାତ୍ମା ଗାନ୍ଧୀ ଏକ ଆମ୍ବୁଲେନସ୍ ବାହିନୀ ଗଠନ କରି ଯୁଦ୍ଧ-ଆହତ ସୈନ୍ୟମାନଙ୍କର ସେବା କରିବା ପାଇଁ ଆଗଭର ହୋଇଥିଲେ । ନେଟାଲଠାରେ “ଇଣ୍ଡିଆନ୍ ଓପିନିଅନ” ନାମକ ଏକ ପତ୍ରିକା ପ୍ରକାଶ କରି ସେ ତା’ ସାହାଯ୍ୟରେ ଭାରତୀୟମାନଙ୍କର ଅସୁବିଧା ସବୁର ଅବତାରଣା କରିବା ପାଇଁ ଏକ ବଳିଷ୍ଠ ପଦକ୍ଷପ ନେଇଥିଲେ ।

 

ନିରପତ୍ତା ଚୁକ୍ତି ସ୍ଵାକ୍ଷର ପରେ ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାରୁ ବିଦାୟ ନେଇ ଭାରତକୁ ଫେରିଆସିଲେ । ସେ ସମୟରେ ଭାରତୀୟ ରାଜନୀତିରେ ଗୋପାଳକୃଷ୍ଣ ଗୋଖଲେ, ଫିରୋଜଶାହ ମେହେଟା, ବାଲ ଗଙ୍ଗାଧର ତିଲକ ପ୍ରଭୃତି ନେତାଙ୍କର ପ୍ରତିପତ୍ତି ଥିଲା । ଗାନ୍ଧିଜୀ ସେମାନଙ୍କର ସଂସ୍ପର୍ଶରେ ଆସି ସେମାନଙ୍କ ଦ୍ଵାରା ପ୍ରଭାବିତ ହୋଇଥିଲେ ଏବଂ ଅହିଂସା ପନ୍ଥାରେ ବ୍ରିଟିଶ ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ଉପାୟ ଉଦ୍ଭାବନ କରିଥିଲେ । ଖୁବ୍ କମ୍ ସମୟ ମଧ୍ୟରେ ସେ ଜଣେ ଜନପ୍ରିୟ ନେତାଭାବରେ ଦେଶସାରା ପରିଚିତ ହୋଇଗଲେ । ଉଚ୍ଚମନା ଗାନ୍ଧିଜୀ କୌଣସି ସଙ୍କୀର୍ଣ୍ଣ ପନ୍ଥା ଅବଲମ୍ବନ କରି ସ୍ଵାଧୀନତା ଲାଭ ଦିଗରେ ଚିନ୍ତାହିଁ କରିପାରୁ ନଥିଲେ । ମୁକ୍ତକାମୀ ଦକ୍ଷିଣ-ଆଫ୍ରିକୀୟବାସୀଙ୍କ ଲାଗି ସେ ଯେଉଁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଆରମ୍ଭ କରିଥିଲେ, ସେ ଅଭିଜ୍ଞତା ଭାରତରେ ତାଙ୍କୁ ବିଶେଷ ସହାୟତା କରିଥିଲା । ଭାରତୀୟ ଶ୍ରମିକମାନଙ୍କୁ ବ୍ରିଟିଶ ସାମ୍ରାଜ୍ୟର ବିଭିନ୍ନ ପ୍ରାନ୍ତକୁ ପ୍ରେରଣ କରିବା ପାଇଁ ସେତେବେଳେ ବ୍ରିଟିଶ ସରକାର ଯେଉଁ ଅଭିଯାନ ଆରମ୍ଭ କରିଥିଲେ, ଗାନ୍ଧିଜୀ ସର୍ବପ୍ରଥମେ ତାର ବିରୋଧ କରି ଉକ୍ତ ଉଦ୍ୟମକୁ ବନ୍ଦ କରାଇଥିଲେ । ତତ୍ପରେ ସେ ବିହାରର ଚମ୍ପାରଣଠାରେ ଜମିଦାର ଓ ସରକାରଙ୍କ ଠାରୁ ନୀଳଚାଷୀମାନଙ୍କୁ ରକ୍ଷାକରିବା ଦିଗରେ ଏକ ସଫଳ ଉଦ୍ୟମ କରିଥିଲେ ଚମ୍ପାରଣ ଆନ୍ଦୋଳନର ପରିସମାପ୍ତି ପରେ ପରେ ଖାଇରାଠାରେ ଘଟିଥିବା ଅନୁରୂପ ଆଉ ଏକ ଘଟଣାରେ ଗାନ୍ଧିଜୀଙ୍କ ଉପସ୍ଥିତି ଉପଲବଧି କରାଗଲା । ଏଥର ଅବଶ୍ୟ ସେ ପୂର୍ବଭଳି ସଫଳକାର୍ଯ୍ୟ ହୋଇପାରି ନଥିଲେ । ତଥାପି ଚମ୍ପାରଣ ବିଦ୍ରୋହର ଅବସାନ ପରେ ଭାରତୀୟ ରାଜନୀତିରେ ଗାନ୍ଧିଜୀଙ୍କର ବ୍ୟକ୍ତିତ୍ଵର ପ୍ରଭାବ ସ୍ପଷ୍ଟ ଭାବରେ ପରିଲକ୍ଷିତ ହେଲା । କଂଗ୍ରେସର ଉଗ୍ରପନ୍ଥୀ ନେତାମାନଙ୍କ ନୀତି ଅପେକ୍ଷା ଗାନ୍ଧିଜୀଙ୍କର ନୀତିକୁ ଭାରତବାସୀ ଅଧିକ ଅନୁମୋଦନ ଓ ସମର୍ଥନ କଲେ । ଭାରତର ତତ୍କାଳୀନ ବଡ଼ଲାଟ ମଧ୍ୟ ତାଙ୍କୁ ଯୁଦ୍ଧ କମିଟିରେ ସଦସ୍ୟଭୁକ୍ତ କରାଇ କ୍ଷୁଦ୍ଧପର କାର୍ଯ୍ୟକ୍ରମରେ ତାଙ୍କର ସହାୟତା କାମନା କଲେ । ଅତ୍ୟନ୍ତ ଆଶ୍ଚର୍ଯ୍ୟର କଥା ଯେ ଗାନ୍ଧିଜୀ ବଡ଼ଲାଟଙ୍କ ବହୁ କାର୍ଯ୍ୟଙ୍କୁ ସମର୍ଥନ ଜଣାଇଥିଲେ ।

 

୧୯୧୯ ମସିହାରେ ଗାନ୍ଧିଜୀ ‘ୟଙ୍ଗ୍ ଇଣ୍ଡିଆ’ (Young India) ନାମକ ଏକ ପତ୍ରିକା ପ୍ରକାଶ କରି ଭାରତର ମୁକ୍ତି ସଂଗ୍ରାମର ବିବରଣୀ ଓ ଉପାୟମାନ ସେଥିରେ ପ୍ରକାଶ କରିବାରେ ଲାଗିଲେ । ପରବର୍ତ୍ତୀ ସମୟରେ ଏହି ପତ୍ରିକାକୁ ‘ହରିଜନ’ ନାମରେ ନାମିତ କରାଗଲା-। ହରିଜନ ଜାତିର ତ୍ରାଣକର୍ତ୍ତାରୂପେ ସେ ଆବିର୍ଭାବ ହୋଇଥିଲେ । ଗାନ୍ଧିଜୀଙ୍କ ସାହିତ୍ୟର ଏକ ବିଶିଷ୍ଟ ଭାଗ ଏହି ପତ୍ରିକା ମାଧ୍ୟମରେ ହିଁ ପ୍ରକାଶିତ ହୋଇଥିଲା । ଉକ୍ତ ପତ୍ରିକାରେ ପ୍ରକାଶିତ ପ୍ରବନ୍ଧଗୁଡ଼ିକ ପାଠକମାନଙ୍କ ଉପରେ ବିଶେଷ ପ୍ରଭାବ ପକାଉଥିଲା । ୧୯୪୦ ମସିହାବେଳକୁ ‘ହରିଜନ’ ପତ୍ରିକାଟି ନଅଗୋଟି ଭାଷାରେ ପ୍ରକାଶିତ ହେଉଥିଲା ଏବଂ ଭାରତର ମୁକ୍ତି ସଂଗ୍ରାମରେ ଏକ ବଳିଷ୍ଠ ଅସ୍ତ୍ରରୁପେ ବ୍ୟବହୃତ ହେଉଥିଲା । ୧୯୨୧ ମସିହାବେଳକୁ ଗାନ୍ଧୀଜୀଙ୍କ ରାଜନୈତିକ ପ୍ରତିଷ୍ଠା ଦେଶସାରା ବ୍ୟାପି ଯାଇଥିଲା । ଉକ୍ତ ମସିହାର ଅସହଯୋଗ ଆନ୍ଦୋଳନ ହେଲା ଭାରତରେ ତାଙ୍କର ପ୍ରଥମ ରାଜନୈତିକ ପରୀକ୍ଷା ଏବଂ ସେଥିରେ ସେ ଅତି ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଥିଲେ । ପଞ୍ଜାବର ଜାଲିୱାନାବାଗଠାରେ ବ୍ରିଟିଶ ସରକାର ଯେଉଁ ଦମନଲିଳା ଚଳାଇଥିଲେ, ତାହା ଗାନ୍ଧିଜୀଙ୍କ ରାଜନୈତିକ ଚିନ୍ତାକୁ ବହୁପରିମାଣରେ ବଦଳାଇ ଦେଇଥିଲା-। ଖିଲାଫତ୍ ଆନ୍ଦୋଳନରେ ମୁସଲମାନମାନଙ୍କୁ ସମର୍ଥନ ଜଣାଇ ସେ ଭାରତୀୟ ମୁସଲମାନମାନଙ୍କର ଆସ୍ଥାଭାଜନ ହୋଇପାରିଥିଲେ ଏବଂ ତଦ୍ଦ୍ୱାରା ଉଭୟ ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ଐକ୍ୟଭାବ ପ୍ରତିଷ୍ଠା କରିପାରିଥିଲେ । ସ୍ୱାଧିନତା ଆନ୍ଦୋଳନକୁ ଶୃଙ୍ଖଳିତ କରିବା ନିମିତ୍ତ ସେ ଏହି ସମୟରେ ଖଦି ପ୍ରସ୍ତୁତି ଓ ବ୍ୟବହାର ଉପରେ ଗୁରୁତ୍ଵ ଦେଇଥିଲେ ।

 

ଜନତାର ମନକୁ ଅଧ୍ୟୟନ କରିବାରେ ଗାନ୍ଧିଜୀଙ୍କର ଅସୀମ ନୈପୁଣ୍ୟ ଥିଲା । ଦକ୍ଷିଣ-ଆଫ୍ରିକା ସରକାରଙ୍କ ବର୍ଣ୍ଣବୈଷମ୍ୟ ନୀତି ମାନବିକତାର ବିକାଶ ପଥରେ ଘୋର ଅନ୍ତରାୟ ବୋଲି ସେ ଯେଉଁ ବିଶ୍ୱାସ ପୋଷଣ କରୁଥିଲେ, ତା’ର ନିରାକରଣ ପାଇଁ ନିଷ୍ଠାପର ଉଦ୍ୟମ ନିମିତ୍ତ ତାହାହିଁ ତାଙ୍କୁ ବଳ ଯୋଗାଇଥିଲା । ଭାରତରେ ବି ସେ ମାନବିକତା ମନ୍ତ୍ରକୁ ନିଜର ଦୀକ୍ଷା ରୂପେ ଗ୍ରହଣ କରିନେଇ ମୁକ୍ତିକାମୀ ଭାରତୀୟମାନଙ୍କର ମୁକ୍ତିଲାଗି ସଂଗ୍ରାମରେ ଝାସ ଦେଇଥିଲେ । ଉକ୍ତ ସଂଗ୍ରାମର ପଛରେ ମାନବ ମୁକ୍ତିର ଇଙ୍ଗିତ ହିଁ ପ୍ରଚ୍ଛନ୍ନଭାବରେ ପ୍ରକାଶ ପାଉଥିଲା । କିନ୍ତୁ ଆନ୍ଦୋଳନକାରୀ ଭାରତୀୟ ଜନତା ଯେପରି ସଂଯମ ଓ ଶୃଙ୍ଖଳାର ବଶବର୍ତ୍ତୀ ରହି କର୍ତ୍ତବ୍ୟ ସମ୍ପାଦନ କରନ୍ତି ଏବଂ ସତ୍ୟ ଓ ଅହିଂସା ମାର୍ଗରୁ ବିଚ୍ୟୁତ ନ ହୁଅନ୍ତି, ସେ ଦିଗରେ ସେ ବିଶେଷ ଚିନ୍ତିତ ଥିଲେ । ଆନ୍ଦୋଳନର ବିଚ୍ୟୁତି ଘଟିଲେ ତାର ସଂଶୋଧନ ପାଇଁ ନିଜେ ସେ ଅନଶନ କରି ବସୁଥିଲେ ଏବଂ ଅନଶନରେ ପରମୁହୁର୍ତ୍ତରେ ତାର ସମାଧାନ ଘଟୁଥିଲା । ହିଟଲର୍, ଷ୍ଟାଲିନ, ଓ ଚର୍ଚ୍ଚିଲ୍ ଯେଉଁ ପନ୍ଥାରେ ସାମ୍ରାଜ୍ୟବୃଦ୍ଧିର ସ୍ଵପ୍ନ ଦେଖୁଥିଲେ ଗାନ୍ଧିଜୀ ତାର ସ୍ଥାୟିତ୍ଵକୁ ଗୈାଣ ବୋଲି ସ୍ଵୀକାର କରୁଥିଲେ । ୧୯୩୦ ମସିହାର ଲବଣ ସତ୍ୟାଗ୍ରହ ଏବଂ ୧୯୦୨ ମସିହାର ଭାରତ ଛାଡ଼ ବିପ୍ଳବକୁ ସେ ଅତ୍ୟନ୍ତ ଶୃଙ୍ଖଳିତ ଭାବରେ ପରିଚାଳିତ କରାଇଥିଲେ । କୌଣସି ଏକ ବିଶାଳ ଜାତିକୁ ଜୋର ଜବରଦସ୍ତ ଅହିଂସା କରାଇବା ସମ୍ଭବ ହୋଇନପାରେ-ଏହା ଗାନ୍ଧିଜୀ ବେଶ୍ ହୃଦୟଙ୍ଗମ କରିପାରିଥିଲେ । ଫଳରେ ଅହିଂସା ପ୍ରତି ସମଗ୍ର ଜାତିର ଆଗ୍ରହ ବୃଦ୍ଧି ଦିଗରେ ସେ ସର୍ବପ୍ରଥମେ ସଫଳ ଉଦ୍ୟମ କରିଥିଲେ । ଦେଶବାସୀଙ୍କ ମନରେ ଆତ୍ମପ୍ରତ୍ୟୟ ସୃଷ୍ଟି କରି ତାହାକୁ ଦୃଢ଼ୀଭୂତ କରାଇବା ନିମିତ୍ତ ସେ ସ୍ୱଦେଶୀ ଆନ୍ଦୋଳନ ଭଳି ଏକ ରଚନାତ୍ମକ ଆନ୍ଦୋଳନର ସୂତ୍ରପାତ କରିଥିଲେ । ଦେଶର ଦଳିତ ଜାତି ମଧ୍ୟରେ ଭାରତୀୟ ଚିନ୍ତାର ବିକାଶ କଳ୍ପେ ସେ ସେମାନଙ୍କର ସାମାଜିକ ସ୍ଥିତିର ଉନ୍ନତିକୁ ଭାରତବାସୀଙ୍କର ମୌଳିକ କର୍ତ୍ତବ୍ୟ ବୋଲି ଘୋଷଣା କଲେ । ଦେଶବାସୀଙ୍କ ମନରେ ଶାରୀରିକ ଶ୍ରମ ପ୍ରତି ଆଗ୍ରହ ସୃଷ୍ଟି ନିମିତ୍ତ ସେ ଜାତୀୟ ସ୍ତରରେ ଚରଖା ଓ ଚାଦର ବ୍ୟବହାର ବ୍ୟାପକ କରାଇଥିଲେ । ଗାନ୍ଧିଜୀଙ୍କ ଆନ୍ଦୋଳନ ପଛରେ ଗଣର ସମର୍ଥନ ରହିଥିଲା । ଜବାହାରଲାଲ ନେହେରୁ, ଭଗବାନ ଦାସ, ଆଚାର୍ଯ୍ୟ କୃପଳିନୀ, ବଲ୍ଲଭଭାଇ ପଟେଲ, ଲାଲବାହାଦୁର ଶାସ୍ତ୍ରୀ ରାଜର୍ଷୀ ଟଣ୍ଡନ, ରାଜେନ୍ଦ୍ର ପ୍ରସାଦ, ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ ପ୍ରମୁଖ ଜାତୀୟନେତାଏ ଗାନ୍ଧିଜୀଙ୍କୁ ନୈତିକ ସମର୍ଥନ ଜଣାଇ ଦେଶର ବିଭିନ୍ନ ପ୍ରାନ୍ତରେ ସ୍ଵାଧୀନତା ଆନ୍ଦୋଳନକୁ ଉଜ୍ଜୀବିତ କରାଇଥିଲେ । ମୋତିଲାଲ ନେହେରୁ, ଚିତ୍ତରଞ୍ଜନ ଦାସ, ସୁବାସଚନ୍ଦ୍ର ବୋଷ ପ୍ରଭୃତି ଉତ୍କଟ ଜାତୀୟବାଦୀ ନେତାମାନେ ଗାନ୍ଧିଜୀଙ୍କ ଉଦାର ନୀତିକୁ ଅତ୍ୟନ୍ତ ମନ୍ଥର ନୀତି ବୋଲି ସମାଲୋଚନା କରିଥିଲେ । କିନ୍ତୁ ‘ଧୀର ପାଣି ପଥର କାଟେ’ର ସାର୍ଥକତା ଗାନ୍ଧିଜୀଙ୍କର ଉଦାର ନୀତିରେ ହିଁ ବେଶ୍ ପ୍ରତିଫଳିତ ହୋଇଥିଲା । ଲଣ୍ତନସ୍ଥ ଗୋଲଟେବୁଲ ବୈଠକରେ ଭାରତର ମୁକ୍ତି ଲାଗି ସେ ବାଢ଼ିଥିବା ଯୁକ୍ତି ବିଲାତ ମନ୍ତ୍ରୀମାନଙ୍କୁ ବିସ୍ମିତ କରି ପକାଉଥିଲା । ତାଙ୍କରି ନିର୍ଦ୍ଦେଶରେ ୧୯୨୭ ମସିହାରେ ଦେଶବାସୀ ସର୍ବତ୍ର ସାଇମନ୍ କମିଶନ ନିଯୁକ୍ତିର ଘୋର ପ୍ରତିବାଦ କଲେ ଏବଂ ୧୯୩୦ ମସିହାରେ ଲବଣ ସତ୍ୟାଗ୍ରହରେ ଅଂଶ ଗ୍ରହଣ କରି ବ୍ରିଟିଶ ସରକାରଙ୍କ ଆସନକୁ ଟଳମଳ କରି ପକାଇଥିଲେ । ଗାନ୍ଧିଜୀଙ୍କ ଲବଣ ସତ୍ୟାଗ୍ରହ । ସାରା ବିଶ୍ଵରେ ଏକ ନୂତନ ଜାଗରଣର ଇଙ୍ଗିତ ଦେଲା ।

 

ଗାନ୍ଧିଜୀ ଥିଲେ କଂଗ୍ରେସ ଦଳର ପ୍ରାଣଦାତା । କିନ୍ତୁ କଂଗ୍ରେସକୁ ଏକ ସଂକୀର୍ଣ୍ଣ ରାଜନୈତିକ ଦଳ ଭାବରେ ଗ୍ରହଣ ନକରି ଏକ ସାମାଜିକ ସଂସ୍ଥା ଭାବରେ ସେ ଗ୍ରହଣ କରିଥିଲେ-। ଦେଶର ସ୍ଵାର୍ଥ ଓ ସମ୍ମାନକୁ ଜଳାଞ୍ଜଳି ଦେଇ ଦଳର ସ୍ଵାର୍ଥରକ୍ଷା ପ୍ରତି ସେ ମୋଟେ ଆଗ୍ରହୀ ନଥିଲେ । ୧୯୩୧ ମସିହା ସେ ଗୋଲଟେବୁଲ ବୈଠକରେ ଯୋଗଦାନ କରି ରିକ୍ତ ହସ୍ତରେ ଫେରିଆସିଥିଲେ ମଧ୍ୟ ତାଙ୍କର କନପ୍ରିୟତା ବୃଦ୍ଧି ପାଇଥିଲା ଏବଂ କଂଗ୍ରେସ ପାର୍ଟିର ଅଭିମୁଖେ ବଦଳି ଯାଇଥିଲା । ସ୍ଵାଧୀନତା ଦେବା ପୂର୍ବରୁ ଭାରତବର୍ଷକୁ ଖଣ୍ତବିଖଣ୍ତିତ କରିଦେବା ପାଇଁ ବ୍ରିଟିଶ ସରକାର ଯେଉଁ ଚକ୍ରାନ୍ତ ଚଳାଇଥିଲେ ବହୁ ଭାରତୀୟ ନେତା ତାହାର ଶିକାର ହୋଇଯାଇଥିଲେ । ଏପରିକି ଦଳିତ ଜାତିର ନେତା ବୋଲାଉଥିବା ପ୍ରସିଦ୍ଧ ଆଇନଜୀବୀ ଡ: ଆମ୍ବେଦକର ମଧ୍ୟ ବ୍ରିଟିଶ ସରକାରଙ୍କର କେତେକ କୁକର୍ମ ପ୍ରତି ସମର୍ଥନ ଜଣାଉଥିଲେ । ୧୯୩୫ ମସିହାରେ ପ୍ରଣୀତ ସମ୍ବିଧାନରେ ଯେଉଁ ସମ୍ପ୍ରଦାୟିକ ଭୋଟପ୍ରଥାର ବ୍ୟବସ୍ଥା ଥିଲା । ଗାନ୍ଧିଜୀ ତା’ର ଘୋର ବିରୋଧୀ ଥିଲେ ଏବଂ ତାକୁ ପ୍ରତ୍ୟାହାର କରିନେବା ଲାଗି ଆହ୍ଵାନ ଜଣାଇ ମଧ୍ୟରେ । ଆମରଣ ଅନଶନ ଆରମ୍ଭ କରିଥିଲେ । ସମ୍ପ୍ରଦାୟିକ ଭୋଟପ୍ରଥା ପରିବେଶରେ ପ୍ରତ୍ୟାହୃତ ହେଲା-। ଭାରତର ସାମାଜିକ ସ୍ଥିତିକୁ ଦୃଢ଼ କରିବା ଓ ହିନ୍ଦୁଧର୍ମରେ ଐକ୍ୟପ୍ରତିଷ୍ଠା ନିମିତ୍ତ ଅସ୍ପୃଶ୍ୟତାକୁ ସମୂଳେ ଉଚ୍ଛେଦ କରାଯାଉ ବୋଲି ସେ ଯେଉଁ ଆହ୍ୱାନ ଦେଲେ, ଦେଶ ବ୍ୟାପି ତାହାର ସ୍ପନ୍ଦନ ଜାଗ୍ରତ ହେଲା । ବହୁସ୍ଥାନରେ ପ୍ରାଚୀନ ଓ ପ୍ରସିଦ୍ଧ ଧର୍ମପୀଠ ସବୁ ହରିଜନମାନଙ୍କ ପାଇଁ ଉନ୍ମୁକ୍ତ ରଖାଗଲା । କଲିକତାର କାଲିଘାଟ ମନ୍ଦିର ଏବଂ ବନାରସର ରାମ ମନ୍ଦିରରେ ଅସ୍ପୃଶ୍ୟ ଜନତା ସର୍ବପ୍ରଥମେ ପ୍ରବେଶ କରି ପ୍ରସାଦ ସେବନ କଲେ ।

 

ଦ୍ଵିତୀୟ ମହାସମର ଥିଲା ହିଟ୍‍ଲରୀ ଶାସନର ଶେଷ ପରିଣତି । ପୃଥୀବିରୁ ହିଟଲରୀ ସ୍ଵେଚ୍ଛାଚାରି ଶାସନର ଉଚ୍ଛେଦ ଲାଗି ଯେଉଁ ମିତ୍ରଶକ୍ତି ଯୁଦ୍ଧରେ ଝାସ ଦେବାକୁ ବାଧ୍ୟ ହେଲେ, ସେମାନଙ୍କ ପ୍ରତି ଗାନ୍ଧୀଜୀଙ୍କର ସହାନୁଭୂତି ରହିଥିଲା । ଫଳରେ ଯୁଦ୍ଧ ସମୟରେ ବ୍ରିଟିଶ ସରକାରଙ୍କୁ ସମର୍ଥନ କରିବା ଲାଗି ସେ ଭାରତୀୟ ନେତାମାନଙ୍କୁ ପରାମର୍ଶ ଦେଇଥିଲେ ଏବଂ ଅହିଂସା ଉପାୟରେ ହିଟଲରଙ୍କର ସମ୍ମୁଖୀନ ହେବା ଲାଗି ବ୍ରିଟିଶ ଜାତିକୁ ଆହ୍ଵାନ ଦେଇଥିଲେ । ଯୁଦ୍ଧରେ ବ୍ରିଟିଶ ଜାତି ବିଜୟ ହାସଲ କରନ୍ତୁ, ଏହା ହିଁ ଥିଲା ତାଙ୍କର କାମନା । କିନ୍ତୁ ଭାରତୀୟମାନଙ୍କର ସମ୍ମତି ନ ଦେଇ ଭାରତ ଯୁଦ୍ଧରେ ଯୋଗ ଦେବା କଥା ବିଲାତ ପ୍ରଧାନମନ୍ତ୍ରୀ ଉଇନଷ୍ଟନ ଚର୍ଚ୍ଚିଲ ଯେତେବେଳେ ଘୋଷଣା କଲେ, ଗାନ୍ଧିଜୀ ତାର ତୀବ୍ର ନିନ୍ଦାକରି ଯୁଦ୍ଧରେ ସନ୍ତ୍ରୀୟ ଅଂଶ ଗ୍ରହଣ କରିବା ପାଇଁ ଭାରତବାସୀ ପ୍ରସ୍ତୁତ ନୁହନ୍ତି ବୋଲି ଘୋଷଣା କରିଥିଲେ । ୧୯୪୨ ମସିହାରେ ବ୍ରିଟିଶ ସରକାର ସାର୍ ଷ୍ଟାଫୋର୍ଡ୍ କ୍ରିପସଙ୍କୁ ଭାରତ ପଠାଇ ଭାରତୀୟମାନଙ୍କର ଶାସନଗତ ସ୍ଵାତନ୍ତ୍ର୍ୟ ସମ୍ପର୍କରେ କେତେକ ପ୍ରସ୍ତାବ ଦେଇଥିଲେ । କିନ୍ତୁ ମୁସଲମାନ୍ ମାନଙ୍କୁ ସୁହାଇଲା ଭଳି ଅଖଣ୍ତ ଭାରତକୁ ଦୁଇ ଭାଗ କରିବା ଲାଗି କ୍ରିପସ ମିଶନ୍ ଯେଉଁ ପ୍ରସ୍ତାବ ଦେଲେ, ଗାନ୍ଧିଜୀ ସେଥିରେ ରାଜି ହୋଇ ପାରିଲେ ନାହିଁ । କ୍ରିପସଙ୍କ ବ୍ୟର୍ଥତା ପରେ ପରେ ଗାନ୍ଧିଜୀଙ୍କ ନେତୃତ୍ଵରେ ଭାରତୀୟ ଜାତୀୟ କଂଗ୍ରେସ ୧୯୪୨ ମସିହାରେ ‘ଭାରତ ଛାଡ଼’ ପ୍ରସ୍ତାବ ପାସକଲେ ଏବଂ ବ୍ରିଟିଶ ଶାସନର ଆଶୁ ଅବସାନ ପାଇଁ ଆହ୍ୱାନ ଜଣାଇଥିଲେ । ଫଳରେ ଗାନ୍ଧିଜୀ, ନେହୁରୁଜୀ ଏବଂ ଅନ୍ୟାନ୍ୟ ବିଶିଷ୍ଟ ନେତାମାନଙ୍କୁ ସଙ୍ଗେ ସଙ୍ଗେ ଗିରଫ କରାଯାଇ ବନ୍ଦୀଶାଳାକୁ ପଠାଇଗଲା । ତତ୍‍ପରେ ଗାନ୍ଧିଜୀ ଭାଇସ୍‍ରାୟ ଲିନ୍‍ଲିଥଗୋଙ୍କ ସହ ପତ୍ରାଳାପ ଚଲାଇ ତାଙ୍କର କେତେକ ପଦକ୍ଷେପର ସମାଲୋଚନା କରିଥିଲେ । ଗାନ୍ଧିଜୀ ଗିରଫ୍ ହେବା ପରେ ପରେ ଭାରତବର୍ଷର ବିଭିନ୍ନ ସ୍ଥାନରେ ଆନ୍ଦୋଳନର ସୂତ୍ରପାତ ହୋଇଥିଲା । ୧୯୪୪ ମସିହା ଫେବୃୟାରୀ ୨୨ ତାରିଖରେ କସ୍ତୁରବା ଗାନ୍ଧୀ ଇହଧାମରୁ ବିଦାୟ ନେଲେ । ସେହି ବର୍ଷ ମେ ମାସରେ ସ୍ଵାସ୍ଥ୍ୟହାନୀ କାରଣରୁ ଗାନ୍ଧିଜୀଙ୍କୁ ଜେଲରୁ ଖଲାସ କରାଯାଇଥିଲା ଏବଂ ତତ୍‍ପରେ ସେ ମି: ଜିନ୍ନା ଓ ମୁସଲିମ୍ ଲିଗର ଅନ୍ୟାନ୍ୟ ନେତାମାନଙ୍କ ସହିତ ସ୍ଵାଧୀନତା ସମ୍ପର୍କରେ କଥାବାର୍ତ୍ତା ଆରମ୍ଭ କଲେ । କିନ୍ତୁ ମୁସଲିମ୍ ଲିଗ୍ ନେତାମାନେ ମୁସଲମାନ ବହୁଳ ରାଜ୍ୟମାନଙ୍କୁ ନେଇ ପାକିସ୍ଥାନ ଗଠନ ପ୍ରଶ୍ନ ଉପରେ ଗୁରୁତ୍ଵ ଦେଇ ବସିଲେ । ଅଖଣ୍ତ ଭାରତର ମୁକ୍ତି ହାସଲ ପ୍ରତି ଗାନ୍ଧିଜୀ ଗୁରୁତ୍ଵ ଦେଉଥିବା ସ୍ଥଳେ ସ୍ୱତନ୍ତ୍ର ପାକିସ୍ଥାନ ସୃଷ୍ଟି ପ୍ରତି ଜିନ୍ନା ପ୍ରମୁଖ ଲିଗ୍ ନେତାଏ ଗୁରୁତ୍ଵ ଦେଲେ । ଦ୍ଵିତୀୟ ଯୁଦ୍ଧରେ ଜାପାନର ପତନ ପରେ ବ୍ରିଟିଶ ପ୍ରଧାନ କ୍ଲିମେଣ୍ଟ ଅଟଳ ଭାରତକୁ ସ୍ଵାଧୀନତା ପ୍ରଦାନ କରିବା ସମ୍ପର୍କରେ ତାଙ୍କ ସରକାରଙ୍କର ନୀତି ଘୋଷଣା କଲେ-। ମି: ଅଟଲିଙ୍କ ଘୋଷଣା ପରେ ପରେ କେନ୍ଦ୍ର ଓ ରାଜ୍ୟ ବିଧାନ ସଭାମାନଙ୍କରେ ନିର୍ବାଚନ ଅନୁଷ୍ଠିତ ହେଲା । ଏହି ନିର୍ବାଚନରେ ମୁସଲିମ୍ ଲିଗ୍ ଜାତୀୟ କଂଗ୍ରେସର ପ୍ରଧାନ ପ୍ରତିଦ୍ୱନ୍ଦୀ ରାଜନୈତିକ ଦଳଭାବରେ ସକ୍ରିୟ ହୋଇଥିଲା ଏବଂ ସ୍ୱତନ୍ତ୍ର ପାକିସ୍ଥାନ ସୃଷ୍ଟି ନିମିତ୍ତ ପ୍ରସ୍ତାବ ଦେଲା-। ବ୍ରିଟିଶ କାବିନେଟ୍ ମିଶନ୍ ଏ ମଧ୍ୟରେ ଭାରତ ଆସି କ୍ଷମତା ହସ୍ତାନ୍ତର ସମ୍ପର୍କରେ ଭାରତୀୟ ନେତାମାନଙ୍କ ସହ କଥାବାର୍ତ୍ତା ଆରମ୍ଭ କଲେ । କିନ୍ତୁ ବହୁ ଗୁରୁତ୍ଵପୂର୍ଣ୍ଣ ପ୍ରଶ୍ନ ଉପରେ ମୁସଲିମ୍ ଲିଗ୍ କଂଗ୍ରେସ ଦଳ ସହିତ ଏକମତ ହୋଇ ପାରିଲେ ନାହିଁ । ୧୯୪୭ରେ ପଣ୍ଡିତ ନେହୁରୁଙ୍କ ନେତୃତ୍ଵରେ ଏକ ମଧ୍ୟବର୍ତ୍ତୀକାଳୀନ ସରକାର କେନ୍ଦ୍ରରେ ପ୍ରତିଷ୍ଠା କରାଗଲା । କିନ୍ତୁ ମି: କିନ୍ନା ଏହାକୁ ସମର୍ଥନ ଜଣାଇବା ଦୁରେ ଆଉ, ତାର ବିରୁଦ୍ଧରେ ପ୍ରତିବାଦ ଜଣାଇ ମୁସଲମାନମାନଙ୍କୁ ହିନ୍ଦୁମାନଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ ପାଇଁ ପ୍ରରୋଚିତ କରିଦେଲେ । ଫଳରେ କଲିକତା ଓ ପୂର୍ବ-ବଙ୍ଗରେ ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ତୀବ୍ର ମନାନ୍ତର ସୃଷ୍ଟି ହେଲା ଏବଂ ଶେଷରେ ତାହା ହାଣକାଟରେ ପରିଣତ ହେଲା । କିନ୍ତୁ ଗାନ୍ଧିଜୀ ଉକ୍ତ ସାମ୍ପ୍ରଦାୟିକ ହିଂସାକାଣ୍ଡ ପରିଶେଷରେ ଭୀଷଣ ଗୃହଯୁଦ୍ଧ ଆକାର ଧାରଣା କରିପାରେ ବୋଲି ଗାନ୍ଧିଜୀ ଜନସାଧାରଣଙ୍କୁ ସତର୍କ କରାଇ ଦେଇ ନିଜେ ତାର ନିରାକରଣ ପାଇଁ ଉଦ୍ୟମ ଆରମ୍ଭ କଲେ । ବଙ୍ଗପ୍ରଦେଶ ହିଁ ସାମ୍ପ୍ରଦାୟିକ ଦଙ୍ଗାର ଶିକାର ହେଲା । ନୋଆଖାଲିଠାରେ ମୁସଲମାନମାନଙ୍କର ଆକ୍ରମଣ ଫଳରେ ହିନ୍ଦୁମାନେ ବିଶେଷ କ୍ଷତିଗ୍ରସ୍ତ ହେଲେ । ଗାନ୍ଧିଜୀ ତେଣୁ ନିଜେ ନୋଆଖାଲି ଯାତ୍ରାକରି ଘଟଣାକୁ ଅସ୍ଵାଭାବିକ ଭାବରେ ଆୟତ୍ତି କରିପାରିଥିଲେ । ଅତ୍ୟନ୍ତ ହୃଦୟସ୍ପର୍ଶୀ ଭାଷାରେ ଦେଶର ଅଖଣ୍ଡତା ରକ୍ଷା ଓ ସାମ୍ପ୍ରଦାୟିକ ସଦ୍ଭାବ ପ୍ରତିଷ୍ଠା ଲାଗି ହିନ୍ଦୁ ଓ ମୁସଲମାନ ଉଭୟ ସମ୍ପ୍ରଦାୟର ଲୋକଙ୍କୁ ସେ ନିବେଦନ କଲେ । ଗାନ୍ଧିଜୀଙ୍କର ନିବେଦନ ନୋଆଖାଲିଠାରେ ଏକ ଅଦ୍ଭୁତ ଜାଗରଣ ସୃଷ୍ଟି । ଗାନ୍ଧିଜୀଙ୍କର ଉପସ୍ଥିତି ହିଁ ସେଠାରେ ସଦ୍‍ଭାବର ବାୟୁମଣ୍ଡଳ ସୃଷ୍ଟି କଲା ଏବଂ ତାଙ୍କର ଦର୍ଶନ ନିମିତ୍ତ ଉଭୟ ସମ୍ପ୍ରଦାୟର ସହସ୍ରସଂଖ୍ୟକ ଲୋକ ରୁଣ୍ଡ ହେଲେ ।

 

୧୯୪୭ ମସିହା ମାର୍ଚ୍ଚ ମାସରେ ବିହାର ପ୍ରଦେଶରେ ପୁଣି ଦଙ୍ଗାହାଙ୍ଗାମାର ସମ୍ବାଦ ପାଇ ଗାନ୍ଧିଜୀ ପୁଣି ସେଠାକୁ ଆସି ଶାନ୍ତି ପ୍ରତିଷ୍ଠା କରିଥିଲେ । ଗାନ୍ଧିଜୀଙ୍କ ବିହାର ଯାତ୍ରାର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ଅଟଲି ଭାରତର ସ୍ଵାଧୀନତା ସମ୍ପର୍କରେ ସ୍ପଷ୍ଟ ଘୋଷଣା ପ୍ରକାଶ କରି ଲର୍ଡ ମାଉଣ୍ଟବ୍ୟାଟେନଙ୍କୁ ଭାରତର ଭାଇସରାୟ ରୂପେ ନିଯୁକ୍ତ କଲେ । ଲର୍ଡ ମାଉଣ୍ଟବ୍ୟାଟେନ ଉଭୟ କଂଗ୍ରେସ ଓ ମୁସଲିମ୍ ଲିଗ୍ ନେତାମାନଙ୍କ ସହ ଦୀର୍ଘଦିନ ଆଲୋଚନା କରି ପରିଶେଷରେ ପାକିସ୍ଥାନ ଗଠନ ପ୍ରସ୍ତାବକୁ ସମର୍ଥନ କରାଇ ନେଲେ । ଅନିଚ୍ଛା ସତ୍ତ୍ଵେ ଗାନ୍ଧିଜୀ ଉକ୍ତ ପ୍ରସ୍ତାବକୁ ଗ୍ରହଣ କରିବାକୁ ବାଧ୍ୟ ହେଲେ । କାରଣ ବିକଳ୍ପ ପନ୍ଥା ଉଭୟ ସମ୍ପ୍ରଦାୟର ଗ୍ରହଣଯୋଗ୍ୟ ନଥିଲା । ୧୯୪୭ ଅଗଷ୍ଟ ପନ୍ଦର ତାରିଖ ଦିନ ଭାରତବର୍ଷ ତାର ଦୀର୍ଘ ଦିନ ଈପ୍‍ସିତ ସ୍ଵାଧୀନତା ଲାଭ କରିଥିବା ଶୁଣି ଗାନ୍ଧିଜୀ ଯେତିକି ଆନନ୍ଦିତ ହେଲେ, ଦେଶର ବିଭକ୍ତୀକରଣ ସମ୍ବାଦରେ ସେ ସେତିକି ଅଧୀର ହୋଇ ପଡ଼ିଥିଲେ । ହିନ୍ଦୁ ଓ ମୁସଲମାନ ଉଭୟ ଗୋଷ୍ଠୀକୁ ନେଇ ଏକ ଅବିଭକ୍ତ ଭାରତ ଗଠନ ପାଇଁ ସେ ଯେଉଁ ପରିକଳ୍ପନା କରିଥିଲେ ତାହା ବିଫଳ ହେଲା । ସ୍ଵାଧୀନତା ଆନ୍ଦୋଳନର କର୍ଣ୍ଣଧାର ମହାତ୍ମା ଗାନ୍ଧୀ ଭାରତ ଜାତିର ଜନକ ରୂପେ ସ୍ଵୀକୃତ ହେଲେ । ଭାରତବାସୀଙ୍କର ସେ ହେଲେ ବାପୁ । କିନ୍ତୁ ଭାରତ ମାଟିର ସନ୍ତାନ ବାପୁଙ୍କର ସେ ଉଦାରତା ଓ ମହାନୀୟତା ବୁଝିବାରେ ସମର୍ଥ ହେଲେ ନାହିଁ । ୧୯୪୮ ମସିହା ଜାନୁୟାରୀ ୩୦ ତାରିଖ ଦିନ ପ୍ରାର୍ଥନା ପଡ଼ିଆକୁ ଯିବାବେଳେ ଦେଶଦ୍ରୋହୀ ନାଥୁରାମ ଗଡସେ ତାଙ୍କୁ ଲକ୍ଷ୍ୟ କରି ତିନି ରାଉଣ୍ଡ ଗୁଳି ବର୍ଷଣ କଲା । ‘ହା ରାମ’ ଉଚ୍ଚାରଣ କରି ମହାମାନବ ଗାନ୍ଧିଜୀ ମାଟି ମାଆର ବକ୍ଷରେ ପତିତ ହେଲେ । ମୁକ୍ତିକାମୀ ଭାରତ ଜାତିର ପିତା ଗାନ୍ଧିଜୀ ଏହି ଭାବରେ ଜଣେ ଆତତାୟୀର ଗୁଳିରେ ନିହତ ହେଲେ । ମହାପ୍ରୟାଣର ଏକ ଦିନ ପରେ ଯମୁନା ନଦୀତୀରରେ ଗାନ୍ଧିଜୀଙ୍କର ଶବ ସତ୍କାର କରାଯାଇଥିଲା । ବିଶ୍ଵଶାନ୍ତିର ବାର୍ତ୍ତାବହ ଗାନ୍ଧିଜୀଙ୍କର ବିୟୋଗରେ ବାସ୍ତବିକ ଭାରତର ଆଲୋକ ନିର୍ବାପିତ ହେଲା ଏବଂ ସେହିସ୍ଥାନ ପୂରଣ ପାଇଁ ଆଉ କେହି ଆଗଭର ହୋଇପାରିଲେ ନାହିଁ । ଗାନ୍ଧିଜୀଙ୍କ ମୃତ୍ୟୁଖବର ବିଶ୍ଵବାସୀଙ୍କୁ ଶୋକରେ ଅଧୀର କରି ପକାଇଲା । ଧର୍ମଗୁରୁ ଯୀଶୁ ଓ ମହାମାନବ ଗାନ୍ଧିଜୀଙ୍କ ବିୟୋଗ ପ୍ରାୟ ସମାନ ପରିସ୍ଥିତିରେ ଘଟିଥିଲା ।

 

ଗାନ୍ଧିଜୀ ଥିଲେ ଭାରତୀୟ ସଂସ୍କୃତିର ମୂର୍ତ୍ତିମନ୍ତ ପ୍ରତୀକ । ଭାରତୀୟ ସଂସ୍କୃତିରେ ଯାହା ଶାଶ୍ଵତ ତାହା ହିଁ ସେ ଗ୍ରହଣ କରିଥିଲେ । ବେଦ, ଉପନିଷଦ ଓ ପୁରାଣର ମୌଳିକ ଜ୍ଞାନ ସବୁ ଗାନ୍ଧିଜୀ ହାସଲ କରିପାରିଥିଲେ । ଏହି ମୌଳିକ ଉପାଦାନଗୁଡ଼ିକ ବହୁଯୁଗରୁ ଆମ୍ଭମାନଙ୍କ ପାଇଁ ଗଚ୍ଛିତ ରଖାଯାଇଥଲେ ମଧ୍ୟ ତାହାକୁ ଆହରଣ କରିବା ସମସ୍ତଙ୍କ ପକ୍ଷେ ସମ୍ଭବପର ହୋଇ ପାରେନି । ଗାନ୍ଧିଜୀ ରାଜନୀତିର ପଦ୍ଧତି ସଙ୍ଗରେ ସେଗୁଡ଼ିକ ଅତି ମନୋଜ୍ଞ ଭାବରେ ସଂଯୋଗ କରି ପାରିଥିଲେ । ତାଙ୍କର ହୃଦୟ ରାମଭକ୍ତିରେ ଆପ୍ଲୁତ ଥିଲା । ଭାରତୀୟ ସଂସ୍କୃତିର ସୁରକ୍ଷା କରି ତାହାକୁ ବିଶ୍ଵ ଦରବାରରେ ଉଚିତ ମାର୍ଗରେ ସ୍ଥାପନ କରିବା ପାଇଁ ସେ ତତ୍ପର ଥିଲେ । ବାଇବଲ, କୋରାନ, ତ୍ରିପିଟକ ପ୍ରଭୃତି ଧର୍ମଗ୍ରନ୍ଥଗୁଡ଼ିକୁ ଅନୁଧ୍ୟାନ କରି ସେ ସେଥିରେ ହିନ୍ଦୁ ଧର୍ମର ସାରବତ୍ତାର ସନ୍ଧାନ ପାଇଥିଲେ । ସବୁ ଧର୍ମପ୍ରତି ତାଙ୍କର ମମତା ଥିଲା ଏବଂ ତାହା ହିଁ ଭାରତବର୍ଷରେ ବିଭିନ୍ନ ଧର୍ମ ମଧ୍ୟରେ ସମନ୍ଵୟ ସ୍ଥାପନ କରିବା ଦିଗରେ ସହାୟତା କରିଥିଲେ । ବିଭିନ୍ନ ଧର୍ମୀଙ୍କ ମଧ୍ୟରେ ପାରସ୍ପରିକ ପ୍ରୀତି ଓ ସହନଶୀଳତା ପ୍ରତିଷ୍ଠା ପାଇଁ ସେ ଶେଷ ପର୍ଯ୍ୟନ୍ତ ଉଦ୍ୟମ କରିଥିଲେ । ଗାନ୍ଧିଜୀଙ୍କ ମୃତ୍ୟୁପରେ ପଣ୍ଡିତ ନେହେରୁ ତାଙ୍କର ପ୍ରତ୍ୟେକ କାର୍ଯ୍ୟ ଓ ପରାମର୍ଶକୁ ବିଶ୍ଵ ଦରବାରରେ ଉଚିତ ପ୍ରକାରେ ପ୍ରଚାର କରିଥିଲେ ।

 

ଭାରତୀୟଙ୍କ ମନରେ ସ୍ଵଦେଶୀ ଚିନ୍ତାର ବିକାଶ ଓ ଦୃଢ଼ୀକରଣ ଲାଗି ସେ ସ୍ଵଦେଶ ଆନ୍ଦୋଳନର ସୂତ୍ରପାତ କରିଥିଲେ । ଭାରତରେ ନିର୍ମିତ ଜିନିଷ ପ୍ରତି ଗଭୀର ଆସକ୍ତି ପ୍ରକାଶ କରି ଭାରତୀୟ ଉତ୍ପାଦନକାରୀଙ୍କୁ ସହାୟତା କରିବା ପାଇଁ ସେ ଜନସାଧାରଣଙ୍କୁ ନିବେଦନ ଜଣାଇଥିଲେ । ଉକ୍ତ ଆନ୍ଦୋଳନ ବହୁସ୍ଥାନରେ ଉଗ୍ରରୂପ ଧାରଣ କରିଥିଲା ଏବଂ ବିଦେଶୀ ଜିନିଷର ସ୍ତୁପ ଉପରେ ବହୁସ୍ଥଳରେ ଅଗ୍ନିସଂଯୋଗ କରାଯାଇଥିଲା ।

 

ଗାନ୍ଧିଜୀଙ୍କ ବିଶ୍ୱାସ ଥିଲା ମଣିଷ ନିଜର ସତ୍ୟ, ନିଷ୍ଠା ଓ ଅହିଂସା ଗୁଣରେ ହିଁ ବଳୀୟାନ ହୋଇପାରେ ଏବଂ ତଦ୍ଦ୍ଵାରା ହିଁ ନିଜର ଓ ଅନ୍ୟର ଭବିଷ୍ୟତକୁ ଗୌରବାନ୍ୱିତ କରିପାରେ । ସତ୍ୟର ସନ୍ଧାନ ପାଇଁ ମଣିଷ ଆତୁରତାର ଏବଂ ଆନ୍ତରିକତାର ସହିତ ଉଦ୍ୟମ କରିବା ବାଞ୍ଛନୀୟ । ପ୍ରେମ, ସେବା, ଆତ୍ମତ୍ୟାଗ ଓ କଷ୍ଟ ସ୍ଵୀକାର କରି କେବଳ ତାହାକୁ ଆହରଣ କରାଯାଇପାରେ । ରାଜନୈତିକ, ସାମାଜିକ, ଧର୍ମ ସମ୍ପର୍କୀୟ ଓ ଅର୍ଥନୈତିକ କ୍ଷେତ୍ରରେ ସେ ସେହି ଗୋଟିଏ ପ୍ରକାର ନୀତି ଅବଲମ୍ବନ କରୁଥିଲେ । ରାଜନୀତି, ଅର୍ଥନୀତି ଓ ଆନ୍ତର୍ଜାତିକ ସମ୍ପର୍କକୁ ସେ ଶାଶ୍ଵତ ପ୍ରେମ ଓ ଅହିଂସା ମାଧ୍ୟମରେ ହିଁ ବିଚାର କରୁଥିଲେ । ତାଙ୍କର ପ୍ରତ୍ୟେକ ଲେଖା ଓ ଭାଷଣ ସେହି ସତ୍ୟ ଓ ଅହିଂସା ଭିତ୍ତି ଉପରେ ପ୍ରତିଷ୍ଠିତ ହେଉଥିଲା । ଘୃଣା, ଶତ୍ରୁତା ଓ ଅବିଶ୍ୱାସର ସ୍ଥାନରେ ସେ ଯଥାକ୍ରମେ ପ୍ରେମ, ମିତ୍ରତା ଓ ବୁଝାମଣାର ସଂଚାର କରିଯାଇଥିଲେ । ତାଙ୍କର ଭାଷଣଗୁଡ଼ିକ ଯାଦୁକରର ବିଦ୍ୟାଭଳି ସତ୍ୟ ଓ ସୁଫଳ ପ୍ରଦାନ କରୁଥିଲା । ବିନା ରକ୍ତପାତରେ ଏକ ବିଶାଳ ଦେଶ ଅନ୍ୟ ଏକ ପରାକ୍ରମୀ ସାମ୍ରାଜ୍ୟବାଦୀ ରାଷ୍ଟ୍ରଠାରୁ ଯେଉଁଭଳି ସ୍ୱାଧୀନତା ଲାଭକଲା, ପ୍ରାଚ୍ୟ ଓ ପାଶ୍ଚାତ୍ୟ ରାଷ୍ଟ୍ରସମୁହ ସେଥିରେ ବିସ୍ମିତ ହୋଇଗଲେ । ଷ୍ଟାଲିନ୍ ଓ ହିଟ୍‍ଲର ରକ୍ତପାତ ନୀତିକୁ ଶାସନର ଶ୍ରେଷ୍ଠପନ୍ଥାରୂପେ ଧରିନେଇଥିଲେ । ଉକ୍ତ ପନ୍ଥା ମାନବ ଧର୍ମର ଘୋର ବିରୁଦ୍ଧାଚରଣ କରୁଥିବା କଥା ଗାନ୍ଧିଜୀ ଉକ୍ତ ଏକଛତ୍ର ଶାସକଦ୍ଵୟଙ୍କର ଜୀବଦ୍ଦଶାରେ ହିଁ ବଜ୍ରକଣ୍ଠରେ ଘୋଷଣା କରିଥିଲେ ।

 

ଅତି ସାଧାରଣ ପରିବେଶ ମଧ୍ୟରେ ଜୀବନଯାପନ କରି ମଧ୍ୟ ମଣିଷ ଉଚ୍ଚଚିନ୍ତାର ଅଧିକାରୀ ହୋଇପାରେ-ଏହାଥିଲା ଗାନ୍ଧିଜୀଙ୍କର ଏକ ଆଦର୍ଶବତ୍ତା । ଫଳରେ ସେ ନିଜକୁ ଦେଶର ଏକ ଦରିଦ୍ର ବ୍ୟକ୍ତିରୂପେ ଘୋଷଣା କରି ଦରିଦ୍ର ଜନତାର ଉନ୍ନତି କଳ୍ପେ ନିଜକୁ ସମର୍ପଣ କରିଥିଲେ-। ଦେଶର କୋଟିକୋଟି ଜନତାକୁ ଗଠନମୂଳକ ଭାବରେ ପ୍ରସ୍ତୁତ କରି ସେମାନଙ୍କର ଚାରିତ୍ରିକମାନ ବୃଦ୍ଧି ପାଇଁ ସେ ବିବିଧ ରଚନାତ୍ମକ ପନ୍ଥା ଉଦ୍ଭାବନ କରିଥିଲେ । ଛାତ୍ରସମାଜ ଓ ଯୁବଗୋଷ୍ଠୀ ସର୍ବପ୍ରଥମେ ସଂଯମ ଓ ବ୍ରହ୍ମଚର୍ଯ୍ୟ ଅବଲମ୍ବନ କରି ସମାଜର କୁସଂସ୍କାର ଲୋପ ପାଇଁ ଉଦ୍ୟତ ହେବା ଉଚିତ ବୋଲି ହୃଦୟଙ୍ଗମ କରିଥିଲେ ଏବଂ ସେଥି ନିମିତ୍ତ ସେ ସେମାନଙ୍କ ଆଗରେ ଗଠନମୂଳକ କାର୍ଯ୍ୟକ୍ରମମାନ ଉତ୍‍ଥାପନ କରିଥିଲେ ।

 

ଭାରତୀୟମାନଙ୍କର ଆର୍ଥିକ ଅବସ୍ଥାର ଉନ୍ନତି ପାଇଁ ସେ ଯେଉଁ କେତେକ ପଦକ୍ଷେପ କଥା ଚିନ୍ତା କରିଥିଲେ, ଗ୍ରାମ-ସ୍ଵରାଜ୍ୟ ଥିଲା ତନ୍ମଧ୍ୟରେ ଅନ୍ୟତମ । ପ୍ରତ୍ୟେକ ଗ୍ରାମ ଯଦି ନିଜ ନିଜର ଗ୍ରାମର ଉତ୍ପାଦନର ପରିମାଣ ବୃଦ୍ଧି କରି କୃଷି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୁଅନ୍ତି, ତେବେ ସମଗ୍ର ଦେଶ ଆପେ ଆପେ ଆତ୍ମନିର୍ଭରଶୀଳ ହୋଇଯିବ ବୋଲି ସେ ବିଶ୍ୱାସ କରୁଥିଲେ । ଗ୍ରାମାଞ୍ଚଳର ବିକାଶ ବ୍ୟତିରେକ ଦେଶର ବିକାଶ ଏକାବେଳକେ ଅସମ୍ଭବ ବୋଲି ସେ ସ୍ଵୀକାର କରୁଥିଲେ । ସହରର ରାଜପଥରେ ‘ଶଗଡ଼ ଯିବା ମନା’ ଲେଖାଯାଇଥିବା ବୋର୍ଡକୁ ସେ ନାପସନ୍ଦ କରିଥିଲେ । ଗ୍ରାମାଞ୍ଚଳର କୋଟି କୋଟି ଶଗଡ଼ବାଲାଙ୍କ ଉପରେ ଟିକସ ବସାଇ ଯେଉଁ ରାଜସ୍ଵ ସଂଗୃହୀତ ହୁଏ, ତଦ୍ଦ୍ଵାରା ସହରାଞ୍ଚଳର ରାଜପଥ ନିର୍ମିତ ହୋଇଥାଏ । ତେଣୁ ରାଜପଥରେ ‘ଶଗଡ଼ ଯିବା ମନା’ ଲେଖିବାଦ୍ୱରା ଏକ ଅସ୍ୱାସ୍ଥ୍ୟକର ପଦକ୍ଷେପ ନିଆଗଲା ବୋଲି ସେ ଭାବୁଥିଲେ । ଗ୍ରାମାଞ୍ଚଳରୁ ସଂଗୃହୀତ ଅର୍ଥ କେବଳ ଗ୍ରାମାଅଞ୍ଚଳର ବିକାଶ କଳ୍ପେ ବିନିଯୋଗ କରାଯିବା ଉଚିତ ବୋଲି ସେ ଦୃଢ଼ମତ ହେଉଥିଲେ ।

 

ଦେଶରେ ବୃହତ୍ ଶିଳ୍ପର ପ୍ରତିଷ୍ଠା ପରିବର୍ତ୍ତେ କ୍ଷୁଦ୍ରଶିଳ୍ପର ବିକାଶ ନିମିତ୍ତ ସେ ଜୋର୍ ଦେଉଥିଲେ । ବୃହତ୍ ଶିଳ୍ପ ପ୍ରତିଷ୍ଠାବେଳେ ପୁଞ୍ଜିପତିମାନେ ବହୁପ୍ରକାର ସାମାଜିକ ସମସ୍ୟା ଦୃଷ୍ଟିକରି କୋଟି କୋଟି ଲୋକଙ୍କୁ ବେକାର କରିପକାନ୍ତି । କ୍ଷୁଦ୍ରଶିଳ୍ପର ବ୍ୟାପକ ପ୍ରସାର ଘଟିଲେ ଲୋକ ନିଯୁକ୍ତିର ମାତ୍ରା ବୃଦ୍ଧି କରାଯାଇ ବେକାର ସମସ୍ୟାର ନିରାକରଣ କରାଯାଇପାରେ ବୋଲି ସେ ଯୁକ୍ତି ଦର୍ଶାଉଥିଲେ ।

 

ମାନବ ସମାଜରେ ନୈତିକ ଅଧଃପତନର ମାତ୍ରା ବୃଦ୍ଧି ପାଉଥିବାରୁ ସେ ଦୁଃଖପ୍ରକାଶ କରି ନିଜର ବନ୍ଧୁମାନଙ୍କୁ ପତ୍ରଦ୍ୱାରା ଜଣାଉଥିଲେ । ସତ୍ୟାଗ୍ରହ ସମୟରେ ସଡ଼କ ଉପରେ ଯାତାୟାତ କରୁଥିବା ବସ୍, ଟ୍ରାମ ଓ ରେଳଗାଡ଼ି ଅଟକାଇ ନିରୀହ ଯାତ୍ରୀମାନଙ୍କୁ ଅଯଥା ହଇରାଣ କରାଯିବା ସେ ପସନ୍ଦ କରୁନଥିଲେ । ସତ୍ୟାଗ୍ରହକୁ ହିଂସାକାଣ୍ଡ ସହିତ ଜଡ଼ିତ କରିବାକୁ ସେ ଚାହୁଁ ନଥିଲେ । ଅହିଂସା ଉପାୟରେ ଯଦି ସତ୍ୟାଗ୍ରହ ପରିଚାଳିତ ନହୁଏ, ତେବେ ସେ ତାହା ବନ୍ଦ କରିଦେବା ପାଇଁ ସତ୍ୟାଗ୍ରହୀମାନଙ୍କୁ ପରାମର୍ଶ ଦେଉଥିଲେ ।

 

ଧର୍ମ ନିରପେକ୍ଷତା ଥିଲା ବିଶ୍ୱବାସୀଙ୍କ ଗାନ୍ଧିଜୀଙ୍କର ଅତି ମହତ୍ ଅବଦାନ । ଭାରତବର୍ଷ ବହୁ ସଂସ୍କୃତି ଓ ସଭ୍ୟତାର ଆଧାର । ଏହାକୁ କେବଳ ହିନ୍ଦୁମାନଙ୍କର ଦେଶ ରୂପେ ଗ୍ରହଣ ନକରି ସବୁ ଧର୍ମର ମହତ୍ଵକୁ ଏଠାରେ ଗ୍ରହଣ କରାଯିବା ଉଚିତ ବୋଲି ସେ ମତ ଦେଇ ଭାରତବାସୀ ହିଁ ସର୍ବପ୍ରଥମେ ବିଶ୍ଵର ପତିତ ଓ ଶୋଷିତ ଜନତା ପାଇଁ ଆଶାବାଣୀ ଶୁଣାଇବା ଉଚିତ ବୋଲି ସେ ମନେ କରୁଥିଲେ । ସେ ଭାବୁଥିଲେ ଯେ ଅନ୍ୟ ଯେ କୌଣସି ଦେଶର ନରାନାରୀଙ୍କର ଜୀବନର ଉଦ୍ଦେଶ୍ୟ ତୁଳନାରେ ଭାରତୀୟଙ୍କର ଜୀବନର ଉଦ୍ଦେଶ୍ୟ ଭିନ୍ନ ରକମର-। ବିଶ୍ୱରେ ଧର୍ମତତ୍ତ୍ୱର ସ୍ଥିତି ଦୃଷ୍ଟିରୁ ଭାରତବାସୀଙ୍କର ସ୍ଥାନ ଅତି ଉଚ୍ଚରେ । ଯୁଗେ ଯୁଗେ ସେମାନେ ଶାଶ୍ଵତ ଓ ଐଶ୍ୱରିକ ଅସ୍ତ୍ରବଳରେ ବଳୀୟାନ । ଭବିଷ୍ୟତରେ ବି ସେମାନେ ସେହି ସ୍ଥାନ ପାଇବାରେ କୌଣସି ଅସୁବିଧା ଘଟି ନପାରେ । ଭାରତବାସୀ ଶତ୍ରୁର ହୃଦୟ ପରିବର୍ତ୍ତନ ଦିଗରେ ଅତୀତର ସଫଳତା ହାସଲ କରିଛନ୍ତି-ଭବିଷ୍ୟତରେ ବି କରିପାରିବେ । ଯୁଦ୍ଧ ମାନବିକତାର ଅଧଃପତନର କାରଣ ଓ ଫଳସ୍ୱରୁପ । ତେଣୁ ଯଥାଶୀଘ୍ର ତାର ନିରାକରଣ ହିଁ ମାନବର ପ୍ରଧାନ କର୍ତ୍ତବ୍ୟ । ସେ ବିଶ୍ୱାସ କରୁଥିଲେ ଅନ୍ତତଃ ଭାରତବର୍ଷ ନିଜକୁ ଏକ ସତ୍ୟବିଶ୍ୱାସୀ ଓ ପ୍ରାଣବନ୍ତ ଜାତି ରୂପେ ଗଠନ କରି ଯୁଧ୍ୟାଖୋର ଯାତ୍ରୀମାନଙ୍କୁ ଉଚିତ ଶିକ୍ଷା ଦେବା ଉଚିତ । ବିଶ୍ଵର ବିଭିନ୍ନ ଦେଶରେ ଯୁଦ୍ଧ ପିପାସୁ ସେନାପତିମାନେ ସାମ୍ରାଜ୍ୟ ବିସ୍ତାର କରି ଇତିହାସରେ ସ୍ଥାନ ପାଇଛନ୍ତି-। କିନ୍ତୁ ମହାମାନବ ଗାନ୍ଧିଜୀ ଜନତାର ହୃଦୟକୁ ଜୟ କରି ମହାତ୍ମା ପଦବୀର ଅଧିକାରୀ ହୋଇଛନ୍ତି-। ଆବ୍ରାହାମ୍ ଲିଙ୍କନ୍, ଲେନିନ୍, ସନ୍ୟାତ୍ ସେନ୍, ଗାରିବାଲ୍‍ ଡି, ମୁସ୍ତାଫାକମଲ, ଉଇନଷ୍ଟନ୍ ଚର୍ଚ୍ଚିଲ୍ ପ୍ରଭୃତିଙ୍କୁ ଏକ ଏକ ସମୟରେ ସେମାନଙ୍କ ଦେଶର ଶ୍ରେଷ୍ଠ ଜନନାୟକ ଭାବରେ ଗ୍ରହଣ କରାଯାଇଛି ଏବଂ ସେମାନଙ୍କ ମଧ୍ୟରୁ ଅନେକେ ସାମରିକ ବାହିନୀର ଅଧିନାୟକତ୍ଵ କରିଥିଲେ-। କିନ୍ତୁ ଜନଗଣର ଅଧିକାରୀ ଗାନ୍ଧିଜୀଙ୍କୁ ସାମରିକ ବାହିନୀର ଅଧିନାୟକ କରିବାକୁ ପଡ଼ିନଥିଲା-। ଚାଳିଶି କୋଟି ଜନତାର ଅଧିନାୟକତ୍ଵ କରୁଥିଲେ ମହାତ୍ମା ଗାନ୍ଧୀ ।

 

ଅହିଂସା କେବଳ ଋଷି ଓ ସନ୍ନ୍ୟାସୀମାନଙ୍କଠାରେ ଆବଦ୍ଧ ହେବା ଗାନ୍ଧିଜୀ ଚାହୁଁ ନଥିଲେ । ତାହାକୁ ଭାରତୀୟଙ୍କର ଏକ ନିତିଦିନିଆ ଅଭ୍ୟାସ ରୂପେ ପରିଣତ କରାଇ ହିଂସାତ୍ମକ ଚିନ୍ତାଦ୍ଵାରା ରୁଗ୍‍ଣପ୍ରାୟ ବିଶ୍ୱର ମୁକ୍ତି ଘଟାଇବା ଥିଲା ତାଙ୍କର ଅସଲ ଉଦ୍ଦେଶ୍ୟ । ଭାରତ ଯଦି ଏ କର୍ତ୍ତବ୍ୟ ପାଳନରେ ପଶ୍ଚାତ୍ପଦ ହୁଏ, ତେବେ ସମଗ୍ର ପ୍ରାଚ୍ୟଖଣ୍ଡର ପତନ ଘଟିପାରେ ବୋଲି ସେ ଆଶଙ୍କା ପୋଷଣ କରୁଥିଲେ । ଗାନ୍ଧିଜୀ ହୁଏତ ସେହି ସମୟରୁ ହିଁ ଚୀନଭଳି ପିଶାଚ ଓ ଦୁର୍ଦ୍ଦାନ୍ତ ରାଷ୍ଟ୍ରଗୁଡ଼ିକ ପ୍ରତି ସତର୍କ ହେବା ପାଇଁ ଏସିଆବାସୀଙ୍କୁ ସାବଧାନ କରାଇ ଦେଇଥିଲେ । ଭାରତର ପ୍ରତ୍ୟେକ ନାଗରିକ ସକ୍ରିୟ ସେନାଭଳି ଦେଶ ଓ ବିଶ୍ଵର ମଙ୍ଗଳ ନିମିତ୍ତ ନିଜକୁ ଉତ୍ସର୍ଗ କରିବା ବିଧେୟ ବୋଲି ସେ ଭାବିଥିଲେ ।

 

ନିଜର ମତାମତକୁ ଅନ୍ୟମାନଙ୍କ ଉପରେ ଲଦିଦେବା ପାଇଁ ଗାନ୍ଧିଜୀ କଦାପି ଇଚ୍ଛୁକ ନଥିଲେ ଏବଂ ମଣିଷର ଅନ୍ତର୍ନିହିତ ମୂଲ୍ୟକୁ ନ୍ୟୂନ ଦୃଷ୍ଟିରେ ଦେଖିବା ପାଇଁ ସେ କଦାପି ପ୍ରସ୍ତୁତ ନଥିଲେ । ମଣିଷକୁ ବିଶ୍ଵପିତାଙ୍କ ସୃଷ୍ଟିର ଶ୍ରେଷ୍ଠତମ ପ୍ରାଣୀ ରୂପେ ବିବେଚନା କରି ଏକ ବହୁମୁଲ୍ୟ ଆଦର୍ଶରେ ତାକୁ ଅନୁପ୍ରାଣିତ କରିବା ଥିଲା ତାଙ୍କର ପ୍ରଥମ କର୍ତ୍ତବ୍ୟ । ଆଇନ ପ୍ରଣୟନଦ୍ୱାରା ଜନତାର ମତକୁ ପରିବର୍ତ୍ତନ କରାଯାଇପାରେ ବୋଲି ସେ ବିଶ୍ୱାସ କରିପାରୁନଥିଲେ । ଯେତେ ବିଳମ୍ବ ଘଟିଲେ ମଧ୍ୟ ଜନତାର ମନକୁ ପରିବର୍ତ୍ତନ କରିବା ଶାସକମାନଙ୍କର ଧ୍ୟେୟ ହେବା ଉଚିତ । ଏପରିକି ଅସ୍ପୃଶ୍ୟତା ସମସ୍ୟାର ସମାଧାନ ପାଇଁ ମଧ୍ୟ ସେହି ଦୃଷ୍ଟିରୁ ସେ ବିଚାର କରିଥିଲେ ଏବଂ ଯେ କୌଣସି ସମସ୍ୟାକୁ ହାର୍ଦ୍ଦିକତାର ସହ ବିଚାର କଲେ ତାର ସମାଧାନ ସହଜସାଧ୍ୟ ଓ ସ୍ଥାୟୀ ହେବ ବୋଲି ସେ ବିଶ୍ୱାସ କରୁଥିଲେ ।

 

ଆଚାର୍ଯ୍ୟ ବିନୋବା ପଦବ୍ରଜରେ ଗ୍ରାମେ ଗ୍ରାମେ ଭ୍ରମଣ କରି ସର୍ବୋଦୟ ଚିନ୍ତାର ଯେଉଁ ଉତ୍କର୍ଷତା ପ୍ରଚାର କରୁଛନ୍ତି, ଗାନ୍ଧିଜୀ ସର୍ବ ପ୍ରଥମେ ତାର ସୁତ୍ରପାତ କରିଥିଲେ । ବିଶ୍ଵର ସମସ୍ତ ପ୍ରକାର ଜନତାର ବିକାଶ ନିମିତ ତାଙ୍କର ହୃଦୟ ଉଦବେଳିତ ହେଉଥିଲା । ରୁଷ ଦେଶରେ ଟଲଷ୍ଟୟ, ଫରାସୀ ଦେଶରେ ରୋମାଁଲୋଣ୍ଡା, ବିଲାତରେ ବେଟ୍ରାଣ୍ଡ ରସେଲ ଏବଂ ଭାରତବର୍ଷରେ ରବୀନ୍ଦ୍ର ନାଥ ଓ ବିନୋବା ଗାନ୍ଧିଜୀଙ୍କର ସର୍ବୋଦୟ ବାର୍ତ୍ତାର ଗୁରୁତ୍ଵ ଉପଲବ୍ଧି କରି ସାହିତ୍ୟ, ବକ୍ତୃତା ଓ ପଦଯାତ୍ରା ଜରିଆରେ ତାର ସମୁଚିତ ପ୍ରଚାର କରିଛନ୍ତି ।

 

ଲୋକଙ୍କୁ ଗୋଟିଏ ମାର୍ଗ ଦେଖାଇ ନିଜେ ଅନ୍ୟ ମାର୍ଗ ଅନୁସରଣ କରିବା ଗାନ୍ଧିଜୀ ଜାଣିନଥିଲେ । ଆଜୀବନ ସେ ଥିଲେ ଚଳମାନ ଏବଂ ଈଶ୍ଵରଙ୍କ ସମ୍ପର୍କରେ ବ୍ରତୀ କରାଇ ସେ ଆଜୀବନ ସତ୍ୟର ପ୍ରତିଷ୍ଠା ହିଁ ବହୁ ମୁଖର ଗାନ କରିଥିଲେ । ଆତ୍ମଜୀବନୀ ‘my experiments with truth’ ରେ ସେ ନିଜ ସତ୍ୟାନୁସନ୍ଧିଚ୍ଛୁ ଜୀବନର ବିସ୍ତୃତ ଅନୁଭୁତିକୁ ସନ୍ନିବେଶିତ କରିଥିଲେ ।

 

ବିଶ୍ଵର ଖୁବ୍ ଉଚ୍ଚକୋଟୀର ସାହିତ୍ୟକୁ, ଦାର୍ଶନିକ, ବୈଜ୍ଞାନିକ, ରାଷ୍ଟ୍ରନୀତିଜ୍ଞ ଓ ନୀତିବାଦୀମାନଙ୍କ ସହ ତାଙ୍କର ସାହଚର୍ଯ୍ୟ ଥିଲା । ଶିଳ୍ପପତି ଫୋର୍ଡ, ବୈଜ୍ଞାନିକ ଆଇନ୍ ଷ୍ଟାଇନ୍ ଏବଂ ରାଷ୍ଟ୍ରନୀତିଜ୍ଞ ଷ୍ଟାଲିନ୍ ଓ ହିଟଲରଙ୍କ ସହ ତାଙ୍କର ବନ୍ଧୁତା ଥିଲା । ଚର୍ଚ୍ଚିଲ୍ ଓ ରୁଜଭେଲଟ୍ ଙ୍କ ସହ ବି ସେ ଘନିଷ୍ଠତା ରକ୍ଷା କରିଥିଲେ ।

 

ଚିନ୍ତାରାଜ୍ୟରେ ଗାନ୍ଧିଜୀଙ୍କର ସ୍ଥାନ ଟଲଷ୍ଟୟ୍ ଓ ଗୋମାଁଲୋଣ୍ଡାଙ୍କ ସ୍ଥାନ ସହ ତୁଳନୀୟ-। ସେ ଥିଲେ ଉପନିବେଶବାଦର ଘୋର ପରିପନ୍ଥୀ ଓ ମାନବ ସପ୍ରୀତିର ଏକ ସକ୍ରିୟ ବାର୍ତ୍ତାବହ । କେବଳ ମାନବ କାହିଁକି,

 

ପଶୁମାନଙ୍କ ଉପରେ ଅତ୍ୟାଚାର ହେଲେ ବି ସେ ସହ୍ୟ କରିପାରୁନଥିଲେ । ଦକ୍ଷିଣ-ଆଫ୍ରିକାର କୌଣସି ଏକ ଗୋଶାଳାରେ ଗୋରୁମାନଙ୍କ ପ୍ରତି ଅତ୍ୟାଚାର ହେଉଥିବା ଦେଖି ସେ ଦୁଗ୍ଧ ପାନ ବନ୍ଦ କରିଦେଇଥିଲେ । ଭାରତରେ ତାଙ୍କର ସ୍ଵାସ୍ଥ୍ୟର ଅବନତି ସମୟରେ ମଧ୍ୟ ସେ ତାହା ପାନ କରିବାକୁ ମନା କରିଦେଇଥିଲେ । କସ୍ତୁରବାଙ୍କ ବହୁ ଅନୁରୋଧ ପରେ ଅବଶ୍ୟ ସେ ଛାଗ ଦୁଗ୍ଧ ପାନ ପାଇଁ ସମ୍ମତି ପ୍ରଦାନ କରିଥିଲେ । ଗାନ୍ଧିଜୀଙ୍କର ଜୀବନର ଏକ ମହାନ୍ ବ୍ରତ ଥିଲା ଦେଶକୁ ବୈଦେଶିକ ଶୃଙ୍ଖଳରୁ ମୁକ୍ତ କରିବା । ତାଙ୍କର ଜୀବଦ୍ଦଶାରେ ତାହା ଚରିତାର୍ଥ ହେଲା । କିନ୍ତୁ ଦେଶର ଆର୍ଥିକ ବିକାଶ ପାଇଁ ସେ ଯେଉଁ ବ୍ୟାପକ କାର୍ଯ୍ୟକ୍ରମ ଚିନ୍ତା କରିଥିଲେ, ସେସବୁ ଫଳବତୀ ହେବା ପୂର୍ବରୁ ଏବଂ ତାଙ୍କର ମିଶନ୍ ଅଧାବାଟରେ ପହଞ୍ଚିଥିଲାବେଳକୁ ସେ ଭାରତବାସୀଙ୍କଠାରୁ ଚିର ବିଦାୟ ନେଲେ । ଗାନ୍ଧିଜୀ ଆଜି ନାହାନ୍ତି, କିନ୍ତୁ ତାଙ୍କର ଅନାବିଳ ଓ ପବିତ୍ର ଉପଦେଶାବଳୀ ଅଦ୍ୟାପି ଦେଶବାସୀଙ୍କ ମନରେ ନିନାଦିତ ହେଉଛି । ସାରା ବିଶ୍ଵ ଆଜି ଗାନ୍ଧିଜୀଙ୍କ ଜୟଗୀତିରେ ମୁଖର ।

★★★

 

ଆବ୍ରାହମ୍ ଲିଙ୍କନ୍

 

କେବଳ ଯୁକ୍ତରାଷ୍ଟ୍ର ଆମେରିକାର ନୁହେ, ସାରା ବିଶ୍ଵର ଚିନ୍ତାଶୀଳ ଜନତା ସୁସ୍ଥ ଗଣତନ୍ତ୍ର ଶାସନର ପ୍ରଚଳନ ସମ୍ପର୍କରେ ଚିନ୍ତା କଲାବେଳେ ଆବ୍ରାହମ୍ ଲିଙ୍କନ୍‍ଙ୍କ କୃତୀ ସ୍ଵତଃ ସ୍ମରଣ କରିଥାନ୍ତି । ଆମେରିକା ଇତିହାସର ରାଜନୈତିକ ଅସ୍ଥିରତାଜନିତ ଏକ ଘଡ଼ିସନ୍ଧି ସମୟରେ ଆବ୍ରାହମ୍ ଜନ୍ମଗ୍ରହଣ କରିଥିଲେ ଏବଂ ଉକ୍ତ ଦେଶର ଖୁବ୍ ପ୍ରଭାବଶାଳୀ ଚାରିଜଣ ପ୍ରେସିଡେଣ୍ଟଘଙ୍କ ମଧ୍ୟରେ ସ୍ଥାନଲାଭ କରିଥିଲେ । ଭାରତରେ ମହାତ୍ମା ଗାନ୍ଧୀଙ୍କର ସ୍ଥାନ ସହ ଆମେରିକାର ରାଜନୈତିକ ଇତିହାସରେ ଲିଙ୍କନଙ୍କର ସ୍ଥାନ ତୁଳନୀୟ । ଆମେରିକାବାସୀ ତାଙ୍କୁ ଜଣେ ଅଦ୍ୱିତୀୟ ଜନନାୟକରୂପେ ଗ୍ରହଣ କରି ନେଇଛନ୍ତି । ମୃତ୍ୟୁ ପରେ ଅତି ବିରଳ ରାଷ୍ଟ୍ରନୀତିଜ୍ଞରୂପେ ସେ ପ୍ରତିଷ୍ଠିତ ହୋଇଛନ୍ତି ଏବଂ ଶତମୁଖରେ ତାଙ୍କ କୃତୀ ବିଘୋଷିତ ହୋଇଛି ।

 

ଶାସନକ୍ଷେତ୍ରରେ ପ୍ରଚୁର ଅଭିଜ୍ଞତା ଅର୍ଜ୍ଜନ କରି ଲିଙ୍କନ୍ ଜଣେ ଶକ୍ତିଶାଳୀ ଶାସକ ଭାବରେ ପରିଗଣିତ ହୋଇପାରିଥିଲେ । ଅତି ସାଧାରଣ ପରିବାରରେ ଜନ୍ମଲାଭ କରି ହ୍ଵାଇଟ୍ ହାଉସ୍ ପର୍ଯ୍ୟନ୍ତ ଉଠିବା କମ୍ ବ୍ୟକ୍ତିତ୍ଵର ପରିଚୟ ନୁହେ । ଲିଙ୍କନ୍‍ଙ୍କ ଝଡ଼ଝଞ୍ଜାମୟ ଜୀବନ, ଅସାଧାରଣ ଶାରୀରିକ ବଳ, ବିପୁଳ ମାନସିକ ଚେତନା, ଇଲିନଇସ୍ ରାଜ୍ୟର ନିର୍ବାଚନରେ ଅଂଶ ଗ୍ରହଣ, ଷ୍ଟିଫନ୍ ଡଗଲାସଙ୍କ ସହ ସାତଗୋଟି ସାଧାରଣ ନିର୍ବାଚନ ସଭାରେ ଭାଷଣ, ରକ୍ତାକ୍ତ ଗୃହଯୁଦ୍ଧରେ ବିଜୟ ହାସଲ ଏବଂ ପରିଶେଷରେ ପ୍ରଚଳିତ ଦାସତ୍ଵ ପ୍ରଥାର ଉଚ୍ଛେଦ ସାଧନ ତାଙ୍କୁ ଆମେରିକାବାସୀଙ୍କ ମନରେ ପ୍ରାତଃ ସ୍ମରଣୀୟ କରାଇପାରିଛି ।

 

ମାନବିକତା ପ୍ରତି ସମ୍ମାନବୋଧ ଆବ୍ରାହମ୍ ଲିଙ୍କନଙ୍କର ବ୍ୟକ୍ତିତ୍ଵରେ ବେଶ୍ ପ୍ରକଟିତ ହୋଇଥିଲା । ଅତି ସାଧାରଣ ପରିବାରରେ ଜନ୍ମଲାଭ କରି ସାଧାରଣ ପରିବେଶରେ ବଢ଼ିଥିବାରୁ ସେ ପ୍ରତ୍ୟେକ ବ୍ୟକ୍ତିର ମହତ୍ଵ ସମ୍ପର୍କରେ ସଚେତନ ଥିଲେ । ବିଭିନ୍ନ ଅଭିଜ୍ଞତାରୁ ଉପଯୋଗୀ ଆଦର୍ଶ ଗ୍ରହଣ ହିଁ ତାଙ୍କ ଜୀବନର ମୂଳ ଲକ୍ଷ୍ୟ ଥିଲା । ଗାନ୍ଧିଜୀଙ୍କ ଭଳି ସେ ଥିଲେ ସତ୍ୟର ଏକନିଷ୍ଠ ପୂଜାରୀ । ସତ୍ୟର ଅନୁସନ୍ଧାନରେ ଗଲାବେଳେ ସହସା ତାଙ୍କୁ ଗୋଟିଏ ଯୁଦ୍ଧର ଆୟୋଜନ କରିବାକୁ ପଡ଼ିଥିଲା । କିନ୍ତୁ ‘ ସତ୍ୟ, ସତ୍ୟ ଦ୍ଵାରାହିଁ ପ୍ରତିଷ୍ଠିତ’-ଏହି ଉକ୍ତିରେ ତାଙ୍କର ଗଭୀର ବିଶ୍ୱାସ ଥିଲା । ବିଶ୍ୱପିତା ଭଗବାନଙ୍କଠାରେ ବିଶ୍ୱାସ ରଖି ଆବ୍ରହମ୍ ତାଙ୍କର କର୍ତ୍ତବ୍ୟ କରିଯାଉଥିଲେ । ସେ ବାରମ୍ବାର କହି ରଖୁଥିଲେ, “କାହାରି ମନରେ କଷ୍ଟ ନଦେଇ ସବୁରି ସନ୍ତୋଷଭାଜନ ହେବା ମଣିଷର କର୍ତ୍ତବ୍ୟ । ଭଗବାନ ଆମ୍ଭମାନଙ୍କୁ ଯେଉଁ ଦାୟିତ୍ଵ ଦେଇଛନ୍ତି ସକଳ ଶକ୍ତି ପ୍ରୟୋଗ କରି ତା’ର ସମ୍ପାଦନ କରିବା ହିଁ ଆମର ଧ୍ୟେୟ ହେବା ଉଚିତ ।”

 

ଜୀବନର ଯେଉଁ ସମୟରେ ମଣିଷ ଉଚ୍ଚ ଓ ମନୋଜ୍ଞ ଅଭିଳାଷ ପୋଷଣ କରି ସୁଦୂର ଭବିଷ୍ୟତର ସ୍ଵପ୍ନ ଦେଖେ, ସେତିକିବେଳେ ଆବ୍ରାହାମ ଲିଙ୍କନ୍ ଉତ୍କଟ ଆର୍ଥିକ ଅନଟନରେ ପଡ଼ି ନିଜର ପରିବାର କଥା ବ୍ୟତୀତ ଅନ୍ୟ କିଛି ଚିନ୍ତା କରିବାକୁ ମଧ୍ୟ ସୁଯୋଗ ପାଇପାରି ନଥିଲେ । ତାହା ହିଁ ଥିଲା ପ୍ରଥମାବସ୍ଥାରେ ତାଙ୍କ ମାନସିକ ଗ୍ଲାନିର ମୁଖ୍ୟ କାରଣ । ଆର୍ଥିକ ତାଡ଼ନା ଓ ପାରିବାରିକ ନିର୍ଯାତନା ସହ୍ୟ କରିନପାରି ଏକ ସମୟରେ ସେ ଆତ୍ମହତ୍ୟା ଅଭିପ୍ରାୟ ମଧ୍ୟ ପୋଷଣ କରିଥିଲେ । କିନ୍ତୁ ବିଧିର ନିର୍ଦ୍ଦେଶକୁ ଅମାନ୍ୟ କରିବା କ୍ଷମତା ତାଙ୍କର ନଥିଲା । ମାନବ ସମାଜର ଶୀର୍ଷ ସୋପାନରେ ତାଙ୍କୁ ଆରୁଢ଼ କରାଇବା ଥିଲା ଭଗବାନଙ୍କର ପରିକଳ୍ପନା ।

 

ଗଣତାନ୍ତ୍ରିକ ଶାସନ ପଦ୍ଧତିରେ କେତେକ ଦୁର୍ବଳତାର ସ୍ପଷ୍ଟ ସୁଚନା ପାଇଥିଲେ ମଧ୍ୟ ତା’ର ବିରୁଦ୍ଧାଚରଣ କରିବା ପାଇଁ ଆବ୍ରାହମ୍ ମୋଟେ ସାହସ କରିନଥିଲେ । ମାନବ ସମାଜର ସୁଖସୁବିଧା ପାଇଁ ଉକ୍ତ ଶାସନ ବ୍ୟବସ୍ଥାର ଗୁରୁତ୍ଵ ସେ ଆଜୀବନ ପ୍ରଚାର କରିଥିଲେ । କିନ୍ତୁ ଆବଶ୍ୟକତା ସ୍ଥଳେ ଶାସନ ପଦ୍ଧତିରେ ଦୋଷ ଦୁର୍ବଳତାକୁ ସଜାଡ଼ି ଦେବା ପାଇଁ ସେ କୁଣ୍ଠାପ୍ରକାଶ କରୁନଥିଲେ । ନିଜର କିଛି ଗୋଟାଏ ନିର୍ଦ୍ଧିଷ୍ଟ ମତବାଦ ପ୍ରଚାର କରିବା ପରିବର୍ତ୍ତେ ପୂର୍ବପ୍ରଚଳିତ ମତବାଦକୁ ସଜାଡ଼ି ସମୟ ଉପଯୋଗୀ କରାଇବା ପାଇଁ ସେ ବିଶେଷ ଆଗ୍ରହ ପ୍ରକାଶ କରିଥିଲେ-

 

ଆବ୍ରାହମ ଲିଙ୍କନ ଜୀବନରେ ଗତିପଥ ଥିଲା ଝଞ୍ଜାପୂର୍ଣ୍ଣ । ତାଙ୍କ ଶୈଶବରେ କେତେକ ୟୁରୋପୀୟ ରାଷ୍ଟ୍ର ଅତ୍ୟନ୍ତ ପ୍ରତିପତ୍ତିଶାଳୀ ବିବେଚିତ ହେଉଥିଲେ । ଫରାସୀ ସେନାପତି ଓ ଏକଛତ୍ର ସମ୍ରାଟ ନେପୋଲିଅନ୍ ୟୁରୋପ କରଗତ କରି ବିଭିନ୍ନ ଦେଶର ସମ୍ରାଟମାନଙ୍କୁ ଅପମାନଜନକ ସନ୍ଧିରେ ସ୍ୱାକ୍ଷର କରିବା ପାଇଁ ବାଧ୍ୟ କରୁଥିଲେ । କେବଳ ଇଂଲଣ୍ଡ ହିଁ ତାଙ୍କର ପରାକ୍ରମୀ ସେନାବାହିନୀର ଉପଯୁକ୍ତ ଜବାବ ଦେଇପାରୁଥିଲା । ୧୮୦୯ ମସିହାର ୟୁରୋପୀୟ ସମର ଆମେରିକାର ନୌବ୍ୟବସାୟକୁ ମାନ୍ଦା କରି ପଳାଇଲା । ଆମେରିକାର ତୃତୀୟ ପ୍ରେସିଡେଣ୍ଟ ଥୋମାସ୍ ଯେଫାରସନଙ୍କ କାର୍ଯ୍ୟକାଳ ପୂରିଆସି ପ୍ରେସିଡେଣ୍ଟ ଜେମସ୍ ମାଡିସିନଙ୍କ ଶାସନ ନିକଟତର ହୋଇଆସୁଥିଲା । ଏ ମଧ୍ୟରେ ଦେଶର ଦକ୍ଷିଣାଞ୍ଚଳ ପ୍ରଦେଶଗୁଡ଼ିକର ସଂଖ୍ୟା ବୃଦ୍ଧିପାଇ ଆସୁଥାଏ । ତଥାପି ଦେଶର ଅଧିକାଂଶ ଅଧିବାସୀ ପୂର୍ବ ଉପକୂଳରେ ହିଁ ବସତି ସ୍ଥାପନ କରିଥାନ୍ତି । ସେ ସମୟକୁ ପଶ୍ଚିମାଞ୍ଚଳର ତିନିଗୋଟି ନୂତନ ପ୍ରଦେଶ ସ୍ଥାପିତ ହୋଇଥାଏ । ତନ୍ମଧ୍ୟରୁ ସର୍ବପ୍ରଥମେ ସ୍ଥାପିତ ରାଜ୍ୟ ହେଲା କେଣ୍ଟୁକି (Kentucky) ପ୍ରଦେଶ । ଏହା ଓହ ଓ ଏବଂ ମିଶିସିପି ନଦୀଦ୍ଵୟ ମଧ୍ୟରେ ବ୍ୟାପ୍ତ ଥିଲା ଏବଂ ଘଞ୍ଚ ଅରଣ୍ୟାନୀପୂର୍ଣ୍ଣ ଉର୍ବର ଓ ସମ୍ପଦପୂର୍ଣ୍ଣ ପ୍ରଦେଶ ବୋଲି ମନେ କରାଯାଉଥିଲା । ଶ୍ରୀମାନୁରାଗୀ ଆମେରିକାବାସୀଙ୍କୁ ତାହା ଏକ ସ୍ୱର୍ଗଭୂମିରୂପେ ପ୍ରତୀୟମାନ ହେଲା । ୧୮୦୯ ମସିହାରେ ଏହି ପ୍ରଦେଶର ଜନସଂଖ୍ୟା ଥିଲା ୪ ଲକ୍ଷ୍ୟ ଏବଂ ଏହାକୁ ଏକ ଜନବିରଳ ପ୍ରଦେଶ ବୋଲି କୁହାଯାଉଥିଲା । କେଣ୍ଟୁକି ପ୍ରଦେଶର କେନ୍ଦ୍ରଭାଗରେ ଏକ କୃଷକ ପରିବାରରେ ୧୮୦୯ ମସିହା ଫେବ୍ରୁଆରୀ ୧୨ ତାରିଖରେ ଆବ୍ରହମ ଲିଙ୍କନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଥୋମାସ୍ ଲିଙ୍କନ ଚାରିବର୍ଷ ବୟସରେ ତାଙ୍କ ପିତାମାତାଙ୍କ ସହ ଏହି ପ୍ରଦେଶରେ ପଦାର୍ପଣ କରିଥିଲେ । ଏହିଠାରେ ସେ ନନ୍‍ସି ହେଙ୍କଙ୍କୁ ବିବାହ କରିଥିଲେ ।

 

ଆବ୍ରହାମଙ୍କୁ ସାତବର୍ଷ ବୟସବେଳେ ତାଙ୍କ ପରିବାର ଦକ୍ଷିଣପଶ୍ଚିମାଞ୍ଚଳରେ ଅବସ୍ଥିତ ଲଣ୍ଡିଆନା ପ୍ରଦେଶକୁ ସ୍ଥାନାନ୍ତରିତ ହେଲା । ଏହି ପ୍ରଦେଶଟି ପ୍ରକୃତ୍ତିପ୍ରଦତ୍ତ ଏକ ଗନ୍ତାଘରରୂପେ ବିବେଚିତ ହେଉଥିଲା । ଲିଙ୍କନ୍ ପରିବାର ସେଠାରେ କେଣ୍ଟୁକି ପ୍ରଦେଶର ପରିବେଶ ପାଇନଥିଲେ ସୁଦ୍ଧା ଏକ ନୂତନ ଅଥଚ ମନୋରମ ପରିବେଶ ପାଇଥିଲେ । କୃଷି ଓ ଅନ୍ୟାନ୍ୟ କ୍ଷେତ୍ରରେ ସହାୟତା କରିବା ପାଇଁ ସେମାନେ ବିଶେଷସଂଖ୍ୟକ ପ୍ରତିବେଶୀ ଦେଖିବାକୁ ପାଇଲେ ନାହିଁ । ଛୁଆଙ୍କର ପଢ଼ାପଢ଼ି ପାଇଁ ବିଶେଷ ଶିକ୍ଷାନୁଷ୍ଠାନ ନଥିଲା । ଜୀବିକାନିର୍ବାହ ତୁଳନାତ୍ମକ ଭାବେ କଷ୍ଟକର ମନେ ହେଉଥିଲା । ଲିଙ୍କନ୍ ପରିବାର ପାଇଁ କ୍ରମେ ଦୁଃଖକଷ୍ଟର ସମୟ ଆସି ପହଞ୍ଚିଲା । ପଡ଼ୋଶୀମାନଙ୍କ ମଧ୍ୟରୁ ଅନେକେ ଜ୍ଵରାକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପତିତ ହେଲେ । ଆବ୍ରାହମଙ୍କ ମାତା ନନ୍‍ସି ମଧ୍ୟ ପରିବାରରୁ ଚିରଦିନ ପାଇଁ ବିଦାୟ ନେଲେ । ନନ୍‍ସିଙ୍କ ମୃତ୍ୟୁ ପରେ ଲିଙ୍କନ୍ ପରିବାର ହତଶ୍ରୀ ହୋଇପଡ଼ିଲା ଏବଂ ମାନସିକ ବ୍ୟଥାରେ ପରିବାରର ସମସ୍ତେ ବିବ୍ରତ ହୋଇପଡ଼ିଲେ । ଛୁଆମାନଙ୍କର ଖାଦ୍ୟ, ପରିଧାନ ଇତ୍ୟାଦିର ତତ୍ତ୍ଵ ନେବାପାଇଁ କେହି ନଥିଲେ । ନନ୍‍ସିଙ୍କ ମୃତ୍ୟୁର ଏକ ବର୍ଷ ପରେ ଗୃହଜଞ୍ଜାଳ ଅସହ୍ୟ ବୋଧକରି ଏକଦା ଥୋମାସ୍ ଲିଙ୍କନ୍ ବ୍ୟସ୍ତମନରେ ଘରୁ ଦୀର୍ଘ ଯାତ୍ରାପଥରେ ବାହାରି ପଡ଼ିଲେ ଏବଂ ବହୁଦିନ ପର୍ଯ୍ୟନ୍ତ ପ୍ରତ୍ୟାବର୍ତ୍ତନ କଲେ ନାହିଁ । ଏଣେ ଘରେ ଛୁଆମାନେ କାତରରେ ପିତାଙ୍କୁ ଅପେକ୍ଷା କଲେ । ହଠାତ୍ ଏକ ଦିନ ସନ୍ଧ୍ୟା ସମୟରେ ପିଲାଏ ପିତାଙ୍କ ସାଙ୍ଗରେ ଚାରିଗୋଟି ଘୋଡ଼ାସଂଲଗ୍ନ ଏକ ଗାଡ଼ି ଦେଖିବାକୁ ପାଇଲେ । ଗାଡ଼ିଟି ବାକ୍ସ ଓ ଗୃହ ଉପକରଣରେ ପୂର୍ଣ୍ଣ ଥିଲା । ଗାଡ଼ି ମଧ୍ୟରୁ ଜଣେ ସବଳା ଓ ରୂପବତୀ ମହିଳା ଓହ୍ଲାଇବା ଦେଖି ସେମାନେ ଅବାକ୍ ହେଲେ । ସେ ହେଲେ ଥୋମାସଙ୍କର ଦ୍ଵିତୀୟ ପତ୍ନୀ ଓ ଆବ୍ରାହମଙ୍କ ଦ୍ୱିତୀୟ ମାତା ସାରାବୁସ୍ ଜନସନ୍ । ସାରାବସ୍‍ଙ୍କ ଆଗମନ ପରେ ଲିଙ୍କନ୍ ପରିବାରର ଇତିହାସରେ ଗୋଟିଏ ନୂତନ ପରିଚ୍ଛେଦ ଆରମ୍ଭ ହେଲା । ଦ୍ୱିତୀୟ ପତ୍ନୀ ହେଲେ ସୁଦ୍ଧା ସାରାବୁସ୍ ଲିଙ୍କନ୍ ପରିବାରର ସନ୍ତାନମାନଙ୍କୁ ଅତ୍ୟନ୍ତ ସ୍ନେହ କରୁଥିଲେ ଏବଂ ସନ୍ତାନମାନେ ମଧ୍ୟ ପ୍ରତିବଦଳରେ ତାଙ୍କୁ ଯଥେଷ୍ଟ ଭକ୍ତି କରୁଥିଲେ ।

 

ଖୁବ୍ ଅଳ୍ପ ବୟସରୁ ଆବ୍ରାହମ୍‍ଙ୍କୁ କଠିନ ଶ୍ରମ କରିବାକୁ ପଡ଼ୁଥିଲା । କ୍ଷେତରୁ ଗହମ କାଟି ଆଣିବା, ଗାଈଗୋରୁଙ୍କ ତତ୍ତ୍ଵନେବା, ପ୍ରତ୍ୟହ ଦୁଧ ଦୁହିଁବା, ଜାଳେଣି ପାଇଁ କାଠ ସଂଗ୍ରହ କରିବା, ଦୂରସ୍ଥ ନଦୀରୁ ଜଳ ଆଣିବା ଇତ୍ୟାଦି ସକଳ ପ୍ରକାର ଗୃହକାର୍ଯ୍ୟରେ ସେ ବ୍ୟସ୍ତ ରହୁଥିଲେ-। ଖୁବ୍ କମ ସମୟ ପାଇଁ ସ୍କୁଲରେ ଭର୍ତ୍ତି ହୋଇ ଉକ୍ତ ସମୟ ମଧ୍ୟରେ ସେ ଗଣିତ ଜ୍ଞାନ ଆହରଣ କରିବା ସଙ୍ଗେ ସଙ୍ଗେ ବହି ପଢ଼ିବାକୁ ଆରମ୍ଭ କରିପାରିଥିଲେ । ଜର୍ଜ ୱାସିଂଟନଙ୍କର ଜୀବନୀ, ଯୁକ୍ତରାଷ୍ଟ୍ର ଆମେରିକାର ଇତିହାସ, ବାଇବଲର ଉପଦେଶ ଓ ଇଣ୍ଡିଆନା ପ୍ରଦେଶର ଆଇନକାନୁନ ସମ୍ବଳିତ ବିଭିନ୍ନ ବହି ସେ ପଢ଼ିବାରେ ଲାଗିଲେ । ଶିକ୍ଷାନୁଷ୍ଠାନରେ ପଢ଼ିବାରେ ଯାହାସବୁ ପ୍ରତିବନ୍ଧକ ଥିଲା, ନିଜ ଉଦ୍ୟମରେ ସେ ତାହା ଦୂର କରିପାରିଥିଲେ । ସାରାବୁସ୍ ଆବ୍ରାହମ୍‍ଙ୍କୁ ଆଜୀବନ ସ୍ନେହ କରୁଥିଲେ ଏବଂ ଜଣେ ଆଦର୍ଶସ୍ଥାନୀୟ ପୁତ୍ରରୂପେ ଗଣ୍ୟକରି ତାଙ୍କର ଭୁୟସୀ ପ୍ରଶଂସା କରୁଥିଲେ । ୧୧ ବର୍ଷ ବୟସ ପର୍ଯ୍ୟନ୍ତ ଆବ୍ରାହମ୍ ନିଜର କ୍ଷୁଦ୍ର ପରିବେଶ ବ୍ୟତୀତ ବାହାର ଜଗତର ଅନ୍ୟ କୌଣସି କଥା ଜାଣିବାକୁ ପାଇନଥିଲେ । ୧୮୨୮ ମସିହାରେ ଅପ୍ୟୁଟ୍ ନାମକ ଜଣେ ଗହମ ବ୍ୟବସାୟୀଙ୍କୁ ତାଙ୍କ କାର୍ଯ୍ୟରେ ସହାୟତା କରିବା ପାଇଁ ସେ ନିଯୁକ୍ତ ହେଲେ ଏବଂ ଜଳପଥରେ ନିଉଅରଲିନ୍‍ସ ସହର ପର୍ଯ୍ୟନ୍ତ ତାଙ୍କର ସହଯାତ୍ରୀ ହେଲେ । ଯାତ୍ରାପଥରେ ନଦୀର ଉଭୟ ତୀରରେ ସେ ବିଶାଳ ଆମେରିକାର ଦିଗନ୍ତ ବିସ୍ତୃତ ପ୍ରାକୃତିକ ସମ୍ପଦ ଓ ବହୁ ସମୃଦ୍ଧନଗରୀ ଦେଖିବାକୁ ପାଇଥିଲେ । ନିଉଅରଲିନ୍‍ସ ଥିଲା ଦକ୍ଷିଣାଞ୍ଚଳର ଏକ ଋଦ୍ଧିମନ୍ତ ନଗରୀ ଏବଂ ଲିଙ୍କନ୍ ସେଠାରେ ସର୍ବପ୍ରଥମଥର ପାଇଁ ବହୁସଂଖ୍ୟକ ନିଗ୍ରୋ ଶ୍ରମିକଙ୍କୁ ଦେଖିବାକୁ ପାଇଲେ-। ସେମାନେ ସମସ୍ତେ ଥିଲେ କ୍ରୀତଦାସ ।

 

ଆବ୍ରାହମ୍‍ଙ୍କ ନିଯୁକ୍ତିର ଦୁଇବର୍ଷ ପରେ ଥୋମାସ୍ ଲିଙ୍କନ୍ ଇଣ୍ଡିଆନାର ପଶ୍ଚିମ ପ୍ରାନ୍ତରେ ଅବସ୍ଥିତ ଇଲିନିକସ୍ ପ୍ରଦେଶକୁ ବସତି ସ୍ଥାନାନ୍ତରିତ କରିବା ପାଇଁ ନିଷ୍ପତ୍ତି କଲେ । ଉକ୍ତ ରାଜ୍ୟର ଜମି କୁଆଡ଼େ ଅଧିକ ଉର୍ବର ଓ କମ୍ ଶ୍ରମରେ ପ୍ରଚୁର ଫସଲ ଉତ୍ପାଦିତ ହୋଇପାରେ ବୋଲି ସେ ଖବର ପାଇଥିଲେ । ଲିଙ୍କନ୍ ପରିବାର ଗୋଟିଏ ଶଗଡ଼ ଗାଡ଼ି ସହାୟତାରେ ନୂତନ ବସତି ଅଭିମୁଖେ ଯାତ୍ରା ଆରମ୍ଭ କଲେ । ଉକ୍ତ ରାଜ୍ୟରେ ଡେକାଟ୍‍ର ଏକ ଜଣାଶୁଣା ସହିତ । ତାର ପଶ୍ଚିମ ଦିଗରେ ପ୍ରବାହିତ ସଙ୍ଗାମନ ନଦୀକୂଳରେ ଗୋଟିଏ କାଠ କେବିନ୍ ନିର୍ମାଣ କରି ଲିଙ୍କନ୍ ପରିବାର ସେଠାରେ ନୂତନ ଭାବେ ପୁଣି ବସତି ଆରମ୍ଭ କଲେ । ଏକୋଇଶି ବର୍ଷ ବୟସ୍କ ଆବ୍ରାହମ୍ ଗୃହ ସଜାଡ଼ିବାରେ ପିତାଙ୍କୁ ଯତପରୋନାସ୍ତି ସାହାଯ୍ୟ କଲେ । ତତ୍‍ପରେ ସେ ନିଜର କର୍ମସଂସ୍ଥାନ ଅନୁସନ୍ଧାନରେ ପିତାଙ୍କଠାରୁ ବିଦାୟ ନେଇ ନିଉସାଲେମ ପ୍ରସ୍ଥାନ କଲେ । ନିଉସାଲେମ୍ ଲଲିନିଲସ ପ୍ରଦେଶର ଏକ କ୍ଷୁଦ୍ର ଗ୍ରାମ ଏବଂ ସେଠାରେ ପ୍ରାୟ କୋଡ଼ିଏ ଗୋଟି କୃଷକ ଓ ବ୍ୟବସାୟୀ ପରିବାର କାଠ କେବିନ୍ ମଧ୍ୟରେ ବସବାସ କରୁଥାଆନ୍ତି । ପ୍ରସିଦ୍ଧ ଗହମ ବ୍ୟବସାୟୀ ଅଫ୍ୟୁଟଙ୍କର ଘର ଏହି ଗ୍ରାମରେ । ଆବ୍ରାହମ ସେଠାରେ ଅଫ୍ୟୁଟଙ୍କର ଗହମ ଗୋଦାମରେ କିରାଣୀ କାମ କରି ଓ ତାଙ୍କଦ୍ୱାରା ପରିଚାଳିତ ଏକ ଚୂନାକଳ ସାହାଯ୍ୟ କରି ଯାହା ପାଉଥିଲେ, ସେଥିରେ ନିଜର ଭରଣ ପୋଷଣ କରୁଥିଲେ । ନିଜର ନିଷ୍ଠା ଓ ସାଧୁତା କେତେ ଆବ୍ରାହମ୍ ନିଉସାଲେମ୍ ଗ୍ରାମରେ ସମସ୍ତଙ୍କର ପ୍ରିୟପାତ୍ର ହୋଇପଡ଼ିଲେ । କୈଶୋରରେ ସେ ଅସ୍ଵାଭାବିକ ଭାବରେ ଉଚ୍ଚ ହୋଇ ଉଠିଲେ । ଏପରିକି ଊଣାଇଶ ବର୍ଷ ବୟସ ବେଳକୁ ତାଙ୍କର ଉଚ୍ଚତା ଥିଲା ଛଅଫୁଟ ଚାରି ଇଞ୍ଚ । ତାଙ୍କର ଶାରୀରିକ ଶକ୍ତି ଥିଲା ଅସୀମ ଓ ଖୁବ୍ ଓଜନିଆ ପଦାର୍ଥମାନ ସେ ଉପରକୁ ଟେକି ପାରିଥିଲେ । ତାଙ୍କର ଅସ୍ୱାଭାବିକ ଉଚ୍ଚତା ଯୋଗୁଁ ନିଉସାଲେମ୍ ଗ୍ରାମବାସୀଙ୍କ ଗୋଚରକୁ ସେ ସହଜରେ ଆସି ପାରିଥିଲେ ।

 

ସେହି ଗ୍ରାମରେ ସେତେବେଳେ ମଣିଷର ମୂଲ୍ୟ ଶାରୀରିକ ଶକ୍ତି ମାଧ୍ୟମରେ ହିଁ ନିର୍ଣ୍ଣୟ କରାଯାଉଥିଲା । ନିକଟବର୍ତ୍ତୀ ଗ୍ରାମରେ ଜଣେ ମଲ୍ଲ୍ ବୀରଙ୍କୁ ପରାସ୍ତ କରିଦେବା ପରେ ନିଉସାଲେମ୍ ବାସୀ ଆବ୍ରାହମଙ୍କ ନେତୃତ୍ଵ ସ୍ଵୀକାର କଲେ । ଇଲିନଇସର ଉତ୍ତରାଞ୍ଚଳରେ ଲୋହିତ ଭାରତୀୟମାନଙ୍କର ଆକ୍ରମଣର ସମ୍ମୁଖୀନ ହେବା ଲାଗି ସ୍ଥାନୀୟ ଭାବେ ଯେଉଁ ମିଲିଟାରୀ ବାହିନୀ ଗଠନ କରାଗଲା, ତାର ନେତୃତ୍ଵ ନେଲେ ଆବ୍ରାହମ୍ ଲିଙ୍କନ । ସଫଳତାର ସହ ଆକ୍ରମଣର ମୁକାବିଲା କରିବା ପରେ ପରେ ଜେମସ୍ ରୁଟ୍ ଲେଜଙ୍କ ପରାମର୍ଶ କ୍ରମେ ସେ ସ୍ଥାନୀୟ ରାଜନୀତି ସହ ଜଡ଼ିତ ହୋଇ ପଡ଼ିଲେ ଏବଂ ତତ୍‍ପରେ ଉକ୍ତ ରାଜ୍ୟର ବିଧାନସଭା ସଦସ୍ୟ ନିର୍ବାଚନରେ ପ୍ରତିଦ୍ଵନ୍ଦିତା କରିଥିଲେ । ନିର୍ବାଚନରେ ଅଂଶଗ୍ରହଣ କରିବାରେ ତାହା ହେଲା ତାଙ୍କର ପ୍ରଥମ ପ୍ରଚେଷ୍ଟା । ଏହି ଉଦ୍ୟମରେ ସେ ଅକୃତକାର୍ଯ୍ୟ ହେଲେ ସତ; କିନ୍ତୁ ନିଉସାଲେମର ସମସ୍ତ ଅଧିବାସୀ ଦଳମତ ନିର୍ବିଶେଷରେ ତାଙ୍କୁ ଭୋଟ ଦେଇଥିବାରୁ ସେ ବିଶେଷ ସନ୍ତୋଷ ପ୍ରକାଶ କରିଥିଲେ । କିନ୍ତୁ ନିର୍ବାଚନରେ ଅଂଶଗ୍ରହଣ ମଣିଷକୁ ଖାଦ୍ୟବସ୍ତ୍ର ଯୋଗାଇ ନପାରେ–ଏପରି ଏକ ତିକ୍ତ ଅନୁଭୂତି ସେ ସଙ୍ଗେ ସଙ୍ଗେ ପାଇଥିଲେ । ପ୍ରଥମେ ସେ ଯେଉଁ ଅଫ୍ୟୁଟଙ୍କ ଗୋଦାମରେ ନିଯୁକ୍ତି ପାଇଥିଲେ, ପରବର୍ତ୍ତୀ ସମୟରେ ତାର ଆଉ ଅସ୍ତିତ୍ଵ ନ ଥିଲା । ବେରା ନାମକ ଜଣେ ବନ୍ଧୁଙ୍କ ସାହତର୍ଯ୍ୟରେ ନିଜ ଉଦ୍ୟମରେ ଗୋଟିଏ ଷ୍ଟୋର ପ୍ରତିଷ୍ଠା କରି ତା’ର ପରିଚାଳନା ପାଇଁ ସେ ଉଦ୍ୟମ କଲେ । କିନ୍ତୁ ସେଥିରେ ସଫଳତା ହାସଲ କରିବା ଦୂରେ ଥାଉ, ତଦ୍ୱାରା ତାଙ୍କୁ ଋଣଗ୍ରସ୍ଥ ହୋଇଯିବାକୁ ପଡ଼ିଲା । ଅବଶ୍ୟ ତତ୍ପରେ ସେ ପୋଷ୍ଟମାଷ୍ଟର ଭାବେ ନିଯୁକ୍ତି ଲାଭ କରି ଅତିରେ ଆର୍ଥିକ ଅଭାବ ମୋଚନ କରିଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ସର୍ଭେର ରୂପେ ନିଯୁକ୍ତି ମିଳିଲା । ଜମିଜମା ବନ୍ଦୋବସ୍ତ ଓ ସର୍ଭେ ଇତ୍ୟାଦି କ୍ଷେତ୍ରରେ ତାଙ୍କର ଯେପରି କିଛି ପ୍ରବେଶ ନ ଥିଲେ ମଧ୍ୟ ସେ ଉକ୍ତ ଦାୟିତ୍ଵ ବହନ କରିବାକୁ ଆଗଭର ହେଲେ ଏବଂ ତତ୍‍ ସମ୍ପର୍କୀୟ ବନ୍ଧ ସବୁ କ୍ରୟ କରି ଅଳ୍ପ ଦିନ ମଧ୍ୟରେ ଆୟତ୍ତ କରିପାରିଥିଲେ ।

 

ଆବ୍ରାହମଙ୍କର ବିଶ୍ୱାସ ହେଲା ଯେ ଶିକ୍ଷାର ପୂର୍ଣ୍ଣତା ବ୍ୟତିରେକେ ଜୀବନରେ ଉଚ୍ଚସ୍ଥାନ ଲାଭ କରିବା ଅଭିଳାଷ କେବଳ କଳ୍ପନାରେ ହିଁ ସୀମିତ ରହିବ । ଉକ୍ତ ଅଭିଳାଷକୁ ଚରିତାର୍ଥ କରିବାକୁ ହେଲେ ଜଣେ ବକ୍ତା ଓ ଲେଖକ ଭାବେ ପ୍ରତିଷ୍ଠା ଅର୍ଜନ କରିବା ସର୍ବାଦୌ ଆବଶ୍ୟକ । ତେଣୁ ସେ ନିଜ ଉଦ୍ୟମରେ ବିଭିନ୍ନ ପ୍ରକାରର ବହି ଆଣି ଗଭୀର ଧ୍ୟାନ ସହକାରେ ପଢ଼ା ଆରମ୍ଭ କଲେ । ସେଥିପାଇଁ ଜଣେ ଶିକ୍ଷକଙ୍କ ସହାୟତା ମଧ୍ୟ ନେବାକୁ ପଡ଼ିଥିଲା । ପରବର୍ତ୍ତୀ କାଳରେ ଜନ୍ ଷ୍ଟୁଅର୍ଟ ନାମକ ଜଣେ ଆଇନଜୀବୀଙ୍କ ଠାରୁ ଆବଶ୍ୟକୀୟ ଉତ୍ସାହ ପାଇବା ପରେ ସେ ଆଇନ ଶିକ୍ଷା ପ୍ରତି ଅନୁରକ୍ତି ପ୍ରକାଶ କରି ଉପଯୋଗୀ ଅଧ୍ୟୟନ ଆରମ୍ଭ କଲେ । ବେଳକୁ ବେଳ ସେଥିପ୍ରତି ଆଗ୍ରହ ବୃଦ୍ଧି ପାଇଲା । ଷ୍ଟୁଆର୍ଟଙ୍କଠାରୁ କିଛି ବହି ପାଇବା ଉଦ୍ଦେଶ୍ୟରେ ତାଙ୍କୁ ଦୀର୍ଘ କୋଡ଼ିଏ ମାଇଲ ବାଟ ଚାଲି ଯିବାକୁ ପଡ଼ୁଥିଲା ।

 

ପ୍ରଥମ ଉଦ୍ୟମର ଦୁଇ ବର୍ଷ ପରେ ୧୮୩୪ ମସିହାରେ ହୋଇଥିବା ରାଜ୍ୟ ବିଧାନସଭା ନିର୍ବାଚନରେ ସେ ପୁଣି ଥରେ ଅଂଶ ଗ୍ରହଣ କରିଥିଲେ ଏବଂ ଏଥରେ ସେ ସଫଳତା ହାସଲ କଲେ । ଭଣ୍ଡାଲିଆ ଥିଲା ସେତେବେଳେ ଇଲିନଇସ୍ ରାଜ୍ୟର ରାଜଧାନୀ । ନିର୍ବାଚିତ ହେବା ପରେ କିଛିଦିନ ପର୍ଯ୍ୟନ୍ତ ସେ ରାଜ୍ୟର ନେତୃସ୍ଥାନୀୟ ବ୍ୟକ୍ତିଙ୍କ ସହ ସାକ୍ଷାତ କରି ବିଧାନସଭାର କାଯ୍ୟକ୍ରମ ଓ ଆଇନ ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ସମ୍ୟକ୍ ଜ୍ଞାନ ହାସଲ କରିଥିଲେ-। ୧୮୩୬ ମସିହାରେ ଦ୍ୱିତୀୟ ଥର ପାଇଁ ସେ ରାଜ୍ୟ ବିଧାନ ସଭାକୁ ନିର୍ବାଚିତ ହୋଇ ଆସିଲେ-। ନିଜର ଲୋକପ୍ରିୟତା ଓ ଦକ୍ଷତା ବଳରେ ଖୁବ୍ କମ୍ ସମୟ ମଧ୍ୟରେ ସେ ୱିଗ୍ ପାଟି (Whig Party)ର ଜଣେ ପ୍ରଭାବଶାଳୀ ନେତା ଭାବରେ ପ୍ରତିଷ୍ଠା ଅର୍ଜ୍ଜନ କଲେ । ବିଧାନ ସଭାରେ ୱିଗ୍ ପାର୍ଟିର ସଦସ୍ୟ ସଂଖ୍ୟା ମୃଷ୍ଟିମେୟ ହେଲେ ସୁଦ୍ଧା ଲିଙ୍କନ୍‍ଙ୍କର ଆନ୍ତରିକ ଉଦ୍ୟମ ଫଳରେ କେତେକ ପ୍ରଶ୍ନ ଉପରେ ସେ ବିଧାନସଭାର ସଂଖ୍ୟାଗରିଷ୍ଠତା ହାସଲ କରିପାରିଥିଲେ । ରାଜ୍ୟର ପ୍ରଧାନ କାର୍ଯ୍ୟାଳୟ ଭଣ୍ତାଲିଆଠାରୁ ସ୍ପ୍ରିଙ୍ଗ୍ ଫିଲଡକୁ ସ୍ଥାନାନ୍ତରିତ କରିବା ଦିଗରେ ସେ ସଫଳକାର୍ଯ୍ୟ ହେଲେ । କ୍ରୀତଦାସ ପ୍ରଥା ଓ ତତ୍ ସମ୍ଭଳିତ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ସେ ସୁଯୋଗ ମଧ୍ୟ ଲାଭ କରିଥିଲେ । ନିଗ୍ରୋ ଅଧିବାସୀମାନଙ୍କର ଧନ ସମ୍ପତ୍ତିର ସୁରକ୍ଷା ପାଇଁ ଇଲିନଇସ୍ ବିଧାନସଭାରେ ଯାହା ସବୁ ନିଷ୍ପତ୍ତି ଗ୍ରହଣ କରାଯାଉଥିଲା ସେସବୁ ମୂଳରେ ଅବ୍ରାହାମ୍ ଲିଙ୍କନ୍ ଙ୍କର ଦୂରଦୃଷ୍ଟି ହିଁ ନିହିତ ଥିଲା । କ୍ରୀତଦାସ ପ୍ରଥାକୁ ଏକ ସ୍ଥାୟୀ ପ୍ରଥା ଭାବରେ ଗ୍ରହଣ କରିବା ମାନବିକତା ପ୍ରତି ଘୋର ଅନ୍ୟାୟ ଏବଂ ନୀତି ଦୃଷ୍ଟିରୁ ଅତ୍ୟନ୍ତ ଗର୍ହିତ ବୋଲି ତାଙ୍କର ହୃଦବୋଧ ହେଉଥିଲା । ଏ ମଧ୍ୟରେ ସେ ଇଲିନଇସ୍ ର ଓକିଲମାନଙ୍କ ମଧ୍ୟରେ ଜଣାଶୁଣା ହେବାକୁ ଲାଗିଲେ ଏବଂ ତାଙ୍କର ଘନିଷ୍ଠ ସହକର୍ମୀ ଷ୍ଟୁଆର୍ଟଙ୍କୁ ସହଯୋଗୀ ରୂପେ ପାଇ ଅଠାଇଶ ବର୍ଷ ବୟସରେ ଓକିଲାତି ଜୀବନ ଆରମ୍ଭ କଲେ । କିଛିଦିନ ପରେ ବ୍ୟବସାୟଗତ ସୁବିଧା ଦୃଷ୍ଟିରୁ ଆବ୍ରାହମ୍ ଙ୍କୁ ନିଉସାଲେମ୍ ଛାଡ଼ି ରାଜ୍ୟର ପ୍ରଧାନ କାର୍ଯ୍ୟାଳୟ ସ୍ପ୍ରିଙ୍ଗ୍ ଫିଲଡକୁ ଚାଲିଯିବାକୁ ପଡ଼ିଥିଲା ।

 

କେଣ୍ଟୁକି ରାଜ୍ୟରେ ଅବସ୍ଥାନବେଳେ କୁମାରୀ ମେରୀ ଓବେନ୍‍ଙ୍କ ସହ ଆବ୍ରାହମ୍‍ଙ୍କର ପରିଚୟ ଘଟିଥିଲା । ଓକିଲାତି ଜୀବନ ଆରମ୍ଭ ପରେ ସେ ତାଙ୍କୁ ବିବାହ କରିବା ପାଇଁ ଯେଉଁ ପ୍ରସ୍ତାବ ଦେଲେ ତାର କିଛି ସୁଫଳ ହେଲା ନାହିଁ । ଏହି ସମୟରେ ମେରୀ ଟୋଡ୍ ନାମକ ସେହି କେଣ୍ଟୁ କି ରାଜ୍ୟର ଜଣେ କୁଳୀନ ଯୁବତୀ ସ୍ପ୍ରିଙ୍ଗ୍ ଫିଲଡରେ ବସବାସ କରୁଥିଲେ । ତାଙ୍କ ସହ ବୈବାହିତ ସମ୍ପର୍କ ସ୍ଥାପନ ପାଇଁ ଲିଙ୍କନ ଇଚ୍ଛାପୋଷଣ କରିଥିଲେ । କିନ୍ତୁ ଷ୍ଟିଫେନ ଦଗଲାସ ନାମକ ଜଣେ ସମ୍ଭାନ୍ତ ଭଦ୍ରବ୍ୟକ୍ତି ମଧ୍ୟ ଉକ୍ତ ମହିଳାଙ୍କ ପ୍ରତି ଆସକ୍ତି ପ୍ରକାଶ କରି ଲିଙ୍କନଙ୍କର ପ୍ରତିଦ୍ଵନ୍ଦୀ ହୋଇ ଉଠିଲେ । ପରବର୍ତ୍ତୀ ସମୟରେ ମି: ଦଗଲାସ୍ ଆବ୍ରାହମ୍ ଲିଙ୍କନଙ୍କର ରାଜନୈତିକ ପ୍ରତିଦ୍ଵନ୍ଦୀ ହୋଇ ଉଠିଥିଲେ । ଅତ୍ୟନ୍ତ ବୁଦ୍ଧିମାନ୍ ଓ ଧନବାନ୍ ଥିଲେ ସୁଦ୍ଧା କୁମାରୀ ଟୋଡ୍ କେବଳ ଲିଙ୍କନଙ୍କଠାରେ ଆସକ୍ତ ଥିଲେ । ୧୮୪୨ ମସିହା ନଭେମ୍ବର ୧୨ ତାରିଖରେ ଲିଙ୍କନ୍ କୁମାରୀ ଟୋଡ଼ଙ୍କୁ ବିବାହ କରିଥିଲେ । କିନ୍ତୁ ଅତ୍ୟନ୍ତ ଅନୁଶୋଚନାର କଥା ଯେ ଲିଙ୍କନଙ୍କର ପାରିବାରିକ ଜୀବନ ବିଶେଷ ସୁଖମୟ ହେଲା ନାହିଁ । ମେରୀ ଟୋଡ୍ ଥିଲେ ନିଷ୍ଠୁର ଓ ଆତ୍ମଗର୍ବୀ । ପାରିବାରିକ ଜୀବନକୁ ଜାଣିଶୁଣି ସେ ତିକ୍ତ କରିପକାଉଥିଲେ । ପ୍ରାୟ ପ୍ରତ୍ୟେକ ଦିନ କିଛି ନା କିଛି କଳହ ଲାଗି ରହିଥିଲା । ଅବଶ୍ୟ ତାହାର ପ୍ରତ୍ୟେକ କଳହରେ ପରିଣତ ହେବା ପାଇଁ ଲିଙ୍କନ୍ ସୁଯୋଗ ଦେଇନଥିଲେ । ତଥାପି ତାଙ୍କର ଋଦ୍ଧିମନ୍ତ ସରସ ଜୀବନ କେତେକାଂଶରେ ନୀରସ ହୋଇ ଉଠିଥିବା କଥା ବନ୍ଧୁମାନଙ୍କୁ ପଠାଇଥିବା ତାଙ୍କର କେତେ ଖଣ୍ଡି ପତ୍ରରୁ ସ୍ପଷ୍ଟ ହୁଏ । କିନ୍ତୁ ପାରିବାରିକ ଅସୁବିଧା ଓକିଲାତି କାର୍ଯ୍ୟରେ ମୋଟେ ବାଧାସୃଷ୍ଟି କରିନଥିଲା । ବରଂ ସେ ଦିଗରେ ସେ ଅଧିକତର ସୁନାମ ଅର୍ଜ୍ଜନ କରିପାରିଥିଲେ ।

 

ରାଜ୍ୟ ବିଧାନସଭାକୁ ଚାରିଥର ନିର୍ବାଚିତ ହେବା ପରେ ଆବ୍ରାହମ୍ ଲିଙ୍କନ୍ ଯୁକ୍ତରାଷ୍ଟ୍ର ଆମେରିକାର ସର୍ବୋଚ୍ଚ କଂଗ୍ରେସ ସଭ୍ୟପଦ ପାଇଁ ହେଉଥିବା ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ମନସ୍ଥ କଲେ । ୧୮୪୬ ମସିହାରେ ୱିଗ୍ ପାର୍ଟି ତାଙ୍କୁ ପ୍ରାର୍ଥୀରୂପେ ମନୋନୀତ କଲେ ଏବଂ ସେ ନିର୍ବାଚନରେ ଜୟଯୁକ୍ତ ହେଲେ । ପାର୍ଟିର ଶୃଙ୍ଖଳାକୁ ମାନି ଚଳିଲେ ମଧ୍ୟ ସେ ନିଜର ସ୍ଵାତନ୍ତ୍ର୍ୟ ପ୍ରତି ସର୍ବଦା ସଚେତନ ରହୁଥିଲେ । ପାର୍ଟିର ସ୍ଵାର୍ଥ ସିଦ୍ଧି ନିମିତ୍ତ ମାନବିକ ନୀତି ଓ ସମୂହ ସ୍ଵାର୍ଥକୁ ଜଳାଞ୍ଜଳି ଦେବା ପାଇଁ ସେ କଦାପି ଇଚ୍ଛୁକ ନଥିଲେ । ଯୁକ୍ତରାଷ୍ଟ୍ର ଆମେରିକାର ତତ୍କାଳୀନ ପ୍ରେସିଡେଣ୍ଟ ପୋକ (Polk) ମେକ୍ଜିକୋ ସହ ଏକ ଯୁଦ୍ଧରେ ବ୍ୟାପୃତ ହେବା ଦେଖି ଆବ୍ରାହମ ଲିଙ୍କନ୍ ତାଙ୍କର ଯୁଦ୍ଧନୀତିକୁ ଦୃଢ଼ସ୍ଵରରେ ସମାଲୋଚନା କରିଥିଲେ । ତାଙ୍କର ଉକ୍ତ ନୀତିକୁ ୱିଗ୍ ପାର୍ଟି ସମର୍ଥନ ଜଣାଇଥିଲେ ମଧ୍ୟ ତାଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ତାହା ଆଦୃତ ହୋଇପାରିଲା ନାହିଁ । କାରଣ ସେଠା ଭୋଟଦାତାମାନେ ମେକ୍ଜିକୋ ସହ ଯୁଦ୍ଧ ସପକ୍ଷରେ ମତ ଦେଉଥିଲେ । ମେକ୍ଜିକୋ ସହ ଯୁଦ୍ଧବେଳେ ବହୁ ତୁଙ୍ଗନେତାଙ୍କ ସହ ତାଙ୍କର ମତାନ୍ତର ଘଟିଥିଲା ଏବଂ ଏକ ସମୟରେ ସେ ରାଜନୀତିରୁ ସମ୍ପୂର୍ଣ୍ଣ ବିଦାୟ ନେଇ ଆଇନ ବ୍ୟବସାୟରେ ପୂର୍ଣ୍ଣତଃ ମନୋନିବେଶ କରିବା ପାଇଁ ପ୍ରତିଜ୍ଞା କରିଥିଲେ । ବୟସ୍କ ଓ ଅଭିଜ୍ଞ ଆଇନଜ୍ଞ ଷ୍ଟିଫେନ୍ ଲଗାନ୍ ଙ୍କୁ ସହଯୋଗୀ ରୂପେ ଗ୍ରହଣ କରି ସେ ପୁଣି ପୁରା ଦମ୍‍ ରେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ ଏବଂ ଲଗାନ୍‍ଙ୍କ ସୁଦକ୍ଷ ପରାମର୍ଶ ଫଳରେ ସେ ଉକ୍ତ କ୍ଷେତ୍ରରେ ଖୁବ୍ ଅଗ୍ରଗତି ମଧ୍ୟ କରିଥିଲେ ।

 

୧୮୦୫ ମସିହା ପର୍ଯ୍ୟନ୍ତ ଆବ୍ରାହମ୍ ଅନ୍ୟ ବୟସ୍କ ଓକିଲମାନଙ୍କର ଜୁନିଅର ଭାବରେ କାର୍ଯ୍ୟ କରି ଆସୁଥିଲେ; କିନ୍ତୁ ତତ୍ପରେ ସେ ୱିଲିୟମ୍ ହେରେଣ୍ଡନ୍ ନାମକ ଜଣେ ବିଜ୍ଞ ଯୁବକଙ୍କୁ ଜୁନିଅର ଭାବେ ଗ୍ରହଣ କରି ନିଜର ଏକ ସ୍ୱତନ୍ତ୍ର କାର୍ଯ୍ୟାଳୟ ପ୍ରତିଷ୍ଠା କଲେ । ସେ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରେସିଡେଣ୍ଟ୍ ରୂପେ ନିର୍ବାଚିତ ହେବା ପର୍ଯ୍ୟନ୍ତ ଉକ୍ତ ଯୁବକ ତାଙ୍କର ସହଯୋଗୀ ରୂପେ ଏବଂ ଶେଷ ଜୀବନ ପର୍ଯ୍ୟନ୍ତ ଅନ୍ତରଙ୍ଗ ବନ୍ଧୁ ରୂପେ ରହିଥିଲେ ଏବଂ ତାଙ୍କର ମୃତ୍ୟୁ ପରେ ଏକ ମନୋଜ୍ଞ ଜୀବନୀ ମଧ୍ୟ ରଚନା କରିଥିଲେ । ରାଜ୍ୟର ସର୍ବୋଚ୍ଚ ନ୍ୟାୟାଳୟକୁ ସେ ବହୁଥର ଅତି ଉଚ୍ଚ ସ୍ତରୀୟ ମୋକଦ୍ଦମା ନେଉଥିଲେ ସୁଦ୍ଧା ଛୋଟ କୋର୍ଟଗୁଡ଼ିକୁ ପରିତ୍ୟାଗ କରିନଥିଲେ । ଓକିଲାତି ଜୀବନରେ ସେ ଗ୍ରୀକ୍ ଗଣିତଜ୍ଞ ୟୁକ୍ଲିଡ ଏବଂ ଇଂରାଜୀ କବି ସେକ୍ସପିଅରଙ୍କ ରଚିତ ଉପାଦେୟ ଗ୍ରନ୍ଥଗୁଡ଼ିକୁ ଆୟତ୍ତ କରି ପାରିଥିଲେ । ଅର୍ଥ ଉପାର୍ଜ୍ଜନ ଦୃଷ୍ଟିରୁ ସେତେ ଲାଭଜନକ ନହେଲେ ସୁଦ୍ଧା ସେ ଗ୍ରାମାଞ୍ଚଳ କୋର୍ଟଗୁଡ଼ିକ ସହ ସମ୍ପର୍କ ରକ୍ଷା ଲାଗି ବରାବର ତତ୍ପର ଥିଲେ ଏବଂ ଅର୍ଥଲୋଭଜନିତ ନିଷ୍ଠୁରତା ଆଚରଣରୁ ସେ ମୁକ୍ତ ରହୁଥିଲେ । ଏପରିକି ନିଜର ଜଣେ ଶତ୍ରୁସ୍ଥାନୀୟ ବ୍ୟକ୍ତିର ପୁତ୍ରଙ୍କର ମୁକ୍ତି ପାଇଁ ମଧ୍ୟ ସେ ବିନା ଫିଜରେ କୋର୍ଟରେ ଲଢ଼ିଥିଲେ । କୋର୍ଟରେ ସାକ୍ଷୀମାନଙ୍କୁ ଜେରା କଲାବେଳେ ସେ ଅସାଧାରଣ ପ୍ରତ୍ୟୁତ୍ପନ୍ନମତିତା ପ୍ରଦର୍ଶନ କରି ବିଚାରପତିମାନଙ୍କୁ ବିସ୍ମିତ କରି ପକାଉଥିଲେ । ସେ ସମୟରେ ଏକାଧିକ ଚମତ୍କାର ଘଟଣା ଅଦ୍ୟାପି ଅମେରିକାବାସୀ କିମ୍ବଦନ୍ତୀ ଭଳି ସ୍ମରଣ ରଖିଛନ୍ତି । କୌଣସି ଗୋଟିଏ ହତ୍ୟା ମକଦ୍ଦମାର ବିଚାରବେଳେ ସାକ୍ଷୀମାନଙ୍କୁ ଜେରା କରି ସେ ଉତ୍ତର ଆଦାୟ କରିଥିଲେ ଯେ ହତ୍ୟାକାଣ୍ଡଟି ସେମାନଙ୍କ ସମକ୍ଷରେ ଚନ୍ଦ୍ରପକ୍ଷର ଆଲୋକରେ ଘଟିଥିଲା । କିନ୍ତୁ ବାସ୍ତବିକ ତାହା କୃଷ୍ଣପକ୍ଷରେ ଘଟିଥିଲା ।

 

ଆବ୍ରାହମଙ୍କ ପଠନ ଶକ୍ତି ଅସାଧାରଣ ଥିଲା । ଏପରିକି କାରଖାନା ଓ ସାଧାରଣ ରାସ୍ତା ଭଳି ଜନଗହଳି ସ୍ଥାନରେ ପଢ଼ାପଢ଼ି କରି ମଧ୍ୟ ସେ ବେଶ୍ ମନେ ରଖିପାରୁଥିଲେ । ପଠନରେ ନିଷ୍ଠାପ୍ରକାଶ ପାଇଲେ ତାହା ବହୁ ଚିନ୍ତାଶୀଳ ବ୍ୟକ୍ତିଙ୍କର ଭାବଧାରାକୁ ବୁଝିବାରେ ଏବଂ ବହୁ ଜଟିଳ ସମସ୍ୟାର ସମାଧାନ ଅଣାଇବାରେ ସହାୟତା କରିପାରେ ବୋଲି ସେ ବିଶ୍ୱାସପୋଷଣ କରିଥିଲେ-

 

ଆବ୍ରାହମ୍ ଲିଙ୍କନ୍ ନିଜ ଜୀବନର ଦର୍ଶନକୁ କୌଣସି ଗ୍ରନ୍ଥରେ ଲିପିବଦ୍ଧ କରିଯାଇ ନଥିଲେ । କିନ୍ତୁ ତାଙ୍କର ବକୃତା ଓ ପତ୍ରବଳୀରେ ତାହା ବେଶ୍ ପ୍ରତିଫଳିତ ହୋଇଥିଲା । ପୁଞ୍ଜିପତି ଓ ଶ୍ରମିକମାନଙ୍କ ମଧ୍ୟରେ ଯେଉଁପ୍ରକାର ସମ୍ପର୍କ ସ୍ଥାପିତ ହେବା କଥା, ତାହା ବହୁସ୍ଥଳରେ ଅତି ପରିଷ୍କାର ଭାବରେ ସେ ବ୍ୟକ୍ତ କରିଥିଲେ । କୌଣସି ବ୍ୟକ୍ତି ନିଜ ଉଦ୍ୟମରେ ଧନଶାଳୀ ହୋଇ ଉଠୁଥିଲାବେଳେ ଆଇନଦ୍ୱାରା ଉକ୍ତ ପଥକୁ ରୁଦ୍ଧ କରିବା ଅନୁଚିତ ବୋଲି ସେ ବିଶ୍ୱାସ କରୁଥିଲେ । ତତ୍ ସଙ୍ଗେ ସଙ୍ଗେ ସେ ମତ ଦେଇଥିଲେ ଯେ ସମାଜର ଅତି ନଗଣ୍ୟ ବ୍ୟକ୍ତି ବି ଯେପରି ଧନ ଓ ସମୃଦ୍ଧିର ଅଧିକାରୀ ହୋଇପାରେ-ସେ ପଥ ମଧ୍ୟ ଉନ୍ମୁକ୍ତ ରହିବା ବିଧେୟ । ଶ୍ରମିକମାନଙ୍କ ପାଇଁ ସେମାନଙ୍କର ବିକାଶର ସକଳପ୍ରକାର ପନ୍ଥା ଉନ୍ମୁକ୍ତ ରହିବା ଦରକାର । ଅନାବଶ୍ୟକ ଶୃଙ୍ଖଳା ମଧ୍ୟରେ ସେମାନଙ୍କୁ ଆବଦ୍ଧ କରିବାକୁ ଯିବା ମୋଟେ ଯୁକ୍ତିଯୁକ୍ତ ନୁହେ । ବହୁ ସଭାସମିତିରେ ସେ ନିଜ ଯୌବନରେ ଜଣେ ସାମାନ୍ୟ ମଜୁରିଆ ଥିବା କଥା ଆକୁଣ୍ଠିତ ଚିତ୍ତରେ ଘୋଷଣା କରୁଥିଲେ । ତତ୍ ସଙ୍ଗେ ସଙ୍ଗେ ସେ ଭାବୁଥିଲେ ଯେ ସମାଜର ସମସ୍ତେ ସେଭଳି କିଛି ଅନୁଭୂତି ନେଇ ବଡ଼ ହେବା ଉଚିତ ନତୁବା ହେଲା ପରେ ସେଭଳି ଅବସ୍ଥାର ତାତ୍ପର୍ଯ୍ୟ ହୃଦୟଙ୍ଗମ କରିବା ଉଚିତ ।

 

ଅତୀତରେ ଘଟିଥିବା ଯୁକ୍ତରାଷ୍ଟ୍ର ଆମେରିକାର ସ୍ଵାଧୀନତା ସଂଗ୍ରାମ କଥା ସ୍ମରଣ କରି ଆବ୍ରାହମ୍ ଲିଙ୍କନ୍ ତତ୍କାଳୀନ ସେନାବାହିନୀ, ଅଫିସର ଓ ନେତୃବର୍ଗଙ୍କର ତ୍ୟାଗ ଓ ନିଷ୍ଠାକୁ ବହୁମୁଖରେ ପ୍ରଶଂସା କରି ଦେଶର ଅଖଣ୍ଡତା ରକ୍ଷା ଦିଗରେ ବିଭିନ୍ନ ରାଜ୍ୟର ସହଯୋଗ କାମନା କରିଥିଲେ । ଆମେରିକାର ସ୍ଵାଧୀନତା ଘୋଷଣା କେବଳ ଯେ ଉପନିବେଶଗୁଡ଼ିକରେ ସ୍ଵାଧୀନ ଚେତନା ଜାଗ୍ରତ ପାଇଁ ଉଦ୍ଦିଷ୍ଟ ହେବ ତାହା ନୁହେ, ସମଗ୍ର ମାନବ ଜାତିକୁ ତା’ର ମୌଳିକ ଅଧିକାର ସମ୍ପର୍କରେ ଜାଗ୍ରତ କରାଇବ ବୋଲି ସେ କାମନା କରିଥିଲେ । ଜାତି ଓ ସମ୍ପ୍ରଦାୟକୁ ଭିତ୍ତି କରି କୌଣସି ପ୍ରକାର ଅସହିଷ୍ଣୁତା ଓ ଶତ୍ରୁତାର ସୂତ୍ରପାତ ହେଲେ ସେ ବିଶେଷ ବିବ୍ରତ ହୋଇପଡ଼ୁଥିଲେ ।

 

ଦାସତ୍ଵ ପ୍ରଥା ଇଂରାଜୀ ଉପନିବେଶଗୁଡ଼ିକରେ ୧୬୮୯ ମସିହାଠାରୁ ପ୍ରଚଳିତ ହୋଇ ଆସୁଥିଲା । ୧୬୮୯ ମସିହାରେ ଆମେରିକାର ସମ୍ବିଧାନ ପ୍ରଣୟନବେଳେ ଦାସତ୍ଵ ପ୍ରଥାର ଅସ୍ତିତ୍ଵକୁ ସ୍ଵୀକାର କରାଯାଇ ତାକୁ ରାଜ୍ୟ ସରକାରମାନଙ୍କର ଦାୟିତ୍ଵର ପରିସରଭୁକ୍ତ କରାଯାଇଥିଲା । ଉଚ୍ଚ ପ୍ରଥାର ସଂସ୍କାର କିମ୍ବା ଉଚ୍ଛେଦ ନିମିତ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଫେଡେରାଲ (କେନ୍ଦ୍ର) ସରକାରଙ୍କର କୌଣସି ଅଧିକାର ନଥିଲା । ଆଫ୍ରିକାରୁ କ୍ରୀତଦାସ ରୂପେ ଆନୀତ ନିଗ୍ରୋ ଶ୍ରମିକମାନେ ଦକ୍ଷିଣାଞ୍ଚଳର ତେରଗୋଟି ରାଜ୍ୟରେ ବହୁଳଭାବେ ବସବାସ କରୁଥିଲେ ଏବଂ ଉତ୍ତରାଞ୍ଚଳରେ ସେମାନଙ୍କର ସଂଖ୍ୟା ଅତି ନଗଣ୍ୟ ଥିଲା । ଦକ୍ଷିଣାଞ୍ଚଳର କାର୍ପାସ୍ କୃଷି କ୍ଷେତ୍ରରେ ସେମାନଙ୍କର ବହୁଳ ଚାହିଦା ଥିବା ଫଳରେ କାର୍ପାସ୍ କୃଷକମାନେ ଉକ୍ତ ପ୍ରଥାର ବିରୋଧ କରିବା ପରିବର୍ତ୍ତେ ସ୍ଥାୟୀ ଭାବରେ ତାର ପ୍ରଚଳନ ସପକ୍ଷରେ ଯୁକ୍ତି ବାଢ଼ୁଥିଲେ । ଉକ୍ତ ପ୍ରଥାକୁ ମାନବିକତା ପ୍ରତି ଏକ ଅପରାଧ ବୋଲି ସ୍ଵୀକାର କରିବାକୁ ଦକ୍ଷିଣାଞ୍ଚଳ ରାଜ୍ୟମାନେ ପ୍ରସ୍ତୁତ ନଥିଲେ । କିନ୍ତୁ ଆବ୍ରାହମ୍ ଲିଙ୍କନ ଦୃଢ଼ ଭାବରେ ଘୋଷଣା କଲେ ଯେ ଦାସତ୍ଵକୁ ଯଦି ମଣିଷର ତ୍ରୁଟି ବୋଲି ଗଣ୍ୟ କରା ନଯାଏ, ତେବେ ଜଗତରେ ଅନ୍ୟ କୌଣସି କାର୍ଯ୍ୟ ତୃଟିପୂର୍ଣ୍ଣ ହୋଇନପାରେ ।

 

ଦାସତ୍ଵ ପ୍ରଥାର ପ୍ରଚଳନ ପ୍ରଶ୍ନ ଉପରେ ଯୁକ୍ତରାଷ୍ଟ୍ର ଆମେରିକାର ଉତ୍ତରାଞ୍ଚଳ ଓ ଦକ୍ଷିଣାଞ୍ଚଳ ରାଜ୍ୟମାନଙ୍କ ଭିତରେ ମତଭେଦ ପରିଲକ୍ଷିତ ହେଲା । ଦେଶର ଅର୍ଥନୈତିକ ପରିସ୍ଥିତି ଦକ୍ଷିଣାଞ୍ଚଳ ରାଜ୍ୟମାନଙ୍କର ସ୍ଵାର୍ଥର ପ୍ରତିକୂଳ ହେବାର ଇଙ୍ଗିତ ପ୍ରକାଶ ପାଉଥିବାରୁ ଦେଶର ଦୁଇଟି ପ୍ରାନ୍ତ ମଧ୍ୟରେ ମତାନ୍ତର ଦିନକୁ ଦିନ ତୀବ୍ରତର ହେବାକୁ ଲାଗିଲା । ୧୮୨୦ ଓ ୧୮୫୦ ମସିହାରେ ଏହି ପ୍ରଶ୍ନ ଉପରେ ଦ୍ଵିବିଧ ମତ ପ୍ରକାଶ ପାଇଥିଲେ ମଧ୍ୟ କୌଣସିମତେ ଏକ ଗୃହଯୁଦ୍ଧର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିଥିଲା । ଯୁକ୍ତରାଷ୍ଟ୍ର ଆମେରିକା ଗଠନ ବେଳେ ଦକ୍ଷିଣାଞ୍ଚଳ ରାଜ୍ୟସମୂହ ଦାସତ୍ଵ ପ୍ରଥାର ଏକ ସ୍ଥାୟୀ ଅନୁଷ୍ଠାନ ଭାବେ ଗ୍ରହଣ କରିନେବା ଭିତ୍ତିରେ ଉକ୍ତ ରାଷ୍ଟ୍ରରେ ଯୋଗ ଦେଇଥିଲେ । ସେମାନଙ୍କର ଉକ୍ତ ସ୍ଵାର୍ଥସାଧନ ବିରୁଦ୍ଧରେ ସ୍ଵର ଉତ୍ତୋଳନ ଲାଗି ସମ୍ବିଧାନରେ ମଧ୍ୟ କୌଣସି ବ୍ୟବସ୍ଥା ରହିପାରିଲା ନାହିଁ । କିନ୍ତୁ ଆବ୍ରାହମ୍ ଲିଙ୍କନ୍ ମଣିଷକୃତ ସମ୍ବିଧାନର ବ୍ୟବସ୍ଥାକୁ ମାନବିକ ଅଧିକାରଠାରୁ ଅଧିକ ଗୁରୁତ୍ଵପୂର୍ଣ୍ଣ ବୋଲି ବିବେଚନା କରୁନଥିଲେ-। ଏପରିକି ଦେଶର ଐକ୍ୟର ମୂଲ୍ୟ ଅପେକ୍ଷା ମାନବିକ ଅଧିକାରର ମୂଲ୍ୟକୁ ସେ ଅଧିକତର ଗୁରୁତ୍ଵ ଆରୋପ କରୁଥିଲେ । ଯେଉଁ ରାଷ୍ଟ୍ରରେ ସେଠାର ଏକ ସମ୍ପ୍ରଦାୟକୁ ମୁକ୍ତ ବୋଲି ସ୍ଵୀକାର କରାନଯାଏ, ତା’ର ସ୍ଥାୟିତ୍ଵ ସମ୍ପର୍କରେ ସେ ସନ୍ଦିହୀନ ଥିଲେ । ଦାସତ୍ଵ ପ୍ରଥାର ପ୍ରଚଳନ ସମ୍ପର୍କରେ ଦୁଇଟି ପ୍ରକାର ମତବାଦକୁ ସେ ସ୍ଵୀକାର କରୁଥିଲେ । ତାଙ୍କର ଯୁକ୍ତି ଥିଲା ଯେ ସମଗ୍ର ଯୁକ୍ତରାଷ୍ଟ୍ରରେ ଉକ୍ତ ପ୍ରଥାର ଉଚ୍ଛେଦ ସାଧନ କରି ତାହାକୁ ଏକ ମୁକ୍ତ ଓ ସ୍ଵାଧୀନ ରାଷ୍ଟ୍ରରୂପେ ଘୋଷଣା କରାଯାଉ ନତୁବା ସମଗ୍ର ରାଷ୍ଟ୍ରରେ ଦାସତ୍ଵକୁ ଆଇନତଃ ସ୍ଵୀକାର କରାଯାଇ ତାକୁ ଏକ ଜଙ୍ଗଲୀ ରାଜ୍ୟରେ ପରିଣତ କରାଯାଉ । କିନ୍ତୁ ଦୁଇ ପ୍ରକାର ନୀତି ଘୋଷଣା କରି ଆମେରିକାବାସୀ ବାହାର ଦୁନିଆ ଆଗରେ ଦୁର୍ବଳତାର ପରିଚୟ ଦିଅନ୍ତୁ ନାହିଁ । ଆମେରିକା ରାଷ୍ଟ୍ର ଗଠନବେଳେ ମାନବ ସମାଜର ମୁକ୍ତିଲାଗି ଯେଉଁ ଶପଥ ନିଆଯାଇଥିଲା ସେଥିରୁ ବିଚ୍ୟୁତ ହେଲେ ଅପରାଧ ହେବ ବୋଲି ସେ ଦେଶବାସୀଙ୍କୁ ସତର୍କ କରାଇଦେଇଥିଲେ । ନିଜେ ସେ କହୁଥିଲେ, “ମୁଁ ଯେହେତୁ ଅନ୍ୟର ଦାସ ହେବାକୁ ଚାହେଁନି, ଅନ୍ୟର ପ୍ରଭୁ ହେବା ପାଇଁ ମୁଁ ଏକାନ୍ତ ଅଯୋଗ୍ୟ”-

 

୧୮୫୪ ମସିହାର ଏକ ରାଜନୈତିକ ବ୍ୟବସ୍ଥା ଆଦ୍ରାହମଙ୍କ ପ୍ରାଣରେ ଆଲୋଡନ ସୃଷ୍ଟି କଲା । ତାଙ୍କ ନିଜ ରାଜ୍ୟ ଇଲିନଇସ୍ରୁ ଆମେରିକାର ସର୍ବୋଚ୍ଚ କଂଗ୍ରେସକୁ ନିର୍ବାଚିତ ଜଣେ ସଭ୍ୟ ଓ ଲିଙ୍କନଙ୍କର ରାଜନୈତିକ ପ୍ରତିଦ୍ଵନ୍ଦୀ ଷ୍ଟିଫେନ୍ ଡଗଲାସ୍ ଉକ୍ତ ମସିହାରେ ଦାସତ୍ଵ ପ୍ରଥାର ପ୍ରଚଳନକୁ ସମ୍ପ୍ରାସାରିତ କରିବା ପାଇଁ କାନସାସ୍-ନିବ୍ରାସ୍କା ଆଇନ (Kansas Nebraska ct) ଗୃହୀତ କରାଇ ନେଲେ । ତଦ୍ଦ୍ଵାରା ଅତୀତର ସମସ୍ତ ସୁସ୍ଥ ପରମ୍ପରାକୁ ଭଙ୍ଗ କରାଗଲା ଏବଂ ତାହା ନିଗ୍ରୋମାନଙ୍କ ସ୍ଵାର୍ଥର ପରିପନ୍ଥୀ ବିବେଚିତ ହେଲା । ଏଭଳି ଗୋଟିଏ ବିଲ୍ ଗୃହୀତ ହୋଇଯିବା ଫଳରେ ଆବ୍ରାହମ୍ ଲିଙ୍କନ୍‍ଙ୍କ ସମେତ ସହସ୍ର ସଂଖ୍ୟକ ଚିନ୍ତାଶୀଳ ଆମେରିକାବାସୀ ମର୍ମାହତ ହୋଇପଡ଼ିଲେ । ଡଗଲାସ୍‍ଙ୍କ ପ୍ରଣୀତ ଆଇନ ଜାତୀୟ ସ୍ଵାର୍ଥ ପ୍ରତି ଏକ କୁଠାରାଘାତ ବୋଲି ମନେକରି ତାର ପ୍ରତିରୋଧ କଳ୍ପେ ସେ ପୁନର୍ବାର ସକ୍ରିୟ ରାଜନୀତିରେ ଝାସ ଦେଲେ । ୧୮୫୪ ମସିହାର ନିର୍ବାଚନରେ ସେ କାନ୍‍ସସ୍-ନିବ୍ରାସ୍କା ଆଇନକୁ ବିରୋଧ କରି ବିଭିନ୍ନ ସ୍ଥାନରେ ଭାଷଣମାନ ଦେଇ ଜନମତକୁ ପ୍ରଭାବିତ କରିବାରେ ଲାଗିଲେ । ମାନବିକ ଅଧିକାର ସମ୍ପର୍କରେ ସ୍ଵାଧୀନତା ଦିବସର ଘୋଷଣାକୁ ସେ ପୁଣି ଥରେ ଦେଶବାସୀଙ୍କୁ ସ୍ମରଣ କରାଇ ଦେଇ ଜାତୀୟ ଐକ୍ୟ ଓ ମୁକ୍ତିର ସୁରକ୍ଷା ଲାଗି ଉଭୟ ଅଞ୍ଚଳର ଜନତାଙ୍କୁ ପରାମର୍ଶ ଦେବାକୁ ଲାଗିଲେ । ବହୁ ଆମେରିକାବାସୀଙ୍କର ହୃଦୟ କନ୍ଦରକୁ ତାହା ସ୍ପର୍ଶ କଲା । ସହସ୍ର ସହସ୍ର ଆମେରିକାବାସୀ ଲିଙ୍କନ୍ଙ୍କ ଭାଷଣର ତାତ୍ପର୍ଯ୍ୟ ହୃଦୟଙ୍ଗମ କରିପାରି ତାଙ୍କର ଅନୁଗାମୀ ହେବାକୁ ଲାଗିଲେ । ରିପାବ୍ଲିକାନ୍ ପାର୍ଟିର ଅପ୍ରତିଦ୍ଵନ୍ଦୀ ନେତା ଭାଗରେ ଆମେରିକା ସାରା ତାଙ୍କୁ ସ୍ଵୀକାର କରାଗଲା । କାନସାସ୍-ନିବ୍ରାସ୍କା ଆଇନର ବିରୋଧ କରିବା ଥିଲା ଉକ୍ତ ପାର୍ଟିର ମୁଖ୍ୟ ଉଦେଶ୍ୟ । ୧୮୫୫ ମସିହାରେ ଆମେରିକାର ସିନେଟ୍ ନିର୍ବାଚନରେ ପ୍ରତିଦ୍ଵନ୍ଦୀତା କରି ସେ ବହୁ କମ୍ ସଂଖ୍ୟକ ଭୋଟ ବ୍ୟବଧାନରେ ଅକୃତକାର୍ଯ୍ୟ ହେଲେ । ୧୮୫୮ ମସିହା ନିର୍ବାଚନରେ ଡେମୋକ୍ରଟିକ୍ ପାର୍ଟି ପକ୍ଷରୁ ଡଗଲାସ୍‍ଙ୍କୁ ଇଲିନଇସ୍ ରାଜ୍ୟର ସିନେଟ ସଦସ୍ୟ ନିମିତ୍ତ ଲଢ଼ିବା ପାଇଁ ପୁଣି ଥରେ ସୁଯୋଗ ଦିଆଗଲା । ଏହି ଅବସରରେ ତାଙ୍କ ବିପକ୍ଷରେ ଲଢ଼ିବା ପାଇଁ ଲିଙ୍କନ୍ ଏକ ଅପୂର୍ବ ସୁଯୋଗ ଲାଭ କଲେ ଏବଂ ରିପାବ୍ଲିକାନ୍ ପାର୍ଟିର ପ୍ରାଥୀ ରୂପେ ଅକ୍ଳେଶର ମନୋନୀତ ହେଲେ ।

 

୧୮୫୮ ମସିହାରେ ନିର୍ବାଚନ ଦୀର୍ଘ ଚାରିମାସ ଧରି ରାଜ୍ୟବ୍ୟାପୀ ଚାଲିଲା । ଏହି ନିର୍ବାଚନରେ ଏକ କୌତୂହଳ ଘଟଣା ଘଟିଲା । ଉଭୟ ପ୍ରାର୍ଥୀ ରାଜ୍ୟର ସାତ ଗୋଟି ସ୍ଥାନରେ ଗୋଟିଏ ସଭାମଞ୍ଚରେ ମିଳିତ ହୋଇ ଭୋଟଦାତାମାନଙ୍କର ସମ୍ମୁଖୀନ ହୋଇଥିଲେ । ପ୍ରତ୍ୟେକଙ୍କୁ ଦେଢ଼ ଘଣ୍ଟା ଲେଖାଏ ଭାଷଣ ଦେବାକୁ ପଡ଼ିଥିଲା । ପ୍ରତ୍ୟେକେ ଜଳ ଓ ସ୍ଥଳଭାଗରେ ସହସ୍ର ସହସ୍ର ମାଇଲ ଭ୍ରମଣ କରି ବିଭିନ୍ନ ସଭା ସମିତିରେ ନିଜ ନିଜର ନୀତି ସମ୍ପର୍କରେ ଭାଷଣ ଦେବାକୁ ଲାଗିଲେ । ପ୍ରତ୍ୟେକ ସଭାରେ ଆବ୍ରାହମ୍ ଲିଙ୍କନ ଡଗଲାସ୍‍ଙ୍କ ଦାସତ୍ଵ ପ୍ରଥା ଆଇନର କଟୁ ସମାଲୋଚନା କରି ଉକ୍ତ ପ୍ରଥାର ଉଚ୍ଛେଦ ସାଧନ ସପକ୍ଷରେ ଅକାଟ୍ୟ ଯୁକ୍ତି ଦର୍ଶାଇଥିଲେ । ଡଗଲସ୍ ମଧ୍ୟ ଲିଙ୍କନଙ୍କର ନିଗ୍ରୋ ସପକ୍ଷବାଦୀ ନୀତିର ଘୋର ସମାଲୋଚନା କରି ସେ ଉତ୍ତର ଓ ଦକ୍ଷିଣାଞ୍ଚଳ ମଧ୍ୟରେ ବିଭେଦ ସୃଷ୍ଟି କରୁଥିବା ଅଭିଯୋଗ କରିଥିଲେ ଏବଂ ନିଗ୍ରୋମାନଙ୍କ ଉପରେ ଗୋରାମାନଙ୍କର ରାଜନୈତିକ ଆଧିପତ୍ୟ ବଜାୟ ରଖିବା ପାଇଁ ଯୁକ୍ତି ବାଢ଼ୁ ବାଢ଼ୁଥିଲେ । ପରିଶେଷରେ ବହୁ କଷ୍ଟରେ ଡଗଲାସ୍ ବିଜୟ ହାସଲ କରିଥିଲେ ସୁଦ୍ଧା ବାସ୍ତବ କ୍ଷେତ୍ରରେ ଲିଙ୍କନଙ୍କର ବିଜୟ ହେଲା ବୋଲି ରାଷ୍ଟ୍ରସାରା ସ୍ଵୀକାର କଲେ । ସାତଟି ସଭାମଞ୍ଚର ମିଳିତ ଭାଷଣରେ ଲିଙ୍କନ୍‍ଙ୍କର ବ୍ୟକ୍ତିତ୍ଵ ବେଶ ପ୍ରସ୍ଫୁଟିତ ହୋଇ ପାରିଥିଲା ଏବଂ ଡିଲୋସ୍‍ଙ୍କର ବ୍ୟକ୍ତିତ୍ଵ ମଳିନ ପ୍ରାୟ ହୋଇପଡ଼ିଲା ।

 

୧୮୬୦ ମସିହାର ପ୍ରେସିଡେଣ୍ଟ ନିର୍ବାଚନରେ ଆବ୍ରାହମ ନିଜେ ପ୍ରାର୍ଥୀପତ୍ର ଦାଖଲ କରିନଥିଲେ ସୁଦ୍ଧା ତାଙ୍କୁ ସେ ଦିଗରେ ପ୍ରରୋଚିତ କରାଗଲା । ରିପାବ୍ଲିକାନ୍ ପାର୍ଟିର ଚିକାଗୋ ଅଧିବେଶନରେ ତାଙ୍କୁ ପ୍ରାର୍ଥୀ ରୂପେ ମନୋନୀତ କରାଯାଇ ଉକ୍ତ ନିଷ୍ପତ୍ତି ଟେଲିଗ୍ରାମ ଦ୍ଵାରା ତାଙ୍କୁ ଜଣାଇ ଦିଆଗଲା । ଉକ୍ତି ନିଷ୍ପତ୍ତିକୁ ମୁକ୍ତିକାମୀ ଜନତାର ଏକ ଆହ୍ୱାନ ରୂପେ ବିବେଚନା କରି ଆବ୍ରାହମ ତାହାକୁ ମାନିନେଲେ ଏବଂ ପତ୍ନୀଙ୍କ ଆଗରେ ସେ କଥା ପ୍ରକାଶ କରି ତାହାକୁ ବୈବାହିକ ଜୀବନର ଏକ ସୁଖମୟ ଇଙ୍ଗିତ ବୋଲି ପ୍ରକାଶ କରିଥିଲେ । ନିଉୟକ ସହରରେ ଏକ ନିର୍ବାଚନ ସଭାରେ ଭାଷଣ ଦେଇ ସେ ଶ୍ରୋତୃମଣ୍ଡଳୀଙ୍କୁ ମନ୍ତ୍ରମୁଗ୍‍ଧବତ୍ କରି ପକାଇଲେ ଏବଂ ତତ୍‍ପରେ ନିଉୟର୍କବାସୀ ତାଙ୍କୁ ଜଣେ ଅଦ୍ଵିତୀୟ ଜାତୀୟ ନେତା ଭାବରେ ସ୍ଵୀକୃତି ଦେଲେ । ରାଷ୍ଟ୍ରସାରା ଲିଙ୍କନ୍‍ର ବ୍ୟକ୍ତିତ୍ଵ ସମ୍ପର୍କରେ ବିଶଦ ଆଲୋଚନା ହେଲା ଏବଂ ତାଙ୍କର ତିନି ଜଣ ପ୍ରତିଦ୍ୱନ୍ଦୀଙ୍କୁ ବହୁଭୋଟରେ ପରାସ୍ତ କରି ସେ ଆମେରିକାର ପ୍ରେସିଡେଣ୍ଟ ରୂପେ ନିର୍ବାଚିତ ହେଲେ-

 

ଆବ୍ରାହମ୍ ଲିଙ୍କନ ହେଲେ ଆମେରିକାର ଷୋହଳତମ ପ୍ରେସିଡେଣ୍ଟ । ସେ ନିର୍ବାଚିତ ହେଲେ ଦକ୍ଷିଣାଞ୍ଚଳ ରାଜ୍ୟମାନେ ଯୁକ୍ତରାଷ୍ଟ୍ରରୁ ଓହରି ଆସିବେ ବୋଲି ଏକ ସମୟରେ ଧମକ ଦେଇଥିଲେ । ଦାସତ୍ଵ ପ୍ରଥାର ବିରୋଧୀ କୌଣସି ପ୍ରେସିଡେଣ୍ଟଙ୍କୁ ସମର୍ଥନ ଜଣାଇବା ପାଇଁ ସେମାନେ ପ୍ରସ୍ତୁତ ନଥିଲେ । ଯୁକ୍ତରାଷ୍ଟ୍ରରୁ ବିଚ୍ଛିନ୍ନ ହୋଇ ଯିବାର ଅଧିକାର ସମ୍ବିଧାନ ପ୍ରଦତ୍ତ ବୋଲି ସେମାନଙ୍କର ଧାରଣା ଥିଲା ଏବଂ ଲିଙ୍କନ୍‍ଙ୍କର ବିଜୟ ପରେ ସେମାନେ ସେହି ଅଧିକାରକୁ ଚରିତାର୍ଥ କରିବା ପାଇଁ ଉଦ୍ୟମ କଲେ । ସର୍ବପ୍ରଥମେ ୧୮୬୦ ମସିହା ଡିସେମ୍ବର ୨୦ ତାରିଖରେ ଦକ୍ଷିଣ କରୋଲିଆ ଉକ୍ତ ରାଜ୍ୟ ବିଧାନସଭାର ଏକ ନିର୍ଦ୍ଦେଶନାମା ବଳରେ ନିଜକୁ ଏକ ସ୍ଵାଧୀନରାଷ୍ଟ୍ର ରୂପେ ଘୋଷଣା କଲା । ଲିଙ୍କନ୍‍ଙ୍କର ନିର୍ବାଚନ ପରେ ପରେ ଓ ଶପଥ ପାଠ ପୂର୍ବରୁ ଦକ୍ଷିଣାଞ୍ଚଳର ଛଅଗୋଟି ରାଜ୍ୟ ଯୁକ୍ତରାଷ୍ଟ୍ରରୁ ଅଲଗା ହୋଇ କନଫେଡେରେଟ୍ ଷ୍ଟେଟ୍ ଅଫ୍ ଆମେରିକା (Confederate State of America) ନାମକ ଏକ ସ୍ଵତନ୍ତ୍ର ଯୁକ୍ତରାଜ୍ୟ ପ୍ରତିଷ୍ଠା କଲେ । ଯୁକ୍ତରାଷ୍ଟ୍ର ଫେଡେରାଲ ସରକାରଙ୍କର ଅଧୀନରେ ପରିଚାଳିତ ସମସ୍ତ କାର୍ଯ୍ୟାଳୟ ମଧ୍ୟ ସେମାନେ ବଳପୂର୍ବକ ନିଜ ଅଧୀନକୁ ନେଇ ଆସିଲେ ।

 

ଦକ୍ଷିଣାଞ୍ଚଳ ରାଜ୍ୟମାନଙ୍କର ବିରୋଧ କରିବା ଲିଙ୍କନ୍‍ଙ୍କର କଦାପି ଅଭିପ୍ରାୟ ନଥିଲା । କିନ୍ତୁ ଦାସତ୍ଵକୁ ବିରୋଧ କରିବା ଫଳରେ ହଠାତ୍ ସେ ଦକ୍ଷିଣାଞ୍ଚଳରେ ଲୋକପ୍ରିୟତା ହରାଇ ବସିଲେ । ଲିଙ୍କନ୍‍ଙ୍କର ଦାସତ୍ଵ ଉଚ୍ଛେଦ ନୀତି ଦକ୍ଷିଣାଞ୍ଚଳ ରାଜ୍ୟମାନଙ୍କୁ ଯେ କେବଳ ଉତ୍ତେଜିତ କରିଥିଲା ତାହା ନୁହେ, ଉତ୍ତରାଞ୍ଚଳରେ ମଧ୍ୟ ତାହା ଏକ ରାଜନୈତିକ ଦ୍ୱନ୍ଦ ସୃଷ୍ଟି କଲା । କାରଣ ଉକ୍ତ ପ୍ରଥାକୁ ଏତେ ଶୀଘ୍ର ଉଚ୍ଛେଦ କରାଇବା ପାଇଁ ଏଠାରେ ମଧ୍ୟ ମତଦ୍ଵୈଧ ରହିଥିଲା । ଦକ୍ଷିଣାଞ୍ଚଳ ରାଜ୍ୟମାନଙ୍କୁ ଉତ୍ତେଜିତ କରିବା ପାଇଁ ମୋଟେ ଇଚ୍ଛୁକ ନଥିଲେ ସୁଦ୍ଧା ସେ ଅନ୍ୟାୟ ନିଷ୍ପତ୍ତି ଆଗରେ ମୁଣ୍ଡ ନୁଆଁଇବାକୁ କଦାପି ଶ୍ରେୟସ୍କର ମଣୁନଥିଲେ । ସମ୍ବିଧାନର ରକ୍ଷାକର୍ତ୍ତା ଭାବରେ ଆମେରିକାବାସୀଙ୍କ ପ୍ରତି ତାଙ୍କର ପ୍ରଭୃତ କର୍ତ୍ତବ୍ୟ ଥିଲା । ସାମ୍ବିଧାନିକ ବ୍ୟବସ୍ଥାର ବିରୁଦ୍ଧାଚରଣ କରି କୌଣସି ପଦକ୍ଷେପ ନେବାପାଇଁ ଇଚ୍ଛୁକ ନୁହନ୍ତି ବୋଲି ସେ କଂଗ୍ରେସର ପ୍ରଥମ ଅଧିବେଶନରେ ଭାଷଣ ପ୍ରସଙ୍ଗରେ ପ୍ରକାଶ କରିଥିଲେ । କିନ୍ତୁ ସାମ୍ବିଧାନିକ ବ୍ୟବସ୍ଥାକୁ ଦେଶର ସବୁ ନାଗରିକଙ୍କଠାରେ ସମାନ ଭାବରେ ପ୍ରାୟୋଗ କରିବା ପାଇଁ ସେ ଦୃଢ଼ପ୍ରତିଜ୍ଞ ଥିଲେ । ଯେ କୌଣସି ରାଜ୍ୟ ଚାହିଁବା ମାତ୍ରେ, ଯୁକ୍ତରାଷ୍ଟ୍ରରୁ ବିଚ୍ଛିନ୍ନ ହୋଇଯାଇପାରେ ବୋଲି ହେଉଥିବା ଯୁକ୍ତି ସମ୍ବିଧାନସମ୍ମତ ନୁହେ ବୋଲି ଘୋଷଣା କରିବା ସଙ୍ଗେ ସଙ୍ଗେ ସମଗ୍ର ରାଷ୍ଟ୍ରର ଐକ୍ୟରକ୍ଷା ଓ ସମ୍ବିଧାନର ସୁରକ୍ଷା ପାଇଁ ସେ ବଦ୍ଧପରିକର ହେଲେ । ତଥାପି ହଠାତ୍ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଦକ୍ଷିଣାଞ୍ଚଳ ରାଜ୍ୟମାନଙ୍କୁ ସେମାନଙ୍କର ନୀତିର ପରିବର୍ତ୍ତନ ପାଇଁ ନିବେଦନ କଲେ । ତାଙ୍କ ଶାସନକାଳ ମଧ୍ୟରେ ଦକ୍ଷିଣାଞ୍ଚଳର ସ୍ୱାର୍ଥ ତିଳେ ହେଲେ କ୍ଷୁର୍ଣ୍ଣ ହେବ ନାହିଁ ବୋଲି ପ୍ରତିଶ୍ରୁତି ଦେଇ ବିଚ୍ଛିନ୍ନ ହେବାର ମନୋବୃତ୍ତି ଓ ଅରାଜକତା ସୃଷ୍ଟି ପରିହାର କରିବା ପାଇଁ ସେ ସେମାନଙ୍କୁ ଅନୁରୋଧ ଜଣାଇଲେ । ନିର୍ବାଚନରେ ଆମେରିକାର ଜନତା ସମୂହଭାବରେ ଯେଉଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ସବୁ ରାଜ୍ୟ ଚାରିବର୍ଷ ପାଇଁ ତାହା ମାନିନେଇ ଦାସତ୍ଵ ପ୍ରଶ୍ନର ଧୀରସ୍ଥିର ବିଚାର କରିବା ପାଇଁ ସେ ଦେଶବାସୀଙ୍କୁ ଆହ୍ଵାନ କଲେ । ଖ୍ରୀଷ୍ଟିଆନ ଧର୍ମରେ ଅଗାଧ ଅନୁରକ୍ତି ଓ ଜାତୀୟ ଐକ୍ୟରେ ଅତୁଟ ମମତା ପ୍ରକାଶ କରି ଦେଶବତ୍ସଳତାର ପରିଚୟ ଦେବା ପାଇଁ ସେ ଦେଶବାସୀଙ୍କୁ ଅନୁରୋଧ କଲେ । ବଜ୍ରକଣ୍ଠରେ ସେ ଘୋଷଣା କଲେ, “ଉତ୍ତର ଓ ଦକ୍ଷିଣାଞ୍ଚଳ ରାଜ୍ୟମାନଙ୍କ ଭିତରେ ଶତ୍ରୁତାକୁ କଦାପି ବରଦାସ୍ତ କରାଯାଇ ନ ପାରେ । ଆମେ ସମସ୍ତେ ବନ୍ଧୁ ଭାବରେ ରହିବାକୁ ବାଧ୍ୟ । କୌଣସି ପ୍ରଶ୍ନକୁ ଭିତ୍ତି କରି ଧୈର୍ଯ୍ୟଚ୍ୟୁତି ଘଟାଇବା ଓ ଜାତୀୟ ଐକ୍ୟକୁ କ୍ଷୁର୍ଣ୍ଣ କରିବାକୁ ଯିବା ଏକାନ୍ତ ଅବିଧେୟ” ।

 

କିନ୍ତୁ ଆବ୍ରାହମ୍‍ଙ୍କ ଅନୁରୋଧ କୌଣସି ସୁଫଳ ଦେଲା ନାହିଁ । ଦକ୍ଷିଣାଞ୍ଚଳ ସିନେଟ୍ରମାନେ ସିନେଟ ସଭାରୁ ଇସ୍ତଫା ଦେଲେ ଏବଂ ଦକ୍ଷିଣାଞ୍ଚଳ ମିଲଟାରୀ ଅଫିସରମାନେ ନିଜ ନିଜ ରାଜ୍ୟକୁ ଫେରିଯିବା ପାଇଁ ନିଷ୍ପତ୍ତି ଗ୍ରହଣ କଲେ । ଦକ୍ଷିଣ କରୋଲିଆ ରାଜ୍ୟରେ ଫେଡେରାଲ୍ ସରକାରଙ୍କଦ୍ଵାରା ନିୟନ୍ତ୍ରିତ ସମ୍‍ଟର ଦୁର୍ଗର ସୁରକ୍ଷା ଲାଗି ପ୍ରେସିଡେଣ୍ଟ ଲିଙ୍କନଙ୍କର ପରାମର୍ଶକୁ ଉକ୍ତ ରାଜ୍ୟ ସରକାର ପ୍ରତ୍ୟାଖ୍ୟାନ କଲେ ଏବଂ ଆକ୍ରମଣ କରି ତାହାକୁ କରାୟତ୍ତ କଲେ । ଦକ୍ଷିଣାଞ୍ଚଳରେ ତାହା ଏକ ପ୍ରଧାନ ପ୍ରତିରକ୍ଷା ଦୁର୍ଗରୂପେ ଗଣ୍ୟ ହେଉଥିଲା । ୧୮୬୧ ମସିହା ଏପ୍ରିଲ ୩ ତାରିଖରେ ଉକ୍ତ ଦୁର୍ଗ ଦକ୍ଷିଣ କରୋଲିଆ ସେନାବାହିନୀଙ୍କ ନିକଟରେ ଆତ୍ମସମର୍ପଣ କଲା । ତାର ଦୁଇଦିନ ପରେ ପ୍ରେସିଡେଣ୍ଟ ଲିଙ୍କନ୍ ଦେଶରେ ଜରୁରୀ ପରିସ୍ଥିତି ଘୋଷଣା କରି ଐକ୍ୟର ସୁରକ୍ଷା ଦିଗରେ ସୈନ୍ୟବାହିନୀର ସହାୟତା ନେଲେ । ଗୃହଯୁଦ୍ଧ ଆରମ୍ଭ ହେଲା ।

 

ଏକ ଗଣତାନ୍ତ୍ରିକ ସରକାରଙ୍କୁ ସ୍ଥାୟୀ ଭାବେ ପ୍ରତିଷ୍ଠା କରିବାକୁ ଗଲାବେଳେ ଉକ୍ତ ଗୃହଯୁଦ୍ଧ ଏକ ସାଂଘାତିକ ପରୀକ୍ଷାରୂପେ ଉପସ୍ଥିତ ହେଲା । ମୁକ୍ତିକାମୀ ଓ ଦାସତ୍ଵବାଦୀ ଜନତା ମଧ୍ୟରେ ତାହା ହେଲା ଏକ ରକ୍ତାକ୍ତ ସଂଘର୍ଷ । ମୁକ୍ତିକାମୀ ଜନତାର ପ୍ରାଣକର୍ତ୍ତା ଭାବରେ ପ୍ରେସିଡେଣ୍ଟ ଲିଙ୍କନ୍ ବାସ୍ତବିକ ମୁକ୍ତିର ଭୂମିକା ଗ୍ରହଣ କରିବାକୁ ଲାଗିଲେ ।

 

ଗୃହଯୁଦ୍ଧ ଚାହୁଁ ଚାହୁଁ ଦେଶସାରା ବ୍ୟାପୀଗଲା । ଯୁଦ୍ଧର ପ୍ରଥମାବସ୍ଥାରେ ଦକ୍ଷିଣାଞ୍ଚଳ ସେନାବାହିନୀ ଫେଡେରାଲ ବାହିନୀକୁ ବହୁସ୍ଥଳରେ ପରାସ୍ତ କଲେ । ଦକ୍ଷିଣାଞ୍ଚଳ ସେନାଙ୍କର ରଣକୌଶଳ ଅତି ଆଶ୍ଚର୍ଯ୍ୟ ଧରଣର ଥିଲା ଏବଂ ଉତ୍ତରାଞ୍ଚଳ ସେନାଙ୍କ ଅପେକ୍ଷା ସେମାନେ ଅଧିକ କୁଶଳୀ ଥିଲେ । ଜରୁରୀ ପରିସ୍ଥିତିରେ ଦକ୍ଷିଣ ରାଜ୍ୟମାନେ ସହଜରେ ସେନା ସଂଗ୍ରହ କରିପାରିଥିଲେ । ସ୍ୱେଚ୍ଛାରେ ସହସ୍ର ସଂଖ୍ୟକ ଯୁବକ ଦକ୍ଷିଣାଞ୍ଚଳ ବାହିନୀରେ ଯୋଗ ଦେଇଥିଲେ-। ଉତ୍ତରାଞ୍ଚଳରେ କିନ୍ତୁ ତାହା ସହଜସାଧ୍ୟ ନଥିଲା । ଉତ୍ତରାଞ୍ଚଳ ସୈନ୍ୟମାନେ ଗୋଟିଏ ବିରାଟକାୟ ଯୁଦ୍ଧ ପାଇଁ ପ୍ରସ୍ତୁତ ନଥିଲେ । ସେମାନଙ୍କ ମଧ୍ୟରେ ଦକ୍ଷ ସେନାପତିମାନଙ୍କର ଅଭାବ ମଧ୍ୟ ରହିଥିଲା । ଦକ୍ଷିଣାଞ୍ଚଳର ପ୍ରଧାନ ସେନାପତି ଜେନେରାଲ ଲି (Lee) ଙ୍କର ଅଭୁତ ଯୁଦ୍ଧ ପରିଚାଳନା ଫଳରେ ପ୍ରଥମାବସ୍ଥାରେ ଫେଡେରାଲ୍ ସୈନ୍ୟମାନେ ଘୋର ବିପତ୍ତିର ସମ୍ମୁଖୀନ ହେଲେ । ଉତ୍ତରାଞ୍ଚଳ ସେନାବାହିନୀକୁ ନେତୃତ୍ଵ ଦେଉଥିଲେ ଜେନେରାଲ୍ କର୍ଣ୍ଣସାଇଡ୍‍, ଜେନେରାଲ୍ ହୁକର, ଜେନେରାଲ ମିଡ୍‍ ଏବଂ ଜେନେରାଲ୍ ଗ୍ରାଣ୍ଟ୍ । ଘଟଣାର ଗୁରୁତ୍ଵ ଉପଲବ୍ଧ କରି ପ୍ରେସିଡେଣ୍ଟ ଲିଙ୍କନ୍ ଜେନେରାଲ୍ ଗ୍ରାଣ୍ଟ୍‍ଙ୍କୁ ପ୍ରଧାନ ସେନାପତି ଭାବେ ମନୋନୀତ କଲେ ଏବଂ ତତ୍ପରେ ଅବସ୍ଥାର ପରିବର୍ତ୍ତନ ଘଟିଲା । ବହୁସ୍ଥାନରେ ପରାଜିତ ହେବା ପରେ ଏଥର ଉତ୍ତରାଞ୍ଚଳ ସେନାଙ୍କର ପାଳି ପଡ଼ିଲା ଏବଂ ସେମାନଙ୍କର ବିଜୟର ହାର ମୁକ୍ତ ହେବାକୁ ଲାଗିଲା । ନୂତନ ବୀରତ୍ଵର ସଂଚାର ଫଳରେ ଫେଡେରାଲ ବାହିନୀ ଦକ୍ଷିଣାଞ୍ଚଳ ସେନାଙ୍କୁ ହଟାଇବା ଆରମ୍ଭ କଲେ-। ପଶ୍ଚିମାଞ୍ଚଳରେ ବହୁ କଷ୍ଟରେ ଦକ୍ଷିଣାଞ୍ଚଳ ସେନା ହଟିଯିବା ପାଇଁ ବାଧ୍ୟ ହେଲେ ଏବଂ ନିଉ ଅର୍ଲିନ୍‍ସ ସହର ମଧ୍ୟ ସେମାନଙ୍କ କବଳରୁ ମୁକ୍ତ ହେଲା । ଦେଶରେ ଏକତା ବଜାୟ ରଖିବା ଲାଗି ଫେଡେରାଲ ବାହିନୀ ଦୃଢ଼ ହସ୍ତରେ ଘଟଣାକୁ ଆୟତ୍ତ କରିବାରେ ଲାଗିଲେ । ଯୁଦ୍ଧ ମଧ୍ୟରେ ପ୍ରେସିଡେଣ୍ଟ ଲିଙ୍କନ୍ ଘୋଷଣା କଲେ ଯେ ୧୮୭୩ ମସିହା ଜାନୁଆରୀ ପହିଲା ସୁଦ୍ଧା ଦକ୍ଷିଣାଞ୍ଚଳ ରାଜ୍ୟମାନେ ଯଦି ପୁନର୍ବାର ଆମେରିକା ଯୁକ୍ତରାଷ୍ଟ୍ର ସହ ନ ମିଶନ୍ତି, ତେବେ ସେମାନଙ୍କ ନିକଟରେ ଥିବା କ୍ରୀତଦାସମାନଙ୍କୁ ମୁକ୍ତ ଓ ସ୍ଵାଧୀନ କରାଯିବ । କିନ୍ତୁ ଦକ୍ଷିଣାଞ୍ଚଳ ରାଜ୍ୟମାନେ ଉକ୍ତ ଘୋଷଣାକୁ କର୍ଣ୍ଣପାତ କଲେ ନାହିଁ କି ଯୁଦ୍ଧସମାପ୍ତି ପାଇଁ ସ୍ଵୀକାର ମଧ୍ୟ କଲେ ନାହିଁ । ଭିକସ୍ଵର୍ଗଠାରେ ଜେନେରାଲ୍ ଗ୍ରାଣ୍ଟ୍ ଓ ଗେଟିସ୍ଵର୍ଗଠାରେ ଜେନେରାଲ୍ ମିଡ୍‍ ଦକ୍ଷିଣାଞ୍ଚଳ ସୈନ୍ୟଙ୍କୁ ଶୋଚନୀୟ ଭାବେ ପରାସ୍ତ କଲେ । ପରେ ପରେ ଯୁଦ୍ଧର ବିଜୟ ସମ୍ପର୍କରେ ପ୍ରେସିଡେଣ୍ଟ୍ ଲିଙ୍କନ୍ ସ୍ଥିର ନିଶ୍ଚିତ ହେଲେ । ଗେଟିସ୍ଵର୍ଗଠାରେ ଯୁଦ୍ଧରତ ଉଭୟ ସେନାବାହିନୀର ଏକ-ଚତୁର୍ଥାଂଶ ସେନା ନିହତ ହେଲେ । ସେଠା ରଣପ୍ରାଙ୍ଗରେ ଯୁଦ୍ଧର ଶେଷ ଫଳାଫଳ ଘୋଷିତ ହେଲା ଏବଂ ତାହା ପରିଶେଷରେ ଆମେରିକାବାସୀଙ୍କର ଭାଗ୍ୟ ଡୋରିକୁ ନିୟନ୍ତ୍ରଣ କଲା । ୧୮୭୫ ମସିହା ଏପ୍ରିଲ ୯ ତାରିଖରେ ଦକ୍ଷିଣାଞ୍ଚଳ ସେନାପତି ଲି ଫେଡେରାଲ ସେନାପତି ଗ୍ରାଣ୍ଟଙ୍କଠାରେ ଆତ୍ମସମର୍ପଣ କରିଥିଲେ । ଗେଟିସ୍ଵର୍ଗଠାରେ ଏକ ବିରାଟ ଜନସଭାରେ ଭାଷଣ ଦେଇ ପ୍ରେସିଡେଣ୍ଟ ଲିଙ୍କନ୍ ମୃତ ସୈନିକଙ୍କର ତ୍ୟାଗ ଓ ଉଦ୍ଦେଶ୍ୟରୁ ଅନୁପ୍ରେରଣା ଲାଭ କରିବା ପାଇଁ ଜନତାକୁ ପରାମର୍ଶ ଦେଇଥିଲେ ଏବଂ ୮୭ ବର୍ଷ ତଳେ ଆମେରିକାର ରାଷ୍ଟ୍ରନିର୍ମାତାମାନେ ପ୍ରଚାର କରିଯାଇଥିବା ମୁକ୍ତି ଓ ସାମ୍ୟର ବାର୍ତ୍ତାକୁ ସ୍ମରଣ କରାଇ ଦେଇଥିଲେ ।

 

ପ୍ରେସିଡେଣ୍ଟ ଲିଙ୍କନ୍‍ଙ୍କର ବ୍ୟକ୍ତିତ୍ଵରୁ ହିଁ ଫେଡେରାଲ୍ ସେନାମାନେ ଗଭୀର ଅନୁପ୍ରେରଣା ଲାଭ କରୁଥିଲେ । ଯୁଦ୍ଧ ପରେ ପରେ ଆମେରିକାର ଏକତା ପୁଣି ପ୍ରତିଷ୍ଠା କରିବା ଲାଗି ସେ ବିଶେଷ ତତ୍ପର ହୋଇ ଉଠିଲେ । ବାସ୍ତବିକ ଉକ୍ତ ଗୃହଯୁଦ୍ଧକୁ ଦୁଇଟି ମତବାଦର ସଙ୍ଘର୍ଷ ଓ ପରିଣତି ବୋଲି ଆମେରିକାବାସୀ ସ୍ୱୀକାର କଲେ । ବୁଲେଟ (Bullet) ର ପ୍ରଭାବ ପରେ ପରେ ବାଲାଟ (Ballot) ସାର୍ବଭୌମତ୍ଵ ପ୍ରତିଷ୍ଠା ପାଇଁ ପୁଣି ଥରେ ସେ ଜାଗ୍ରତ ହେଲେ ।

 

୧୮୬୪ ମସିହାରେ ପ୍ରେସିଡେଣ୍ଟ ଲିଙ୍କନଙ୍କର କାର୍ଯ୍ୟକାଳ ପୂର୍ଣ୍ଣ ହେବା ପରେ ତାଙ୍କୁ ଦ୍ୱିତୀୟ ଥର ପାଇଁ ଦଳପକ୍ଷରୁ ସେହି ପଦକୁ ପ୍ରାର୍ଥୀରୂପେ ମନୋନୀତ କରାଗଲା । ଯୁଦ୍ଧର ବିଜୟର ସୂଚନା ତାଙ୍କ ବିଜୟର ମାତ୍ରାକୁ ବୃଦ୍ଧି କରିଥିଲା । ଯୁଦ୍ଧର ବିଜୟକୁ ସେ ବିଶ୍ଵପିତା ଭଗବାନଙ୍କର ସଫଳତା ବୋଲି ଗ୍ରହଣ କରିନେଇଥିଲେ । କାରଣ ତାଙ୍କରି ମୌଳିକ ଉଦ୍ଦେଶ୍ୟ ପୂରଣ ପାଇଁ ସେ ଯୁଦ୍ଧ କ୍ଷେତ୍ରରେ ଅଂଶଗ୍ରହଣ କରିବାକୁ ବାଧ୍ୟ ହୋଇଥିଲେ । ଗୃହଯୁଦ୍ଧର ଅବସାନ ପରେ ଦୁଇଟି ମୁଖ୍ୟ ସୁଫଳ ଫଳିଥିଲା । ପ୍ରଥମଟି ହେଉଛି ଆମେରିକାରେ ଏକତାର ସୁରକ୍ଷା ଏବଂ ଦ୍ୱିତୀୟଟି ହେଉଛି ନିଗ୍ରୋମାନଙ୍କର ସ୍ଵାଧୀନତା ଘୋଷଣା । ୧୮୬୩ ମସିହା ଜାନୁୟାରୀ ପହିଲାରେ ଲିଙ୍କନଙ୍କର ମୁକ୍ତି ଘୋଷଣା ପ୍ରକାଶ ପାଇଥିଲା । ଦାସତ୍ଵପ୍ରଥା ପ୍ରଚଳିତ ଥିବା ରାଜ୍ୟଗୁଡ଼ିକୁ ଆର୍ଥିକ ସାହାଯ୍ୟ ଦେଇ ଉକ୍ତ ପ୍ରଥାର ଉଚ୍ଛେଦ ସାଧନ ନିମିତ୍ତ ସେ ଦକ୍ଷିଣାଞ୍ଚଳ ରାଜ୍ୟଗୁଡ଼ିକୁ ପ୍ରରୋଚିତ କରୁଥିଲେ । ଜରୁରୀ ପରିସ୍ଥିତିରେ ସମ୍ବିଧାନ ପ୍ରଦତ୍ତ ବ୍ୟବସ୍ଥା ବଳରେ ତାଙ୍କୁ ଅଖଣ୍ଡ କ୍ଷମତା ମିଳିଥିଲା ଏବଂ ସେ ତାର ସୁବ୍ୟବହାର କରିଥିଲେ । କଳାଲୋକଙ୍କ ସଂଖ୍ୟା ସମଗ୍ର ଆମେରିକା ଜନସଂଖ୍ୟାର ଏକ-ଅଷ୍ଟମାଂସ ଥିବା ସତ୍ତ୍ଵେ ସେମାନଙ୍କର ସ୍ଵାର୍ଥକୁ ଜଳାଞ୍ଜଳି ଦେଇ ରାଷ୍ଟ୍ର ବର୍ତ୍ତିପାରିବ ନାହିଁ ବୋଲି ସେ କଂଗ୍ରେସର ଦ୍ୱିତୀୟ ଅଧିବେଶନରେ ଘୋଷଣା କରିଥିଲେ । ନିଗ୍ରୋ ଅଧିବାସୀମାନଙ୍କର ମୁକ୍ତି ଘୋଷଣା ଲାଗି ସମ୍ବିଧାନକୁ ତ୍ରୟୋଦଶ ଥର ପାଇଁ ସଂଶୋଧନ କରିବାକୁ ପଡ଼ିଥିଲା ।

 

ଗୃହଯୁଦ୍ଧର ଅବସାନ ଓ ପ୍ରେସିଡେଣ୍ଟ ରୂପେ ଲିଙ୍କନଙ୍କର ଦ୍ଵିତୀୟ ଥର ନିର୍ବାଚନ ଲିଙ୍କନ ଦମ୍ପତ୍ତିଙ୍କ ମନରେ ନୂତନ ଆଶାର ସଂଚାର କଲା । ସ୍ଵାମୀଙ୍କର ଗୁରୁ ଦାୟିତ୍ଵକୁ ସାମୟିକ ଭାବେ କିଞ୍ଚିତ ପରିମାଣରେ ଲାଘବ କରିବା ଉଦ୍ଦେଶ୍ୟରେ ଶ୍ରୀମତୀ ଲିଙ୍କନ ଏକ ଥିଏଟର ଅଭିନୟର ଆୟୋଜନ କଲେ । ଲିଙ୍କନ ଦମ୍ପତ୍ତିଙ୍କ ଦର୍ଶନ ଲାଗି ଉଚ୍ଚପଦସ୍ଥ କର୍ମଚାରୀମାନଙ୍କ ସମେତ ହଜାର ହଜାର ନରନାରୀ ଥିଏଟର ହଲରେ ରୁଣ୍ଡ ହେଲେ । ପ୍ରେସିଡେଣ୍ଟ ଲିଙ୍କନ୍‍ଙ୍କର ଉପସ୍ଥିତି ସେଠାରେ ଏକ ଗମ୍ଭୀର ବାତାବରଣ ସୃଷ୍ଟି କଲା । ଥିଏଟର ଆରମ୍ଭ ହେଲା । ପ୍ରେସିଡେଣ୍ଟ ପଦରୁ ଅବ୍ୟାହତି ନେଲା ପରେ ସେ ଟିକିଏ ସୁଖରେ ରହିବେ ବୋଲି ଲିଙ୍କନ୍ ନିଜ ସ୍ତ୍ରୀଙ୍କୁ କହିଥିଲେ । ଖେଳର ମଧ୍ୟଭାଗରେ ଅଚାନକ ଭାବରେ ଗୋଟିଏ ଗୁଳି ଆସି ଲିଙ୍କନ୍‍ଙ୍କୁ ବିଦ୍ଧ କଲା ଏବଂ ତତ୍‍କ୍ଷଣାତ୍ ସେ ସଂଜ୍ଞାହୀନ ହୋଇ ଭୂପତିତ ହେଲେ । ତତ୍ପର ଦିନ ସେ ହାସପାତାଲରେ ଶେଷ ନିଃଶ୍ୱାସ ତ୍ୟାଗ କଲେ । ନିକଟରେ ସେନାବାହିନୀ କର୍ମଚାରୀଙ୍କର ଉପସ୍ଥିତି ସତ୍ତ୍ୱେ ତାହା ଘଟିଥିବା ଏକ ଅସ୍ୱାଭାବିକ ଘଟଣା । ମହାମାନବ ଜୀବନର ଅବସାନ ଘଟିଲା । ପ୍ରେସିଡେଣ୍ଟ ପଦବୀରୁ ଅବ୍ୟାହତ ନେବା ପରିବର୍ତ୍ତେ ସେ ଜୀବନରୁ ଅବ୍ୟାହତି ନେଇ ପରକାଳ ମହାମାନବ ଗୋଷ୍ଠୀଭୁକ୍ତ ହେଲେ । ଏକ ଅର୍ଦ୍ଧପାଗଳ ଯୁବକ କାହାରି ଅଜାଣତରେ ଥିଏଟର ଭିତରେ ପ୍ରବେଶ କରି ଏଭଳି ଏକ ନୃଶଂସ ହତ୍ୟାକାଣ୍ଡ ଘଟାଇଥିଲା । ତତ୍ ସଙ୍ଗେ ସଙ୍ଗେ ଘୋଡ଼ାରେ ଚଢ଼ି ଅନ୍ତର୍ଦ୍ଧାନ ହୋଇଗଲା-। ଅନୁସନ୍ଧାନ ପରେ ଜଣାଗଲା ଯେ ଘାତକ ଜନ୍ ବୁଥ ବୋଷ୍ଟନ୍ ରଙ୍ଗମଞ୍ଚର ଜଣେ ସୁପ୍ରସିଦ୍ଧ ଅଭିନେତାଙ୍କ ଭ୍ରାତା ଏବଂ ନିଜେ ମଧ୍ୟ ଜଣେ ଅଭିନେତା । କେବଳ ପ୍ରେସିଡେଣ୍ଟ ଲିଙ୍କନ୍‍ଙ୍କୁ ନୁହେ, ତାଙ୍କର ଅନ୍ୟାନ୍ୟ ସହକର୍ମୀମାନଙ୍କୁ । ହତ୍ୟା କରିବା ପାଇଁ ସେ ଏକ ଦଳ ସଙ୍ଗଠନ କରି ତାର ନେତୃତ୍ଵ ନେଉଥିଲା ।

 

ପ୍ରେସିଡେଣ୍ଟ ଲିଙ୍କନ୍ଙର ଆକସ୍ମିକ ହତ୍ୟା ତାଙ୍କର ଗୌରବକୁ ବହୁମାତ୍ରାରେ ବୃଦ୍ଧି କଲା । ତାଙ୍କର ଶତ୍ରୁମାନେ ବି ମୃତ୍ୟୁ ପରେ ତାଙ୍କର ଭୁୟସୀ ପ୍ରଶଂସା କରିବାରେ ଲାଗିଲେ । ଲିଙ୍କନ୍‍ଙ୍କ କାର୍ଯ୍ୟାବଳୀକୁ ଅତି କଟୁ ଭାଷାରେ ସମାଲୋଚନା କରୁଥିବା ୟୁରୋପୀୟ ସମ୍ବାଦପତ୍ରଗୁଡ଼ିକ ମୃତ୍ୟୁ ପରେ ତାଙ୍କୁ ଆମେରିକାର ଗଣତାନ୍ତ୍ରିକ ସମ୍ରାଟ ରୂପେ ଚିତ୍ରିତ କଲେ । ତତ୍କାଳୀନ ବିଲାତ ପ୍ରଧାନମନ୍ତ୍ରୀ ଡିକ୍ରାଏଲ୍‍ଙ୍କ ଭାଷାରେ ସେ ଥିଲେ ଦଳିତ ମାନବସମାଜର ମୁକ୍ତିଦାତା । ସରଳତା ଏବଂ ଦୃଢ଼ତା ତାଙ୍କର ଦୁଇଟି ପ୍ରଧାନ ଗୁଣ ଥିଲା । ଐଶ୍ଵରିକ ଶକ୍ତି ଉପରେ ବିଶ୍ୱାସ ହିଁ ତାଙ୍କର ମାନସିକ ପୁଷ୍ଟି ପାଇଁ ଆଧାର ଯୋଗାଇ ଥିଲା । ଲିଙ୍କନ୍ ଥିଲେ ନିଜ ବିବେକର ଅଧୀନ । ଆମେରିକାର ପ୍ରେସିଡେଣ୍ଟ ମାନଙ୍କ ମଧ୍ୟରେ ଜଣେ ଅତି ଶକ୍ତିଶାଳୀ ପ୍ରେସିଡେଣ୍ଟ ରୂପେ ପରିଗଣିତ-

 

ପ୍ରେସିଡେଣ୍ଟ ଲିଙ୍କନ୍ ଥିଲେ ଅଗଣିତ ସାଧାରଣ ନର ନାରୀଙ୍କ ଆଦର୍ଶ ଓ ପଥ ପଦର୍ଶକ। ତାଙ୍କ ଜୀବନର ଉତ୍ଥାନର ବିଭିନ୍ନ ସୋପାନ ପାଠକ ବୃନ୍ଦ ଙ୍କୁ ଯେତିକି ବିସ୍ମିତ କରେ, ଯୁକ୍ତରାଷ୍ଟ୍ର ଆମେରିକା ଓ ସର୍ବୋପରି ମାନବ ସମାଜକୁ ତାଙ୍କର ଅବଦାନ ସେମାନଙ୍କୁ ତତୋଧିକ ଆପୂତ କରେ । ନିଗ୍ରୋ ମାନଙ୍କର ମୁକ୍ତ ଘୋଷଣା ହିଁ ଥିଲା ତାଙ୍କ ଜୀବନର ଏକ ଅବିସ୍ମରଣୀୟ କୃତୀ । ଥରେ କୌଣସି ନିଷ୍ପତ୍ତି ଗ୍ରହଣ କଲା ପରେ, ସେଥିରେ ସେ ଦୃଢ଼ ଓ ଅଟଳ ରହୁଥିଲା । ତାଙ୍କର ରାଜନୀତି ମାନବଧର୍ମର ପବିତ୍ର ନୀତି ଉପରେ ପ୍ରତିଷ୍ଠିତ ହୋଇଥିଲା । ବିଶ୍ଵ ପିତାଙ୍କର ଅନନ୍ତ ଦୟା ଓ କ୍ଷମାରୁ କିଛି ଭିକ୍ଷା କରିବା ପାଇଁ ସେ ଗଭୀର ଆତୁରତା ପ୍ରକାଶ କରିଥିଲା । ଏତେବଡ଼ ବିରାଟ ଦେଶର ରାଷ୍ଟ୍ର ନାୟକ ବାସ୍ତବ ଜୀବନରେ ଅତ୍ୟନ୍ତ ବିନମ୍ର ଥିଲେ । ଏକଦା ସେ ପ୍ରକାଶ କରିଥିଲେ, “ଜନତା ମାନେ ରଖିଲ ଭଳି ଯେପରି କିଛି ମୁଁ କରିପାରିଲି ନାହିଁ । ସେଥିପାଇଁ ମୁଁ ଅନୁତପ୍ତ । କିନ୍ତୁ ମୋର ଏତିକି ଆନନ୍ଦ ଯେ ଦୈନନ୍ଦିନ ଘଟଣା ସହିତ ମୁଁ ଯଥା ସମ୍ଭବ ସମ୍ପୃକ୍ତ ରହିବାକୁ ଉଦ୍ୟମ କରିପାରୁଛି । ଅନ୍ୟ କେହି ନ ହେଲେ ମଧ୍ୟ ମୋର ବନ୍ଧୁ ମାନେ ନିଶ୍ଚୟ ସେକଥା ମନେରଖିବେ ।”

 

ଲିଙ୍କନଙ୍କର ଜୀବନୀ ଆମେରିକାରେ ଆଜି ପୁରାଣ ଭଳି ଘରେ ଘରେ ପଠିତ । ଆଜି ଯଦି ଆମେରିକା ବାସୀ ପୃଥିବୀ ରେ ଶ୍ରେଷ୍ଠତମ ଜାତି ରୂପେ ବିବେଚିତ ହୋଇଥାନ୍ତି, ତେବେ ତାହା କେବଳ ଏହୀ ମହାପୁରୁଷଙ୍କର ଉଦ୍ୟମ ଓ ତ୍ୟାଗର ଏକ ବହୁ ମୂଲ୍ୟ ପରିମାଣ ।

★★★

 

Unknown

ଲେନିନ୍

 

ଶ୍ରମିକ ଜଗତର ନେତା ଓ ମୁକ୍ତିଦାତ, ସୋଭିଏଟ୍ ସାମ୍ୟବାଦୀ ଦଳର ଓ ସମାଜବାଦୀ ଅନ୍ଦୋଳନର ସ୍ରଷ୍ଟା ଏବଂ ସର୍ବୋପରି ସୋଭିଏଟ୍ ଦେଶର ପିତା ଭାବରେ ଲେନିନ୍ ଆଜି ବିଶ୍ୱ ସାରା ପରିଚିତ । ରୁଷର ପ୍ରସିଦ୍ଧ ଭଲଗା ନଦୀତିରସ୍ଥ ସିମ୍ବିରସ୍କ ସହରରେ ୧୮୭୦ ମସିହା ଏପ୍ରିଲ ୧୦ ତାରିଖରେ ତାଙ୍କର ଜନ୍ମ । ଲେନିନ୍‍ଙ୍କର ଶୈଶବ ର ନାମ ଥିଲା ଭାଡିମିର ଇଲିତ୍ ୟୁଲାନୋଭ ଏବଂ ତାଙ୍କ ପିତାଙ୍କର ନାମ ଥିଲା ନିକୋଲାଇଭିଚ୍ ୟୁଲାନୋଭ । ପିତା ନିକୋଲାଇଭିଚ୍ ଆଷ୍ଟ୍ରାଖାନ ପ୍ରଦେଶ ଏକ ନିମ୍ନ ମଧ୍ୟବିତ୍ତ ପରିବାରର କୃଷକ ଥିଲେ । ଆର୍ଥିକ ଅନାଟନ ସତ୍ତ୍ଵେ ସେ ନିଜର ଅକ୍ଳାନ୍ତ ଅଧ୍ୟବସାୟ ବଳରେ କାଜାନ୍ ବିଶ୍ଵ ବିଦ୍ୟାଳୟରୁ ଗ୍ରାଜୁଏଟ ଡିଗ୍ରୀ ଲାଭ କରିଥିଲେ । କିଛିଦିନ ଏକ ମାଧ୍ୟମିକ ସ୍କୁଲରେ ଶିକ୍ଷକତା କଲାପରେ ସେ ସ୍କୁଲ ଇନିସପେକ୍ଟର ଭାବରେ ନିଯୁକ୍ତି ଲାଭ କଲେ ଏବଂ ପରିଶେଷରେ ସିମ୍ବିରସ୍କର ପବ୍ଲିକ ସ୍କୁଲ ଡିରେକ୍ଟର ଭାବେ ଦାଇତ୍ଵ ବହନ କରିଥିଲେ । ଲେନିନ୍‍ଙ୍କ ମାତା ମେରିଆ ଆଲେକ୍ ଜାଣ୍ଡ୍ରେନା ଏକ ଡାକ୍ତର ପରିବାରରୁ ଆସିଥିଲେ ଏବଂ କେତେକ ବୈଦେଶିକ ଭାଷା, ସାହିତ୍ୟ ଓ ସଙ୍ଗୀତ ଶାସ୍ତ୍ରରେ ତାଙ୍କର ପ୍ରବେଶ ଥିଲା । ସେ ଅତ୍ୟନ୍ତ ସାହାସୀ ଓ ଚରିତ୍ର ବତୀ ଥିଲେ ।

 

ଶୈଶବରୁ ହିଁ ଭ୍ଲାଡିମିର ଇଲିଚ୍ ପ୍ନସ୍କିନ୍, ଲେରମଣ୍ଟୋଭ, ନିତ୍ରାସୋଭ, ଟଲଷ୍ଟୟ ଇତ୍ୟାଦି ବିଶିଷ୍ଟ ରୁଷ ସାହିତ୍ୟ ଓ ଲେଖକ ମାନଙ୍କର ଲେଖାପ୍ରତି ଆକୃଷ୍ଟ ହୋଇଥିଲେ । ତତ୍‍ସଙ୍ଗେ ସେ ହେରଜେନ, ପିସାରେଭ, ବେଲିନ୍‍ସଙ୍କ ପ୍ରଭୁତି ତତ୍କାଳୀନ ଗଣତାନ୍ତ୍ରିକ ବିପ୍ଳବୀ ମାନଙ୍କର ପୁସ୍ତକ ସବୁ ଅଧ୍ୟୟନ କରିବାରେ ଲାଗିଲେ । ସୁସ୍ଥ ପାରିବାରିକ ହିଁ ଲେନିନ୍‍ଙ୍କୁ ତତ୍କାଳୀନ ପ୍ରଗତିଶୀଳ ରୁଷ ସାହିତ୍ୟ ପ୍ରତି ଖୁବ୍ ଆକୃଷ୍ଟ କରାଇଥଲା । ଏକଛତ୍ର ସମ୍ରାଟ ଜାରଙ୍କର ନିର୍ମମ ଅତ୍ୟାଚାର, ପୁଞ୍ଜିପତି ଓ ଜମିମାଲିକମାନଙ୍କର ଶୋଷଣ ଓ ସର୍ବହରା ଶ୍ରମଜୀବୀମାନଙ୍କର ନିର୍ଯ୍ୟାତନା ସମ୍ପର୍କୀୟ ବହୁ ପୁସ୍ତକ ଓ ପ୍ରବନ୍ଧ ପାଠ ପରେ ତାଙ୍କ ମନ ଜାର ଏବଂ ପୁଞ୍ଜିପତିମାନଙ୍କ ବିରୁଦ୍ଧରେ ବିଦ୍ରୋହୀ ହୋଇ ଉଠିଲା । ବଡ଼ଭାଇ ଆଲେକଜାଣ୍ଡେରଙ୍କ ବିପ୍ଳବାତ୍ମକ ଚିନ୍ତାରେ ସେ ବହୁପରିମାଣରେ ଉଦ୍‍ବୁଦ୍ଧ ହେଲେ । ଆଲେକଜାଣ୍ଡେର ଥିଲେ ଜଣେ ମେଧାବୀ ବ୍ୟକ୍ତି । ସେ ଜାରଙ୍କର ଏକଛତ୍ର ବିରୁଦ୍ଧରେ ଲଢ଼ିବା ପାଇଁ ପ୍ରତିଜ୍ଞା କରିଥିଲେ । ଭ୍ଲାଡିମିର ଲଲିତ୍ ବଡ଼ଭାଇଙ୍କଠାରୁ କାର୍ଲମାର୍କସଙ୍କ ସାହିତ୍ୟ ସମ୍ପର୍କରେ ଜାଣିବାକୁ ପାଇଥିଲେ ।

 

ଅତି ଶୈଶବରୁ ଭ୍ଲାଡିମିର ଏକାଦିକ୍ରମେ ବହୁ ପାରିବାରିକ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ୧୮୮୬ ମସିହାରେ ସହସା ପିତାଙ୍କର ପରଲୋକ ଘଟିଲା ଏବଂ ୧୮୮୭ ମସିହାରେ ବଡ଼ଭାଇଙ୍କୁ ବନ୍ଦୀ କରାଯାଇ ରାଜଦ୍ରୋହ ଅଭିଯୋଗରେ ଫାଶୀ ଦିଆଗଲା । ବଡ଼ଭାଇଙ୍କର ଫାଶୀ ତରୁଣ ଭ୍ଲାଡିମିରଙ୍କୁ ଦାରୁଣ ଆଘାତ ଦେଲା ଏବଂ ଆଜୀବନ ବିପ୍ଳବ ସଙ୍ଗଠନରେ ନିଜକୁ ନିୟୋଜିତ କରିବା ପାଇଁ ସେ ସଙ୍କଳ୍ପବଦ୍ଧ ହେଲେ । ବଡ଼ଭାଇଙ୍କର ସାହସ, ଦାମ୍ଭିକତା ଓ ତ୍ୟାଗ ଗୁଣକୁ ସେ ବିଶେଷ ପରିମାଣରେ ଅନୁକରଣ କରିଥିଲେ । କିନ୍ତୁ ତାଙ୍କର ବିପ୍ଳବାତ୍ମକ ପନ୍ଥାକୁ ସେ ଅନୁମୋଦନ କରିନଥିଲେ । ଜାର କିମ୍ବା ଜଣେ ଦୁଇ ଜଣ ଉଚ୍ଚପଦସ୍ଥ ରାଜକୀୟ କର୍ମଚାରୀଙ୍କୁ ହତ୍ୟା କରି ପ୍ରଚଳିତ ସମସ୍ୟାର ସମାଧାନ ଆଣିହେବ ବୋଲି ସେ କଦାପି ବିଶ୍ଵାସ କରୁନଥିଲେ ଏବଂ ତଦ୍ଦ୍ୱାରା ଶୋଷିତ ଜନତା ଶୋଷଣକାରୀମାନଙ୍କଠାରୁ ମୁକ୍ତି ପାଇପାରିବେ ବୋଲି ତାଙ୍କର ଧାରଣା ନଥିଲା । ବୈପ୍ଳବିକ ସଙ୍ଗଠନର ଅଭିବୃଦ୍ଧି ଦିଗରେ ଉଦ୍ୟମ ଚଳାଇବା ସଙ୍ଗେ ସଙ୍ଗେ ସେ ସାମାଜିକ ବିଜ୍ଞାନର ବିଭିନ୍ନ ବିଭାଗକୁ ଅନୁଧ୍ୟାନ କରିବାରେ ଲାଗିଲେ-। ୧୮୮୭ ମସିହାରେ ସ୍ଵର୍ଣ୍ଣପଦକଧାରୀ ଗ୍ରାଜୁଏଟ୍ ଭାବରେ ଗ୍ରାମର ସ୍କୁଲରୁ ଉତ୍ତୀର୍ଣ୍ଣ ହୋଇ ସେ କାଜାନ୍ ବିଶ୍ଵବିଦ୍ୟାଳୟର ଆଇନ ବିଭାଗରେ ନାମ ଲେଖାଇଲେ ।

 

ବିଶ୍ଵବିଦ୍ୟାଳୟ ଜୀବନରେ ସେ ବିପ୍ଳବୀ ଓ ମେଧାବୀ ଛାତ୍ରମାନଙ୍କ ସହ ଘନିଷ୍ଠ ସମ୍ପର୍କ ରକ୍ଷା କରି ପାରୁଥିଲେ । ୧୮୮୬ ମସିହା ଡିସେମ୍ବର ମାସରେ ଜାରଙ୍କ ବିରୁଦ୍ଧରେ ସଂଗଠିତ ଏକ ଛାତ୍ର ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା ଫଳରେ ତାଙ୍କୁ ବିଶ୍ଵବିଦ୍ୟାଳୟରୁ ବରଦାସ୍ତ କରାଯାଇ ବନ୍ଦୀ କରାଗଲା ଏବଂ ପରେ ନିର୍ବାସିତ କରାଯାଇ କାଜାନ୍ ପ୍ରଦେଶରେ କୋକୁସ୍କିନୋଠାରେ ରଖାଯାଇଥିଲା । ରୁଷର କୌଣସି ବିଶ୍ଵବିଦ୍ୟାଳୟରେ କିମ୍ବା ରୁଷ ବାହାରେ ପୁନଃ ଅଧ୍ୟୟନ ନିମିତ୍ତ ତାଙ୍କୁ ଅନୁମତି ମିଳିଲା ନାହିଁ ।

 

କାଜାନ୍ ପ୍ରଦେଶରେ ସେତେବେଳେ ଗୋପନୀୟ ଭାବେ ଏକାଧିକ କ୍ଷୁଦ୍ରଦଳ ଓ ପାଠଚକ୍ର ରହିଥାଏ ଏବଂ ଜନୈକ ପୁରୁଣା ମାର୍କସ୍ଵାଦୀ ବିପ୍ଳବୀ ଏନ.ଇ.ଫେରୋଡୋସିଭ୍ ତାର ପରିଚାଳନା କରୁଥାନ୍ତି । ଭ୍ଲାଡିମିର୍ ଏସବୁ ଦଳସହ ସଂପୃକ୍ତ କେତେକ ନେତାଙ୍କ ସହ ସମ୍ପର୍କ ସ୍ଥାପନ କରି ଗୋଟିଏ ଦଳରେ ଯୋଗ ଦେଇଥିଲେ । ସେହି ସମୟରେ ସେ ମାର୍କସଙ୍କର ଚିନ୍ତାଧାରା ସମ୍ପର୍କରେ ବିଶେଷ ଭାବେ ଅନୁଧ୍ୟାନ କରିବାର ସୁଯୋଗ ଲାଭ କରିଥିଲେ ଏବଂ ଫେଡେରାଲ ଏଞ୍ଜେଲ୍‍ସ ନାମକ ଜଣେ ବନ୍ଧୁଙ୍କ ସହାୟତାରେ ସେ ପୁଞ୍ଜିପତି ଶୋଷଣକାରୀଙ୍କ କବଳରୁ ଶ୍ରମଜୀବୀମାନଙ୍କର ମୁକ୍ତି ସାଧନା ନିମିତ୍ତ ଉଦ୍ୟମ ଚଳାଇଥିଲେ । କାର୍ଲମାର୍କସ୍ ଓ ଏଞ୍ଜେଲ୍‍ସ ଉଭୟେ ବିପ୍ଳବ ମାଧ୍ୟମରେ ସାମାଜିକ ବିକାଶ ନିମିତ୍ତ ଏକ ବିଜ୍ଞାନସମ୍ମତ ଗ୍ରନ୍ଥ ରଚନା କରିଥିଲେ । ସେ ଉଭୟେ ଥିଲେ ସର୍ବହରା ସମାଜର ପଥପ୍ରଦର୍ଶକ । ସେମାନଙ୍କର ଧାରଣା ଜନ୍ମିଥିଲା ଯେ ଧନହୀନ ଶ୍ରମଜୀବୀ ସମାଜର ସ୍ଵେଦ ଓ ରକ୍ତଦାନରେ ମୁଷ୍ଟିମେୟ ପୁଞ୍ଜିପତି ପୃଷ୍ଟ ହୋଇଥାନ୍ତି । ପୃଷ୍ଟିବାଦୀ ସମାଜରେ ଏହି ମୁଷ୍ଟିମେୟ ଶୋଷଣକାରୀ ରାଷ୍ଟ୍ରୀୟ ଆୟର ଏକ ବିଶିଷ୍ଟ ଭାଗ ଅଧିକାର କରି ନେଇଥାନ୍ତି । ଏଭଳି ପୁଞ୍ଜିବାଦୀ ସମାଜର ସ୍ଥାୟିତ୍ତ୍ୱ ସମ୍ପର୍କରେ ସେ ଦୁହେଁ ସନ୍ଦିହାନ ଥିଲେ ଏବଂ ଶୋଷିତ ସର୍ବହରା ଦିନେ ନା ଦିନେ ଏକଜୁଟ ହୋଇ ଶୋଷଣକାରୀଙ୍କ କବଳରୁ ନିଜର ମୁକ୍ତି ହାସଲ କରିବେ ବୋଲି ଯୁକ୍ତି ଦର୍ଶାଇଥିଲେ । ପୁଞ୍ଜିବାଦୀ ସମାଜରେ ଏଣୁ ଶ୍ରମଜୀବୀ ଶ୍ରେଣୀ ହେଉଛି ସବୁଠାରୁ ବେଶି ସୁଗଠିତ ଓ ବିପ୍ଳବ ପନ୍ଥୀ । ମାର୍କସ ଓ ଏଞ୍ଜେଲ୍‍ସଙ୍କ ଲେଖାରୁ ପ୍ରଭୃତ ଅଭିଜ୍ଞତା ଓ ନୂତନ ପ୍ରେରଣା ଲାଭକରି ଭ୍ଲାଡିମିର ସେ ଦୁହିଁଙ୍କୁ ଶୋଷିତ ଶ୍ରମଜୀବୀ ସମାଜରେ ମୁକ୍ତିଦାତାରୂପେ ଚିତ୍ରିତ କରିଥିଲେ ଏବଂ ସେମାନଙ୍କର ସମ୍ପର୍କରେ ଏକ ପ୍ରାଞ୍ଜଳ ଜ୍ଞାନ ଆହରଣ କରିଥିଲେ । ସର୍ବହରା ଶ୍ରମଜୀବୀ ଶ୍ରେଣୀ ସୁଗଠିତ ହେଲା ପରେ ଶୋଷଣକାରୀ ପୁଞ୍ଜିପ୍ରତିମାନଙ୍କ ସହ ସେମାନଙ୍କର ସଂଘର୍ଷ ଘଟି ତାହା ସମାଜବାଦୀ ବିପ୍ଳବରେ ପରିଣତ ହେବ ଏବଂ ସର୍ବହରା ଶ୍ରେଣୀ ସେଥିରେ ବିଜୟ ହାସଲ କରି ନିଜର ସମାଜବାଦୀ ସରକାର ପ୍ରତିଷ୍ଠା କରିବେ-ଏହାଥିଲା ମାର୍କସ୍‍ଙ୍କର ଭବିଷ୍ୟତ ବାଣୀ ।

 

ରୁଷର ବିପ୍ଳବୀଗୋଷ୍ଠୀ ମାର୍କସ୍ ବାଦକୁ ଅନୁଧ୍ୟାନ କରିବାରେ ଲାଗିଲେ । ମାର୍କସ୍ଵାଦର ପ୍ରଚାରକଙ୍କ ମଧ୍ୟରେ ଜି.ଭି. ପ୍ଲେଖାନୋଭ ଥିଲେ ଅଗ୍ରଗଣ୍ୟ । କିନ୍ତୁ ରୁଷ ସମ୍ରାଟ ଜାରଙ୍କ ବିଷଦୃଷ୍ଟିରେ ପଡ଼ି ପରିଶେଷରେ ତାଙ୍କୁ ଦେଶ ଛାଡ଼ି ଜେନେଭା ପଳାଇ ଯିବାକୁ ପଡ଼ିଥିଲା । ସେଠାରେ ସେ ଶ୍ରମିକ ମୁକ୍ତି ଗୋଷ୍ଠୀ ନାମକ ଏକ ମାର୍କସ୍ ପନ୍ଥୀ ଦଳ ଗଠନ କରି ମାର୍କସ୍ ଏବଂ ଏଞ୍ଜେଲସ୍‍ଙ୍କ ବହି ସବୁ ରୁଷ ଭାଷାରେ ଅନୁବାଦ କରି ଗୋପନରେ ରୁଷକୁ ପ୍ରେରଣ କଲେ । ମାର୍କସ୍ଵାଦ ଅନୁଧ୍ୟାନ ପରେ ଯୁବକ ଲେନିନ୍ ସେଥିରେ ଶୋଷିତ ଗୋଷ୍ଠୀର ମୁକ୍ତି ଓ ସମାଜବାଦୀ ଶାସନ ପ୍ରତିଷ୍ଠା ନିମିତ୍ତ ଏକ ବଳିଷ୍ଠ ଆୟୁଧର ସନ୍ଧାନ ପାଇଲେ ଏବଂ ନିଜେ ଜଣେ ପକ୍କା ମାର୍କସ୍ ପନ୍ଥୀ ପାଲଟି ଗଲେ । ୧୮୮୯ ମସିହାରେ ସମର (ବର୍ତ୍ତମାନର କ୍ୟୁବିଷେଭ୍) ନାମକ ସହରକୁ ସ୍ଥାନାନ୍ତରିତ ହେଲା ପରେ ତାଙ୍କର ମାର୍କସ୍ଵାଦୀ ଶିକ୍ଷା ଓ କାର୍ଯ୍ୟ ଆରମ୍ଭ ହୋଇଗଲା ।

 

ନିଜେ ସେ ମାର୍କସଙ୍କର କମ୍ୟୁନିଷ୍ଟ ମେନିଫେଷ୍ଟୋକୁ ସଙ୍ଗେ ସଙ୍ଗେ ଅନୁବାଦ କରି ରୁଷ ଯୁବଗୋଷ୍ଠୀ ମଧ୍ୟରେ ତାର ପ୍ରଚାର କରାଇବାରେ ଲାଗିଲେ । ସେତେବେଳେ ସମରଠାରେ ନାରୋଦନିକ୍ ନାମକ ଏକ ଗୋଷ୍ଠୀ ମାର୍କସ୍ଵାଦର ଘୋର ବିରୋଧ କରୁଥିଲେ ଏବଂ ତାର ପରିପ୍ରସାର ପଥରେ ପ୍ରତିବନ୍ଧକ ସୃଷ୍ଟି କରିବାରେ ଲାଗିଲେ, କିନ୍ତୁ ଲେନିନ୍ ନାରୋଦନିକ୍ମାନଙ୍କର ଭ୍ରମାତ୍ମକ ପ୍ରଚାର ବିରୁଦ୍ଧରେ ଲେଖନୀ ଚାଳନ କରି ଓ ସାଧାରଣ ସଭା ଆୟୋଜନ କରି ସେମାନଙ୍କର ତ୍ରୁଟିଗୁଡ଼ିକୁ ଲୋକଙ୍କୁ ବୁଝାଇଥିଲେ । ସେ ଭାବୁଥିଲେ ଯେ ନାରୋଦନିକ୍ମାନଙ୍କର ନୀତି ରୁଷର ବାସ୍ତବ ଜୀବନ ସହ ଖାପଖାଇ ନ ପାରେ; କାରଣ ସେମାନେ ଶୋଷିତ ଶ୍ରମଜୀବୀ ଓ କୃଷକ ସମାଜର ଶକ୍ତି ସମ୍ପର୍କରେ ଉଦାସୀନ । ନାରୋଦ୍ନିକମାନେ ରୁଷର ଶ୍ରମିକ ଓ କୃଷକ ଶ୍ରେଣୀର ହାର୍ଦ୍ଦିକ ସମର୍ଥନ ପାଇନ ପରି ପ୍ରତ୍ୟକ୍ଷ ସଂଗ୍ରାମ ବଳରେ ଜାର ଶାସନର ବିଲୋପ ସାଧନ ନିମିତ୍ତ ଉଦ୍ୟମ କରୁଥିଲେ ଏବଂ ସ୍ଥଳବିଶେଷରେ ଉଚ୍ଚପଦସ୍ଥ ରାଜକର୍ମଚାରୀମାନଙ୍କୁ ହତ୍ୟା କରିବାରେ ଲାଗିଲେ । କିନ୍ତୁ ତଦ୍ଦ୍ଵାରା ତାଙ୍କର ଆଶା ଓ ଅଭିଳାଷ ଚରିତାର୍ଥ ହେବା ପରିବର୍ତ୍ତେ ଚୂର୍ଣ୍ଣୀଭୂତ ହେବାକୁ ଲାଗିଲା ଏବଂ ଜାରଙ୍କର ସଶସ୍ତ୍ରବାହିନୀ ସେମାନଙ୍କ ବିରୁଦ୍ଧରେ କଠିନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କର ଆନ୍ଦୋଳନକୁ ସଂପୂର୍ଣ୍ଣ ଦମନ କରିଦେଲେ । ଲେନିନ୍ ନାରୋଦ୍ନିକମାନଙ୍କର ବିପ୍ଳବାତ୍ମକ କାର୍ଯ୍ୟକଳାପ ଓ ଆତ୍ମାବଳି ଯୋଗୁଁ ସେମାନଙ୍କର ଭୂୟସୀ ପ୍ରଶଂସା କରି ସେମାନଙ୍କର ଆନ୍ଦୋଳନରୁ ଅନୁପ୍ରେରଣା ଲାଭ କରିଥିଲେ । କିନ୍ତୁ ଶ୍ରମିକ ଓ କୃଷକ ଶ୍ରେଣୀର ଅଭ୍ୟୁତ୍‍ଥାନ ଦିଗରେ ସେମାନଙ୍କର ଆନ୍ଦୋଳନ ଅନୁପଯୋଗୀ ବୋଲି ସେ ବିବେଚନା କରିଥିଲେ ।

 

ଆଇନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଲେନିନ୍ ସମରସ୍ଥ ଅଦାଲତରେ ଓକିଲାତି ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଗଲେ । କିନ୍ତୁ ଓକିଲାତିରେ ସଫଳତା ହାସଲତାଙ୍କ ଜୀବନର ଅଭିଳାଷ ନଥିଲା । ଓକିଲାତି କରିବା ଛଳନାରେ ସେ ସମରଠାରେ ମାର୍କସବାଦ ପ୍ରଚାରରେ ଲାଗିପଡ଼ିଲେ ଏବଂ ସେହିଠାରେ ହିନ ତାଙ୍କର ରାଜନୈତିକ ଜୀବନର ପ୍ରଥମ ସୋପାନ ଆରମ୍ଭ ହେଲା । କିନ୍ତୁ ତାଙ୍କର ମତବାଦର ପ୍ରଚାର ପାଇଁ ସେ ଏକ ବୃହତ୍ ଶିଳ୍ପାଞ୍ଚଳକୁ ଚାଲିଯିବା ପାଇଁ ଆଗ୍ରହୀ ଥିଲେ ଏବଂ ସଙ୍ଗେ ସଙ୍ଗେ ସେ ସମରରୁ ବିଦାୟ ନେଇ ନିକଟସ୍ଥ ଶିଳ୍ପପ୍ରଧାନ ନଗରୀ ସେଣ୍ଟ୍ ପିଟର୍ସବର୍ଗକୁ କାର୍ଯ୍ୟାଳୟ ଘୁଞ୍ଚାଇ ଆଣିଲେ ।

 

ସେଣ୍ଟ୍ ପିଟର୍ସବର୍ଗଠାରେ ସେତେବେଳେ ବେଆଇନ ଘୋଷିତ ହୋଇଥିବା କେତେକ ଯୁବଗୋଷ୍ଠୀ ଗୋପନରେ ମାର୍କସବାଦ ପ୍ରଚାର କରୁଥାନ୍ତି । ସେହିଭଳି ଗୋଟିଏ ଗୋପନୀୟ ଗୋଷ୍ଠୀର ସଦସ୍ୟଭୁକ୍ତ ରହି ସେ ବିପ୍ଳବୀ ଗୋଷ୍ଠୀଗୁଡ଼ିକର ପୃଷ୍ଠିସାଧନ କରିବାକୁ ଲାଗିଲେ । ସେଠାରେ ମଧ୍ୟ ସେ ନରୋଦ୍ନିକ ମାନଙ୍କ ବିରୁଦ୍ଧରେ ବିଷୋଦ୍ ଗାର କରି ଜନତାର ସ୍ଵାର୍ଥଦୃଷ୍ଟିରୁ ସେମାନଙ୍କର ନୀତି ଏକାନ୍ତ ଅସମୀଚୀନ ବୋଲି ଭାଷଣ ଏବଂ ଲେଖନୀ ମାଧ୍ୟମରେ ଦୃଢ଼ ଭାବରେ ପ୍ରକାଶ କରିଥିଲେ । ସେ ସର୍ବପ୍ରଥମେ ଘୋଷଣା କରିଥିଲେ ଯେ ଶିଳ୍ପ ଶ୍ରମିକ ଏବ କୃଷକମାନଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇଲେ ସେମାନଙ୍କର ସ୍ଵାର୍ଥ ଅଧିକ ସଂରକ୍ଷିତ ହୋଇପାରିବ ଏବଂ ବୁର୍ଜୁଆ ପୁଞ୍ଜିପତି ଓ ଏକଛତ୍ର ଜାରଙ୍କ ବିରୁଦ୍ଧରେ ଲଢ଼ିବା ସହଜସାଧ୍ୟ ହେବ । ସେମାନଙ୍କ ମଧ୍ୟରେ ସହଯୋଗ ବ୍ୟତିରେକେ ଉପରୋକ୍ତ ଉଦ୍ଦେଶ୍ୟ ପୂରଣ ହେବା ସହଜସାଧ୍ୟ ନୁହେଁ । କେବଳ ପ୍ରଚାରରେ ତାଙ୍କର କାର୍ଯ୍ୟର ପରିସରକୁ ସୀମିତ ନ ରଖି ସେ ଗ୍ରାମଗହଳି ଭିତରେ ବିପ୍ଳବୀ ସଙ୍ଗଠନ ଗଠନ କରି ସେମାନଙ୍କୁ ଉପଯୁକ୍ତ ତାଲିମ୍ ଦେବାକୁ ଲାଗିଲେ । ରାଷ୍ଟ୍ରସ୍ତରରେ ଏକ ବଳିଷ୍ଠ ଓ ବ୍ୟାପକ ବିପ୍ଳବୀ ମାର୍କସ ପାର୍ଟି ଗଠନ କରିବା ଥିଲା ତାଙ୍କର ଅଭିଳାଷ ଏବଂ ତେଣୁ ସେ ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ବୃହତ୍ ଶିଳ୍ପାନୁଷ୍ଠାନଗୁଡ଼ିକର ଶିକ୍ଷିତ ଶ୍ରମିକମାନଙ୍କ ସହ ସମ୍ପର୍କ ରକ୍ଷା କରିବାରେ ଲାଗିଲେ । ତାଙ୍କଦ୍ଵାରା ତାଲିମ୍ ପ୍ରାପ୍ତ ବହୁ ଶ୍ରମିକ ନେତା ପରବର୍ତ୍ତୀ ସମୟ ରୁଷ ବିପ୍ଳବରେ ୟରୋଧାରୂପେ ଦେଖା ଦେଇଥିଲେ । ଶ୍ରମିକମାନଙ୍କ ମଧ୍ୟରେ ବିପ୍ଳବୀ ଶିକ୍ଷାର ପ୍ରଚାର ପାଇଁ ସେ ବିଭିନ୍ନ ସ୍ଥାନରେ ପାଠଚକ୍ରମାନ ସ୍ଥାପନ କରିବା ପାଇଁ ନିର୍ଦ୍ଦେଶ ଦେଲେ ଏବଂ ବିଶିଷ୍ଟ ଶ୍ରମନେତାଙ୍କ ଘରେ ଉକ୍ତ ଚକ୍ରଗୁଡ଼ିକର ଅଧିବେଶନ ବସୁଥିଲା । ନିଜେ ଲେନିନ୍ ମାର୍କସବାଦର ଜଟିଳତର ନୀତିଗୁଡ଼ିକୁ ଅତି ସରଳଭାବରେ ଶ୍ରମିକମାନଙ୍କୁ ବୁଝାଇ ସେମାନଙ୍କର ହାର୍ଦ୍ଦିକ ସମର୍ଥନ ଲାଭ କଲେ । ୧୮୯୪ ମସିହାରେ ଲେନିନ୍ ଶ୍ରମିକ ସ୍କୁଲର ଜଣେ ଶିକ୍ଷୟିତ୍ରୀ ଏନ୍. କେ. କୃପସ୍କୟାଙ୍କ ସହ ସାକ୍ଷାତ କରିଥିଲେ ଏବଂ ତାଙ୍କର ଅନେକ ଛାତ୍ର ଲେନିନଙ୍କ ପରିଚାଳିତ ପାଠଚକ୍ରରେ ଯୋଗ ଦେଇ ତାଙ୍କ ଦୀକ୍ଷାରେ ଦୀକ୍ଷିତ ହୋଇଥିଲେ ।

 

ରୁଷର ଶ୍ରମିକ ସମାଜ ଲେନିନ୍‍ଙ୍କ ଉପରେ ଅଗାଧ ବିଶ୍ଵାସ ସ୍ଥାପନ କରି ନିଜର ମୁକ୍ତିଦାତା ଭାବରେ ତାଙ୍କୁ ଗ୍ରହଣ କରିବାରେ ଲାଗିଲେ । ସେଣ୍ଟ୍ ପିଟର୍ସବର୍ଗଠାରେ ଶ୍ରମିକ ଆନ୍ଦୋଳନକୁ ସୂଦୃଢ଼ କରିବା ପରେ ଆନ୍ଦୋଳନର ବ୍ୟାପକତା ନିମିତ୍ତ ସେଠାରେ ତାଲିମପ୍ରାପ୍ତ ଶ୍ରମିକ ନେତାମାନେ ତାଙ୍କୁ ସହାୟତା କରିବାରେ ଲାଗିଲେ ଏବଂ ଶ୍ରମିକ ଓ କୃଷକ ଜନତାଙ୍କୁ ମାର୍କସବାଦ ଶିକ୍ଷା ଦେବାରେ ଲାଗିପଡ଼ିଲେ । ଅଶିକ୍ଷିତ ଓ ଅଳ୍ପ ଶିକ୍ଷିତ ଜନତାଙ୍କୁ ମାର୍କସବାଦରେ ଦୀକ୍ଷିତ କରାଇବା ନିମିତ୍ତ ସେ ସହଜପାଠ୍ୟ ପତ୍ରିକାର ଆଶ୍ରୟ ନେଇ ସେଥିରେ ସେମାନଙ୍କର ଆର୍ଥିକ ଓ ସାମାଜିକ ଦୁର୍ଗତିର ସ୍ପଷ୍ଟ ଚିତ୍ର ଦେବାକୁ ଲାଗିଲେ । ସେଣ୍ଟ୍ ପିଟର୍ସବର୍ଗ ଶ୍ରମିକ ସଙ୍ଗଠନଗୁଡ଼ିକର ଅନୁରୋଧକ୍ରମେ ସେ ବିଶ୍ଵର ଅନ୍ୟାନ୍ୟ ଦେଶର ଶ୍ରମିକଙ୍କ ଅବସ୍ଥା ଓ ଶ୍ରମିକ ଅନୁଷ୍ଠାନମାନଙ୍କର ଇତିହାସ ଅଧ୍ୟୟନ ନିମିତ୍ତ ୧୮୯୫ ମସିହାରେ ୟୂରୋପ ଗସ୍ତରେ ବାହାରିଲେ-। ସୁଇଜରଲାଣ୍ଡ, ଜର୍ମାନୀ ଓ ଫ୍ରାନସ୍ ଗସ୍ତବେଳେ ସେ ସେଠା ଶ୍ରମିକ ସଂଗଠନର ଅଧିବେଶନରେ ଯୋଗ ଦେଇଥିଲେ ଏବଂ ପ୍ୟାରିସଠାରେ କାର୍ଲମାର୍କ୍ସଙ୍କ ଜାମାତା ଏବଂ ବିଶ୍ଵ ଶ୍ରମିକ ଆନ୍ଦୋଳନର ଏକ ବିଶିଷ୍ଟ ନେତା ପାଲ ଲାଫାର୍ଗୁଙ୍କ ସହିତ ସାକ୍ଷାତ କରିଥିଲେ । ମାର୍କସଙ୍କର ଅନ୍ୟତମ ସହଯୋଗୀ ଏଞ୍ଜେଲସ୍ ସେତେବେଳକୁ ରୁଗ୍‍ଣ ହୋଇ ପଡ଼ିଥିବାରୁ ସେ ତାଙ୍କୁ ସାକ୍ଷାତ କରିବା ସୁଯୋଗ ପାଇନଥିଲେ । ରୁଷକୁ ଫେରିବା ପରେ ଲେନିନ୍ ମାସ୍କୋ ଓ ଭିଲିନିୟସ୍ ସହରରେ ଶ୍ରମିକ ଆନ୍ଦୋଳନକୁ ମଜଭୁତ କରିବା ପାଇଁ ଉଦ୍ୟମ କଲେ । ଜାରଙ୍କର ଗୁପ୍ତ ପୋଲିସ୍‍ଙ୍କ କଡ଼ା ନଜର ସତ୍ତ୍ୱେ ତାଙ୍କର ଉଦ୍ୟମ ବାଧାପ୍ରାପ୍ତ ହୋଇପାରିଲା ନାହିଁ ।

 

୧୮୯୫ ମସିହାରେ ଲେନିନ୍‍ଙ୍କ ନିର୍ଦ୍ଦେଶକ୍ରମେ ସେଣ୍ଟ୍ ପିଟର୍ସବର୍ଗସ୍ଥିତ ସମସ୍ତ ଶ୍ରମିକ ସଂଗଠନ ଗୋଟିଏ ରାଜନୈତିକ ଦଳରେ ପରିଣତ ହେଲେ ଏବଂ ପରବର୍ତ୍ତୀ ସମୟର ରୁଷ ବ୍ୟାପି ଆନ୍ଦୋଳନ ପଛରେ ଏହି ରାଜନୈତିକ ଦଳର ଭିତିରି ପ୍ରଚେଷ୍ଟା ହିଁ ନିହିତ ଥିଲା । ଏହି ଦଳର ଇଙ୍ଗିତରେ ୧୮୯୬ ମସିହାରେ ସର୍ବ ପ୍ରଥମଥର ପାଇଁ ସେଣ୍ଟ୍ ପିଟର୍ସବର୍ଗସ୍ଥ ପ୍ରାୟ ୩୦,୦୦୦ ଲୁଗାକଳ ଶ୍ରମିକ ଏକାଦିକ୍ରମେ ଧର୍ମଘଟ ପାଳନ କରିଥିଲେ ଏବଂ ପରେ ପରେ ଏହାର ପ୍ରଭାବ କିଭ୍, ମସ୍କୋ, ଭ୍ଳାଡିମିର ଇତ୍ୟାଦି ସହରକୁ ବ୍ୟାପିବାକୁ ଲାଗିଲା । ଉକ୍ତ ରାଜନୈତିକ ପାର୍ଟି ରୁଷର ବିପ୍ଳବୀମାନଙ୍କୁ ଉପାଦାନ ଯୋଗାଇବାରେ ଲାଗିଲା । କିନ୍ତୁ ପାର୍ଟିର କାର୍ଯ୍ୟକଳାପରେ ଭୟଭୀତ ହୋଇ ରୁଷ ସମ୍ରାଟ ଜାର ଲେନିନ୍‍ଙ୍କ ସମେତ ଉକ୍ତ ପାର୍ଟିର ମୁଖ୍ୟ ମୁଖ୍ୟ ନେତାମାନଙ୍କୁ ବନ୍ଦୀ କଲେ । ଲେନିନ୍‍ଙ୍କୁ ସେଣ୍ଟ୍ ପିଟର୍ସବର୍ଗର ଏକ ଜନଶୂନ୍ୟ ସ୍ଥାନରେ ଗୋପନରେ ରଖାଗଲା । ତଥାପି ସେ ଚୁପ୍ ବସି ରହିପାରିଲେ ନାହିଁ । ପୂର୍ବ ଭଳି ପତ୍ର ଓ ପତ୍ରିକା ଜରିଆରେ ସେ ବାହାରର ବିପ୍ଲବୀମାନଙ୍କ ସହ ସମ୍ପର୍କ ରକ୍ଷା କରିବାରେ ଲାଗିଲେ । ବନ୍ଦୀଶାଳାରେ ସେ ମାର୍କସ୍ ବାଦୀ ପାର୍ଟି ପାଇଁ ଏକ ଗଠନମୂଳକ କାର୍ଯ୍ୟକ୍ରମ ପ୍ରସ୍ତୁତି କରିଥିଲେ । କିନ୍ତୁ ଲେଖାଲେଖି କରିବା ପାଇଁ ତାଙ୍କୁ କାଗଜ ଓ କଲମ ଯୋଗାଇ ଦିଆଯାଉନଥିଲା । ଫଳରେ ସେ ତାଙ୍କ ନିକଟରେ ଥିବା ବହିର ମୁଦ୍ରିତ ଅକ୍ଷର ଧାଡ଼ି ମଧ୍ୟସ୍ଥ ସ୍ଥାନରେ ଦୁଧ ସାହାଯ୍ୟରେ ଲେଖିବା ଆରମ୍ଭ କଲେ । ବନ୍ଦୀ ଜୀବନରେ ମିଳୁଥିବା ସାମାନ୍ୟ କିଛି ଦୁଧକୁ ସେ ଏହିପରି ଭାବରେ ବ୍ୟବହାର କଲେ । ନିଜେ ପାଉଥିବା ରୁଟିକୁ ଦୁଆତ ରୂପେ ସଜାଇ ତନ୍ମଧ୍ୟରେ ଦୁଧ ରଖିବାକୁ ପଡ଼ୁଥିଲା । ଜେଲ କର୍ମଚାରୀଙ୍କର ଦୃଷ୍ଟିରେ ପଡ଼ିଲେ ସେ ସଙ୍ଗେ ସଙ୍ଗେ ଉକ୍ତ ଦୁଆତକୁ ଗିଳି ଦେଉଥିଲେ । ଏହିପରି ଭାବରେ ବାହାର ଜଗତ ସହ ଲେଖାଲେଖି କରି ସେ ସେମାନଙ୍କ ଭିତରେ ଶ୍ରମିକ ସମାଜର ବିଜୟ ସମ୍ପର୍କରେ ଦୃଢ଼ ଆଶା ଜନ୍ମାଇଥିଲେ । ରୁଷ ଦେଶରେ ପୁଞ୍ଜିବାଦର ବିକାଶ ସମ୍ପର୍କରେ ଖଣ୍ଡିଏ ବହି ଲେଖି ସେ ପୁଞ୍ଜିବାଦୀ ପ୍ରଥାର ମୌଳିକ ତ୍ରୁଟି ସବୁ ବ୍ୟାଖ୍ୟା କରିବାରେ ଲାଗିଲେ ।

 

୧୮୯୭ ମସିହା ଫେବୃୟାରୀ ୧୩ ତାରିଖ ଦିନ ଲେନିନ୍ ଙ୍କୁ ତିନି ବର୍ଷ ପାଇଁ ସାଇବେରିଆ କୁ ନିର୍ବାସିତ କରି ପଠାଗଲା ଏବଂ ସେ ସାଇବେରିଆର ସୁସେନ୍ ସ୍କୋ ନାମକ ଏକ ସ୍ଥାନରେ ଆସି ପହଞ୍ଚିଲେ। ଏହି ସ୍ଥାନରୁ ନିକଟତମ ରେଳପଥ ଥିଲା ଛ’ ଶହ ମାଇଲ ଦୂରରେ । ତଥାପି ଲେନିନ୍ ସାହସ ନ ହରାଇ ସାଇବେରିଆର କୃଷକମାନଙ୍କର ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିବାରେ ଲାଗିଲେ ଏବଂ ଅଚିରେ ସ୍ଥାନୀୟ ଜନତାର ପ୍ରିୟପାତ୍ର ହୋଇପଡ଼ିଲେ । ସେଠାରେ ସେ ଜମି ମାଲିକମାନଙ୍କ ଅତ୍ୟାଚାରରୁ କୃଷକମାନଙ୍କ ସ୍ଵାର୍ଥରକ୍ଷା ଲାଗି ଆଇନ ପରାମର୍ଶ ଦେବାକୁ ଲାଗିଲେ । ଫଳରେ ସେହି ଅଞ୍ଚଳର କୃଷକ ସମାଜ ତାଙ୍କ ପ୍ରତି ଗଭୀର ଆସ୍ଥା ସ୍ଥାପନ କଲେ । ୧୮୯୮ ମସିହାରେ ଏନ୍. କେ. କୃପସ୍କୟା ସେହି କାରଣରୁ ସେଣ୍ଟ୍ ପିଟସବର୍ଗରୁ ବିତାଡ଼ିତ ହୋଇ ସୁସେନ୍ ସ୍କୋଠାରେ ଆସି ନିର୍ବାସିତ ଜ୍ଞାପନ ଯାପନ କଲେ । ଏହିଠାରେ ସେ ଲେନିନ୍‍ଙ୍କୁ ବିବାହ କରି ଆଜୀବନ ତାଙ୍କୁ ବିପ୍ଳବ ସଂଗଠନ ଦିଗରେ ସହାୟତା କରିବାରେ ଲାଗିଲେ । ଜ୍ଞାତି ଓ ବନ୍ଧୁମାନଙ୍କ ସହାୟତାରେ ଲେନିନ୍ ବିଭିନ୍ନ ପତ୍ରପତ୍ରିକା ମଗାଇ ମାର୍କସ୍ ଓ ଏଞ୍ଜେଲଙ୍କର ଅନ୍ୟାନ୍ୟ ଲେଖା ପଢ଼ିବା ପାଇଁ ସୁଯୋଗ ଲାଭ କଲେ ଏବଂ ସେଥିରୁ କେତୋଟିକୁ ରୁଷ ଭାଷାରେ ଅନୁବାଦ କଲେ । ଛୋଟ ବଡ଼ ପ୍ରାୟ ତିରିଶ ଖଣ୍ଡି ବହି ଲେଖି ସେ ବିପ୍ଳବୀ ପାର୍ଟିର ଗଠନମୂଳକ କାର୍ଯ୍ୟକ୍ରମମାନ ପ୍ରସ୍ତୁତ କଲେ ଏବଂ ସେଥିରେ ମାର୍କସବାଦର ବିରୋଧୀମାନଙ୍କୁ କଟୁ ଭାଷାରେ ଆକ୍ରମଣ କଲେ ଏବଂ ଉଭୟ ଶିଳ୍ପ ଓ କୃଷି କ୍ଷେତ୍ରରୁ ପୁଞ୍ଜିପତିମାନଙ୍କୁ ଉଚ୍ଛେଦ କରିଦେବା ପାଇଁ ଜନତାଙ୍କୁ ଆହ୍ଵାନ ଦେଲେ । ଦେଶରେ ବିପ୍ଳବୀମାନଙ୍କର ଅଗ୍ରଗତି ସମ୍ପର୍କରେ ପତ୍ର ଜରିଆରେ ସେ ଯେଉଁ ସମ୍ବାଦ ପାଉଥିଲେ, ସେଥିରେ ସେ ଖୁବ୍ ଉତ୍ସାହିତ ହୋଇ ପଡ଼ୁଥିଲେ ଏବଂ ବିଭିନ୍ନ ପ୍ରାନ୍ତର ନେତାମାନଙ୍କ ସହ ସେ ଘନିଷ୍ଠ ପତ୍ର ସମ୍ପର୍କ ରକ୍ଷା କରିବାରେ ଲାଗିଲେ । ଶ୍ରମିକ ଦଳ ମଧ୍ୟରେ ସେତେବେଳେ ଇବନମିଷ୍ଟ ନାମକ ଏକ ସୁବିଧାବାଦୀ ଗୋଷ୍ଠୀର ଅଭ୍ୟୁଦୟ ହୋଇଥିଲା । କିନ୍ତୁ ରୁଷର ରାଜନୈତିକ ବାତାବରଣର ପରିବର୍ତ୍ତନ ସଙ୍ଗେ ମାର୍କସବାଦୀ ଦଳର ପ୍ରଭାବ ବିସ୍ତାର ନିମିତ୍ତ ଲେନିନ୍ ଏକ ଖବରକାଗଜ ପ୍ରକାଶ କରିବା ପାଇଁ ଇଚ୍ଛାପ୍ରକାଶ କରିଥିଲେ । ନିର୍ବାସନ ସମୟ ଶେଷ ହେବା ପରେ ସେ ସାଇବେରିଆଠାରୁ ଏକ ଘୋଟକ ସାହାଯ୍ୟରେ ସେଣ୍ଟ୍ ପିଟର୍ସବର୍ଗ ଅଭିମୁଖେ ଗତି କଲେ । କିନ୍ତୁ ଶିଳ୍ପପ୍ରଧାନ ସହର ତାଙ୍କ ପାଇଁ ନିଷିଦ୍ଧ ଥିବାରୁ ସେ ସେଣ୍ଟ୍ ପିଟର୍ସବର୍ଗ ନିକଟସ୍ଥ ପିସ୍କୋଭ ନିକଟରେ ଅବସ୍ଥାନ କରି ଏକ ଖବରକାଗଜ ପ୍ରକାଶ ପାଇଁ ଉଦ୍ୟମ ଚଳାଇଲେ । କିନ୍ତୁ ପୋଲିସ୍ ବାହିନୀର କଡ଼ା ଦୃଷ୍ଟି ହେତୁ ସେ ସେଥିରେ ଅକୃତକାର୍ଯ୍ୟ ହୋଇ ରୁଷ ବାହାରେ ସେଭଳି ଉଦ୍ୟମ ଆରମ୍ଭ କରିବା ପାଇଁ ମନସ୍ଥ କଲେ । ଫଳରେ ପତ୍ରିକା ପ୍ରକାଶନ ଦିଗରେ ଅର୍ଥ ସଂଗ୍ରହ ପାଇଁ ତାଙ୍କୁ ରୁଷର ବିଭିନ୍ନ ଶିଳ୍ପାଞ୍ଚଳ ଭ୍ରମଣ କରିବାକୁ ପଡ଼ିଥିଲା । ସହରଞ୍ଚଳରେ ତାଙ୍କର ଆବିର୍ଭାବ ଦେଖି ତାଙ୍କୁ ଗିରଫ କରାଗଲା ଏବଂ ପରେ ପରେ ଛାଡ଼ି ଦିଆଯାଇଥିଲା । ଲେନିନଙ୍କୁ ରୁଷର ସରକାରଙ୍କ ପହିଲା ନମ୍ବର ଶତ୍ରୁ ରୂପେ ଚିତ୍ରିତ କରି ପୋଲିସ୍ କର୍ତ୍ତୁପକ୍ଷ ତାଙ୍କୁ ଫାଶୀ ଦଣ୍ଡ ଦେବା ପାଇଁ ସମ୍ରାଟଙ୍କୁ ଅନୁରୋଧ ଜଣାଇଥିଲେ । କିନ୍ତୁ ୧୯୦୦ ଜୁନ୍ ମାସରେ ସେ ଜର୍ମାନୀ ଚାଲିଯାଇ ସେଠାରୁ ‘ଇସ୍କାରା’ ନାମକ ଏକ ପତ୍ରିକା ପ୍ରକାଶ କରିଥିଲେ-। “ସ୍ଫୁଲିଙ୍ଗ ଦିନେ ଅଗ୍ନିଶିଖାରେ ପରିଣତ ହେବ”-ଏହାଥିଲା ଉକ୍ତ ପତ୍ରିକାର ମୂଳ ନୀତି । ବାସ୍ତବିକ ତାହା ଦିନେ ସତ୍ୟରେ ପରିଣତ ହେଲା । ‘ଇସ୍କାରା’ ପତ୍ରିକା ରୁଷ ଦେଶରେ ବ୍ୟାପକ ଭାବେ ବିକ୍ରି ହେବାକୁ ଲାଗିଲା । ଜାରଙ୍କର ଭୟ ଦର୍ଶନ ଓ ବାରମ୍ବାର ସତର୍କବାଣୀ ସତ୍ତ୍ୱେ ଶ୍ରମିକ ସଙ୍ଗଠନଗୁଡ଼ିକ ସେମାନଙ୍କ କାର୍ଯ୍ୟକ୍ରମରୁ ବିରତି ହେଲେନାହିଁ । ବରଂ ପତ୍ରିକାଟିର ସମ୍ପ୍ରସାରଣ ଫଳରେ ସେ ଦିଗରେ ସେମାନେ ଅଧିକ ସକ୍ରିୟ ହୋଇ ଉଠିଲେ । ପ୍ରାୟ ପ୍ରତ୍ୟେକ ଥର ଲେନିନ୍ ଶ୍ରମିକମାନଙ୍କୁ ଉଦବୋଧନ ଦେଇ ନିଜର ଏକ ପ୍ରବନ୍ଧ ‘ଇସ୍କାରା’ରେ ପ୍ରକାଶ କରୁଥିଲେ ଏବଂ ସେଥିରେ ସେ ପାର୍ଟି ଗଠନ କରିବାର ପଦ୍ଧତି ଅତି ସରଳ ଓ ହୃଦୟଗ୍ରାହୀ ଭାଷାରେ ବ୍ୟକ୍ତ କରୁଥିଲେ । ତତ୍ ସଙ୍ଗେ ସଙ୍ଗେ ସେ ରୁଷର ବିଭିନ୍ନ ପ୍ରାନ୍ତରେ ଘଟୁଥିବା ବିପ୍ଳବାତ୍ମକ କାର୍ଯ୍ୟ ବିଶଦ ଭାବରେ ସେଥିରେ ପ୍ରକାଶ କରିଥିଲେ । ୧୯୦୧ ମସିହାଠାରୁ ହିଁ ସେ ନିଜକୁ ଲେନିନ୍ ନାମରେ ପରିଚିତ କରାଇବାରେ ଲାଗିଲେ ।

 

ନିଜ ବିପ୍ଳବୀ ଦଳର ମୌଳିକ ଉଦ୍ଦେଶ୍ୟ ଓ କାର୍ଯ୍ୟକ୍ରମ ସମ୍ପର୍କରେ ଲେନିନ୍ ଇସ୍କାରାରେ ବ୍ୟାପକ ଭାବରେ ପ୍ରଚାର କରୁଥିଲେ । ତାଙ୍କ ପ୍ରଚାରିତ ବିପ୍ଳବୀ ଦଳ ମୁଖ୍ୟତଃ ଦୁଇଟି ଭାଗରେ ବିଭକ୍ତ ହେବା ଉଚିତ ବୋଲି ସେ ଯୁକ୍ତି କରୁଥିଲେ । ଗୋଟିଏ ଦଳର କର୍ତ୍ତବ୍ୟ ହେବ ନିଜର ଜୀବନକୁ ଦଳ ପାଇଁ ବିସର୍ଜ୍ଜନ କରି ଦଳର କାର୍ଯ୍ୟକ୍ରମ ପ୍ରଚାର କରିବା । ଦ୍ଵିତୀୟ ଦଳଟି ପ୍ରଥମ ଅପେକ୍ଷା ଅଧିକ ବ୍ୟାପକ ହେବ । ରାଷ୍ଟ୍ର ବ୍ୟାପି ଶ୍ରମ ସଙ୍ଗଠନଗୁଡ଼ିକ ତା’ର ସଦସ୍ୟଭୁକ୍ତ ହୋଇ ପ୍ରଥମ ଦଳର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବେ । କାର୍ଲମାର୍କସ ଯେଉଁ ବ୍ରିଟିଶ ମ୍ୟୁଜିଅମରୁ ନିଜର ଜ୍ଞାନ ହାସଲ କରିଥିଲେ, ଲେନିନ୍ ମଧ୍ୟ ସେହିଠାରେ କିଛି ଦିନ ଅଧ୍ୟୟନରତ ରହିଥିଲେ । ସେ ଏବଂ କୃପସ୍କାୟା ଜେନେଭାଠାରେ ଅବସ୍ଥାନବେଳେ ରୁଷରୁ ଆସୁଥିବା ସେମାନଙ୍କ ବନ୍ଧୁମାନଙ୍କୁ ଭେଟୁଥିଲେ ଏବଂ ଆର୍ଥିକ ସହାୟତା ଦେଇ ସେମାନଙ୍କ ଅଭାବ ମୋଚନ ମଧ୍ୟ କରାଉଥିଲେ ।

 

ବିପ୍ଳବୀ ପାର୍ଟିର ଦ୍ଵିତୀୟ ବିଶ୍ୱ କଂଗ୍ରେସ ସେ ଲଣ୍ଡନଠାରେ ଆୟୋଜନ କରିଥିଲେ । ଏହି ବିଶ୍ୱ କଂଗ୍ରେସରେ ସର୍ବହରାର ଏକଛତ୍ରବାଦ ପ୍ରତିଷ୍ଠା ନେଇ ବଳିଷ୍ଠ ପ୍ରସ୍ତାବମାନ ପାସ କରାଯାଇଥିଲା । କିନ୍ତୁ ଦ୍ଵିତୀୟ କଂଗ୍ରେସ ପରେ ଶ୍ରମିକ ସଙ୍ଗଠନଗୁଡ଼ିକ ମଧ୍ୟରେ ଏକ ପ୍ରକାର ବିଭେଦ ସୃଷ୍ଟି ହୋଇଥିଲା । ପାର୍ଟି ମଧ୍ୟରେ ବଲ୍‍ ସେଭିକ୍‍ ଓ ମେନସେଭିକ୍ ନାମରେ ଦୁଇଟି ସ୍ୱତନ୍ତ୍ର ଗୋଷ୍ଠୀ ସୃଷ୍ଟି ହୋଇଥିଲା । କିନ୍ତୁ ମେନସେଭିକମାନଙ୍କୁ ସୁବିଧାବାଦୀ ବୋଲି ଚିତ୍ରିତ କରି ଲେନିନ୍ ସେମାନଙ୍କୁ କଟୁ ଭାଷାରେ ସମାଲୋଚନା କରିଥିଲେ । ମେନସେଭିକମାନେ ମଧ୍ୟ ‘ଇସ୍କାରା’ର ନୀତିଗୁଡ଼ିକୁ କଟୁ ଭାଷାରେ ନିନ୍ଦା କରିବାରେ ଲାଗିଲେ । ଏତିକିବେଳକୁ ରୁଷର ସାମାଜିକ ଅବସ୍ଥା ବିସ୍ଫୋରକ ଅବସ୍ଥାରେ ରହିଥାଏ ଏବଂ ଲେନିନ୍ ପାର୍ଟିର ତୃତୀୟ ବିଶ୍ୱ କଂଗ୍ରେସ ଆୟୋଜନରେ ପୁଣି ଲାଗିପଡ଼ିଲେ ।

 

ବିଦେଶରେ ଅବସ୍ଥାନବେଳେ ସୁଦ୍ଧା ଲେନିନ୍ ରୁଷର ଘଟଣାବଳୀ ସମ୍ପର୍କରେ ବରାବର ଖବର ରଖୁଥିଲେ । ୧୯୦୫ ଜାନୁୟାରୀ ମାସରେ ସେଣ୍ଟ୍ ପିଟର୍ସବର୍ଗ ସହରର ଶ୍ରମିକମାନେ ଶାନ୍ତିପୂର୍ଣ୍ଣ ଧର୍ମଘଟ ଜରିଆରେ କେତେକ ଦାବି ହାସଲ ପାଇଁ ଉଦ୍ୟମ କରିଥିଲେ ଏବଂ ଦରକାର ବୋଧ କଲେ ଜୀବନ ଦେଇ ଲଢ଼ିବା ପାଇଁ ସଙ୍ଗଠନଗୁଡ଼ିକ ପଣ କରିଥିଲେ । ଏହାକୁ ହିଁ ଏକ ସାମୁହିକ ବିପ୍ଳବର ଭିତ୍ତି ରୂପେ ଧରିନେଇ ଲେନିନ୍ ପାର୍ଟିର ପରିଚାଳନା ପାଇଁ ଆହୁରି ବଳିଷ୍ଠ ପ୍ରେରଣା ଦେବାକୁ ଲାଗିଲେ । ଏହି ବିଦ୍ରୋହ ଦିନେ ଗଣ ବିପ୍ଳବରେ ପରିଣତ ହେବ ବୋଲି ସେ ଆଶା ପୋଷଣ କରିଥିଲେ । ୧୯୦୫ ମସିହା ଏପ୍ରିଲ ମାସରେ ସେ କେବଳ ବଲ୍‍ ସେଭିକ୍‍ ପାର୍ଟିର ଏକ ବିଶ୍ୱ କଂଗ୍ରେସ ଲଣ୍ଡନଠାରେ ଅନୁଷ୍ଠିତ କରାଇ ଶ୍ରମିକ ବିଦ୍ରୋହର ସମସ୍ତ ଦିଗ ଏଠାରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ ।

 

ଏଠାରେ ବଲ୍‍ ସେଭିକ୍‍ ପାଟରେ ଏକ କେନ୍ଦ୍ର କମିଟି ଗଠିତ ହୋଇ ଲେନିନ୍‍ଙ୍କୁ ତାହାର ପ୍ରମୁଖ ରୂପେ ନିର୍ବାଚିତ କରାଗଲା ଏବଂ ‘ପ୍ରଲେଟାରୀ’ ନାମକ ଏକ ଖବରକାଗଜର ପରିଚାଳନା ଭାର ତାଙ୍କରି ଦାୟିତ୍ଵରେ ଦିଆଗଲା । ଏହି ଅଧିବେଶନ ପରେ ଲେନିନ୍ ଜେନେଭା ପ୍ରତ୍ୟାବର୍ତ୍ତନ କରି ଜାର ଶାସନର ଅବସାନ ପାଇଁ ସଶସ୍ତ୍ର ବିଦ୍ରୋହର ଆବଶ୍ୟକତା ତାଙ୍କ ସହକର୍ମୀମାନଙ୍କ ଜରିଆରେ ଏବଂ ପତ୍ରିକା ମାଧ୍ୟମରେ ପ୍ରଚାର କଲେ ।

 

“Two Tactics” ନାମକ ଏକ ପୁସ୍ତକ ଲେଖି ସେ ସର୍ବହରା ବିପ୍ଳବର ସଫଳତା ପାଇଁ କେତେକ ବାସ୍ତବ ପଦ୍ଧତି ଜନତାର ସମ୍ମୁଖରେ ଉତ୍‍ଥାପନ କରିଥିଲେ । ୧୯୦୫ ମସିହାରେ ସେଣ୍ଟ୍ ପିଟର୍ସବର୍ଗ, ୱାର୍ସା, ବାକୁ, ଓଡ଼େଶା ପ୍ରଭୃତି ଶିଳ୍ପପ୍ରଧାନ ସହରରେ ବୃହତ୍ତର ଶ୍ରମିକ ଆନ୍ଦୋଳନ ମୁଣ୍ଡ ଟେକିଲା । ଉକ୍ତ ଆନ୍ଦୋଳନକୁ ଉପଯୋଗୀ ଇନ୍ଧନ ଯୋଗାଇବା ଲାଗି ସେ ଏମ୍: ଆଇ. ଭସିଲେଭଙ୍କୁ ପ୍ରେରଣ କଲେ ଏବଂ ରୁଷ ଯୁବସମାଜକୁ ସଙ୍ଗଠିତ କରି ଏକ ମିଲିଟାରୀ ବାହିନୀ ଗଠନ ନିମିତ୍ତ ତାଙ୍କୁ ପରାମର୍ଶ ଦେଲେ । ସେହି ବର୍ଷ ଅକ୍ଟୋବର ମାସ ବେଳକୁ ସମଗ୍ର ରୁଷରେ ବିପ୍ଳବାତ୍ମକ ବାୟୁମଣ୍ଡଳର ଉଦ୍ରେକ ଘଟିଲା ଏବଂ ଦେଶର ଜୀବନ ଯାତ୍ରାକୁ ତାହା ବହୁପରିମାଣରେ ପ୍ରଭାବିତ କଲା । ପରିଶେଷରେ ସମ୍ରାଟ ଜାର ବାଧ୍ୟ ହୋଇ ସର୍ବହରା ସଙ୍ଗଠନଗୁଡ଼ିକର କାର୍ଯ୍ୟକଳାପ ଉପରୁ କଟକଣା ଉଠାଇ ନେଇ ସେମାନଙ୍କୁ ସବୁପ୍ରକାର ସୁବିଧା ଦେବା ପାଇଁ ଏକରକମ ବାଧ୍ୟ ହେଲେ । ଏଭଳି ବିଦ୍ରୋହକୁ ଗଣ-ବିପ୍ଳବର ଭିତ୍ତିଭୂମି ରୂପେ ଧରିନେଇ ସର୍ବହରାର ସରକାର ଗଠନ ଦିଗରେ ଲେନିନ ବିପ୍ଳବୀମାନଙ୍କୁ ଗଭୀର ପ୍ରେରଣା ଦେଲେ ଏବଂ ନିଜେ ଆନ୍ଦୋଳନରେ ପ୍ରତ୍ୟକ୍ଷ ଭାଗ ନେବା ଉଦ୍ଦେଶ୍ୟରେ ଜେନେଭା ଛାଡ଼ି ସେଣ୍ଟ୍ ପିଟର୍ସବର୍ଗଠାରେ ପହଞ୍ଚି ପାର୍ଟିର ନେତୃତ୍ଵ ଗ୍ରହଣ କଲେ । ସେ ନିଜେ ବଲ୍‍ ସେଭିକ୍‍ ଦଳର ମୁଖପତ୍ର ‘ନୋଭାୟାଜିନ’ (ନବଜୀବନ)ର ସମ୍ପାଦକତ୍ଵ ଗ୍ରହଣ କଲେ ଏବଂ ତାଙ୍କ ପ୍ରବୀଣ ନେତୃତ୍ଵରେ ଉକ୍ତ ଦଳ ଶକ୍ତିଶାଳୀ ଏବଂ ବ୍ୟାପକତର ହେବାକୁ ଲାଗିଲା । କିନ୍ତୁ ସଙ୍ଗେ ସଙ୍ଗେ ସେ ଜାରଙ୍କର ବିଷଦୃଷ୍ଟିରେ ପଡ଼ି ପୁଣି ଛଦ୍ମବେଶରେ ପାର୍ଟି ଗଠନରେ ବ୍ୟସ୍ତ ରହିଲେ । ଉକ୍ତ ବର୍ଷ ଡିସେମ୍ବର ମାସରେ ମସ୍କୋଠାରେ ଏକ ସଶସ୍ତ୍ର ଶ୍ରମିକ ବିଦ୍ରୋହର ସୂତ୍ରପାତ ହେଲା ଏବଂ ଶ୍ରମିକମାନେ ବୀରୋଚିତ ଭାବରେ ଦୀର୍ଘ ନଅଦିନ ଧରି ବିଦ୍ରୋହ ଚଳାଇଲେ କିନ୍ତୁ ପରିଶେଷରେ ଜାର୍ ସେସବୁକୁ ଦମନ କରିନେଲେ । ଡିସେମ୍ବର ବିପ୍ଳବକୁ ଶ୍ରମିକମାନଙ୍କର ଏକ ବୀରୋଚିତ ପଦକ୍ଷେପ ବୋଲି ଘୋଷଣା କରିବା ସଙ୍ଗେ ସଙ୍ଗେ ତଜ୍ଜନିତ ତ୍ରୁଟି ସମ୍ପର୍କରେ ମଧ୍ୟ ଲେନିନ୍ ଦେଶବାସୀଙ୍କୁ ଅବହିତ କରାଇଦେଇଥିଲେ । ଜାର ସରକାର ଡିସେମ୍ବର ବିଦ୍ରୋହକୁ ଦମନ କରିନେଇଥିଲେ ସୁଦ୍ଧା, ବିଦ୍ରୋହୀ ସଙ୍ଗଠନଗୁଡ଼ିକୁ ଉଚ୍ଛେଦ କରାଇଦେବା ତାଙ୍କ ପକ୍ଷରେ ସମ୍ଭବପର ନଥିଲା ଏବଂ ବିଭିନ୍ନ ପ୍ରାନ୍ତରେ ଧର୍ମଘଟ ଓ ହରତାଳ ବରାବର ଲାଗି ରହିଥିଲା । ଭବିଷ୍ୟତରେ ଏକ ବୃହତ୍ତର ଧର୍ମଘଟ ଓ ବିଦ୍ରୋହ ପାଇଁ ପ୍ରସ୍ତୁତ ହେବା ଲାଗି ଶ୍ରମିକ ସଙ୍ଗଠନଗୁଡ଼ିକ ନିଜ ନିଜ ମଧ୍ୟରେ ଏକତା ସ୍ଥାପନରେ ଲାଗିପଡ଼ିଲେ । ୧୯୦୬ ମସିହା ଏପ୍ରିଲ ମାସରେ ବଲ୍‍ ସେଭିକ୍‍ ଓ ମେନସେଭିକ୍‍ମାନଙ୍କର ଚତୁର୍ଥ କଂଗ୍ରେସ ସ୍ପିଡେନସ୍ଥ ଷ୍ଟକହମ୍ ସହରରେ ଅନୁଷ୍ଠିତ ହେଲା । ଲେନିନ୍ ଏଥର ଉଭୟ ଦଳ ମଧ୍ୟରେ ଐକ୍ୟ ପ୍ରତିଷ୍ଠା ପ୍ରତି ଗୁରୁତ୍ଵ ଦେଇଥିଲେ ଏବଂ ମେନସେଭିକମାନେ ସେମାନଙ୍କର ସୁବିଧା-ବାଦୀ ନୀତି ପରିହାର କରନ୍ତୁ ବୋଲି ପରାମର୍ଶ ଦେଇଥିଲେ । ଏହି ଅଧିବେଶନରେ ମେନସେଭିକମାନେ ସଂଖ୍ୟାଗରିଷ୍ଠ ଥିବାରୁ ସେମାନଙ୍କର ନୀତିଗୁଡ଼ିକୁ ଗୃହୀତ କରାଇନେଲେ ଏବଂ ଉଭୟ ଗୋଷ୍ଠୀ ମଧ୍ୟରେ ଐକ୍ୟ ସ୍ଥାପନ ସହଜସାଧ୍ୟ ହେଲା ନାହିଁ । ଲେନିନ୍ କିନ୍ତୁ ଏହିଭଳି ଏକ ପଦକ୍ଷେପଦ୍ଵାରା ବିବ୍ରତ ନହୋଇ ବଲ୍‍ ସେଭିକ୍‍ ଦଳକୁ ମଜଭୁତ୍ କରିବାରେ ଅଧିକ ତତ୍ପର ହୋଇ ଉଠିଲେ ଏବଂ ୧୯୦୭ ରେ ଲଣ୍ଡନଠାରେ ଅନୁଷ୍ଠିତ ପଞ୍ଚମ କଂଗ୍ରେସରେ ବହୁ ଗଠନମୂଳକ ପଦକ୍ଷେପ ଗ୍ରହଣ କଲେ । ଏହି ଅଧିବେଶନରେ ମେନସେଭିକମାନଙ୍କର ଗୁରୁତ୍ଵ ବହୁ-ପରିମାଣରେ ହ୍ରାସ ପାଇଥିଲା । ତତ୍ପରେ ଲେନିନ୍ ସେହି ବର୍ଷ ନିଜ ଦେଶକୁ ପ୍ରତ୍ୟାଗମନ କଲେ । କିନ୍ତୁ ସେଠାରେ ନିଜର ନିରାପତ୍ତା ଅସମ୍ଭବ ମନେକରି ସେ ସଙ୍ଗେ ସଙ୍ଗେ ଫିନ୍ଲାଣ୍ଡ ଦେଇ ପୁଣି ଜେନେଭା ଯାତ୍ରା କଲେ । ସେହି ସମୟରେ ରୁଷରେ ଗୁପ୍ତ ପୋଲିସ ଓ ମିଲିଟାରୀ ସହାୟତାରେ ବିପ୍ଳବୀ ସଙ୍ଗଠନ-ଗୁଡ଼ିକ ମଧ୍ୟରେ ଥିବା ସହଯୋଗକୁ ଭାଙ୍ଗି ଦିଆଯାଇ ହଜାର ହଜାର ଶ୍ରମିକନେତାଙ୍କୁ ଗିରଫ କରାଗଲା ଏବଂ ବହୁଲୋକଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଗଲା । ବଲ୍‍ ସେଭିକ୍‍ ପାର୍ଟି ସଙ୍ଗେ ସଙ୍ଗେ ଏକ ବିଭୀଷିକାର ସମ୍ମୁଖୀନ ହେଲା । ପାର୍ଟିର ପୁନଃ-ନିର୍ମାଣ ପାଇଁ ଲେନିନ୍ ମାକ୍ଜିମ୍ ଗର୍ଜି ପ୍ରମୁଖ ବିପ୍ଳବୀ ଲେଖକ-ମାନଙ୍କ ସହାୟତାରେ ‘ପ୍ରଲେଟାରୀ’ ପତ୍ରିକାଟିକୁ ପୁନର୍ବାର ପ୍ରକାଶ କଲେ ଏବଂ ରୁଷରେ ମଧ୍ୟ ତାର ପ୍ରବେଶ ନିମିତ୍ତ ଉଦ୍ୟମ କଲେ ।

 

ବହୁ ପ୍ରତିବନ୍ଧକ ଓ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ପାର୍ଟି କିପରି କାର୍ଯ୍ୟ କରିପାରିବ-ସେ ସମ୍ପର୍କରେ ବହୁ ଉପାଦେୟ ପଦକ୍ଷେପ ସେ ଉକ୍ତ ପତ୍ରିକା ଜରିଆରେ ପ୍ରକାଶ କଲେ । ପାର୍ଟିର ପ୍ରତିଷ୍ଠାକୁ କୌଣସି ମତେ ବଜାୟ ରଖିବା ହେଲା ଲେନିନ୍ ଓ ବଲସେଭିକମାନଙ୍କର ଉଦ୍ଦେଶ୍ୟ ଏବଂ ସେହି ଉଦ୍ଦେଶ୍ୟରେ ଗୋପନୀୟ ସଂସ୍ଥାଗୁଡ଼ିକୁ ଶକ୍ତିଶାଳୀ କରିବା ପାଇଁ ସେମାନେ ଚିନ୍ତା କଲେ ।

 

୧୯୦୮ ମସିହାରେ ଲେନିନ୍ ପ୍ୟାରିସକୁ ସ୍ଥାନାନ୍ତରିତ ହେବା ଫଳରେ ‘ପ୍ରଲେଟାରୀ’ ପତ୍ରିକାର ପ୍ରକାଶନୀ ମଧ୍ୟ ସ୍ଥାନାନ୍ତରିତ ହେଲା । ସେଠାରେ ସେ ଫରାସୀମାନଙ୍କର ସଭାରେ ରୁଷର ତତ୍କାଳୀନ ପରିସ୍ଥିତି ସମ୍ପର୍କରେ ବହୁଥର ଭାଷଣ ଦେଇଥିଲେ ଏବଂ ଫରାସୀ ଶ୍ରମ ବିପ୍ଳବର ଇତିହାସ ଅନୁଧ୍ୟାନ କରିଥିଲେ । ସ୍ଥାନୀୟ ଶ୍ରମିକମାନଙ୍କର ଅଧିବେଶନଗୁଡ଼ିକରେ ବରାବର ଉପସ୍ଥିତ ରହୁଥିଲେ । ପ୍ୟାରିସ୍ ଠାରେ ସେ ଅନ୍ୟ ଏକ ବୈଠକ ଡକାଇ ପାର୍ଟିକୁ ପୁନର୍ଜିବୀତ କରିବା ପାଇଁ ଶପଥ ନେଲେ ଏବଂ ମାର୍କସଙ୍କ ନୀତି ପ୍ରତି ଗଭୀର ଅନୁରକ୍ତି ପ୍ରକାଶ ପାଇଁ ସେ ସଦସ୍ୟମାନଙ୍କୁ ଆହ୍ୱାନ କଲେ । ସେଠାରେ ସେ “Materialism and Empirio-Criticism” ନାମକ ଖଣ୍ଡିଏ ପୁସ୍ତକ ରଚନା କରି ମାର୍କସବାଦୀ ଦର୍ଶନକୁ ପୁଣି ଥରେ ସୁସ୍ପଷ୍ଟ ଭାବରେ ବ୍ୟାଖ୍ୟା କଲେ ଏବଂ ବିରୋଧୀ ଗୋଷ୍ଠୀର ତ୍ରୁଟି ଓ ବିଚ୍ୟୁତି ସମ୍ପର୍କରେ ମଧ୍ୟ ରେଖାପାତ କଲେ । ପାର୍ଟିର ସଦସ୍ୟମାନେ ଏତଦ୍ଦ୍ଵାରା ମାର୍କସ ଦର୍ଶନ ସମ୍ପର୍କରେ ବହୁ ଉପାଦେୟ ଶିକ୍ଷା ଲାଭ କଲେ । ଟ୍ରଟସ୍କି ସହ ମତାନ୍ତର ଘଟିବା ପରେ ସେ ତାଙ୍କୁ ମଧ୍ୟ ସମାଲୋଚନା କରିଥିଲେ । ପାର୍ଟି ମଧ୍ୟରେ ଐକ୍ୟ ପ୍ରତିଷ୍ଠାକୁ ସେ ସବୁଠାରୁ ବେଶି ଗୁରୁତ୍ଵ ଦେଉଥିଲେ । ଶ୍ରମିକ ଓ କୃଷକମାନଙ୍କ ସହଯୋଗରେ ଏକ ମିଳିତ ବିପ୍ଳବୀ ଗୋଷ୍ଠୀ ଗଠନର ମୂଳପନ୍ଥା ସେ ଉଦ୍ଭାବନ କରିଥିଲେ । ଫଳରେ ତାଙ୍କୁ ରୁଷ ଓ ଅନ୍ୟାନ୍ୟ ଦେଶର ଜମିଜମା ସମସ୍ୟା ମଧ୍ୟ ଅନୁଧ୍ୟାନ କରିବାକୁ ପଡ଼ିଥିଲା । ଜମି ଉପରୁ ଜମିଦାର ଓ ପୁଞ୍ଜିପତିମାନଙ୍କ କର୍ତ୍ତୁତ୍ଵ ଲୋପ ପାଇଁ ତାହା ରାଷ୍ଟ୍ରାୟତ୍ତ କରାଯିବା ଉଚିତ ବୋଲି କହୁଥିଲେ ଏବଂ ତତ୍ ସମ୍ପର୍କୀୟ ପୁସ୍ତକ ମଧ୍ୟ ପ୍ରଣୟନ କରିଥିଲେ । ଆନ୍ତର୍ଜାତୀୟ ଶ୍ରମିକ ସଙ୍ଗଠନ ବୈଠକରେ ମଧ୍ୟ ସେ ଏକ ବିଶିଷ୍ଟ ଭୂମିକା ଗ୍ରହଣ କରିଥିଲେ । ଜାରଙ୍କର ଅନ୍ଧାରୀ ଶାସନ ମଧ୍ୟରେ ତାଙ୍କରି ପନ୍ଥା ହିଁ ସର୍ବହରାମାନଙ୍କୁ ଆଲୋକର ସନ୍ଧାନ ଦେଲା । ୧୯୧୦ ମସିହାରେ ସ୍ପିଡେନସ୍ଥ ଷ୍ଟକହୋମଠାରେ ଶେଷଥର ପାଇଁ ବୃଦ୍ଧାମାତାଙ୍କୁ ସାକ୍ଷାତ କରିଥିଲେ । ୧୯୧୭ ମସିହାରେ ଲେନିନ୍ ରୁଷକୁ ଫେରିଲାବେଳକୁ ସେ ଇହଧାମରୁ ବିଦାୟ ନେଇଥିଲେ । ବୃଦ୍ଧାମାତାଙ୍କୁ ସେ ଖୁବ୍ ସମ୍ମାନ କରୁଥିଲେ ।

 

୧୯୧୦ ମସିହାରେ ରୁଷର ଶ୍ରମିକ ସମ୍ପ୍ରଦାୟ ପୁଣି ଏକ ବ୍ୟାପକ ବିପ୍ଳବ ପାଇଁ ପ୍ରସ୍ତୁତ ହେବାକୁ ଲାଗିଲେ । ମସ୍କୋ, ସେଣ୍ଟ୍ ପିଟର୍ସବର୍ଗ ପ୍ରଭୃତି ସହରରେ ସେମାନଙ୍କର ଅନୁଷ୍ଠାନ ଅଧିକ ଶକ୍ତିଶାଳୀ ହେବାକୁ ଲାଗିଲା । ବିପ୍ଳବ ପାଇଁ ପ୍ରସ୍ତୁତି କ୍ରମେ ଗ୍ରାମାଞ୍ଚଳର କୃଷକମାନଙ୍କ ମଧ୍ୟରେ ବ୍ୟାପିଲା । ପ୍ୟାରିସଠାରେ ଲେନିନ୍ ଏକ ତାଲିମ୍ କେନ୍ଦ୍ର ପ୍ରତିଷ୍ଠା କରି ସେ ରୁଷ ବିପ୍ଳବ ସହ ସମ୍ପୃକ୍ତ କେତେକ ବିଶିଷ୍ଟ ନେତାଙ୍କୁ ଶିକ୍ଷାଦାନରେ ଲାଗିପଡ଼ିଲେ । ପ୍ୟାରିସଠାରେ ବିପ୍ଳବ ଶିକ୍ଷା ସମାପ୍ତ କରି ଦଳ ପରେ ଦଳ ବିପ୍ଳବୀ ନେତା ବିଦ୍ରୋହ ସଙ୍ଗଠନ ଉଦ୍ଦେଶ୍ୟରେ ରୁଷ ପ୍ରତ୍ୟାବର୍ତ୍ତନ କଲେ । ୧୯୧୨ ମସିହାରେ ସେ ପ୍ରାଗଠାରେ ଅନୁଷ୍ଠିତ ଏକ ପାର୍ଟି ବୈଠକରେ ଯୋଗଦେଇ ରୁଷ ବିପ୍ଳବର ଅଗ୍ରଗତି ସମ୍ପର୍କରେ ଖୁବ୍ ସନ୍ତୋଷ ପ୍ରକାଶ କରିଥିଲେ । ପ୍ରାଗ୍ର ଉକ୍ତ ବୈଠକଗୃହକୁ ପରବର୍ତ୍ତୀ କାଳରେ ଲେନିନ୍ ମ୍ୟୁଜିଅମରେ ପରିଣତ କରାଗଲା । ଅତି ସାଧାରଣ ଶ୍ରମିକ ଓ ଶୋଷିତ ଲୋକଙ୍କୁ ଲେନିନ୍ ନିଜର ବୋଲି ଜ୍ଞାନ କରୁଥିଲେ ଏବଂ ସଙ୍ଗେ ସଙ୍ଗେ ସେମାନଙ୍କର ପ୍ରିୟପାତ୍ର ହୋଇପଡ଼ୁଥିଲେ । ପ୍ରାଗ୍ ଅଧିବେଶନରେ ପାର୍ଟିର ସଙ୍ଗଠନ ଦିଗରେ ଲେନିନ୍ ଅତ୍ୟନ୍ତ ଉପାଦେୟ ଭୂମିକା ଗ୍ରହଣ କରିଥିଲେ ଏବଂ ବଲ୍‍ ସେଭିକ୍‍ ପାର୍ଟି ସେହିଦିନଠାରୁ ଏକ ଅଭିନବ ରୂପ ଧାରଣ କଲା ଏବଂ ସୁବିଧାବାଦୀ ମେନେସିଭିକାମନଙ୍କୁ ପାର୍ଟିରୁ ସମ୍ପୂର୍ଣ୍ଣ ବହିଷ୍କାର କରାଗଲା । ପାର୍ଟିର କେନ୍ଦ୍ର କମିଟିର ମୁଖ୍ୟ ରୂପେ ସେ ନିର୍ବାଚିତ ହେଲେ । ପ୍ରାଗ୍ ବୈଠକ ପରେ ପରେ ରୁଷରେ ଶ୍ରମିକ ବିପ୍ଳବ ଶକ୍ତିଶାଳୀ ହେଲା ଏବଂ ୧୯୧୨ ମସିହାରେ ସେଣ୍ଟ୍ ପିଟର୍ସବର୍ଗଠାରେ ବିଦ୍ରୋହୀ ସଙ୍ଗଠନର ମୁଖପତ୍ର ସ୍ୱରୂପ “ପ୍ରଭଦା” ଖବରକାଗଜ ପ୍ରକାଶିତ ହେଲା । ସାଇବେରିଆର ଲେନା ସୁନାଖଣିର ଶ୍ରମିକମାନଙ୍କୁ ଯେଉଁ ଭାବରେ ଦମନ କରାଗଲା, ତଦ୍ଦ୍ଵାରା ସମଗ୍ର ରୁଷରେ ଅସନ୍ତୋଷ ବ୍ୟାପିବାକୁ ଲାଗିଲା ଏବଂ ସାରା ଦେଶରେ ପ୍ରତିବାଦ ଧର୍ମଘଟମାନ ଅନୁଷ୍ଠିତ ହେଲା । ଲେନିନ୍ ରୁଷର ତତ୍କାଳୀନ ପରିସ୍ଥିତିରେ ରୁଷ ସୀମା ନିକଟବର୍ତ୍ତୀ ତ୍ରକୋ ସହରକୁ ନିଜ କର୍ମପୀଠ ଭାବରେ ବାଛିନେବାକୁ ସ୍ଥିର କରି ପ୍ୟାରିସରୁ ସେଠାକୁ ନିଜର କାର୍ଯ୍ୟାଳୟ ଉଠାଇନେଲେ ଏବଂ ପ୍ରଥମ ଯୁଦ୍ଧର ଆରମ୍ଭ ପର୍ଯ୍ୟନ୍ତ ସେଠାରେ ସେ ବାସ କରି ରୁଷ ବିପ୍ଳବକୁ ପ୍ରତ୍ୟକ୍ଷ ଭାବରେ ଉଜ୍ଜୀବିତ କରାଇଲେ । ତାହା ସଙ୍ଗେ ସଙ୍ଗେ ଲେନିନ୍ ସ୍ଥାନୀୟ ଶ୍ରମିକ ଓ କୃଷକ ସମସ୍ୟା ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରିବାରେ ଲାଗିଲେ; କାରଣ ବଲ୍‍ ସେଭିକ୍‍ ପାର୍ଟି ଓ ‘ପ୍ରଭଦା’ର ଅଭ୍ୟୁଦୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ବୋଲି ସେ ବିଶ୍ଵାସ କରିଥିଲେ । ତାହାରି ମାଧ୍ୟମରେ ଶ୍ରମିକ ଓ କୃଷକର ସକଳ ପ୍ରକାର ଦାବୀ ଉତଥାପନ କରାଯାଇ ଶୋଷିତ ସମାଜକୁ ଏକତ୍ରିତ କରାଯାଇପାରିବ ବୋଲି ମଧ୍ୟ ସେ ବିଶ୍ୱାସ କରିଥିଲେ । ତେଣୁ ପତ୍ରିକାର ପ୍ରତ୍ୟେକ ସଂଖ୍ୟାରେ ସେ ମାର୍କସବାଦୀ ପ୍ରବନ୍ଧ ପ୍ରକାଶ କରୁଥିଲେ । ପ୍ରାୟ ପ୍ରତ୍ୟେକ ପ୍ରବନ୍ଧରେ ସେ ରୁଷର ଦାରିଦ୍ର୍ୟ ସମ୍ପର୍କରେ ଜୀବନ୍ତ ଚିତ୍ରମାନ ଦେଇ ଶାସକ ଗୋଷ୍ଠୀକୁ ସେଥି ନିମିତ୍ତ ଦାୟୀ ବୋଲି ସମାଲୋଚନା କରୁଥିଲେ ଏବଂ ପୁଞ୍ଜିବାଦୀ ଶାସନରେ କୃଷି, ଶିଳ୍ପ ଓ ବିଜ୍ଞାନର ବିକାଶ ଆଶାଜନକ ହୋଇପାରେ ନାହିଁ ବୋଲି ଯୁକ୍ତି ପ୍ରଦର୍ଶନ କରିଥିଲେ । ନିଜର ପ୍ରବନ୍ଧ ଜରିଆରେ ସେ ଚୀନ ସମେତ ବିଶ୍ଵର ବିଭିନ୍ନ ଦେଶରେ ଜାଗ୍ରତ ଜାତୀୟବାଦୀ ଆନ୍ଦୋଳନକୁ ମଧ୍ୟ ଦୃଢ଼ ସମର୍ଥନ ଜଣାଉଥିଲେ । ଶ୍ରମିକ ସମାଜକୁ ଐକ୍ୟବଦ୍ଧ କରିବା ଦିଗରେ ପ୍ରଭଦାର ଭୂମିକା ସର୍ବଥା ପ୍ରଶଂସନୀୟ । ଅତି ଅଳ୍ପଦିନ ମଧ୍ୟରେ ପତ୍ରିକାଟି ପାର୍ଟିର ସଦସ୍ୟମାନଙ୍କ ମଧ୍ୟରେ ଖୁବ୍ ଆଦୃତ ହେବାକୁ ଲାଗିଲା ଏବଂ ପାର୍ଟିର ଏକ ବଳିଷ୍ଠ ଅସ୍ତ୍ର ରୂପେ ବ୍ୟବହୃତ ହେଲା ।

 

୧୯୧୨ ମସିହାରେ ରୁଷର ଚତୁର୍ଥ ଡୁମା (ପାର୍ଲାମେଣ୍ଟ) ପାଇଁ ନିର୍ବାଚନ ହେଲା । ବଲସେଭିକ୍‍ ପାର୍ଟି ଶ୍ରମିକ ଓ କୃଷକମାନଙ୍କ ସୁବିଧା, ପୁଞ୍ଜିପତିମାନଙ୍କର ଧନସମ୍ପଦ ରାଷ୍ଟ୍ରାୟତ୍ତ ଏବଂ ସର୍ବହରାର ଗଣତନ୍ତ୍ର ପ୍ରତିଷ୍ଠା ସମ୍ବଳିତ ଇସ୍ତାହାର ପ୍ରଣୟନ କଲା । ‘ପ୍ରଭଦା’ ଜରିଆରେ ଲେନିନ୍ ନିର୍ବାଚନବେଳେ ବଲସେଭିକ୍‍ ପାର୍ଟିକୁ ସଂଯତ ଭାବରେ ପରିଚାଳିତ କରାଇଲେ । ନିର୍ବାଚନରେ ବଲସେଭିକ୍‍ ପାର୍ଟି ଆଶାଜନକ ଅଗ୍ରଗତି କରିପାରିଥିଲା । ନିର୍ବାଚିତ ବଲସେଭିକ୍‍ ଡେପୁଟିମାନଙ୍କୁ ଉପଯୁକ୍ତ ରାଜନୈତିକ ଶିକ୍ଷା ଦେବା ଦିଗରେ ସେ ଉଦ୍ୟମ କଲେ ଏବଂ ଡୁମାରେ ଅର୍ଥନୈତିକ ଓ ରାଜନୈତିକ ସମସ୍ୟା ସମ୍ପର୍କରେ କିପରି ଆଲୋଚନା କରାଯିବ, ସେ ସମ୍ପର୍କରେ ମଧ୍ୟ ନିର୍ଦ୍ଦେଶ ଦେଲେ । ଫଳରେ ଡୁମାକୁ ଏକ ବିପ୍ଳବର ପୀଠ ରୂପେ ସେମାନେ ବ୍ୟବହାର କରିବାରେ ଲାଗିଲେ ଏବଂ ଜାର୍ ସରକାରଙ୍କୁ ସେମାନଙ୍କର ଶକ୍ତି ଓ ଭବିଷ୍ୟତରେ ଏକ ବ୍ୟାପକ ସଂଗ୍ରାମ ସମ୍ପର୍କରେ ସଚେତନ କରାଇ ଦେଲେ । ଫଳରେ ଡୁମାର ସ୍ଵାଧୀନ ସଦସ୍ୟମାନେ କ୍ରମେ ବଲସେଭିକ୍‍ ଦଳକୁ ସେମାନଙ୍କର ହାର୍ଦ୍ଦିକ ସମର୍ଥନ ଜଣାଇଲେ ।

 

୧୯୧୨ ମସିହାରେ ରାଜନୈତିକ ପରିବର୍ତ୍ତନ ବଲସେଭିକ୍‍ ପାର୍ଟି ପକ୍ଷରେ ଖୁବ୍ ସହାୟକ ହେଲା ଏବଂ ଏପରିକି ଉନ୍ନତ ରାଷ୍ଟ୍ରଗୁଡ଼ିକ ବି ପାର୍ଟିର ଗୁରୁତ୍ଵ ଉପଲବ୍ଧି କରିବାରେ ଲାଗିଲା । ଏ ମଧ୍ୟରେ ୧୯୧୩ ମସିହରେ ଶ୍ରୀମତୀ କୃପାସ୍କାୟାଙ୍କ ସ୍ଵାସ୍ଥ୍ୟଭଙ୍ଗ ହେବାରୁ ତାଙ୍କର ପରିଚର୍ଯ୍ୟା ପାଇଁ ସୁଇଜରଲାଣ୍ଡ୍ ନେବାକୁ ପଡ଼ିଲା ଏବଂ ସେ ସମୟ ମଧ୍ୟରେ ସେ ସୁଇଜରଲ୍ୟାଣ୍ଡ୍ ଓ ଫ୍ରାନସରେ ରୁଷର ରାଜନୈତିକ ଘଟଣାବଳୀ ସମ୍ପର୍କରେ ଭାଷଣ ଦେଇଥିଲେ । ସମଗ୍ର ବିଶ୍ଵର ଶ୍ରମିକମାନେ ଏକଜୁଟ୍ ହୁଅନ୍ତୁ ବୋଲି ଯୁକ୍ତି ବାଢ଼ି ସେ ଏକ ଆନ୍ତର୍ଜାତୀୟ ସର୍ବହରା ସଂଗଠନ ଦିଗରେ ମଧ୍ୟ ଆଗ୍ରହ ଦର୍ଶାଇଥିଲେ ଏବଂ ବଲସେଭିକ୍‍ ପାର୍ଟି ଜରିଆରେ ତାହା ସମ୍ଭବ ବୋଲି ପ୍ରକାଶ କରିଥିଲେ ।

 

୧୯୧୪ ମସିହାରେ ପ୍ରାୟ ୧୫ ଲକ୍ଷ ଯାଏ ଶ୍ରମିକ ପୁଞ୍ଜିପତିମାନଙ୍କର ବିରୁଦ୍ଧରେ ଏକ ଧର୍ମଘଟରେ ଯୋଗ ଦେଇଥିଲେ । ଅର୍ଥନୈତିକ କାରଣରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷର ମାତ୍ରା ବୃଦ୍ଧି ପାଇଥିଲା । ପ୍ରଥମ ଯୁଦ୍ଧ ଆରମ୍ଭରେ ଲେନିନ୍ ପୁରୋନିନୋଠାରେ ଅବସ୍ଥାନ କରୁଥିଲେ ଏବଂ ଯୁଦ୍ଧ ପରେ ପରେ ଅଷ୍ଟ୍ରିଆ ସରକାର ତାଙ୍କୁ ଗୁପ୍ତଚର ଅଭିଯୋଗରେ ଗିରଫ କଲେ ଓ ଦୁଇ ସପ୍ତାହ ପରେ ତାଙ୍କୁ ଛାଡ଼ି ଦିଆଗଲା । ସେଠାରୁ ସେ ସୁଇଜରଲ୍ୟାଣ୍ଡ୍ ପଳାୟନ କରି ୧୯୧୭ ମସିହାରେ ଜୁରିଚାଠାରେ ପହଞ୍ଚିଲେ । ଯୁଦ୍ଧରେ ଏକ ପକ୍ଷରେ ଜର୍ମାନୀ, ଅଷ୍ଟ୍ରିଆ, ହଙ୍ଗେରୀ ଏବଂ ଅନ୍ୟ ପକ୍ଷରେ ଇଂଲଣ୍ଡ, ଫ୍ରାନସ୍ ଓ ରୁଷିଆ ଲଢ଼ୁଥିଲେ । ପରେ ପରେ ଯୁକ୍ତରାଷ୍ଟ୍ର ଆମେରିକା, ଜାପାନ ପ୍ରଭୃତି ଯୁଦ୍ଧରେ ଯୋଗଦାନ କଲେ ।

 

ଉକ୍ତ ଯୁଦ୍ଧକୁ ପୁଞ୍ଜିପତି ରାଷ୍ଟ୍ରମାନଙ୍କ ଦ୍ଵାରା ଆୟୋଜିତ ଯୁଦ୍ଧ ବୋଲି ସେ ପରିଷ୍କାର ଘୋଷଣା କରି ପୁଞ୍ଜିପତି ମାନଙ୍କୁ ଉଚ୍ଛେଦ ଅର୍ଥେ ଆତ୍ମବଳୀ ଦେବା ପାଇଁ ବଲ୍ ସେଭିକମାନଙ୍କୁ ନିର୍ଦ୍ଦେଶ ଦେଲେ ଏବଂ ଆନ୍ତର୍ଜାତିକ ଯୁଦ୍ଧ ସାଙ୍ଗକୁ ଏକ ଗୁହଯୁଦ୍ଧର ସୃଷ୍ଟି ପାଇଁ ମଧ୍ୟ ସେମାନଙ୍କୁ ପରାମର୍ଶ ଦେଲେ । କେବଳ ରୁଷରେ ନୁହେଁ, ବିଶ୍ଵରେ ସର୍ବତ୍ର ସମାଜବାଦୀ ମାନେ ଏହିଭଳି ଉପାୟ ଅବଲମ୍ବନ କରନ୍ତୁ ବୋଲି ସେ ଆହ୍ଵାନ ଜଣାଇଲେ ଏବଂ ବଲ୍‍ ସେଭିକ୍‍ ଦଳର ଇସ୍ତାହାରକୁ ବୈଦେଶିକ ଭାଷାରେ ଅନୂଦିତ କରି ତାହାକୁ ବିଭିନ୍ନ ଦେଶକୁ ମଧ୍ୟ ପଠାଇଥିଲେ । ବାସ୍ତବ ରୁଷ ଜାତୀୟତା ଦ୍ଵାରା ରୁଷରେ ଶୋଷିତ ସମାଜ ଉଦ୍‍ବୃଦ୍ଧ ହୁଅନ୍ତୁ ସେମାନଙ୍କୁ ଏହାଥିଲା ତାଙ୍କର ମୌଳିକ ନିର୍ଦ୍ଦେଶ । ମହାନ୍ ଓ ସାହସୀ ଜାତିର ସନ୍ତାନ ବୋଲି ତାଙ୍କର ଅସୀମ ଗର୍ବବୋଧ ଥିଲା । ‘ପୁଞ୍ଜିପତିମାନଙ୍କର ଉଦ୍ୟମକୁ ଚୂର୍ଣ୍ଣୀଭୂତ କରି ପିତୃଭୂମିକୁ ରକ୍ଷାକର’ -ଏହା ହିଁ ଥିଲା ଲେନିନ୍‍ଙ୍କର ଦେଶବାସୀଙ୍କୁ ଚରମ ନିର୍ଦ୍ଦେଶ ।

 

୧୯୧୫ ମସିହାରେ ଲେନିନ୍ ବଲ୍ ସେଭିକ୍ ପାର୍ଟିର ଅନ୍ୟ ଏକ ବୈଠକ ରୁଷ ବାହାରେ ଡକାଇ ଯୁଦ୍ଧର ବାସ୍ତବ ଉଦ୍ଦେଶ୍ୟ ସମ୍ପର୍କରେ ସେ ପାର୍ଟି ନେତାମାନଙ୍କୁ ବୁଝାଇଥିଲେ ଏବଂ ଯୁଦ୍ଧ ବେଳେ ସମାଜବାଦୀମାନଙ୍କର ବାସ୍ତବ କର୍ତ୍ତବ୍ୟ ସମ୍ପର୍କରେ ସେ ସେମାନଙ୍କୁ ସଚେତନ କରାଇ ନେଲେ । ତତ୍ ସଙ୍ଗେ ସଙ୍ଗେ ସୁଇଜରଲ୍ୟାଣ୍ଡରେ ମଧ୍ୟ ବଲ୍ ସେଭିକ୍ ଦଳର କାର୍ଯ୍ୟକ୍ରମକୁ ପ୍ରଚାର କଲେ । “soclalism and war” ନାମକ ଏକ ଗ୍ରନ୍ଥରେ ତାଙ୍କ ଦଳର ଯୁଦ୍ଧକାଳୀନ କାର୍ଯ୍ୟକଳାପକୁ ସେ ଉଲ୍ଲିଖିତ କଲେ । ଯୁଦ୍ଧ ସମୟରେ ଦେଶ ଦେଶ ମଧ୍ୟରେ ଉପୁଜିଥିବା ପରିସ୍ଥିତି ସତ୍ତ୍ଵେ ବି ତାଙ୍କର କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇ ନଥିଲା । ତାଙ୍କର ପରାମର୍ଶ ଗ୍ରହଣ କରି ବଲ୍‍ ସେଭିକ୍‍ ପାର୍ଟି ଯୁଦ୍ଧ ବିରୋଧୀ ମନୋଭାବ ସୃଷ୍ଟି କରିବାରେ ଲାଗିଲେ । ପଶ୍ଚିମ ୟୁରୋପର ବାମପନ୍ଥୀ ଦଳଗୁଡ଼ିକ ସହ ତାଙ୍କର ସମ୍ପର୍କ ବୃଦ୍ଧି ପାଇବାକୁ ଲାଗିଲା । ପ୍ରବନ୍ଧ ଲେଖାଲେଖିରୁ ଯାହା କିଛି ଆୟ ହୋଇଥିଲା, ସେଥିରେ ସେ ବେଶ୍ ବଞ୍ଚିଯାଇ ପାରୁଥିଲେ; କିନ୍ତୁ ତାଙ୍କର ଯୁଦ୍ଧ ବିରୋଧୀ ପୁସ୍ତକ ପ୍ରକାଶ ପାଇ ବ୍ୟବସାୟୀ ପୁସ୍ତକ ପ୍ରତିଷ୍ଠାନଗୁଡ଼ିକୁ ବିଶେଷ ଆସକ୍ତି ପ୍ରକାଶ କରିନଥିଲେ ।

 

ୟୁରୋପରେ ସେ ଅତି ସରଳ ଜୀବନ ଯାପନ କରୁଥିଲେ । ମାର୍କସ ଓ ଏଞ୍ଜୋଲସ‌୍‍ଙ୍କର କୃତୀଗୁଡ଼ିକୁ ବହୁଥର ପାଠକରି ସେ ସେଥିରେ ଗଭୀର ଜ୍ଞାନ ହାସଲ କରିଥିଲେ । ୟୁରୋପର ବହୁ ସହରରେ ସେ ରୁଷ ସରକାରଙ୍କର ବିରୋଧରେ ତଥ୍ୟପୂର୍ଣ୍ଣ ଭାଷଣମାନ ଦେଉଥିଲେ । କୈଟସ୍କି ଓ ଟ୍ରଟସ୍କିଭଳି ରୁଷରେ ମଧ୍ୟମପନ୍ଥୀ ନେତାଙ୍କ ମଧ୍ୟ ସମାଲୋଚନା କରିବାକୁ ସେ ପଛଘୁଞ୍ଚା ଦେଇନଥିଲେ । ତାଙ୍କର “soclalism and war” (ସମାଜବାଦ ଓ ଯୁଦ୍ଧ) ପୁସ୍ତକରୁ ଦଳୀୟ ନେତାଏ ବିଶେଷ ଅନୁପ୍ରେରଣା ଲାଭ କରିଥିଲେ ଏବଂ ଯୁଦ୍ଧ ସମ୍ପର୍କୀୟ ତାଙ୍କର ନୀତି ସମସ୍ତଙ୍କୁ ବିଶେଷ ଆକର୍ଷଣ କରିଥିଲା । ‘ପ୍ରଭଦା’ ପତ୍ରିକା ସହସ୍ର ସଂଖ୍ୟକ ରୁଷ ଶ୍ରମିକଙ୍କୁ ଲେନିନ୍‍ଙ୍କ ନୀତି ସମ୍ପର୍କରେ ଶିକ୍ଷା ଦେବାକୁ ଲାଗିଲା ଏବଂ ଜାର୍ଙ୍କର କାର୍ଯ୍ୟନୁଷ୍ଠାନକୁ ଖାତିର ନକରି ରୁଷବାସୀ ତାଙ୍କ ବିରୁଦ୍ଧରେ ଦୃଢ଼ ସ୍ଵର ଉତ୍ତୋଳନ କରିଥିଲେ । ୟୁରୋପର ବାମପନ୍ଥୀ ଦଳଗୁଡ଼ିକୁ ପୁଞ୍ଜିପତି ଶାସନ ବିରୁଦ୍ଧରେ ଏକଜୁଟ ହେବା ପାଇଁ ଅନୁରୋଧ ଜଣାଇ ଲେନିନ୍ ପତ୍ରପ୍ରେରଣା କରିଥିଲେ ଏବଂ କିନ୍ଥାଲଠାରେ ଅନୁଷ୍ଠିତ ଆନ୍ତର୍ଜାତିକ ବାମପନ୍ଥୀ ସମ୍ମେଳନରେ ସେ ଦିଗରେ କେତେକ ପନ୍ଥା ମଧ୍ୟ ଗ୍ରହଣ କରାଇ ନେଇଥିଲେ ।

 

କୃଷକମାନଙ୍କର ସର୍ବପ୍ରଥମ ବୈଠକରେ ଲେନିନ୍ ସେମାନଙ୍କୁ ଏକଜୁଟ ହୋଇ ପୁଞ୍ଜିପତି ଓ ଜମିଦାର ମାନଙ୍କର ଜମିକୁ ବଳପୂର୍ବକ ଛଡ଼ାଇ ଆଣିବା ନିମିତ୍ତ ପରାମର୍ଶ ଦେଲେ ଏବଂ ପ୍ରଭଦା ଜରିଆରେ ତାହା ରୁଷସାରା ପ୍ରସାରିତ କରିଥିଲେ । ଫଳରେ କୃଷକମାନେ ଖୋଲାଖୋଲି ଶାସନକଳ ବିରୁଦ୍ଧରେ କହିବାକୁ ଲାଗିଲେ । ତତ୍ପରେ ଜାର୍ ସରକାର ଲେନିନ୍‍ଙ୍କୁ ଏକ ବେଆଇନ ବ୍ୟକ୍ତି ଭାବେ ଘୋଷଣା କରି ବିଦେଶରେ ତାଙ୍କୁ ଗିରଫ କିମ୍ବା ହତ୍ୟା କରିବା ପାଇଁ ବହୁ କୈାଶଳ ଅବଲମ୍ବନ କରିଥିଲେ । ଫଳରେ ତାଙ୍କୁ ଦୀର୍ଘଦିନ ଧରି ଗୋପନରେ ରହିବାକୁ ପଡ଼ିଥିଲା । ଏହିଭଳି ଅବସ୍ଥାରେ ରହି ମଧ୍ୟ ସେ ୧୯୧୭ ରେ ପାର୍ଟିର ଷଷ୍ଠ ଅଧିବେଶନ ଉଡ଼ାଇ ତାର ପରିଚାଳନା କରାଇଥିଲେ । ଉକ୍ତ ଅଧିବେଶନରେ ପୁଣି ଥରେ ତାଙ୍କୁ ଚେୟାରମେନ ରୂପେ ନିର୍ବିଚିତ କରାଯାଇ ତାଙ୍କର ପରାମର୍ଶକୁ ଗ୍ରହଣ କରାଗଲା । ଶ୍ରମିକ, କୃଷକ, ଛାତ୍ର ଓ ସେନାବାହିନୀ ସେତେବେଳେ ରୁଷର ଅସନ୍ତୁଷ୍ଟ ବାହିନୀର ଅନ୍ତର୍ଭୁକ୍ତ ଥିଲେ । ଏମାନେ ସମସ୍ତେ ଏକ ସାମରିକ ବିପଦ ପାଇଁ ପ୍ରସ୍ତୁତ ହେବାକୁ ଲାଗିଲେ । ଶ୍ରମିକମାନେ ଗୋପନରେ ଅସ୍ତ୍ରଶିକ୍ଷା କରିବାରେ ଲାଗିଲେ । ଏହି ସମୟରେ ଦେଶରେ ରୁଟି, ମାଂସ, ଚିନି ଇତ୍ୟାଦି ଖାଉଟି ଜିନିଷର ଅଭାବ ପରିଲକ୍ଷିତ ହୋଇ ଦୁର୍ଭିକ୍ଷ ଅବସ୍ଥା ସୃଷ୍ଟି ହୋଇଥିଲା । ବୁର୍ଜୁଆ ପୁଞ୍ଜିପତିମାନେ ସେମାନଙ୍କର ଲାଭ ଦୃଷ୍ଟିରୁ ଅବସ୍ଥାକୁ ସାଙ୍ଘାତିକ ଭାବେ ବଢ଼ାଇ ଦେଇଥିଲେ । ବିପ୍ଳବର ସୂତ୍ରପାତବେଳେ ଶତ୍ରୁମାନଙ୍କ ପ୍ରତି ସାବଧାନ ହେବାକୁ ଲେନିନ୍ ବିପ୍ଳବୀମାନଙ୍କୁ ପରାମର୍ଶ ଦେଇଥିଲେ ଏବଂ ବଲ୍‍ ସେଭିକମାନେ ରୁଷର ଶାସନ କ୍ଷମତା ଆହରଣ କରିବା ଉଚିତ ବୋଲି ମତ ଦେଇଥିଲେ । ସତକୁ ସତ ବଲ୍ ସେଭଳି ପାର୍ଟି ଏକ ସଶସ୍ତ୍ର ବିଦ୍ରୋହ ପାଇଁ ପ୍ରସ୍ତୁତ ହେବାକୁ ଲାଗିଲା ଏବଂ ପେଟ୍ରୋଗାଡ଼ ସହରରେ ଶ୍ରମିକମାନେ ଯୁଦ୍ଧବିଦ୍ୟା ଶିକ୍ଷା କରିବା ପାଇଁ ବାହାରିପଡ଼ିଲେ । ଲେନିନଙ୍କୁ ଏତିକିବେଳେ ଫିନଲାଣ୍ଡରେ ଲୁକ୍କାୟିତ ଭାବରେ ରହିବାକୁ ପଡ଼ୁଥିଲା-। ବିଦ୍ରୋହକୁ ସଫଳତା କରିବା ଉଦ୍ଦେଶ୍ୟରେ ସେ ରୁଷ ସୀମାର ନିକଟବର୍ତ୍ତୀ ହେଲେ । ପରେ ପରେ ସେ ଗୋପନରେ ପେଟ୍ରୋଗ୍ରାଡ଼ଠାରେ ପହଞ୍ଚି ବିଦ୍ରୋହର ପରିଚାଳନା ନିଜ ହାତକୁ ନେଲେ ଏବଂ ଆଉ ବିଶେଷ ବିଳମ୍ବ ନକରି ସଙ୍ଗେ ସଙ୍ଗେ ଜାର୍ ଶାସନର ଅବସାନ ଘଟାଇବା ପାଇଁ ସେ ବଦ୍ଧପରିକର ହେଲେ ଏବଂ ପାର୍ଟି ନେତାମାନଙ୍କୁ ନିଜର ଗୁପ୍ତ ରହଣିସ୍ଥଳକୁ ଡକାଇ ତାଲିମ ଦେବାକୁ ଲାଗିଲେ । ବିପ୍ଳବ ବ୍ୟତୀତ ଆଉ କୌଣସି କଥା ଚିନ୍ତା କରିବା ପାଇଁ ତାଙ୍କର ସମୟ ନଥିଲା ଏବଂ ତାଙ୍କର ଇଙ୍ଗିତରେ ଦେଶସାରା ବିପ୍ଳବର ଆୟୋଜନ ଚାଲିଲା । ବିପ୍ଳବର ବିରୋଧୀମାନଙ୍କୁ ସେ ଦେଶଦ୍ରୋହୀ ବୋଲି ପ୍ରକାଶରେ ଘୋଷଣା କରିଥିଲେ । ସୋଲନି ନାମକ ଏକ ସହର ବିପ୍ଳବର କେନ୍ଦ୍ର ରୂପେ ପରିଗଣିତ ହେଲା । କୃଷକ, ଶ୍ରମିକ ଏବଂ ଲାଲରକ୍ଷୀମାନଙ୍କର ସମାବେଶରେ ସେଠାର ପରିବେଶ ଖୁବ୍ ସରଗରମ ହେବାକୁ ଲାଗିଲା । ବିପ୍ଳବୀମାନେ ଦେଶର ବିଭିନ୍ନ ସ୍ଥାନ ଦଖଲ କରି ଟେଲିଗ୍ରାଫ୍ ଅଫିସ୍, ରେଡ଼ିଓ ଷ୍ଟେସନ ଏବଂ ରେଳବାଇ ଉପରେ ଅଧିକାର ସାବ୍ୟସ୍ତ କଲେ । ବିପ୍ଳବ ସଫଳ ହେଲା ଏବଂ ଅକ୍ଟୋବର ୨୫ ତାରିଖରେ ବିପ୍ଳବୀମାନେ “ୱଣ୍ଟର ପାଲେସ” ଅଧିକାର କରି ସରକାରୀ ପ୍ରତିନିଧିମାନଙ୍କୁ ଗିରଫ କଲେ । ଲେନିନଙ୍କର ଦୃଢ଼ ନେତୃତ୍ୟ ଅକ୍ଳାନ୍ତ ଶ୍ରମ ଓ ଅନନ୍ତ ବୁଦ୍ଧିମତ୍ତା ଫଳରେ ବିପ୍ଳବ ସଫଳ ହେଲା । ଏହାକୁ ଅକ୍ଟୋବର ବିପ୍ଳବ ବୋଲି ବିପ୍ଳବୀମାନେ କହିଥାନ୍ତି । ସରକାରୀ କଳକୁ ଭଣ୍ଡୁର କରିଦେବା ପରେ ଲେନିନ୍ ପ୍ରକାଶରେ ନିଜର ଉପସ୍ଥିତି ଘୋଷଣା କରିଥିଲେ । ଲୋକଙ୍କ ମଧ୍ୟରେ ସେତେବେଳେ ଆନନ୍ଦ ଓ ଉତ୍ସାହର ବାତ୍ୟା ବହିଗଲା । ଅକ୍ଟୋବର ବିପ୍ଳବର ବିଜୟ ବିଶ୍ୱବାସୀଙ୍କ ଆଗରେ ଏକ ନୂତନ ଇତିହାସ ସୃଷ୍ଟି କଲା ।

 

ଯୁଦ୍ଧ ପରେ ଲେନିନ୍ ସୋଭିଏଟ୍‍ମାନଙ୍କର ବିରାଟ ଅଧିବେଶନ ଡକାଇ ଦେଶରେ ଶାସନକଳର ସ୍ଥାପନା ସମ୍ପର୍କରେ ଭାଷଣ ଦେଇଥିଲେ ଏବଂ ସଙ୍ଗେ ସଙ୍ଗେ ଶାନ୍ତି ସ୍ଥାପନ କରି ନିର୍ମାଣ ପଥରେ ରୁଷକୁ ଅଗ୍ରଗାମୀ କରାଇବା ପାଇଁ ସେମାନଙ୍କୁ ପରାମର୍ଶ ଦେଲେ । ବିପ୍ଳବ ପରେ ପରେ ବିଶ୍ଵର ଅନ୍ୟାନ୍ୟ ସମାଜବାଦୀ ରାଷ୍ଟ୍ରମାନଙ୍କ ସହ ଶାନ୍ତିପୂର୍ଣ୍ଣ ସହଯୋଗ ସ୍ଥାପନ କରିବା ପାଇଁ ପ୍ରସ୍ତାବ ଧାର୍ଯ୍ୟ ହେଲା ଏବଂ ଦେଶ ମଧ୍ୟରେ ଜମିଦାରମାନଙ୍କର ଜମିଜମା ସ୍ଵତ୍ଵକୁ ଉଚ୍ଛେଦ କରାଗଲା । ଶ୍ରମିକ ଶ୍ରେଣୀ କୃଷିଯୋଗ୍ୟ ଜମି ଅଧିକାର କଲେ ଏବଂ ସେମାନଙ୍କର ଦୀର୍ଘ ଦିନର ଅଭିଳାଷ ଚରିତାର୍ଥ ହେଲା । ତତ୍ପରେ ରୁଷରେ କୃଷକ ଓ ଶ୍ରମିକମାନଙ୍କର ସରକାର ଗଠିତ ହେଲା ଏବଂ ଲେନିନ୍ ତାର ଚେୟାରମେନ୍ ରୂପେ ନିର୍ବାଚିତ ହେଲେ । ପ୍ରଥମ ମହାସମର ଏତିକିବେଳେ ଅବସାନ ହୋଇନଥାଏ । ବହୁ ପୁଞ୍ଜିପତି ରାଷ୍ଟ୍ର ସମାଜବାଦୀ ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ଉଦ୍ୟମ କରି ଶାସନରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଲାଗିଲେ । କିନ୍ତୁ ଲେନିନ୍‍ଙ୍କ ବଳିଷ୍ଠ ନେତୃତ୍ଵ ଯେ କୌଣସି ପରିସ୍ଥିତିରେ ସମ୍ମୁଖୀନ ହେବା ପାଇଁ ଜନତାକୁ ସାହସ ଯୋଗାଇଥିଲା । ଜନପ୍ରିୟ ନେତା ଲେନିନ୍‍ଙ୍କ ସହ ସାକ୍ଷାତ ପାଇଁ ରୁଷର ବିଭିନ୍ନ ପ୍ରାନ୍ତରୁ ଶ୍ରମିକ ଓ କୃଷକମାନେ ସୁଲୋନିଠାରେ ସମବେତ ହେବାକୁ ଲାଗିଲେ ଏବଂ ଲେନିନ୍ ପ୍ରତ୍ୟେକ ଲୋକର ସୁଖ ସୁବିଧା ବୁଝି ଦେଶ ଗଠନ ଦିଗରେ ସହାୟତା କରିବା ପାଇଁ ସେମାନଙ୍କୁ ପରାମର୍ଶ ଦେଲେ । ଦେଶର ସେନାବାହିନୀରେ ଗୁରୁତର ସଂସ୍କାର ଏବଂ ସାମାଜିକ ସ୍ତରରେ ବିବିଧ ପରିବର୍ତ୍ତନ ଅଣାଗଲା । ସର୍ବୋପରି ଦେଶର ଉତ୍ପାଦନ ଓ ବଣ୍ଟନ କ୍ଷେତ୍ରରେ ଶ୍ରମିକମାନଙ୍କର କର୍ତ୍ତୁତ୍ଵ ସ୍ଥାପନ କରି ସେ କ୍ଷେତ୍ରରେ ଏକ ଅଭୂତପୂର୍ବ ସଂସ୍କାର ଅଣାଗଲା । ଲେନିନଙ୍କ ପରାମର୍ଶକ୍ରମେ ଦେଶର ସମ୍ବିଧାନ ପ୍ରଣୟନ କରାଗଲା ଓ ଶୋଷିତ କୃଷକ ଏବଂ ଶ୍ରମିକମାନଙ୍କ ମଧ୍ୟରେ ଐକ୍ୟ ସ୍ଥାପନ କରାଯାଇ ଶାସନ କଳକୁ ଦୃଢ଼ କରାଗଲା । ସମାଜବାଦୀ ଶାସନର ଅଗ୍ରଗତି ସଙ୍ଗେ ସଙ୍ଗେ ପୁଞ୍ଜିପତି ଓ ଶୋଷକମାନଙ୍କର ସମସ୍ତ ଅଧିକାରକୁ ନିର୍ମୂଳ କରାଗଲା ଓ ଶ୍ରମିକମାନଙ୍କ ମଧ୍ୟରେ ଶୃଙ୍ଖଳା ସ୍ଥାପନ ପାଇଁ ବହୁ ପ୍ରକାର ବ୍ୟବସ୍ଥା ଅବଲମ୍ବନ କରାଗଲା । ୧୯୧୮ ମସିହାରେ କେତେକ ବ୍ୟବସାୟୀ ଖାଦ୍ୟ ମହଜୁଦ ରଖି ଦେଶରେ ଖାଦ୍ୟାଭାବ ସୃଷ୍ଟି କଲେ । କିନ୍ତୁ ଲେନିନଙ୍କର ଆହ୍ଵାନକ୍ରମେ ଶ୍ରମିକ ଓ କୃଷକମାନେ ଏକଜୁଟ ହୋଇ ମହଜୁଦକାରୀଙ୍କୁ ମୂଳପୋଛ କରିବା ସଙ୍ଗେ ସଙ୍ଗେ ଦେଶରେ ଖାଦ୍ୟ ଉତ୍ପାଦନ ବୃଦ୍ଧି କରିବାରେ ଲାଗିପଡ଼ିଲେ । ତତ୍ ପରେ ପରେ ଲେନିନ୍ ଲାଲସେନାଙ୍କୁ ଶକ୍ତିଶାଳୀ କରି ଗଢ଼ି ରୁଷରେ ଗୃହଯୁଦ୍ଧ ସୃଷ୍ଟି କରିବା ଉଦ୍ୟମକୁ ଧୂଳିସାତ୍ କଲେ । ଲାଲସେନାଙ୍କର ଆତ୍ମବିଶ୍ଵାସ ଦୃଢ଼ ହେଲା ଏବଂ ପରବର୍ତ୍ତୀ ସମୟରେ ସେମାନେ ବିଶ୍ଵରେ ଶ୍ରେଷ୍ଠ ସେନାନୀ ରୂପେ ପ୍ରତିଭାତ ହେଲେ । ରୁଷର ସମସ୍ତ ଜନତା ଲେନିନଙ୍କ ଉଦ୍ୟମକୁ ଅକୁଣ୍ଠ ସମର୍ଥନ ଜଣାଇ ସୈନ୍ୟବାହିନୀକୁ ଶକ୍ତିଶାଳୀ କରିବାରେ ଲାଗିଲେ । ବଲସେଭିକ୍‍ ପାର୍ଟିର ଅଷ୍ଟମ କଂଗ୍ରେସ ଡକାଇ ଲେନିନ୍ ସେଥିରେ ସମାଜବାଦକୁ ଦୃଢ଼ୀଭୂତ କରିବା ପାଇଁ କେତେକ ଉପାଦେୟ ପଦକ୍ଷେପ ଗୃହୀତ କରାଇ ନେଇଥିଲେ । ରୁଷର ଶ୍ରମିକସମାଜ ଲେନିନଙ୍କୁ ନିଜର ମୁକ୍ତିଦାତା ରୂପେ ସ୍ଵୀକାର କରି ବିଭିନ୍ନ ଶିଳ୍ପାନୁଷ୍ଠାନକୁ ତାଙ୍କ ନାମରେ ନାମିତ କରିବାରେ ଲାଗିଲେ ।

 

ରୁଷର ଶ୍ରମିକ ଓ କୃଷକମାନଙ୍କର ସର୍ବବିଧ ଉନ୍ନତି ନିମିତ୍ତ ଲେନିନ୍ ନିଜର ଜୀବନକୁ ଉତ୍ସର୍ଗ କରିଦେଇଥିଲେ । ସେ ଦିନେହେଲେ ନିଜର ସୁଖ ଓ ସୁବିଧା ପାଇଁ ଉଦବେଗ ପ୍ରକାଶ କରିନଥିଲେ ଏବଂ ଅନ୍ୟାନ୍ୟ କୃଷକମାନଙ୍କ ପରି ଉତ୍ତାପହୀନ ଥଣ୍ଡା ଗୃହରେ ବାସ କରୁଥିଲେ । ଶ୍ରମିକମାନେ ତାଙ୍କୁ ଅତି ଆପଣାର ପରି ଜ୍ଞାନ କରୁଥିଲେ ଏବଂ ତାଙ୍କର ସରଳ ଜୀବନ ଓ ଅକ୍ଳାନ୍ତ ଶ୍ରମ ଶ୍ରମିକମାନଙ୍କୁ ବିସ୍ମିତ କରି ପକାଉଥିଲା । ରୁଷର ଜନତାଙ୍କ ଉପରେ ଲେନିନଙ୍କର ଗଭୀର ଆସ୍ଥା ଥିଲା । ରୁଷ ବିପ୍ଳବର ସଫଳତା ପରେ ପରେ ଜର୍ମାନୀ, ଅଷ୍ଟ୍ରିଆ, ଫିନଲାଣ୍ଡ, ହଙ୍ଗେରୀ ଓ ପୋଲାଣ୍ଡରେ କମ୍ୟୁନିଷ୍ଟ ପାର୍ଟି ସ୍ଥାପିତ ହେଲା । ୧୯୧୮ ମସିହାରେ ମସ୍କୋଠାରେ ଏକ ବିଶ୍ଵ କମ୍ୟୁନିଷ୍ଟ ଅଧିବେଶନ ଡକାଇ ରୁଷ ବିଳ୍ପବରେ ଶ୍ରମିକମାନଙ୍କ ଭୂମିକା ସମ୍ପର୍କରେ ସେ ବିଶଦ୍ ଆଲୋଚନା କରିଥିଲେ ଏବଂ ବିଶ୍ଵର ଶ୍ରମିକମାନେ ଏକଜୁଟ ହୋଇ ପୁଞ୍ଜିପତି ଶାସନକୁ ହଟାଇବା ପାଇଁ ସେ ଆହ୍ୱାନ ଦେଲେ । ସେ ଥିଲେ ଦେଶଭକ୍ତ । ରୁଷର ଜନତା, ଭାଷା ଓ ସଂସ୍କୃତିକୁ ସେ ବେଶ୍ ଭଲ ପାଉଥିଲେ । ଏହା ସଙ୍ଗେ ସଙ୍ଗେ ସେ ଆନ୍ତର୍ଜାତିକ ସ୍ତରରେ ଶୋଷିତ ସମାଜର ମୁକ୍ତି ପାଇଁ ମଧ୍ୟ ବଳିଷ୍ଠ ଭୂମିକା ଗ୍ରହଣ କରିଥିଲେ । ୧୯୧୯ ମସିହାରେ ପୁଞ୍ଜିପତି ରାଷ୍ଟ୍ରଗୁଡ଼ିକର ସୈନ୍ୟମାନେ ହଟିଯିବା ପରେ ଦେଶଗଠନ କାର୍ଯ୍ୟରେ ରୁଷ ସୈନ୍ୟ ଓ ଶ୍ରମିକମାନେ ଲାଗିପଡ଼ିଲେ-। ଦେଶବ୍ୟାପି ବିଦ୍ୟୁତ୍ ବିକାଶ ଯୋଜନା ହାତକୁ ନିଆଗଲା ଏବଂ ତତ୍ ସହାୟତାରେ କୃଷି ଓ ଶିଳ୍ପକ୍ଷେତ୍ରରେ ଦ୍ରୁତ ବିକାଶ ପାଇଁ ରୁଷ ସାର ଯୋଜନା ପ୍ରସ୍ତୁତ ହେଲା । ଖୁବ୍ ଅଳ୍ପ ସମୟ ମଧ୍ୟରେ ଦେଶରେ ସ୍ଥଳ ଓ ଜଳଭାଗରେ ଗମନାଗମନ କ୍ଷେତ୍ରରେ ଅଦ୍ଭୁତପୂର୍ବ ଉନ୍ନତି ସାଧିତ ହେଲା । ଦେଶର ଆର୍ଥିକ ସ୍ଥିତି ଦୃଢ଼ କରିବା ସଙ୍ଗେ ସଙ୍ଗେ ରାଜନୈତିକ ସ୍ଥିତିକୁ ମଧ୍ୟ ସବଳ କରିବା ପାଇଁ ଲେନିନ୍ ପ୍ରାଣପଣେ ଲାଗିପଡ଼ିଲେ । ପାର୍ଟି ମଧ୍ୟରେ ଐକ୍ୟ ଓ ଶୃଙ୍ଖଳା ରକ୍ଷାଥିଲା ତାଙ୍କର ପ୍ରଧାନ କର୍ତ୍ତବ୍ୟ ।

 

୧୯୨୨ ମସିହାଠାରୁ ଲେନିନ୍ ଦେଶବ୍ୟାପି ନୂତନ ଅର୍ଥନୈତିକ ପନ୍ଥାମାନ କାର୍ଯ୍ୟକାରୀ କରିବାକୁ ଲାଗିଲେ ଏବଂ ଅତି ଦୃଢ଼ ସ୍ଵରରେ ଭବିଷ୍ୟତ ବାଣୀ ଭଳି ଘୋଷଣା କଲେ ଯେ ଅକ୍ଟୋବର ବିପ୍ଳବର ସଫଳତାକୁ ଭଣ୍ଡୁର କରିବା ଶକ୍ତି ବିଶ୍ଵରେ ଆଉ ଜନ୍ମଲାଭ କରିବ ନାହିଁ । ତାହାହିଁ ସତ୍ୟ ହେଲା । ସବୁଦିଗରେ ସୋଭିଏଟ ରୁଷ ବିଶ୍ଵରେ ଏକ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ ହେଲା । ୧୯୨୨ ମସିହାରେ ଲେନିନ୍ ଅସୁସ୍ଥ ବୋଧକରି ଗର୍କିକୁ ସ୍ଥାନାନ୍ତରିତ ହେଲେ । ରୁଷସାରା ତାଙ୍କ ଅସୁସ୍ଥତା ଯୋଗୁଁ ଉଦବେଗ ପ୍ରକାଶ ପାଇଲା । ଅବଶ୍ୟ ସେ ସଙ୍ଗେ ସଙ୍ଗେ ସ୍ଵାସ୍ଥ୍ୟଲାଭ କରିପାରିଥିଲେ । କିନ୍ତୁ ଉକ୍ତ ବର୍ଷ ଡିସେମ୍ବର ମାସରେ ସେ ପୁଣି ରୁଗ୍‍ଣ ହୋଇପଡ଼ିଲେ-। ତଥାପି ରୋଗଶଯ୍ୟାରେ ବି ସେ ଅର୍ଥନୀତି ଓ ରାଜନୀତି ସଙ୍ଗଠନକୁ ଶକ୍ତିଶାଳୀ କରିବା ପନ୍ଥା ସମ୍ପର୍କରେ ପରାମର୍ଶ ଦେଉଥିଲେ । ୧୯୨୪ ମସିହା ଜାନୁୟାରୀ ୨୧ ତାରିଖରେ ଲେନିନ୍ ଇହଧାମରୁ ବିଦାୟ ନେଲେ । ରୁଷର ମୁକ୍ତ ଜନତା ମୁକ୍ତିଦାତାଙ୍କର ମୃତ୍ୟୁରେ ଶୋକାତୁର ହୋଇପଡ଼ିଲେ । ଲେନିନଙ୍କ ସତ୍କାରବେଳେ ତାଙ୍କର ଆଦର୍ଶରେ ଅନୁପ୍ରାଣିତ ରୁଷବାସୀ ଦେଶର ଅର୍ଥନୀତି, ରାଜନୀତି ଓ ସେନାବାହିନୀକୁ ସୁଦୃଢ଼ କରି ସମାଜବାଦର ଭିତ୍ତିଭୂମିକୁ ଦୃଢ଼ତର କରିବା ପାଇଁ ଶପଥ ନେଲେ । ଶପଥ ପାଠ କରାଇଥିଲେ ଷ୍ଟାଲିନ୍ ରୁଷ ମନ୍ତ୍ରିମଣ୍ଡଳର ପରବର୍ତ୍ତୀ ଚେୟାରମେନ୍ ।

★★★

 

ସନ୍ୟାତ୍ ସେନ

 

ୟୁରୋପବାସୀଙ୍କର ମାନବ ସଭ୍ୟତା ପ୍ରାପ୍ତିପୂର୍ବରୁ ଭାରତ ଓ ଚୀନ ନିଜ ନିଜର ସୁମହାନ୍ ପରମ୍ପରାହାରା ଗୌରବାନ୍ୱିତ ଥିଲେ । ଆଜିର ଲାଲ ଚୀନ ଧ୍ଵଂସକାମୀ ଓ କୃତଘ୍ନ ସାମ୍ୟବାଦୀମାନଙ୍କଦ୍ଵାରା ଜର୍ଜ୍ଜରିତ ଓ ସନ୍ତପ୍ତ ଏବଂ ବିଶ୍ୱବାସୀଙ୍କର ଘୋର ନୈରାଶ୍ୟର କାରଣ ହେଲେ ସୁଦ୍ଧା ଉକ୍ତ ଦେଶର ଐତିହ୍ୟ ଓ ପରମ୍ପରାକୁ କେହି ଭୁଲିପାରିବେ ନାହିଁ ।

 

ଯୁଗେ ଯୁଗେ ଚୀନ ସାମ୍ରାଜ୍ୟ ଯୁଦ୍ଧ ଓ ବିଦ୍ରୋହ ମାଧ୍ୟମରେ ପ୍ରତିଭାତ । ୧୮୬୬ ମସିହାରେ ଚୀନ ଭୁଖଣ୍ଡରେ ଘଟିଥିବା ତାଇପେଙ୍ଗ୍ ବିଦ୍ରୋହ ଉକ୍ତ ଦେଶରେ ବିଶେଷ ପରିବର୍ତ୍ତନ ଅଣାଇ ପାରିଥିଲା । ସେତିକିବେଳେ ଦେଶରେ ମାଞ୍ଚୁ ସରକାର ପ୍ରତିଷ୍ଠିତ ଥିଲା । ଦୀର୍ଘ ଦୁଇଶତ ବର୍ଷ ଶାସନ କଲାପରେ ମାଞ୍ଚୁବଂଶୀୟ ସମ୍ରାଟମାନେ କାଳକ୍ରମେ ଶୋଷଣର ବିଭିନ୍ନ ପନ୍ଥା ଉଦ୍ଭାବନ କଲେ ଏବଂ ପରିଣାମରେ ଜନତାର ଶାସକ ଭାବରେ ବିବେଚିତ ହୋଇପାରିଲେ ନାହିଁ ।

 

ଏହି ସମୟରେ ବିଲାତର ବ୍ୟବସାୟୀ ଗୋଷ୍ଠୀ ଚୀନ ସାମ୍ରାଜ୍ୟରେ ଅଫିମ ବିକ୍ରୟ କରି ଅପର୍ଯ୍ୟାପ୍ତ ଅର୍ଥଲାଭ କରୁଥାନ୍ତି । ଭାରତର ଗାଜିପୁର ଓ ଅନ୍ୟତ୍ର ଅଫିମ ଚାଷ କରାଯାଇ ତାହା ଚୀନକୁ ରତ୍ପାନୀ କରାଯାଉଥାଏ । ଅଫିମ ଭଳି ଏକ ଉତ୍କଟ ମାଦକଦ୍ରବ୍ୟ ପ୍ରତ୍ୟହ ସେବନ କରି ଚୀନବାସୀ ଭଗ୍ନସ୍ଵାସ୍ଥ୍ୟ ଓ ବିକଳାଙ୍ଗ ହୋଇ ପଡ଼ିଥାନ୍ତି । ଏଣେ ମାଞ୍ଚୁ ସରକାରଙ୍କର ଶୋଷଣ ନୀତି ସେମାନଙ୍କୁ ବିବ୍ରତ କରି ପକାଉଥାଏ । କିନ୍ତୁ ଶୋଷିତ ଜନତା ମଧ୍ୟରେ ଅନୁଷ୍ଠାନିକ ଏକତା ପ୍ରତିଷ୍ଠା ସମ୍ଭବପର ହୋଇପାରୁ ନଥିବାରୁ ସରକାରଙ୍କୁ ଗାଦିଚ୍ୟୁତ କରିବା ସମ୍ଭବପର ହେଉନଥାଏ । ଫଳରେ ମାଞ୍ଚୁ ସରକାର ଓ ଅନ୍ୟାନ୍ୟ ବିଦେଶୀ ଶାସକମାନେ ଶାସନ ଓ ବାଣିଜ୍ୟ ମାଧ୍ୟମରେ ଚୀନବାସୀଙ୍କୁ ଅଧିକରୁ ଅଧିକ ଶୋଷଣ କରିବାରେ ଲାଳାୟିତ ହେଉଥାନ୍ତି । ଦେଶ ବ୍ୟାପି ଏହିଭଳି ଏକ ଅସନ୍ତୋଷର ବହ୍ନି ମଧ୍ୟରେ ଏବଂ ସଫଳ ବିଦ୍ରୋହର ପ୍ରାକ୍ କାଳରେ ସନ୍ୟାତ୍ ସେନ୍ କାଣ୍ଟନ ନିକଟସ୍ଥ ଚହଯଙ୍ଗ୍ ଗ୍ରାମର ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାମାତାଙ୍କର ବିଶ୍ଵାସ ଥିଲା ଯେ ବଡ଼ ହେଲେ ତାଙ୍କୁ କୃଷିକାର୍ଯ୍ୟରେ ସହାୟତା କରିବେ । ଭବିଷ୍ୟତରେ ସେ ଯେ ଜଣେ ଏକ ପ୍ରଖ୍ୟାତ ସଂସ୍କାରକ ଭାବରେ ପ୍ରତିଷ୍ଠା ଲାଭ କରିବେ ଏକଥା ସେମାନେ କଳ୍ପନା ସୁଦ୍ଧା କରିନଥିଲେ । ଅନୁଚ୍ଚ ଓ ଭଗ୍ନପ୍ରାୟ ଏକ ସାଧାରଣ ଗୃହରେ ସେ ନିଜର ଶୈଶବ କଟାଇଥିଲେ । ଶିଶୁ ଭାବରେ ସନ୍ୟାତ୍ ସେନ୍ ଥିଲେ ଅତ୍ୟନ୍ତ ନିର୍ଭୀକ । ତାଙ୍କର ଶୈଶବ ନାମ ଥିଲା ସନ୍ୱେନ୍ । କିନ୍ତୁ କାଣ୍ଟନ ସହରବାସୀ ତାଙ୍କୁ ୟାତ୍ସେନ୍ ବୋଲି ଡାକୁଥିଲେ । ପାଶ୍ଚାତ୍ୟ ସଭ୍ୟତାର ଅନୁକରଣରେ ଚୀନ ରାଜ୍ୟରେ ଏକ ବୈପ୍ଲବିକ ସଂସ୍କାର ନିମିତ୍ତ ଯେଉଁ କେତେ ଜଣ ନେତା ଆଜୀବନ ସଂଗ୍ରାମ ଚଳାଇଥିଲେ, ୟାତ୍ସେନ୍ ହେଲେ ସେମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ।

 

ଛୋଟ ବୟସରୁ ସନ୍ୟାତ୍ ସେନ୍‍ଙ୍କୁ ଗ୍ରାମରେ ଥିବା କ୍ଷୁଦ୍ର ଶିକ୍ଷାନୁଷ୍ଠାନକୁ ଯିବାକୁ ପଡ଼ିଥିଲା ଏବଂ ସେଠାରେ ସେ ପଠନ ପ୍ରତି ଅଗାଧ ମମତା ପ୍ରକାଶ କରିଥିଲେ । ତାଙ୍କର ସ୍ଵାଧୀନପ୍ରବୃତ୍ତି ବହୁ ଶିକ୍ଷକଙ୍କୁ ଈର୍ଷାନ୍ୱିତ କରିଥିଲା ଏବଂ ସେ ତଦ୍ଦ୍ଵାରା ଏକାଧିକ ଥର ଦଣ୍ଡିତ ହୋଇଥିଲେ । ଏତିକିବେଳେ ଚୀନର ବିଶେଷତଃ କାଣ୍ଟନ୍ ଅଞ୍ଚଳରୁ ବହୁ ଶ୍ରମିକ ଅର୍ଥଲାଭ ଆଶାରେ ଯୁକ୍ତରାଷ୍ଟ୍ର ଆମେରିକାସ୍ଥ କାଲିଫର୍ଣ୍ଣିଆର ଖଣି ଅଞ୍ଚଳକୁ ପଳାଇ ଯାଇଥାନ୍ତି । ୟାତ୍ସେନଙ୍କର ଦୁଇଜଣ କକେଇ ମଧ୍ୟ ଅର୍ଥ ଉପାର୍ଜ୍ଜନ ଆଶାରେ ବିଦେଶ ଚାଲିଯାଇ ସେହିଠାରେ ହିଁ ଶେଷ ନିଃଶ୍ଵାସ ତ୍ୟାଗ କରିଥାନ୍ତି । ତାଙ୍କର ବଡ଼ଭାଇ ବାଣିଜ୍ୟ ଚଳାଇବା ଆଶାରେ ହାଓ୍ୱାଇ ଦ୍ଵୀପକୁ ପଳାୟନ କରିଥାନ୍ତି । ପଡ଼ୋଶୀ ଓ ସ୍ୱଜନମାନଙ୍କର ବିଦେଶ ଭ୍ରମଣଦ୍ୱାରା ଆକୃଷ୍ଟ ହୋଇ ୟାତ୍ସେନ୍ ମଧ୍ୟ ବିଭିନ୍ନ ଦେଶ ବୁଲିଯିବା ନିମିତ୍ତ ଇଚ୍ଛା ପ୍ରକାଶ କରିଥିଲେ । ବଡ଼ ଭାଇଙ୍କଠାରୁ ହାଓ୍ୱାଇ ସମ୍ପର୍କରେ ଏକ ଲୋଭନୀୟ ଚିତ୍ର ପାଇ ସେ ତାଙ୍କ ସଙ୍ଗରେ ହାଓ୍ୱାଇ ଚାଲିଯିବା ପାଇଁ ମନସ୍ଥ କଲେ ଏବଂ ପିତାମାତାଙ୍କର ବାରଣ ଅମାନ୍ୟ କରି ବଡ଼ ଭାଇଙ୍କ ସହାୟତାରେ ସେ ସେଠାକୁ ଗମନ କଲେ । ହନଲୁଲ୍‍ର ଏକ ସ୍କୁଲରେ ନାମ ଲେଖାଇ ସେ ବିଜ୍ଞାନ ଓ ସଙ୍ଗୀତ ଶିକ୍ଷାରେ ମନୋନିବେଶ କରିବା ସଙ୍ଗେ ସଙ୍ଗେ ଖ୍ରୀଷ୍ଟଧର୍ମ ପ୍ରତି ଆକୃଷ୍ଟ ହୋଇପଡ଼ିଲେ ।

 

ଦେଶକୁ ପ୍ରତ୍ୟାଗମନ କଲାପରେ ସନ୍ୟାତ୍ ସେନ୍ ଦେଶର କେତେକ କୁସଂସ୍କାର ବିରୁଦ୍ଧରେ ସ୍ଵର ଉତ୍ତୋଳନ କଲେ ଏବଂ ତାଙ୍କର ଅନ୍ୟତମ ବନ୍ଧୁ ହାଓଟଙ୍ଗ୍ ଙ୍କ ସହ ମିଶି ସର୍ବପ୍ରଥମେ ନିଜ ଗ୍ରାମଟିକୁ ସଜାଡ଼ିବା ନିମିତ୍ତ ସଂକଳ୍ପ କଲେ । ପରେ ପରେ ଦେଶର ଶାସନ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ତାଙ୍କର ଆଗ୍ରହ ସୃଷ୍ଟି ହେଲା । ଚୀନ ଦେଶରୁ ଦାରିଦ୍ର ହିଁ ତାଙ୍କ ପ୍ରାଣକୁ ବିଶେଷଭାବେ ସ୍ପର୍ଶ କରିଥିଲା । କିନ୍ତୁ ଦେଶରୁ କୁସଂସ୍କାର ଉଚ୍ଛେଦ କରାଇବା ଏଡ଼େ ସହଜସାଧ୍ୟ ନଥିଲା । ପିତାଙ୍କର ଆକସ୍ମିକ ମୃତ୍ୟୁ ପରେ ସେ ମାତାଙ୍କ ନିର୍ଦ୍ଦେଶ ମତେ ପ୍ରଚଳିତ ଚୀନ ପ୍ରଥା ଅନୁସାରେ ବିବାହ କଲେ । ବିବାହର ପରମ୍ପରା ପ୍ରତି ତାଙ୍କର ବିଶେଷ ଆସକ୍ତି ନଥିଲା-। ଜଣେ ଖ୍ରୀଷ୍ଟିଆନ୍ ପାଦ୍ରୀଙ୍କର ପ୍ରରୋଚନରେ ସେ ଖ୍ରୀଷ୍ଟ ଧର୍ମ ଗ୍ରହଣ କରି ଚୀନ ଦେଶରୁ ସକଳ ପ୍ରକାର କୁସଂସ୍କାର ଉଚ୍ଛେଦ ପାଇଁ ଇଚ୍ଛା ପୋଷଣ କଲେ । କିନ୍ତୁ ଖ୍ରୀଷ୍ଟଧର୍ମ ଗ୍ରହଣ ପରେ ପରେ ନିଜ ପରିବାର ସହିତ ତାଙ୍କର ସମ୍ପର୍କ ତିକ୍ତ ହୋଇ ଉଠିଲା । କିନ୍ତୁ ଦେଶର ସମୂହ ସ୍ଵାର୍ଥରକ୍ଷା ଦୃଷ୍ଟିରୁ ଧର୍ମାନ୍ତର ଏକାନ୍ତ ଆବଶ୍ୟକ ବୋଲି ସେ ମନେ କରୁଥିଲେ ।

 

କାଣ୍ଟନ୍ ଡାକ୍ତରଖାନାରେ ଖଣ୍ଡିଏ ଚାକିରି ଲାଭ କରିବା ପରେ ସନ୍ୟାତ୍ ସେନ୍‍ଙ୍କର ଜୀବନରେ ପରିବର୍ତ୍ତନ ପରିଲକ୍ଷିତ ହେଲା । ସେଠାରେ କେତେକ ସହପାଠୀଙ୍କ ସହ ଘନିଷ୍ଠତା ସ୍ଥାପନ କରି ସେମାନଙ୍କ ସହାୟତାରେ ଦେଶରେ ପ୍ରଚଳିତ କୁସଂସ୍କାର ଓ ଶୋଷଣ ଦୂର କରିବା ପାଇଁ ସେ ବଳିଷ୍ଠ ଆୟୋଜନ ଆରମ୍ଭ କଲେ । ଆନ୍ତର୍ଜାତିକ ବାଣିଜ୍ୟ କ୍ଷେତ୍ରରେ ଆମେରିକା, ଫ୍ରାନସ୍ ପ୍ରଭୃତି ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କର ପ୍ରଭୃତି ବୃଦ୍ଧି, ବିଜ୍ଞାନ କ୍ଷେତ୍ରରେ ପାଶ୍ଚାତ୍ୟ ରାଷ୍ଟ୍ରଙ୍କର ଅଚାନକ ଅଗ୍ରଗତି ଓ ଖୋଦ ଚୀନ ଭୁଖଣ୍ଡରେ ଫ୍ରାନସର ସୁଦକ୍ଷ ଯୁଦ୍ଧ ପରିଚାଳନା ଏସବୁ ତାଙ୍କର ବାସ୍ତବ ଚକ୍ଷୁ ଖୋଲିଦେଲା । ଫ୍ରାନସ୍ ସରକାରଙ୍କ ସହ ଚୀନର ମାଞ୍ଚୁ ସରକାର ଯେଉଁ ଏକ ଅପମାନଜନକ ସନ୍ଧି ସ୍ଥାପନ କଲେ ତଦ୍ୱାରା ସେ ବିଶେଷ କ୍ଷୁବ୍‍ଧ ହୋଇପଡ଼ିଥିଲେ ।

 

ଡାକ୍ତରୀ ଶିକ୍ଷାନୁଷ୍ଠାନରେ ସଫଳତା ଲାଭ କରିବା ପରେ ସେ ମାକାଓ ସହରରେ ଗୋଟିଏ ଡାକ୍ତରଖାନା ପ୍ରତିଷ୍ଠା କରି ଜନତାର ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କଲେ । ସେଠାରେ ପର୍ତ୍ତୁଗୀଜ ଶାସନକର୍ତ୍ତାଙ୍କ ଅତ୍ୟାଚାର ତାଙ୍କୁ ଅତ୍ୟନ୍ତ ଆସ୍ଵାଭାବିକ ମନେହେଲା । ତାହା ସେ ସ୍ଵଚକ୍ଷୁରେ ଦେଖି ନପାରି ଉକ୍ତ ସହରରୁ ବିଦାୟ ନେଲେ ଏବଂ ମାଞ୍ଚୁ ସରକାରଙ୍କର ଜଣେ ପ୍ରସିଦ୍ଧ ରାଜପ୍ରତିନିଧି ପ୍ରତିଷ୍ଠା କରାଇଥିବା ଏକ ଚିକିତ୍ସାଳୟରେ ଚାକିରି ପ୍ରାପ୍ତି ଲାଗି ଉଦ୍ୟମ କରିଥିଲେ । ଉକ୍ତ ଉଦ୍ୟମରେ ବିଫଳ ହୋଇ ସେ ବ୍ୟକ୍ତିଗତ ଭାବରେ ରୋଗୀ ସେବା ଅପେକ୍ଷା ଦେଶସେବା ହିଁ ତାଙ୍କୁ ଅଧିକ ଶ୍ରେୟସ୍କର ମନେହେଲା ଏବଂ ଡାକ୍ତରୀ ଦାୟୀତ୍ଵରୁ ବିଦାୟ ନେଇ ଚୀନା ଜାତିର ଉତଥାନ କଳ୍ପେ ସେ ବିଭିନ୍ନ ସଂସ୍କାରମୂଳକ କ୍ଷେତ୍ରରେ ନିଜକୁ ନିୟୋଜିତ କଲେ । ଜାପାନ ଭଳି ଏକ କ୍ଷୁଦ୍ର ଦେଶଦ୍ଵାରା ବିଶାଳ ଚୀନ ଦେଶର ପରାଜୟ ପରେ ସେ ଉକ୍ତ କାର୍ଯ୍ୟରେ ଅଧିକ ପରିମାଣରେ ଜାଗ୍ରତ ହେଲେ, ଏବଂ ଦେଶର ନେତୃତ୍ଵ ଗ୍ରହଣ ପୂର୍ବକ ଶାସନ କ୍ଷେତ୍ରରେ ଆମୂଳଚୂଳ ପରିବର୍ତ୍ତନ ଲାଗି ପ୍ରତିଜ୍ଞାବଦ୍ଧ ହେଲେ । ନିଜେ ନିଜେ ସୁବକ୍ତା ଥିବାରୁ ୟାତ୍ସେନ୍ ତାଙ୍କର ମନୋଭାବକୁ ଚମତ୍କାର ଭାବରେ ଜନତାକୁ ବୁଝାଇ ପାରୁଥିଲେ । ଦେଶକୁ ମୁକ୍ତ ଓ ସମୃଦ୍ଧ କରିବା ଦିଗରେ ଯେଉଁ ଆନ୍ତରିକତା ପ୍ରକାଶ କଲେ-ଦେଶ ସାରା ସମସ୍ତେ ତାହା ଉପଲବ୍‍ଧ କଲେ । ସୁଦୂର ହନଲୁଲ୍‍ର ଚୀନା ବ୍ୟବସାୟୀମାନେ ତାଙ୍କର ପ୍ରଚେଷ୍ଟାକୁ ସମର୍ଥନ ଜଣାଇ ଅର୍ଥ ସାହାଯ୍ୟଦ୍ଵାରା ତାଙ୍କର ଉତ୍ସାହକୁ ବହୁଗୁଣିତ କରାଇଲେ । ଚୀନ ଦେଶର ସାସ୍କୃତିକ ବିକାଶ କଳ୍ପେ ଅର୍ଥ ସଂଗ୍ରହ ଲାଗି ସେ ହନଲୁଲଠାରେ ଏକ ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ । ବଡ଼ଭାଇଙ୍କର ଏଥିରେ ହାର୍ଦ୍ଦିକ ସମର୍ଥନ ରହିଥିଲା । ଆମେରିକା ଓ ଫ୍ରାନସରେ ଯେଉଁ ଭାବରେ ଗଣ-ବିପ୍ଳବ ସଂଗଠିତ ହୋଇଥିଲା, ଚୀନ ଦେଶରେ ଅନୁରୂପ ବିପ୍ଳବ ଏକାନ୍ତ ସମ୍ଭବ ବୋଲି ସେ ମନେ କରୁଥିଲେ । ଗଣ-ବିପ୍ଳବର ଆୟୋଜନ ନିମିତ୍ତ ସେ ଏକ ବିଷ୍ଣବୀ ଦଳ ଗଠନ କଲେ । ରାଜତନ୍ତ୍ରର ସମାଧି ଉପରେ ଯୁକ୍ତରାଷ୍ଟ୍ର ଆମେରିକା ଛାଞ୍ଚର ଗଣତନ୍ତ୍ର ପ୍ରତିଷ୍ଠା କରାଇବା ଥିଲା ତାଙ୍କର ପରମ ଉଦ୍ଦେଶ୍ୟ ।

 

ୟାତ୍ସେନଙ୍କର ବିଶ୍ୱାସ ଥିଲା ଯେ ପୃଥିବୀର ଏକ-ଚତୁର୍ଥାଂଶ ଜନତା ଓ ପ୍ରଭୁତ ଖଣିଜ ଏବଂ କୃଷି ସମ୍ପଦର ଅଧିକାରୀ ଚୀନଦେଶ ଭବିଷ୍ୟତରେ ବିଶ୍ଵର ଏକ ଅଗ୍ରଗଣ୍ୟ ଜାତି ରୂପେ ମୁଣ୍ଡ ଟେକିବା ଏକ ନିଶ୍ଚିତ କଥା ।

 

ଚୀନ ଓ ଜାପାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ୟାତ୍ସେନଙ୍କର ବିପ୍ଳବୀ ଦଳ ସକ୍ରିୟ ହୋଇ ଉଠିଲେ ଏବଂ ଗଣ-ବିପ୍ଳବ ନିମିତ୍ତ ଆବଶ୍ୟକୀୟ ଉପାଦାନ ସଂଗ୍ରହ ସଙ୍ଗେ ସଙ୍ଗେ ଏକ ସେନାବାହିନୀ ଗଠନ କରିବା ପାଇଁ ମଧ୍ୟ ଉଦ୍ୟତ ହେଲେ । ଉକ୍ତ ଯୁଦ୍ଧରେ ଚୀନର ପରାଜୟ ଦେଶବାସୀଙ୍କ ମନରେ ଅଶାନ୍ତିର ମାତ୍ରା ବୃଦ୍ଧି କଲା । ଚାର୍ଲସ୍ ଜୋନସ୍ ନାମକ ଜଣେ ଉତ୍ସାହୀ ଯୁବକଙ୍କ ସାହଚର୍ଯ୍ୟ ଲାଭ କରି ୟାତ୍ସେନ୍ ଉଦ୍ଦେଶ୍ୟ ସାଧନ ପଥରେ ଅଗ୍ରସର ହେବାକୁ ଲାଗିଲେ । ବିପ୍ଳବ ସଙ୍ଗଠନ ପଥରେ ସେ ଓ ତାଙ୍କ ପରିବାର ବହୁ ବିପଦର ସମ୍ମୁଖୀନ ହେଲେ । ଆୟୋଜନର କେତେକ ଗୋପନୀୟ ଘଟଣା ପ୍ରକାଶ ପାଇବା ପରେ ତାଙ୍କୁ ଏବଂ ତାଙ୍କ ସହକର୍ମୀମାନଙ୍କୁ ଗିରଫ କରାଗଲା ଏବଂ ତାଙ୍କର ବିଶ୍ଵସ୍ତ ସହକର୍ମୀ ହାଓଟଙ୍ଗଙ୍କୁ ଗୁଳିକରି ହତ୍ୟା କରାଗଲା । ଏହି ଘଟଣା ପରେ ବିପ୍ଳବ ସହ ସମ୍ପୃକ୍ତ ବ୍ୟକ୍ତିଗଣ ଆତ୍ମରକ୍ଷା ଉଦ୍ଦେଶ୍ୟରେ ଛଦ୍ମବେଶ ଧାରଣ କଲେ । ୟାତ୍ସେନ ମଧ୍ୟ ଛଦ୍ମବେଶରେ ଇତସ୍ତତଃ ଭ୍ରମଣ କରିବାରେ ଲାଗିଲେ । ତାଙ୍କୁ ଧରାଇଦେବା ଲାଗି ଚୀନ ସମ୍ରାଟ ପୁରସ୍କାର ଘୋଷଣା କଲେ । ଫଳରେ ବନ୍ଧୁମାନଙ୍କର ପରାମର୍ଶକ୍ରମେ ୟାତ୍ସେନ ଦେଶାନ୍ତର ଗମନ କରି ସେଠାରୁ ପୁଣି ବିପ୍ଳବ ପାଇଁ ଉପାଦାନ ସଂଗ୍ରହ ନିମିତ୍ତ ଇଚ୍ଛା ପ୍ରକାଶ କଲେ । ଜାପାନୀ ଚୀନର ନିକଟବର୍ତ୍ତୀ ରାଜ୍ୟ ହୋଇଥିବାରୁ ସେ ସେହିଠାରେ ହିଁ ଛଦ୍ମବେଶରେ କିଛି ଦିନ କଟାଇଲେ-। ତତ୍ପରେ ସେ ଜାପାନରୁ ବିଦାୟ ନେଇ କିଛିଦିନ ପାଇଁ ହାୱାଇ ଗମନ କରି ବଡ଼ ଭାଇଙ୍କୁ ସାକ୍ଷାତ କରିଥିଲେ । ଏହି ସମୟରେ ବଡ଼ ଭାଇ ଆର୍ଥିକ ଅନାଟନ ଦେଇ ଗତି କରୁଥିଲେ ଏବଂ ଏଣେ ଦେଶରେ ପରିବାର ମଧ୍ୟ ସେହିଭଳି ଶୋଚନୀୟ ଅବସ୍ଥାରେ କାଳଯାପନ କରୁଥିଲେ-। ପରିବାରର ଆର୍ଥିକ ଶୋଚନୀୟତା ପାଇଁ ତାଙ୍କୁହିଁ ଦାୟୀ କରାଗଲା । ସେ ତାହା ସ୍ଵୀକାର କଲେ ସତ କିନ୍ତୁ ପରିବାରର ସ୍ଵାର୍ଥଠାରୁ ଦେଶର ସ୍ଵାର୍ଥକୁ ମହତ୍ତର ମନେକରି ବିପ୍ଳବର ସଫଳତା ଦିଗରେ ଉଦ୍ୟମ ଅବ୍ୟାହତ ରଖିଥିଲେ । ବହୁଦିନ ଧରି ତାଙ୍କୁ ପରିବାର ସହ ସମ୍ପର୍କ ଏକପ୍ରକାର ତୁଟାଇ ଦେବାକୁ ପଡ଼ିଥିଲା । ଜର୍ମାନୀ ପୋଷାକ ପରିଧାନ କରି ସେ ଇଂଲଣ୍ଡ, ଫ୍ରାନସ୍ ଓ ଆମେରିକା ଗସ୍ତକରି ପ୍ରବାସୀ ଚୀନାମାନଙ୍କଠାରୁ ଅର୍ଥ ସଂଗ୍ରହରେ ଲାଗିପଡ଼ିଲେ । କେବଳ ଅର୍ଥ ସଂଗ୍ରହ ନୁହେ, ଚୀନ ସରକାରଙ୍କର ଉଚ୍ଛେଦ ସାଧନଲାଗି ସେ ସେମାନଙ୍କର ସମର୍ଥନ ହାସଲ କଲେ-। ଆମେରିକାଠାରେ ୟାତ୍ସେନ ନିଜକୁ ଗୋପନରେ ରଖିବାକୁ ଯେତେ ଉଦ୍ୟମ କଲେ ମଧ୍ୟ ସଫଳ ହେଲେନାହିଁ । ଆମେରିକାରେ ନିଯୁକ୍ତ ଚୀନ ରାଷ୍ଟ୍ରଦୂତ ତାଙ୍କର ଆମେରିକା ଆଗମନ ଓ କାର୍ଯ୍ୟକଳାପ ସମ୍ପର୍କରେ ଖବର ପାଇଗଲେ । ଆମେରିକାରୁ ୟାତ୍ସେନ ଲଣ୍ଡନ ପଳାୟନ କଲାବେଳେ ଉକ୍ତ ରାଷ୍ଟ୍ରଦୂତ ଲଣ୍ତନସ୍ଥ ଚୀନ ରାଷ୍ଟ୍ରଦୂତଙ୍କୁ ସେ କଥା ଜଣାଇ ଦେଲେ ଏବଂ ତାଙ୍କୁ ଚୀନକୁ ପ୍ରେରଣକରି ଫାଶୀ ଦେବାର ଷଡ଼ଯନ୍ତ୍ର କଲେ । ଲଣ୍ଡନଠାରେ ଏହି ଷଡ଼ଯନ୍ତ୍ର ଆଶିଂକ ସଫଳ ହେଲା । ଏକ ଛଦ୍ମବେଶୀ ବନ୍ଧୁଙ୍କ ପ୍ରରୋଚନାରେ ୟାତ୍ସେନ ଚୀନ ଦୁତାବାସ ପରିଦର୍ଶନ କଲାବେଳେ ସେଠାରେ ତାଙ୍କୁ ବନ୍ଦୀ କରାଗଲା । ସେ ବୁଝିପାରିଲେ ଯେ ତାଙ୍କର ଦୁର୍ଗତି ଆସନ୍ନ ହେଲା । ଚୀନ ସରକାର ତାଙ୍କୁ ଫାଶୀଖୁଣ୍ଟରେ ଝୁଲାଇଦେବା ନିଶ୍ଚିତ କଥା । ଲଣ୍ଡନଠାରେ ଡାକ୍ତର କାଣ୍ଟାଇଲଙ୍କ ସମେତ ତାଙ୍କର ବହୁ ଘନିଷ୍ଠ ବନ୍ଧୁ ଥିଲେ ସୁଦ୍ଧା ସେ ବନ୍ଦୀ ହେବା ଖବର କେହି ପାଇ ନଥିଲେ । ଡାକ୍ତର କାଣ୍ଟାଇଲଙ୍କ ନିକଟକୁ ପତ୍ର ପ୍ରେରଣ ପାଇଁ ସେ ଯେତେ ଉଦ୍ୟମ କଲେ ସୁଦ୍ଧା ସଫଳ ହେଲେ ନାହିଁ । ପରିଶେଷରେ ଦୁତାବାସକୁ ପ୍ରତ୍ୟହ ଆସୁଥିବା ଜନୈକ ଇଂରେଜ କର୍ମଚାରୀଙ୍କୁ ବହୁ ଅନୁରୋଧ କରି ବନ୍ଧୁ ଡାକ୍ତର କାଣ୍ଟାଇଲଙ୍କ ନିକଟକୁ ପତ୍ର ପ୍ରେରଣ କଲେ-। ୟାତ୍ସେନ ବନ୍ଦୀ ହେବା ଖବର ପାଇବା ପରେ ପରେ ଡାକ୍ତର କାଣ୍ଟାଇଲ ତାଙ୍କର ମୁକ୍ତିଲାଗି ପ୍ରାଣପଣେ ଉଦ୍ୟମ ଚଳାଇଲେ । ଲଣ୍ଡନ ପୋଲିସଙ୍କ ସହାୟତାରେ ୟାତ୍ସେନଙ୍କୁ ଦୂତାବାସରୁ ହରଣ କରିନେବା ପାଇଁ ଉଦ୍ୟମ ହେଲା । କିନ୍ତୁ ତାର ଆଶୁ ସୁଫଳ ଘଟିଲା ନାହିଁ-। ଖବରକାଗଜରେ ଘଟଣାଟି ପ୍ରକାଶ କରି ଜନମତର ଚାପରେ ତାଙ୍କୁ ମୁକ୍ତି କରିବା ପାଇଁ ସେ ଯେଉଁ ଉଦ୍ୟମ କଲେ ତାହା ମଧ୍ୟ ବୈଫଲ୍ୟରେ ପର୍ଯ୍ୟବସିତ ହେଲା । ପରିଶେଷରେ ବିଲାତର ଆଇନ ଓ ବୈଦେଶିକ କାର୍ଯ୍ୟାଳୟରେ ସେ ଉକ୍ତ ଘଟଣାକୁ ଉତ୍ଥାପିତ କରି ୟାତ୍ସେନଙ୍କର ମୁକ୍ତି ଦାବୀ କଲେ; କିନ୍ତୁ ସେଥିରେ ମଧ୍ୟ ସେ ସଫଳ ହୋଇପାରିଲେ ନାହିଁ । ଦିନେ ହଠାତ୍ କୌଣସି ଏକ ଖବରକାଗଜରେ ୟାତ୍ସେନଙ୍କର ସମସ୍ତ ଘଟଣା ପ୍ରକାଶ ପାଇଲା । ତତ୍ପରେ ଡାକ୍ତର କାଣ୍ଟାଇଲଙ୍କଠାରୁ ପ୍ରକୃତ ତଥ୍ୟ ଜାଣିବା ପାଇଁ ସାମ୍ବାଦିକମାନେ ପହଞ୍ଚିଗଲେ ଏବଂ ଫଳରେ ଖବରଟି ଲଣ୍ଡନ ସାରା ପ୍ରଚାରିତ ହୋଇଗଲା । ଲଣ୍ଡନରେ ଚୀନ ଅଧିବାସୀଙ୍କୁ ବନ୍ଦୀ କରାଯିବା ଏକ ଅସମୀଚୀନ ଘଟଣା ବୋଲି ଜାଣିପାରି ଇଂଲଣ୍ଡର ପ୍ରଧାନମନ୍ତ୍ରୀ ୟାତ୍ସେନଙ୍କ ମୁକ୍ତିଦିଗରେ ପ୍ରବଳ ଚାପ ପକାଇଲେ । ଅଗତ୍ୟା ଚୀନ ଦୂତାବାସ ୟାତ୍ସେନଙ୍କୁ ମୁକ୍ତି ଦେବାକୁ ବାଧ୍ୟ ହେଲେ-। ଫଳରେ ଏକ ଭୟାନକ ବିପଦ ଓ ଦାରୁଣ ମୃତ୍ୟୁଦଣ୍ଡରୁ ସେ ଆତ୍ମରକ୍ଷା କରିବା ପାଇଁ ସକ୍ଷମ ହେଲେ ।

 

ଛଦ୍ମବେଶରେ ୟାତ୍ସେନଙ୍କ କର୍ମମୟ ଜୀବନର ସତର ବର୍ଷ ବିତିଗଲା । ପ୍ରତ୍ୟହ ମନରେ ଗଭୀର ଉଦବେଗ । ତାଙ୍କୁ ଧରାଇଦେବା ଲାଗି ବହୁ ବ୍ୟକ୍ତି ତାଙ୍କ ନିକଟରେ ହାଜର ହେଲେ; କିନ୍ତୁ ଧରାଇଦେବା ପରିବର୍ତ୍ତେ ସେମାନେ ତାଙ୍କର ଭକ୍ତ ପାଲଟି ଗଲେ । ଚୀନ ସିପାହୀଙ୍କ କବଳରୁ କାଣ୍ଟନର କୈବର୍ତ୍ତବାସିନ୍ଦା ଏକଦା ତାଙ୍କ ଜୀବନକୁ ରକ୍ଷା କରିଥିଲେ । ଅନ୍ୟ ଏକଥର ଜଣେ ଧର୍ମଗୁରୁ ଭାବରେ ନିଜର ପରିଚୟ ଦେଇ ସିପାହୀମାନଙ୍କର କବଳରୁ ଆତ୍ମରକ୍ଷା କରିଥିଲେ-

 

ଛଦ୍ମବେଶରେ ଦେଶର ବିଭିନ୍ନ ପ୍ରାନ୍ତ ଭ୍ରମଣ କରି ୟାତ୍ସେନ ଦେଶବାସୀଙ୍କୁ ପ୍ରଚଳିତ ଶାସନ ପଦ୍ଧତିର ତ୍ରୁଟି ଓ ପରିଣତି ସମ୍ପର୍କରେ ବୁଝାଇବାରେ ଲାଗିଲେ । ଲୋକେ ମଧ୍ୟ କ୍ରମେ ତାହା ଗ୍ରହଣ କରି ସରକାରଙ୍କ ପ୍ରତି ଅନାସ୍ଥା ପ୍ରକାଶ କରିବାରେ ଲାଗିଲେ । ଜାପାନଦ୍ଵାରା ପରାସ୍ତ ହେବା ପରେ ଚୀନବାସୀ ମାଞ୍ଚୁ ସରକାରଙ୍କଠାରେ ଆସ୍ଥା ହରାଇ ବସିଥିଲେ । ଏହି ସମୟରେ ଜର୍ମାନୀ, ଜାପାନ, ରୁଷିଆ, ଫ୍ରାନସ୍ ଓ ବ୍ରିଟେନ ଚୀନର ବ୍ୟବସାୟ ଆୟତ୍ତ କରିବା ସଙ୍ଗେ ସଙ୍ଗେ ବହୁ ଘାଟି ଓ ଅନ୍ୟାନ୍ୟ ସୁବିଧା ଛଡ଼ାଇ ନେଇ ଚୀନଜାତିକୁ ହୀନବୀର୍ଯ୍ୟ କରି ପକାଇଥିଲେ । ଜାପାନଦ୍ଵାରା ପରାଜିତ ହେବା ପରେ ମାଞ୍ଚୁସମ୍ରାଟଙ୍କର ସକଳ ଗର୍ବ ଚୂର୍ଣ୍ଣୀଭୂତ ହେଲା ଏବଂ ବିଶାଳ ଚୀନ ରାଜ୍ୟର ପତନ ଆରମ୍ଭ ହେଲା । ବୃଦ୍ଧ ସମ୍ରାଟଙ୍କ ପରେ ଯୁବକ ସମ୍ରାଟ ଶାସନ ଭାର ଗ୍ରହଣ କଲେ ସୁଦ୍ଧା ଦେଶର ଆର୍ଥିକ ଓ ରାଜନୈତିକ ଅବସ୍ଥାରେ କୌଣସି ପରିବର୍ତ୍ତନ ଲକ୍ଷିତ ହେଲା ନାହିଁ । ସମ୍ରାଟଙ୍କର ବିଳାସବ୍ୟସନର ମାତ୍ରା ବୃଦ୍ଧି ଘଟି ପ୍ରତିରକ୍ଷା କ୍ଷେତ୍ରରେ ଦୁର୍ବଳତା ଦେଖାଦେଲା । ଆଶାହୀନ ଭବିଷ୍ୟତର ସମ୍ଭାବନା ନେଇ ଦେଶର ଚିନ୍ତାଶୀଳ ଲୋକେ ଅତ୍ୟନ୍ତ ବିବ୍ରତ ହୋଇ ଉଠିଲେ । ଯୁବକ ସମ୍ରାଟଙ୍କର କେତେକ ସଂସ୍କାରମୂଳକ କାର୍ଯ୍ୟ ପ୍ରଧାନମନ୍ତ୍ରୀ ଓ ରାଜାମାତାଙ୍କଦ୍ଵାରା ସମର୍ଥିତ ହେଲା ନାହିଁ । ଫଳରେ ତାଙ୍କୁ ବନ୍ଦୀ କରାଗଲା ।

 

ଦେଶର ଏଭଳି ସଙ୍କଟଜନକ ସମୟରେ ୟାତ୍ସେନ ଲଣ୍ଡନଠାରେ ନିଜକୁ ପ୍ରସ୍ତୁତ କରିବାରେ ଲାଗିଥିଲେ । ପାଶ୍ଚାତ୍ୟ ଦେଶଗୁଡ଼ିକର ଆର୍ଥିକ ବିକାଶ ଓ ଶାସନ ପନ୍ଥା ସମ୍ପର୍କରେ ଜ୍ଞାନ ହାସଲ କରିବା ସଙ୍ଗେ ସଙ୍ଗେ ଜାପାନର ଅଭ୍ୟୁତଥାନ ସମ୍ପର୍କରେ ମଧ୍ୟ ସେ ଅନୁଧ୍ୟାନ କରିଥିଲେ । ଚୀନରେ ଗଣତନ୍ତ୍ର ଶାସନ ପ୍ରତିଷ୍ଠା ଦିଗରେ ୟାତ୍ସେନଙ୍କୁ ସହାୟତା କରିବା ପାଇଁ ଜାପାନୀ ନେତୃବୃନ୍ଦ ରାଜି ହୋଇଗଲେ । ଛଦ୍ମବେଶରେ ୟାତ୍ସେନ ସ୍ଵଦେଶକୁ ପ୍ରତ୍ୟାଗମନ କଲାପରେ ଉତ୍କଟ ଅରାଜକତାର ଇଙ୍ଗିତ ପାଇଲେ । ସ୍ଵର୍ଗତ ସମ୍ରାଟଙ୍କର ବିଧବା ପତ୍ନୀ ସେତେବେଳେ ଦେଶର ସାମ୍ରାଜ୍ଞୀ ରୁପେ ଅଧିଷ୍ଠିତା ହୋଇଥିଲେ । ସାମ୍ରାଜ୍ଞୀ ଥିଲେ ଅତ୍ୟନ୍ତ ଆତ୍ମଗର୍ବୀ ଏବଂ ସଙ୍କୀର୍ଣ୍ଣମନା । ପ୍ରଧାନମନ୍ତ୍ରୀଙ୍କର ଚକ୍ରାନ୍ତର ସେ ଥିଲେ ଶିକାରୀ ଏବଂ ତାଙ୍କରି ନିର୍ଦ୍ଦେଶ ଅନୁସାରେ ନିଜର ନୀତିକୁ ନିୟନ୍ତ୍ରିତ କରି ଦେଶର ସ୍ଵାର୍ଥବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ରହିଥିଲେ । ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକରେ ପ୍ରତ୍ୟହ ଘଟୁଥିବା ବୈଜ୍ଞାନିକ ଅଗ୍ରଗତି ସମ୍ପର୍କରେ ସେ ଏକାବେଳକେ ଅଜ୍ଞ ଥିଲେ ।

 

ଜାପାନ ଦେଶର ଅଦ୍ଭୁତ ଅଗ୍ରଗତି ଓ ସେଥିରେ ଯୁବଶକ୍ତିର ସହଯୋଗ ନିଜ ଚକ୍ଷୁରେ ଦେଖି ୟାତ୍ସେନ୍ ଅଭିଭୂତ ହୋଇଯାଇଥିଲେ । ଚୀନ ଦେଶରେ ଏହିଭଳି ଏକ ପରିବେଶ ସୃଷ୍ଟି କରିବା ଥିଲା ତାଙ୍କର ଏକାନ୍ତ ଇଚ୍ଛା । କିନ୍ତୁ ଦେଶରେ ଏକଛତ୍ର ରାଜତନ୍ତ୍ରର ବିକାଶ ଏବଂ ଶିକ୍ଷିତ ଓ ଯୁବସମାଜର ଉଦାସୀନତାରେ ସେ ବିଶେଷ ମର୍ମାହତ ହୋଇଯାଇଥିଲେ ।

 

ୟାତ୍ସେନଙ୍କ ପୂର୍ବରୁ ଚୀନର ବିଭିନ୍ନ ଅଞ୍ଚଳରେ ଗୁପ୍ତ କମିଟିମାନ ଗଠନ କରାଯାଇ ସେଗୁଡ଼ିକୁ ପରୋକ୍ଷରେ ଶାସକମାନଙ୍କର ବିରୁଦ୍ଧରେ ପ୍ରୟୋଗ କରାଯାଉଥିଲା । କିନ୍ତୁ ବହୁ ସମୟରେ ଏହି କମିଟିଗୁଡ଼ିକ ନିଷ୍କ୍ରିୟ ହୋଇପଡ଼ୁଥିଲେ । ସେଗୁଡ଼ିକୁ ପୁଣି କ୍ରିୟାଶୀଳ କରାଇବା ପାଇଁ ୟାତ୍ସେନ୍ ଉଦ୍ୟମ ଆରମ୍ଭ କଲେ । କ୍ରମେ କ୍ରମେ ଦେଶର ବହୁ ଶିକ୍ଷିତ ଯୁବକ ସ୍କୁଲ କଲେଜରୁ ଉତ୍ତୀର୍ଣ୍ଣ ହୋଇ ଦେଶର ବାସ୍ତବ ଅବସ୍ଥା ସମ୍ପର୍କରେ ଅବହିତ ହେବାକୁ ଲାଗିଲେ ଏବଂ ୟାତ୍ସେନଙ୍କର ଦଳଗୁଡ଼ିକରେ ଯୋଗଦାନ କଲେ । ଏତିକିବେଳେ ଦେଶସାରା ଗଣ ଆନ୍ଦୋଳନର ଆଭାଷ ଏକପ୍ରକାର ପରିଲକ୍ଷିତ ହେଉଥିଲା । ଉକ୍ତ ଆନ୍ଦୋଳନ ପାଶ୍ଚାତ୍ୟ ବାଣିଜ୍ୟ ସମ୍ପ୍ରଦାୟ ଏବଂ ଶାସକଗୋଷ୍ଠୀ ବିରୁଦ୍ଧରେ ମୁଖ୍ୟତଃ ଉଦ୍ଦିଷ୍ଟ ଥିଲା । ନିଜେ ସାମ୍ରାଜ୍ଞୀ ମଧ୍ୟ ସେମାନଙ୍କର ଆନ୍ଦୋଳନକୁ ସମର୍ଥନ କରିବାରେ ଲାଗିଲେ । ଦେଶରେ ଥିବା ଗୋରା ଲୋକଙ୍କୁ ବିତାଡ଼ିତ ଓ ହତ୍ୟା କରିବା ପାଇଁ ସେ ନିର୍ଦ୍ଦେଶ ଦେଲେ । ବକ୍ସର ନାମକ ଏକ ପ୍ରତିରକ୍ଷା ବାହିନୀ ଗଠନ କରି ଗୋରା ଲୋକମାନଙ୍କର ବିରୁଦ୍ଧରେ ସେ ସେମାନଙ୍କୁ ନିଯୁକ୍ତ କଲେ ଏବଂ ଏକ ନିର୍ଦ୍ଦିଷ୍ଟ ଦିନ ମଧ୍ୟରେ ଗୋରାମାନେ ଦେଶରୁ ବିଦାୟ ନେବା ପାଇଁ ହୁକୁମନାମା ଜାରି କଲେ । ସାମ୍ରାଜ୍ଞୀଙ୍କର ନିର୍ଦ୍ଦେଶମତେ ଚୀନ ଜନତା ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ । ଗୋରା ଲୋକେ ଏବଂ ଖ୍ରୀଷ୍ଟାନ୍ ଧର୍ମ ଗ୍ରହଣ କରିଥିବା ଚୀନାମାନେ ଉକ୍ତ ଆକ୍ରମଣର ଶିକାର ହେଲେ । କିନ୍ତୁ ପାଶ୍ଚାତ୍ୟ ରାଷ୍ଟ୍ରମାନେ ନୀରବଦର୍ଶୀ ରହିବା ଦୁରେ ଥାଉ ତୀବ୍ର ଭାବରେ ପ୍ରତି-ଆକ୍ରମଣ ଚଳାଇଲେ । ଫଳରେ ତାହା ଚୀନ ଓ ପାଶ୍ଚାତ୍ୟ ଉଭୟ ଗୋଷ୍ଠୀ ମଧ୍ୟରେ ଭୀଷଣ ସଂଘର୍ଷରେ ପରିଣତ ହେଲା । ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କର ମିଳିତ ସୈନ୍ୟବାହିନୀ ଚୀନ ରାଜଧାନୀ ପେକିଂ ଅଭିମୁଖେ ଯାତ୍ରା କଲେ-। ଏତଦ୍ଦ୍ଵାରା ଭୟଭୀତ ହୋଇ ସାମ୍ରାଜ୍ଞୀ ପେକିଂ ପରିତ୍ୟାଗ କରି ସୁଦୁର ସିଆନ୍ ସହରକୁ ପଳାୟନ କଲେ । ସାମ୍ରାଜ୍ଞୀଙ୍କର ପ୍ରତିରକ୍ଷା ବାହିନୀ ଶୋଚନୀୟ ଭାବେ ପରାଜିତ ହେଲା ଏବଂ ରାଜଧାନୀ ପେକିଂ ଶତ୍ରୁ ପକ୍ଷର ହସ୍ତଗତ ହେଲା । ଫଳରେ ଚୀନଦେଶର ସ୍ଵାଧୀନତା ବିପନ୍ନ ହେବା ସଙ୍ଗେ ସଙ୍ଗେ ଦେଶବାସୀ ବହୁପ୍ରକାର ଶୋଷଣର ଶିକାର ହେଲେ । ତାହା ହିଁ ହେଲା ଦେଶର ଆର୍ଥିକ ଓ ରାଜନୈତିକ ଦୁର୍ଗତିର ମୁଖ୍ୟ କାରଣ ।

 

ଏତିକିବେଳେ ୟାତ୍ସେନ୍ ଜାପାନ ସରକାରଙ୍କର ସହାୟତାରେ ପୁଣି ଏକ ଗଣ-ବିପ୍ଳବର ସୂତ୍ରପାତ କରିବା ପାଇଁ ଉଦ୍ୟତ ହୋଇଥିଲେ । କିନ୍ତୁ ଜାପାନର ମନ୍ତ୍ରିମଣ୍ଡଳ ପରିବର୍ତ୍ତିତ ହେବା ଫଳରେ ତାହା ବିଫଳ ହେଲା । ଜାପାନର ନୂତନ କାଠ ସରକାର ୟାତ୍ସେନ୍ ଓ ତାଙ୍କ ଅନୁଚରମାନଙ୍କୁ ସହାୟତା କରିବା ପରିବର୍ତ୍ତେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମଧ୍ୟ ପ୍ରସ୍ତୁତ ଥିଲେ । ଫଳରେ ତାଙ୍କର କଳ୍ପିତ ବିଦ୍ରୋହ ସମ୍ପୂର୍ଣ୍ଣ ବିଫଳ ହେଲା । ବିପ୍ଳବକୁ ସଂଗଠିତ କରିବା ପରିବର୍ତ୍ତେ ସଂଗଠନଗୁଡ଼ିକୁ ଭାଙ୍ଗିଦେବା ପାଇଁ ପରାମର୍ଶ ନେଇ ସେ ପୁଣି ଜାପାନ ପଳାୟନ କଲେ । ବିଫଳତାରେ ହତାଶ ହେବା କିମ୍ବା ଭାଙ୍ଗିପଡ଼ିବା ବ୍ୟକ୍ତି ସେ ନଥିଲେ । ଏକ ସୁସଜ୍ଜିତ ସୈନ୍ୟବାହିନୀ ବ୍ୟତିରେକେ ବିଦ୍ରୋହ ସଫଳ ହୋଇ ନପାରେ ବୋଲି ହୃଦବୋଧ ହେଲା-। ଜାପାନ ଭଳି ଚୀନ ରାଜ୍ୟକୁ ଉନ୍ନତ ଓ ସମୃଦ୍ଧିଶାଳୀ କରି ଗଢ଼ିବା ଥିଲା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ-

 

ପରାଭବଜନିତ ଗ୍ଳାନି ଓ ଅସନ୍ତୋଷ ରାଜ୍ୟବ୍ୟାପୀ ଲାଗି ରହିଥାଏ । ସାମ୍ରାଜ୍ଞୀ ପରିଶେଷରେ ଶାସନ କ୍ଷେତ୍ରରେ ଆବଶ୍ୟକୀୟ ପରିବର୍ତ୍ତନ ପାଇଁ ଇଚ୍ଛା ପ୍ରକାଶ କରୁଥାନ୍ତି । କିନ୍ତୁ ପେକିଂ ପ୍ରତ୍ୟାଗମନ କରିବା ୟାତ୍ସେନଙ୍କ ପକ୍ଷେ ସମ୍ଭବ ନଥିଲା । ଶାସନ କ୍ଷେତ୍ରରେ ସଂସ୍କାର ଅଣାଇବା ପାଇଁ ସେତେବେଳେ ଚୀନରେ ଦୁଇଟି ଗୋଷ୍ଠୀ ସକ୍ରିୟ ହୋଇ ଉଠିଥିଲେ । ଗୋଟିଏ ଗୋଷ୍ଠୀ ସାମ୍ରାଜ୍ଞୀ ପ୍ରାଚୀନ ପରମ୍ପରାର ସୁରକ୍ଷା ପାଇଁ ଉଦ୍ୟମ କରୁଥିବାବେଳେ ଆଉ ଗୋଟିଏ ଗୋଷ୍ଠୀ ପ୍ରଚଳିତ ଶାସନର ସମ୍ପୂର୍ଣ୍ଣ ଉଚ୍ଛେଦ ନିମିତ୍ତ ଯୁକ୍ତି ବାଢ଼ୁଥିଲେ । ଲିୟାଙ୍ଗ୍ ନାମକ ଜଣେ ପ୍ରତିଷ୍ଠିତ ଲେଖକ ଓ କାଙ୍ଗୟୁ ନାମକ ଜଣେ ଯୁବନେତା ସାମ୍ରାଜ୍ଞୀ ଓ ତାଙ୍କ ଅନୁଷ୍ଠାନର ସୁରକ୍ଷା ସଙ୍ଗେ ଦେଶରେ ସଂସ୍କାର ପଦ୍ଧତି ଅବଲମ୍ବନ ପାଇଁ ପ୍ରତିଷ୍ଠିତ ସଂସ୍କାର ଗୋଷ୍ଠୀର ନେତୃତ୍ଵ ନେଉଥିଲେ । ସେ ମଧ୍ୟ ଚୀନରେ ଖୁବ୍ ଲୋକପ୍ରିୟ ହୋଇ ଉଠିଥିଲେ । ଚୀନରେ ଗଣତନ୍ତ୍ର ଶାସନର ପ୍ରତିଷ୍ଠା ବିରୁଦ୍ଧରେ ସେ ସ୍ଵର ଉତ୍ତୋଳନ କରୁଥିଲେ । କିନ୍ତୁ ସନ୍ୟାତ୍ ସେନ୍ ଚୀନବାସୀଙ୍କର ଗଣତାନ୍ତ୍ରିକ ଦକ୍ଷତା ଉପରେ ବିଶ୍ୱାସ ରଖିଥିଲେ । ଚୀନର ଗରିବ ଓ ନିରକ୍ଷର ଜନସାଧାରଣଙ୍କର ମୁକ୍ତି ନିମିତ୍ତ ଗଣତାନ୍ତ୍ରିକ ଶାସନରଆବଶ୍ୟକତାକୁ ସେ ସ୍ଵୀକାର କରୁଥିଲେ । ପ୍ରବାସରେ ଲିୟାଙ୍ଗ୍ ଓ କାଙ୍ଗ୍ୟୁ ଧନୀକ ଚୀନ ସମ୍ପ୍ରଦାୟର ନେତୃତ୍ଵ ନେଉଥିଲେ କିନ୍ତୁ ସନ୍ୟାତ୍ ସେନ୍ ଗରିବ ଜନସାଧାରଣଙ୍କୁ ହିଁ ସଂଗଠିତ କରିବାରେ ଲାଗିଲେ । ଏହି ଗରିବ ଚୀନ ଜନସାଧାରଣ ଦେଶପ୍ରେମ ରୂପକ ମହାମନ୍ତ୍ରରେ ଉଦବୁଦ୍ଧ ହେବାକୁ ଲାଗିଲେ ଏବଂ ୟାତ୍ସେନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ଦେବାକୁ ସଂକଳ୍ପବଦ୍ଧ ହେଲେ । ବହୁ ଚୀନ ପରିବାର ୟାତ୍ସେନଙ୍କୁ ନିଜର ସମସ୍ତ ସମ୍ପତ୍ତି ଦାନ କରି ତାଙ୍କୁ ସବୁ ରକମର ସମର୍ଥନ ଜଣାଇଲେ । ଛଦ୍ମବେଶରେ ସେ ଆମେରିକା ଓ ୟୁରୋପର ବିଭିନ୍ନ ଦେଶ ଭ୍ରମଣ କରି ସଂଗଠନ କାର୍ଯ୍ୟରେ ପୁଣି ଥରେ ତତ୍ପର ହୋଇ ଉଠିଲେ ।

 

ତତ୍ପରେ ୟାତ୍ସେନ୍ ନିଜ ରାଜ୍ୟକୁ ଫେରିଯା0ଇ କାଣ୍ଟନଠାରେ ଏକ ଗୁପ୍ତ କାର୍ଯ୍ୟାଳୟ ପ୍ରତିଷ୍ଠା କଲେ ଏବଂ ତୃତୀୟ ଥର ପାଇଁ ଏକ ବିଶାଳତର ବିପ୍ଳବ ସଂଗଠନ ଉଦ୍ଦେଶ୍ୟରେ ସକ୍ରିୟ ହେଲେ । ଚୀନ ଛାତ୍ର ସମାଜ ତାଙ୍କ କର୍ଯ୍ୟକଳାପକୁ ସମର୍ଥନ ଜଣାଇବା ଫଳରେ ତାଙ୍କର ଆଶା ଅଧିକ ବଳବତୀ ହେବାକୁ ଲାଗିଲା । ନିଜର ସ୍ତ୍ରୀ ଓ ପରିବାରକୁ ସାହାଯ୍ୟ କରିବାକୁ ମଧ୍ୟ ସେ ଆଉ ସମୟ ପାଇଲେ ନାହିଁ । ଚୀନର ଶୋଷିତ ଜନତାର ମୁକ୍ତି ହିଁ ତାଙ୍କ ଜୀବନର ଏକମାତ୍ର ପବିତ୍ର ଉଦ୍ଦେଶ୍ୟ ଥିଲା । କିନ୍ତୁ ତୃତୀୟ ଥର ପାଇଁ ମଧ୍ୟ ସେ ଆନ୍ଦୋଳନରେ ଅକୃତକାର୍ଯ୍ୟ ହେଲେ । ସମ୍ରାଟଙ୍କର ଗୁଇନ୍ଦା ବିଭାଗ ବିପ୍ଳବ ଖବର ଜାଣିପାରି ସଙ୍ଗେ ସଙ୍ଗେ ତାର ଦମନ ଲାଗି କାର୍ଯ୍ୟପନ୍ଥା ଗ୍ରହଣ କରିଥିଲେ ।

 

ବିପ୍ଳବର ବ୍ୟର୍ଥତାରେ ଭାଙ୍ଗିପଡ଼ିବା ୟାତ୍ସେନଙ୍କର ଜାତକରେ ନଥିଲା । ତତ୍ପରେ ସେ ଜାପାନରେ ତାଙ୍କ ସଂଗଠନ କାର୍ଯ୍ୟକୁ ପୁଣି କ୍ରିୟାଶୀଳ କରାଇ ନିଜର ଉଦ୍ଦେଶ୍ୟ ପ୍ରଚାର ପାଇଁ ଖଣ୍ଡିଏ ପୁସ୍ତକ ପ୍ରକାଶ କଲେ । କିନ୍ତୁ ମାଞ୍ଚୁ ସରକାରଙ୍କର ନିର୍ଦ୍ଦେଶକ୍ରମେ ସେ ଜାପାନରୁ ବହିଷ୍କୃତ ହୋଇ ଇଣ୍ଡୋଚୀନର ହାନୋଇ ସହରରେ ନୂତନ କାର୍ଯ୍ୟାଳୟ ପ୍ରତିଷ୍ଠା କଲେ । ହାନୋଇ ସେତେବେଳେ ଫରସୀମାନଙ୍କ ଶାସନରେ ଥିଲା ଏବଂ ୟାତ୍ସେନ୍ ଫରାସୀମାନଙ୍କଠାରୁ ସହାୟତା ପାଇବା ଆଶା ବାନ୍ଧିଥିଲେ । ଫରସୀମାନେ ୟାତ୍ସେନଙ୍କୁ ସହାୟତା କରିବା ପାଇଁ ମଧ୍ୟ ମନସ୍ଥ କଲେ ଏବଂ ଦରକାର ପଡ଼ିଲେ ସୈନ୍ୟ ସାହାଯ୍ୟ ଦେଇ ଚୀନ ସେନାଙ୍କୁ ପରାହତ କରିବା ପାଇଁ ପ୍ରତିଶ୍ରୁତି ଦେଲେ । ଜାପାନରୁ ଯୁଦ୍ଧୋପଯୋଗୀ ଅସ୍ତ୍ରଶସ୍ତ୍ରର ଯୋଗାଡ଼ ପାଇଁ ଆୟୋଜନ ହେଲା । ଚୀନ ରାଜ୍ୟର ଶୋଷିତ ଜନତା ମଧ୍ୟ ମାଞ୍ଚୁ ସମ୍ରାଟଙ୍କର ନୀତିରେ ଅସନ୍ତୁଷ୍ଟ ହୋଇ ଗୋଟିଏ ବିରାଟ ରକମର ବିପ୍ଳବର ଆବଶ୍ୟକତା ଉପଲବ୍ଧି କରୁଥିଲେ । ହଠାତ୍ ଏକ ସୁଯୋଗ ଆସିଲା । ସମ୍ରାଟଙ୍କ ବିରୁଦ୍ଧରେ ଜନତାର ଏକ ଅଚାନକ ବିଦ୍ରୋହକୁ ସମର୍ଥନ ଜଣାଇ ସେ ନିଜର ସେନାବାହିନୀକୁ ପ୍ରେରଣ କଲେ । କିନ୍ତୁ ଏଥର ମଧ୍ୟ ସେ ସଫଳତା ଅର୍ଜନ କରିପାରିଲେ ନାହିଁ । କାରଣ ଠିକ୍ ସମୟରେ ସେ ଜାପାନରୁ କଳ୍ପିତ ଯୁଦ୍ଧ ସରଞ୍ଜାମ ପାଇପାରିଲେ ନାହିଁ । ୟାତ୍ସେନ୍ ପରାସ୍ତ ହେଲେ ଏବଂ ଚୀନ ସମ୍ରାଟଙ୍କର ନିର୍ଦ୍ଦେଶକ୍ରମେ ସେ ହାନୋଇରୁ ମଧ୍ୟ ବହିଷ୍କୃତ ହୋଇ ସିଙ୍ଗାପୁର ପଳାୟନ କଲେ । ଏ ମଧ୍ୟରେ ଆଉ ଚାରୋଟି କ୍ଷୁଦ୍ର ବିଦ୍ରୋହ ବିଫଳତାରେ ପର୍ଯ୍ୟବେସିତ ହୋଇଥିଲା । ତଥାପି ନିଜ ଉଦ୍ୟମର ଶେଷ ସଫଳତା ଦିଗରେ ୟାତ୍ସେନଙ୍କ ଅଦ୍ୟମ ଆଶା ରହିଥିଲା । ବିପ୍ଳବ ସଂଗଠନରେ ସେ ଯେତେଥର ବିଫଳ ହେଉଥିଲେ, ସେତେଥର ନୂତନ ଉତ୍ସାହ ଲାଭ କରି ପୁଣି ବୃହତ୍ତର ବିପ୍ଳବ ଲାଗି ପ୍ରସ୍ତୁତ ହେଉଥିଲେ ଏବଂ ବିଜୟ ହାସଲ ଲାଗି ପ୍ରତିଜ୍ଞା କରି ଅଧିକ ନିଷ୍ଠାର ସହ ସାଂଗଠନିକ କାର୍ଯ୍ୟରେ ଲାଗି ପଡ଼ୁଥିଲେ । ଶେଷଥର ବିଦ୍ରୋହରେ ସେ ଏକାବେଳକେ ଅର୍ଥଶୂନ୍ୟ ହୋଇପଡ଼ିଥିଲେ । ତେଣୁ ସେ ପୁଣି ଥରେ ଆମେରିକା ଯାଇ ପାଣ୍ଠି ସଂଗ୍ରହ କରିବାକୁ ଲାଗିଲେ । ସେଠାରେ ସେ ଜଣେ ସୁଦକ୍ଷ ସେନାପତି ହୋମରଲିଙ୍କ ସହ ସାକ୍ଷାତ କରି ତାଙ୍କର ବଳିଷ୍ଠ ପ୍ରେରଣା ଲାଭ କଲେ । ତାଙ୍କଠାରୁ ରଣ କୌଶଳ ଓ ଅନ୍ୟାନ୍ୟ ସାମରିକ ପରାମର୍ଶ ଗ୍ରହଣ କରି ନିଜର ଏକ ସେନାବାହିନୀ ଗଠନ ପାଇଁ ମନସ୍ଥ କଲେ । ତାଙ୍କର ବିପ୍ଳବ ସବୁ ବୈଫଲ୍ୟରେ ପର୍ଯ୍ୟବସିତ ହେଲେ ସୁଦ୍ଧା ଚୀନର ଯୁବଶକ୍ତି ପ୍ରାଣରେ ତାହା ନୂତନ ଚେତନା ଜାଗ୍ରତ କରୁଥିଲା ଏବଂ ପ୍ରତ୍ୟେକ ଥର ନୂତନ ଯୁବ ଅନୁଷ୍ଠାନ ଗଠିତ ହୋଇ ତାଙ୍କ କାର୍ଯ୍ୟକୁ ସମର୍ଥନ କରାଯାଉଥିଲା । ପ୍ରଚଳିତ ଶାସନର ଉଚ୍ଛେଦ ସାଧନ ପାଇଁ ଏଥର ରାଷ୍ଟ୍ରବ୍ୟାପୀ ଈପ୍‍ସା ଜାଗ୍ରତ ହେଲା । ବାହାର ଦୁନିଆର ଅଗ୍ରଗତି ସମ୍ପର୍କରେ ଖବର ପାଇ ସେମାନେ ନିଜ ଦେଶକୁ ସେହି ଢାଞ୍ଚାରେ ନିର୍ମାଣ କରିବା ପାଇଁ ପ୍ରୟାସୀ ହେଲେ । ସମୟର ପରିବର୍ତ୍ତନ ସଙ୍ଗେ ସଙ୍ଗେ ଚୀନ ଶାସନରେ ମଧ୍ୟ ପରିବର୍ତ୍ତନ ଅବଶ୍ୟମ୍ଭାବୀ ବୋଲି ସେମାନେ ମନେ କଲେ । ଏ ମଧ୍ୟରେ ସାମ୍ରାଜ୍ଞୀଙ୍କ ମୃତ୍ୟୁ ଆସନ୍ନ ହେଲା । ମୃତ୍ୟୁ ପୂର୍ବରୁ ସେ ନିଜ ବନ୍ଦୀ ପୁତ୍ରକୁ ହତ୍ୟା କରାଇଥିଲେ ଏବଂ ହତ୍ୟା ଖବର ଶୁଣିବା ପରେ ନିଜେ ମୃତ୍ୟୁଲାଭ କଲେ । ଫଳରେ ସାମ୍ରାଜ୍ଞୀଙ୍କ ଶାସନର ପତନ ଘଟିଲା । ତତ୍ପରେ ସାମ୍ରାଜ୍ଞୀଙ୍କର ପୁତ୍ରବଧୂ ନିଜର ଶିଶୁ ପୁତ୍ରକୁ ସିଂହାସନରେ ବସାଇ ରାଜ୍ୟଶାସନ କରିବାକୁ ଲାଗିଲେ । କିନ୍ତୁ ରାଜପ୍ରାସାଦର ପୂର୍ବ ସମ୍ମାନ ଆଉ ରହିଲା ନାହିଁ । ଫଳରେ ୟାତସେନ୍ ପ୍ରତିଷ୍ଠା କରିଥିବା ଉଚ୍ଚାଙ୍ଗ ବିପ୍ଳବୀମାନେ ସକ୍ରିୟ ହୋଇ ଉଠିଲେ ।

 

ଆମେରିକାରେ ଅର୍ଥସଂଗ୍ରହ କରୁ କରୁ ୟାତ୍ସେନ୍ ଶୁଣିଲେ ଯେ ଉଚ୍ଚାଙ୍ଗମାନେ ବିପ୍ଳବ ଆରମ୍ଭ କରିଦେଇଛନ୍ତି । ପରେ ପରେ ସେ ଶୁଣିଲେ ଯେ ଉଚ୍ଚାଙ୍ଗ ମାନେ ବହୁ ନଗର ଅଧିକାର କରିସାରିବା ପରେ କିୟାଂସି ପ୍ରଦେଶର ରାଜଭବନ ମଧ୍ୟ ଅଧିକାର କରିଛନ୍ତି । ନିଉୟର୍କ ଯିବା ପଥରେ ସେ ଗୋଟିଏ ଖବରକାଗଜରେ ଦେଖିବାକୁ ପାଇଲେ ଯେ ଚୀନରେ ଏକ ଗଣତନ୍ତ୍ର ଶାସନ ପ୍ରତିଷ୍ଠିତ ହେବାକୁ ଯାଉଛି ଏବଂ ୟାତ୍ସେନ୍ ତାର ପ୍ରେସିଡେଣ୍ଟ ହେଉଛନ୍ତି । ନିଜର ସ୍ଵପ୍ନ ବହୁଦିନ ପରେ ବାସ୍ତବ ରୂପରେଖ ନେଉଥିବା ଦେଖି ସେ ଆନନ୍ଦରେ ଉଦବେଳିତ ହୋଇପଡ଼ିଲେ-। ଆମେରିକାର ଲୋକେ ଚୀନ ରାଜ୍ୟରେ ତାଙ୍କ ନେତୃତ୍ଵକୁ ସ୍ଵାଗତ କରିବେ ବୋଲି ସେ ଭାବିଥିଲେ । ସିଙ୍ଗାପୁରରେ ପ୍ରବେଶ କରିବା ପାଇଁ ସେ ବ୍ରିଟିଶ ସରକାରଙ୍କଠାରୁ ଆବଶ୍ୟକୀୟ ଅନୁମତି ମଧ୍ୟ ପାଇଥିଲେ । ତତ୍ପରେ ସେ ତାଙ୍କର ସାମରିକ ପରାମର୍ଶଦାତା ହୋମରଲିଙ୍କୁ ସାଙ୍ଗରେ ନେଇ ସେ ସିଙ୍ଗାପୁରଠାରେ ପହଞ୍ଚିଲେ । ସେଠାର ଚୀନବାସୀ ତାଙ୍କୁ ସାଦରରେ ଅଭ୍ୟର୍ଥନା ଜଣାଇଲେ । ଦୀର୍ଘ ଷୋହଳ ବର୍ଷ ପ୍ରବାସରେ ଛଦ୍ମ ଜୀବନ କଟାଇବା ପରେ ସନ୍ୟାତ୍ ସେନ୍ ପ୍ରଥମଥର ପାଇଁ ନିଜର ପ୍ରକାଶ ପରିଚୟ ଦେଇ ନିଜ ଦେଶକୁ ଫେରିବାର ସୁଯୋଗ ଲାଭ କଲେ ।

 

ଚୀନ ଦେଶରେ ପହଞ୍ଚିବା ପରେ ଦେଶବାସୀ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଜଣାଇ ତାଙ୍କ ନେତୃତ୍ଵର ପ୍ରଶଂସା ଗାନ କଲେ । ଅଧ୍ୟବସାୟ ଓ ନିଷ୍ଠା ସହକାରେ ଦେଶରେ ଗଣତନ୍ତ୍ର ଶାସନ ପ୍ରତିଷ୍ଠା ପାଇଁ ସନ୍ୟାତ୍ ସେନ ଉଦ୍ୟମ ଆରମ୍ଭ କରିଦେଲେ । ଦେଶର ସର୍ବତ୍ର ବିପ୍ଳବୀ ସମାଜମାନ ତାଙ୍କ ନେତୃତ୍ଵରେ ପରିଚାଳିତ ହୋଇ ତାଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ସକ୍ରିୟ ହୋଇ ଉଠିଲେ । ୧୯୧୧ ମସିହା ଡିସେମ୍ବର ୨୯ ତାରିଖ ଦିନ ସେ ଚୀନ ରାଷ୍ଟ୍ରର ପ୍ରେସିଡେଣ୍ଟ ରୂପେ କାର୍ଯ୍ୟଭାର ଗ୍ରହଣ କରି ଦୀର୍ଘଦିନର ଏକ ସ୍ଵପ୍ନକୁ ବାସ୍ତବ ରୂପରେଖ ଦେଲେ । ଗଣଭୋଟ ଦ୍ଵାରା ନିର୍ବାଚନ ପ୍ରଥା ତେଣିକି ଚୀନରେ ପ୍ରଚଳିତ ହେଲା । ରାଜତନ୍ତ୍ରର ଉଚ୍ଛେଦ ଫଳରେ ଚୀନବାସୀ ଅତ୍ୟନ୍ତ ଆନନ୍ଦିତ ହୋଇ ଉକ୍ତ ପରିବାରରେ ସମସ୍ତ ବ୍ୟକ୍ତିଙ୍କୁ ହତ୍ୟା କଲେ । ଚୀନ ରାଜ୍ୟର ଅଠର ଗୋଟି ପ୍ରଦେଶ ମଧ୍ୟରୁ ପନ୍ଦର ଗୋଟି ପ୍ରଦେଶ ୟାତ୍ସେନଙ୍କ ପ୍ରତ୍ୟକ୍ଷ କର୍ତ୍ତୃତ୍ଵକୁ ଆସିଲା ।

 

ଦୀର୍ଘଦିନ ସମ୍ରାଟଙ୍କର ଶାସନାଧୀନ ଥିବା ହେତୁ ଚୀନ ଶାସନରେ ଦୁର୍ନୀତି ଓ ପ୍ରିୟାପ୍ରୀତିର ମାତ୍ରା ଖୁବ୍ ବୃଦ୍ଧି ପାଇଥିଲା ଏବଂ ସାମାଜିକ ବିକାଶ କ୍ଷେତ୍ରରେ ଅଧୋଗତି ପରିଲକ୍ଷିତ ହୋଇଥିଲା । ଆଧୁନିକ ସମାଜର ବିକାଶକଳ୍ପେ ଶିକ୍ଷାପଦ୍ଧତିର ମଧ୍ୟ ଅଭାବ ରହିଥିଲା । ମରୁଡ଼ି ଓ ବନ୍ୟାଭଳି ପ୍ରାକୃତିକ ବିପର୍ଯ୍ୟୟରେ ଚୀନର ଅର୍ଥନୀତି ଭାଙ୍ଗି ପଡ଼ିଥିଲା । ଦେଶର ସ୍ଵାର୍ଥରକ୍ଷା ପରିବର୍ତ୍ତେ ଉଚ୍ଚପଦସ୍ଥ କର୍ମଚାରୀମାନେ ଆକ୍ରମଣକାରୀଙ୍କୁ ସହାୟତା କରୁଥିଲେ । ସେମାନଙ୍କ ବିରୁଦ୍ଧରେ ତେଣୁ ସେ କେତେକ ସଂସ୍କାର ବ୍ୟବସ୍ଥା ଗ୍ରହଣ କରିଥିଲେ । ଦେଶରେ ସର୍ବତ୍ର ପ୍ରଚଳିତ ଚାନ୍ଦ୍ରମାସ କାଲେଣ୍ଡର ଉଠାଇ ଦେଇ ତା ସ୍ଥାନରେ ସୌରମାସ କାଲେଣ୍ଡର ପ୍ରଚଳନ କରାଇଥିଲେ ।

 

ଶାସନ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ଦିଗରେ ସେ କେତେକ ସଂସ୍କାର ବ୍ୟବସ୍ଥା ପ୍ରଚଳନ କରାଇଥିଲେ । କିନ୍ତୁ ବିପ୍ଳବର ଅବସାନ ହେବା ପରେ ପରେ ଦେଶରେ ଏକ ସାମରିକ ଶାସନ ପ୍ରତିଷ୍ଠା କରି ସର୍ବପ୍ରଥମେ ମିଳିତ ଚୀନ ରାଜ୍ୟରୁ ବିଚ୍ଛିନ୍ନ ହୋଇ ପଡ଼ିଥିବା ତିନିଗୋଟି ରାଜ୍ୟକୁ ଜୟ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କଲେ । ସମଗ୍ର ଚୀନ ରାଜ୍ୟ ଏକତ୍ରିତ ହେଲା ପରେ ଦେଶବାସୀଙ୍କୁ ସ୍ଵାୟତ୍ତଶାସନ କ୍ଷମତା ଅର୍ପଣ କରିବା ଥିଲା ତାଙ୍କ ଯୋଜନାର ଉଦ୍ଦେଶ୍ୟ । ଶାସନ ପରିଚାଳନା ସମ୍ପର୍କରେ ଲୋକେ ତାଲିମ ଲାଭ କରିବା ପରେ ସେମାନଙ୍କୁ ପ୍ରାଦେଶିକ ଶାସନ କ୍ଷମତା ଅର୍ପଣ ପାଇଁ ସେ ମନସ୍ଥ କରିଥିଲେ ।

 

ଶାସନ କ୍ଷେତ୍ରରେ ଅଧିଷ୍ଠିତ ହେବା ପରେ ୟାତ୍ସେନ ଦେଶର ସୈନ୍ୟବାହିନୀର ଆଧୁନିକ ଢାଞ୍ଚାରେ ସଜାଡ଼ିବା ପାଇଁ ଉଦ୍ୟମ କଲାବେଳେ ଜେନେରାଲ୍ ହୋମରଲିଙ୍କ ମୃତ୍ୟୁ ତାଙ୍କୁ ବିଶେଷ ଅସୁବିଧାରେ ପକାଇଥିଲା । ତେଣେ ବିତାଡ଼ିତ ମାଞ୍ଚୁ ସରକାରଙ୍କର ପ୍ରଧାନମନ୍ତ୍ରୀ ସିଆନ୍ ସିକାଇ ତାଙ୍କ ବିରୁଦ୍ଧରେ କୁତ୍ସା ପ୍ରଚାରରେ ତତ୍ପର ହୋଇ ଉଠିଲେ । ସନ୍ୟାତ ସେନ ମୁଖ୍ୟତଃ ଜଣେ ବିପ୍ଳବୀ ଏବଂ ରାଷ୍ଟ୍ରଶାସନ ସମ୍ପର୍କରେ ଏକାନ୍ତ ଅନଭିଜ୍ଞ ବୋଲି ସେ ସମାଲୋଚନା କରିବାରେ ଲାଗିଲେ । ଚୀନ୍‍ର ଉତ୍ତର ଓ ଦକ୍ଷିଣାଞ୍ଚଳ ମଧ୍ୟରେ ଭେଦଭାବ ସୃଷ୍ଟି କରିବା ପାଇଁ ମଧ୍ୟ ସେ ବହୁବାର ଉଦ୍ୟମ କଲେ । କିନ୍ତୁ ତାଙ୍କର ସକଳ ପ୍ରକାର ଉଦ୍ୟମ ବିଫଳ ହେଲା । ଜନତା ତାର ଶିକାର ହେଲେ ନାହିଁ । ଏଣେ ସନୟାତ୍ ସେନ ମାଞ୍ଚୁ ସମ୍ରାଟ ଅଧିକାର କରିଥିବା ତିନିଗୋଟି ପ୍ରଦେଶକୁ ଆକ୍ରମଣ କରି ଚୀନରାଜ୍ୟ ସହ ସାମିଲ କରିବା ପାଇଁ ପ୍ରସ୍ତୁତ ହେଲା । ମାଞ୍ଚୁ ସାମ୍ରାଜ୍ୟ ମୂଳୋତ୍ପାଟନ କରିବା ଥିଲା ୟାତ୍ସେନଙ୍କର ବିପ୍ଳବର ମୌଳିକ ଉଦ୍ଦେଶ୍ୟ । କିନ୍ତୁ ସାମରିକ ବାହିନୀ ଓ ଅସ୍ତ୍ରଶସ୍ତ୍ରରେ ସେ ବଳୀୟାନ ନଥିଲେ । ତେଣୁ ଉଭୟ ରାଜ୍ୟ ମଧ୍ୟରେ ଯୁଦ୍ଧର ସମ୍ଭାବନାକୁ ଦୂର କରି ଏକ ସାଲିସ ଆଣିବା ପାଇଁ ତାଙ୍କ ବନ୍ଧୁମାନେ ତାଙ୍କୁ ପରାମର୍ଶ ଦେଲେ । ପରାମର୍ଶ ଅନୁଯାୟୀ ସେ କାର୍ଯ୍ୟ କରିଗଲେ । ସନ୍ୟାତ୍ ସେନ ପ୍ରେସିଡେଣ୍ଟ ପଦରୁ ଓ ନାବାଳକ ମାଞ୍ଚୁ ସମ୍ରାଟ ସମ୍ରାଟ ପଦରୁ ଅବ୍ୟାହତି ନେଲେ ଦେଶର ବାସ୍ତବ ଗଣତନ୍ତ୍ର ପ୍ରତିଷ୍ଠିତ ହୋଇପାରିବ ବୋଲି ତାଙ୍କର ବନ୍ଧୁମାନେ ଦେଇଥିବା ପରାମର୍ଶକୁ ସେ ଗ୍ରହଣ କଲେ । ତେଣେ ଉତ୍ତରାଞ୍ଚଳର ତିନିଗୋଟି ପ୍ରଦେଶରେ ଶାସନ କରୁଥିବା ପ୍ରଧାନମନ୍ତ୍ରୀ ସିକାଇ ମଧ୍ୟ ଏଥିରେ ରାଜି ହୋଇଗଲେ । ବିନା ରକ୍ତପାତରେ ମାଞ୍ଚୁ ସମ୍ରାଟଙ୍କର ପତନ ଘଟିଲା । ଅଳ୍ପ କେତୋଟି ଦିନ ପାଇଁ ଚୀନର ପ୍ରେସିଡେଣ୍ଟ ପଦରେ ରହି ଜାତୀୟ କଲ୍ୟାଣର୍ଥେ ସେ ଇସ୍ତଫା ପ୍ରଦାନ କଲେ ଏବଂ ନିଜର ରାଜନୈତିକ ଶତ୍ରୁ ସିକାଇଙ୍କୁ ପ୍ରେସିଡେଣ୍ଟ ରୂପେ ନିର୍ବାଚିତ କରିବା ପାଇଁ ସେ ଜନତାଙ୍କୁ ପରାମର୍ଶ ଦେଲେ । ବିଚ୍ଛିନ୍ନ ରହିଥିବା ରାଜ୍ୟଗୁଡ଼ିକ ଏଥିରେ ସନ୍ତୋଷ ପ୍ରକାଶ କରି ମୂଳ ଚୀନ ରାଜ୍ୟରେ ଆସି ଯୋଗଦାନ କଲେ । ଫଳରେ ବିଶାଳ ଚୀନ ରାଷ୍ଟ୍ର ପ୍ରତିଷ୍ଠିତ ହେଲା ।

 

ଚୀନର ବିଭିନ୍ନ ପ୍ରାନ୍ତୀୟ ଆଦର୍ଶକୁ ଭିତ୍ତି କରି ୟାତ୍ସେନ ଏକ ନୂତନ ଜାତୀୟ ପତାକାର ପ୍ରଚଳନ କରାଇଥିଲେ । ଚୀନର ସମସ୍ତ ସମ୍ପ୍ରଦାୟ ଏକ ଜାତୀୟ ପତାକା ତଳେ ଏଣିକି ଏକ ମହାଜାତିରେ ପରିଣତ ହେଲେ । ସନ୍ୟାତ୍ ସେନାଙ୍କର ଜୀବନର ସ୍ୱପ୍ନ ଫଳବତୀ ହେଲା ।

 

ସନ୍ୟାତ୍ ସେନ ଥିଲେ ଜଣେ ନିଃସ୍ୱାର୍ଥପର କର୍ମୀ ଓ ଭୟାନକ ବିପ୍ଳବୀ । ଚୀନ ଜାତିର ମଙ୍ଗଳ ହିଁ ତାଙ୍କର ବିପ୍ଳବର ମହାନ୍ ଉଦ୍ଦେଶ୍ୟ ଥିଲା । ସିକାଇ ଚୀନର ପ୍ରେସିଡେଣ୍ଟ ନିର୍ବାଚିତ ହେବା ପରେ ଉଭୟ ୟାତ୍ସେନ ଓ ସିକାଇଙ୍କୁ ନାନାକିଂ ସହରରେ ଏକ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସିକାଇଙ୍କ ପରାମର୍ଶକ୍ରମେ ଚୀନ ଦେଶର ରାଜଧାନୀ ପେକିଂକୁ ସ୍ଥାନାନ୍ତରିତ କରାଗଲା । ତତ୍ ପରେ ୟାତ୍ ସେ ଦେଶର ବିଭିନ୍ନ ଅଞ୍ଚଳରେ ଭାଷଣ ଦେଇ ଦେଶବାସୀଙ୍କ ମନରେ ଦେଶାତ୍ମାବୋଧ ଜାଗ୍ରତ କଲେ ।

 

ନିଜେ ସୁବକ୍ତା ଥିବାରୁ ଜନତାକୁ ତାଙ୍କର କଳ୍ପିତ ଯୋଜନା ବୁଝାଇବା ତାଙ୍କ ପକ୍ଷରେ କଷ୍ଟକର ହେଲା ନାହିଁ । ନିଜେ ପ୍ରେସିଡେଣ୍ଟ ସିକାଇ ପେକିଂଠାରେ ସନ୍ୟାତ୍ ସେନଙ୍କର ସମ୍ବର୍ଦ୍ଧନାର ଆୟୋଜନ କରିଥିଲେ ଏବଂ ଶାସନ ସମ୍ପର୍କୀୟ ବହୁ ପରାମର୍ଶ ସେ ତାଙ୍କଠାରୁ ଗ୍ରହଣ କରିଥିଲେ । ଦେଶର ବିଭିନ୍ନ ପ୍ରଦେଶକୁ ରେଳପଥଦ୍ୱାରା ସଂଯୁକ୍ତ କରି ଚୀନର ଅନ୍ତର୍ବାଣିଜ୍ୟ ବୁଦ୍ଧି ନିମିତ୍ତ ସେ ପ୍ରୟାସୀ ହେଲେ ଏବଂ ଆର୍ଥିକ ବିକାଶ ନିମିତ୍ତ ବୈଦେଶିକ ଋଣ ଗ୍ରହଣ ପାଇଁ ସରକାରଙ୍କୁ ପରାମର୍ଶ ଦେଲେ । ପ୍ରେସିଡେଣ୍ଟ ସିକାଇ ତାଙ୍କ ସହ ଏକମତ ହୋଇ ବିଭିନ୍ନ ରାଷ୍ଟ୍ରରୁ ଋଣ ସଂଗ୍ରହରେ ଲାଗିପଡ଼ିଲେ । କିନ୍ତୁ ଯେଉଁ ସର୍ତ୍ତରେ ଋଣ ଗ୍ରହଣ ପାଇଁ ସେ ନିଷ୍ପତ୍ତି ନେଲେ, ଦେଶବାସୀ ତାହାକୁ ପସନ୍ଦ କଲେ ନାହିଁ । ଉକ୍ତ ସର୍ତ୍ତକୁ ଅପମାନଜନକ ବୋଲି ମନେ କରାଗଲା ଏବଂ ତଦ୍ଦ୍ୱାରା ଚୀନରେ ପୁନର୍ବାର ବୈଦେଶିକ ଆଧିପତ୍ୟ ପ୍ରତିଷ୍ଠିତ ହୋଇଯାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଲା ।

 

ସନ୍ୟାତ୍ ସେନଙ୍କର ରାଜନୈତିକ ଦଳର ନାମ ଥିଲା କୋମିନଟାଙ୍ଗ । ଉକ୍ତ ଦଳର ନିର୍ଦ୍ଦେଶକୁ ଅମାନ୍ୟ କରି ପ୍ରେସିଡେଣ୍ଟ ସିକାଇ ଅପମାନଜନକ ସନ୍ଧି ସ୍ୱାକ୍ଷର କରି ଚଢ଼ା ସୁଧ ହାରରେ ବୈଦେଶିକ ୠଣ ଗ୍ରହଣ କଲେ । ଫଳରେ ପ୍ରେସିଡେଣ୍ଟଙ୍କ ସହ ସନ୍ୟାତ୍ ସେନଙ୍କର ତୀବ୍ର ମତାନ୍ତର ଘଟିଲା । ଉକ୍ତ ମତାନ୍ତର ପରେ ଏକ ଗୃହଯୁଦ୍ଧରେ ପରିଣତ ହେଲା ଏବଂ ସନ୍ୟାତ୍ ସେନଙ୍କୁ ରାଜ୍ୟ ଛାଡ଼ି ପୁଣି ଥରେ ଜାପାନ ପଳାଇ ଯାଇ ନିଜର ପ୍ରାଣରକ୍ଷା କରିବାକୁ ପଡ଼ିଥିଲା । କିନ୍ତୁ ସିକାଇଙ୍କର ଉଦ୍ଦେଶ୍ୟକୁ ସନ୍ଦେହ ପ୍ରକାଶ କରି ଲୋକେ ବିଦ୍ରୋହରେ ଝାସ ଦେଲେ । ଏଣେ ସିକାଇ ସନ୍ୟାତ୍ ସେନଙ୍କୁ ହତ୍ୟା କରିବା ପାଇଁ ଗୁପ୍ତ ଆୟୋଜନ କରିବାରେ ଲାଗିଲେ । ପାଶ୍ଚାତ୍ୟ ରାଷ୍ଟ୍ରମାନେ ପୁଣି ଥରେ ଚୀନ ରାଜ୍ୟରେ ବାଣିଜ୍ୟ କାରବାରରେ ଆଧିପତ୍ୟ ବିସ୍ତାର କରି ଚୀନକୁ ଖଣ୍ଡ ଖଣ୍ଡ କରିବା ଚକ୍ରାନ୍ତରେ ଲାଗିପଡ଼ିଲେ । ନିଜେ ପ୍ରେସିଡେଣ୍ଟ ସିକାଇ ମଧ୍ୟ ଅର୍ଥ ଲୋଭର ଶିକାର ହୋଇ ଚୀନର ବାଣିଜ୍ୟ ବ୍ୟବସାୟକୁ ପୂର୍ବ ପରିଚିତ ବିଦେଶୀ ମହାଜନଙ୍କ ହସ୍ତରେ ଅର୍ପଣ କଲେ । ନିଜକୁ ଚୀନରେ ଏକଛତ୍ର ସମ୍ରାଟ ରୂପେ ଘୋଷଣା କରି ରାଜନୈତିକ ଶାସନ ପ୍ରତିଷ୍ଠା ପାଇଁ ତାଙ୍କ ମନରେ ବାସନା ଜାଗ୍ରତ ହେଲା ।

 

ତେଣେ ସନ୍ୟାତ୍ ସେନ ଜାପାନରେ ପୁଣି ଥରେ ନିର୍ବାସିତ ଜୀବନ ଯାପନ କରି ଦୁଃଖରେ ସମୟ କାଟିଲେ । କିନ୍ତୁ ଏହି ସମୟ ମଧ୍ୟରେ ସେ ନିଜର ଜଣେ ପରମ ହିତାକାଂକ୍ଷୀ ଓ ବନ୍ଧୁ ଚାର୍ଲସ ସୁଙ୍ଗଙ୍କର ଜ୍ୟେଷ୍ଠା କନ୍ୟାଙ୍କୁ ନିଜର ବ୍ୟକ୍ତିଗତ ସେକ୍ରେଟେରୀ ରୂପେ ଗ୍ରହଣ କଲେ । କିନ୍ତୁ ତାଙ୍କର ବିବାହ ପରେ ସୁଙ୍ଗଙ୍କର ଦ୍ଵିତୀୟ କନ୍ୟା ଚିଙ୍ଗ୍ଲିଙ୍ଗଙ୍କୁ ସେହି ପଦରେ ନିଯୁକ୍ତି ଦେଲେ । କନ୍ୟା ଦୁଇଟି ସନ୍ୟାତ୍ ସେନଙ୍କ ଉଦ୍ୟମକୁ ହାର୍ଦ୍ଦିକ ସମର୍ଥନ ଜଣାଇଥିଲେ ଏବଂ ଦେଶରେ ଗଣତାନ୍ତ୍ରିକ ସରକାର ପ୍ରତିଷ୍ଠା ଲାଗି ଉତ୍କଣ୍ଠା ପ୍ରକାଶ କରୁଥିଲେ । ପରବର୍ତ୍ତୀ ସମୟରେ ଚିଙ୍ଗ୍ଲିଙ୍ଗଙ୍କ ପ୍ରତି ତାଙ୍କର ଆସକ୍ତି ବୃଦ୍ଧି ପାଇଥିଲା । କିନ୍ତୁ ପତିବ୍ରତା ଓ କର୍ତ୍ତବ୍ୟପରାୟଣତା ପ୍ରଥମ ସ୍ତ୍ରୀ ଜୀବିତ ଥିବାରୁ ଦ୍ଵିତୀୟ ବିବାହ ପାଇଁ ନିଷ୍ପତ୍ତି ନେବାର ବିଳମ୍ବ ଘଟିଲା । ପରିଶେଷରେ ବହୁତ ଭାବିଚିନ୍ତି ସେ ଚିଙ୍ଗ୍ଲିଙ୍ଗଙ୍କୁ ବିବାହ କଲେ । ନୂତନ ଭାବେ ବୈବାହିକ ଜୀବନ ଯାପନ ପରେ ସନ୍ୟାତ୍ ସେନ୍ ଏକ ନୂତନ ଅନୁପ୍ରେରଣା ଲାଭ କରିଥିଲେ । ଅବଶ୍ୟ ସେତେବେଳକୁ ସେ ବୟସ୍କ ହୋଇସାରିଥିଲେ । ତେଣୁ ଦୁଃସମୟରେ ଲିଙ୍ଗ୍ ହେଲେ ତାଙ୍କର ବଳିଷ୍ଠ ଆୟୁଧ ।

 

ଏ ମଧ୍ୟରେ ସନାୟାତ୍ ସେନ ସିକାଇଙ୍କୁ ଗାଦିଚ୍ୟୁତ କରିବା ଦିଗରେ ଜାପାନ ସରକାରଙ୍କର ସାହାଯ୍ୟ ପ୍ରାର୍ଥନା କରିଥିଲେ । ଜାପାନ ସରକାର ମଧ୍ୟ ଚୀନର ଗୃହଯୁଦ୍ଧରୁ ଫାଇଦା ଉଠାଇବା ପାଇଁ ଉଦ୍ୟମ କରି ତାଙ୍କୁ ସମର୍ଥନ କରିବାରେ ଲାଗିଲେ । ଏଣେ ସିକାଇ ନିଜକୁ ଚୀନର ସମ୍ରାଟ ଭାବେ ପରିଚିତ କରାଇ ସନ୍ୟାତ୍ ସେନଙ୍କର ଅନୁଚରମାନଙ୍କୁ ହତ୍ୟା କରିବାରେ ଲାଗିଲେ । ଚୀନ ଜନତା ଏଥିରେ ଖୁବ୍ କୃଦ୍ଧ ହେଲେ ଏବଂ ସିକାଇଙ୍କୁ ଗାଦିଚ୍ୟୁତ କରିବା ପାଇଁ ପୁଣି ଉଦ୍ୟତ ହେଲେ । ୧୯୧୬ ମସିହାରେ ସିକାଇ ନିଜକୁ ସମ୍ରାଟ ବୋଲି ଘୋଷଣା କରିବା ପରେ ପରେ ଚୀନ ସାରା ଏକ ଗଣ-ବିପ୍ଳବ ବ୍ୟାପିଗଲା । ସଙ୍ଗେ ସଙ୍ଗେ ଚୀନର ସାତଗୋଟି ପ୍ରଦେଶ ବିଶାଳ ଚୀନ ରାଜ୍ୟରୁ ଅଲଗା ହୋଇ ସ୍ଵାଧୀନତା ଘୋଷଣା କଲେ ଏବଂ ପରିଶେଷରେ ଗାଦିଚ୍ୟୁତ ହୋଇ ଓ ମାନସିକ ଗ୍ଳାନିଦ୍ଵାରା ଜର୍ଜରିତ ହୋଇ ସେ ପ୍ରାଣତ୍ୟାଗ କଲେ ।

 

ତତ୍ପରେ ସନ୍ୟାତ୍ ସେନ୍ ପୁନର୍ବାର ଚୀନକୁ ପ୍ରତ୍ୟାଗମନ କରି ଗଣତନ୍ତ୍ରର ମହିମା ଦେଶସାରା ପ୍ରଚାର କଲେ । ନିଜେ ଦେଶର ପ୍ରେସିଡେଣ୍ଟ ପଦ ଗ୍ରହଣ ନକରି ଅନୁଷ୍ଠାନ ସଜାଡ଼ିବାରେ ସେ ନିଜକୁ ନିୟୋଜିତ କଲେ । କିନ୍ତୁ ପ୍ରଥମ ଯୁଦ୍ଧରେ ଚୀନର ଯୋଗଦାନ ନେଇ ଦେଶର ନେତୃବୃନ୍ଦଙ୍କ ମଧ୍ୟରେ ଯେଉଁ ମତାନ୍ତର ଜନ୍ମିଲା ତଦ୍ଦ୍ୱାରା ପୁଣି ଥରେ ତାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଲା ଏବଂ ବିଶାଳ ଚୀନ ରାଜ୍ୟ ପୁଣି ଖଣ୍ଡ ଖଣ୍ଡ ହୋଇଗଲା । ନିଜେ ସନ୍ୟାତ୍ ସେନ ପରିଶେଷରେ କାଣ୍ଟନଠାରେ ଆଶ୍ରୟ ନେବାକୁ ବାଧ୍ୟ ହେଲେ । ଗୃହଯୁଦ୍ଧ ପୁଣି ଲାଗିଗଲା । ତରବରରେ କୌଣସି ଗୋଟାଏ ସରକାର ପ୍ରତିଷ୍ଠା କରିବା ନୀତିକୁ ସେ ପସନ୍ଦ ନକରି କିଛିକାଳ ଅରାଜକତାକୁ ସହ୍ୟ କରିଯିବାକୁ ହିଁ ଶ୍ରେୟସ୍କର ମନେକଲେ ଏବଂ ଚୀନ ଦେଶର ସମୃଦ୍ଧି କଳ୍ପେ ନୀତି ଓ ପଦ୍ଧତି ବ୍ୟାଖ୍ୟା କରି ସେ ଖଣ୍ଡିଏ ବହି ପ୍ରକାଶ କଲେ । ତାହାରି ମାଧ୍ୟମରେ ସେ ଦେଶରେ ସଂସ୍କାର ଅଣାଇବା ପାଇଁ ମଧ୍ୟ ପ୍ରୟାସ କରିଥିଲେ । କାଣ୍ଟନଠାରେ ଗଣତାନ୍ତ୍ରିକ ଶାସନକୁ-ପ୍ରଚଳନ କରିବା ଉଦ୍ଧେଶ୍ୟରେ ସେ ଲାଗିପଡ଼ି ଉଚ୍ଚ ଶିକ୍ଷିତ ପୁତ୍ରକୁ ଉକ୍ତ ସହରର ମେୟର କରାଇଥିଲେ । କିନ୍ତୁ ପରେ ସେହି ରାଜ୍ୟରେ ମଧ୍ୟ ସେ ନିଜକୁ ପ୍ରତିଷ୍ଠା କରାଇପାରିଲେ ନାହିଁ । ଜଣେ କୃତଘ୍ନ ସେନାପତି ପରିଶେଷରେ କାଣ୍ଟନ୍ ଆକ୍ରମଣ କରି ତାଙ୍କର କଳ୍ପନାକୁ ସହସା ଧୂଳିସାତ୍ କଲା । ସନୟାତ୍ ସେନ କୌଣସିମତେ ସେଠାରୁ ପଳାୟନ କରି ନିଜ ଜୀବନକୁ ରକ୍ଷା କରିପାରିଥିଲେ । ଶ୍ରୀମତୀ ୟାତ୍ସେନ୍ ଅତି ଦୟନୀୟ ଭାବରେ କାଣ୍ଟନ୍ ପ୍ରାସାଦରୁ ପଳାୟନ କରି ବହୁ କଷ୍ଟରେ ଓ ଅତି ଆକସ୍ମିକ ଭାବରେ ଗୋଟିଏ ଜାହାଜରେ ସ୍ଵାମୀଙ୍କ ସହ ମିଳିତ ହୋଇଥିଲେ-। କାଣ୍ଟନଠାରେ ସନ୍ ୟାତ୍ସେନ୍ ଯାହା ଦେଖିଲେ ସେଥିରେ ସେ ମର୍ମାହତ ହୋଇପଡ଼ିଲେ-। ତାଙ୍କର ହୃତବୋଧ ହେଲା ଯେ ଚୀନାବାସୀ ହିଁ ଚୀନ ପତନର କାରଣ; ପାଶ୍ଚାତ୍ୟ ଲୋକେ ତ ପତନ ବରାବର ଚାହିଁବେ ।

 

ପରିଶେଷରେ ବିଫଳ ମନୋରଥ ୟାତ୍ସେନ୍ ଓ ତାଙ୍କର ପତ୍ନୀ ସାଙ୍ଘାଇଠାରେ ବସବାସ କରି ପନ୍ଥକଥା ଭାବିବାକୁ ଲାଗିଲେ। ସେମାନଙ୍କର ଧାରଣା ହେଲା ଯେ ଚୀନ ଦେଶରେ ସାର୍ବଭୌମତ୍ଵ ପ୍ରତିଷ୍ଠା ବୋଧହୁଏ ପ୍ରକୃତିର ପ୍ରତିକଳ । ଚୀନ ଦେଶରେ ଗଣତନ୍ତ୍ର ଶାସନ ପ୍ରତିଷ୍ଠା ଦିଗରେ ସହାୟତା କରିବା ପାଇଁ ସେ ବହୁ ଦେଶରେ ଦ୍ୱାରସ୍ଥ ହେଲେ ସୁଦ୍ଧା, କେଉଁଠାରୁ ବିଶେଷ ସହାନୁଭୂତି ପାଇନଥିଲେ । ଏପରିକି ଆମେରିକାରେ ମଧ୍ୟ ଚିନବାସୀଙ୍କ ସ୍ଵାର୍ଥରକ୍ଷା ଦିଗରେ ଉଦାସୀନତା ପ୍ରକାଶିତ ହେବାର ଦେଖି ସେ ଏଥର ରୁଷ ଓ ଜର୍ମାନୀର ଦ୍ଵାରସ୍ଥ ହେବାକୁ ଚିନ୍ତା କଲେ । ତାଙ୍କର ଅନ୍ୟତମ ବନ୍ଧୁ ଚାଙ୍ଗ୍ କାଇସେକ୍ ତାଙ୍କର ପ୍ରସ୍ତାବକୁ ସମର୍ଥନ ଜଣାଇ ସେଦିଗରେ ତାଙ୍କୁ ଉତ୍ସାହିତ କଲେ । ନିଜ ଲୋକଙ୍କୁ ସଙ୍ଗଠିତ କରାଇ ସେ ଏକ ଶକ୍ତିଶାଳୀ ସେନାବାହିନୀ ଗଠନ କଲେ ଏବଂ ବିଶ୍ଵାସଘାତକ ସେନାପତି ଚେନ ମିଙ୍ଗ୍‍କୁ ବିତାଡ଼ିତ କରି କାଣ୍ଟନ୍ ଅଧିକାର କଲେ । ନିଜର ସୁଯୋଗ୍ୟ ପୁତ୍ରକୁ ସେ କାଣ୍ଟନର ମେୟର ରୂପେ ନିଯୁକ୍ତ କରି ସମଗ୍ର ଦେଶକୁ ଏକଶାସନାଧୀନ କରିବା ପାଇଁ ସେ ପୁଣି ଥରେ ଉଦ୍ୟମ ଆରମ୍ଭ କରିଦେଲେ । ବନ୍ଧୁ ଚାଙ୍ଗ୍ କାଇସେକ୍ ୟାତ୍ସେନଙ୍କ ସୈନ୍ୟବହିନୀର ନେତୃତ୍ଵ ନେଲେ । ଦେଶ ଶାସନ କାର୍ଯ୍ୟରେ ଭବିଷ୍ୟତରେ ତାଙ୍କୁ ସହାୟତା କରିବା ପାଇଁ ଚାଙ୍ଗ୍ କାଇସେକ୍ ରୁକ୍ଷ ପ୍ରେରିତ ହେଲେ ଏବଂ ସେ ରୁକ୍ଷ ନେତା ବରୋଡିନଙ୍କୁ ସନ୍ୟାତ୍ ସେନଙ୍କ ପରାମର୍ଶଦାତା ରୂପେ ନିମନ୍ତ୍ରଣ କଲେ । କିନ୍ତୁ ପରବର୍ତ୍ତୀ ସମୟରେ ଉକ୍ତ ରୁଷ ନେତା ୟାତ୍ସେନଙ୍କୁ ପରାମର୍ଶ ଦେବା ପରିବର୍ତ୍ତେ, ଚୀନରେ କମ୍ୟୁନିଷ୍ଟମାନଙ୍କର ସଂଖ୍ୟା ବୃଦ୍ଧି ପାଇଁ ଅକ୍ଳାନ୍ତ ପରିଶ୍ରମ କଲେ । କିନ୍ତୁ କମ୍ୟୁନିଷ୍ଟମାନଙ୍କର ପ୍ରଧାନ୍ୟକୁ ଚାଙ୍ଗ୍ ସ୍ଵୀକାର କରିବାକୁ ପ୍ରସ୍ତୁତ ନଥିଲେ ।

 

ଏ ମଧ୍ୟରେ ପେଙ୍ଗ୍ ସିଆଙ୍ଗ୍ ନାମକ ଜଣେ ସେନାପତି ଅଚାନକ ଭାବରେ ପେକିଂ ଅଧିକାର କରି ଶାନ୍ତି ସ୍ଥାପନ ଉଦ୍ଦେଶ୍ୟରେ ୟାତ୍ସେନଙ୍କୁ ପେକିଂ ନିମନ୍ତ୍ରଣ କଲେ । ଆଜୀବନ ପୋଷଣ କରିଥିବା ଅଭିଳାଷ ଚରିତାର୍ଥ ହୋଇଥିବା ଦେଖି ସେ ଖୁସି ହେବା ସଙ୍ଗେ ସଙ୍ଗେ ସସ୍ତ୍ରୀପ ପେକିଂ ଗମନ କରିବା ପାଇଁ ମନସ୍ଥ କଲେ । କିନ୍ତୁ ପେକିଂ ଯିବା ପୂର୍ବରୁ ସେ ଶେଷଥର ପାଇଁ ଜାପାନ ପରିଦର୍ଶନ କରିଥିଲେ ଏବଂ ସେହିଠାରେ ସେ ରୁଗ୍‍ଣ ହୋଇପଡ଼ିଲେ । କିନ୍ତୁ ଦେଶପ୍ରାଣ ୟାତ୍ ସେନ୍ ଶାରୀରିକ କଷଣ ନେଇ ଯେତିକି ଚିନ୍ତିତ ନଥିଲେ, ଦେଶରେ ଏକତା ପ୍ରତିଷ୍ଠା ନେଇ ତତୋଧିକ କାତର ହୋଇଥିଲେ । ତେଣୁ ରୁଗ୍‍ଣ ଶରୀର ସତ୍ତ୍ଵେ ସେ ପେକିଂ ଗମନ କଲେ ଏବଂ ସେଠାରେ ବିଶେଷ ଭାବେ ବ୍ୟାଧିଗ୍ରସ୍ତ ହୋଇପଡ଼ିଥିଲେ । ଅସ୍ତ୍ରୋପଚାର ଫଳରେ ତାଙ୍କର କଲିଜା କର୍କଟ ରୋଗଗ୍ରସ୍ତ ହୋଇଥିବା ପ୍ରମାଣିତ ହେଲା । ଅସୀମ ମନୋବଳ ହିଁ ତାଙ୍କୁ ଦୀର୍ଘଜୀବନ ପ୍ରଦାନ କରିଥିଲା । କିନ୍ତୁ ସେହି ସମୟଠାରୁ ସେ ଆଉ ପୂର୍ଣ୍ଣତଃ ରୋଗମୁକ୍ତ ହେଲେ ନାହିଁ । ଏପରିକି ବିଦେଶୀ ଭେଷଜ ବିଶାରଦମାନେ ମଧ୍ୟ ତାଙ୍କୁ ବିଶେଷ ସହାୟତା କରିପାରିଲେ ନାହିଁ । ଅନ୍ତିମ ସମୟ ପରିଶେଷରେ ପହଞ୍ଚିଲା । ମୃତ୍ୟୁର ଅବ୍ୟବହିତ ପୂର୍ବରୁ ନିଜର ସମ୍ପତ୍ତି ସବୁ ନିଜ ସ୍ତ୍ରୀ ନାମରେ ଲେଖାଇ ନିଜକୁ ବିଶ୍ୱପିତାଙ୍କର ଏକ କର୍ତ୍ତାବହ ବୋଲି ସେ ଘୋଷଣା କରିଥିଲେ । ଚୀନ ଦେଶରେ ଗଣତାନ୍ତ୍ରିକ ଶାସନ ପ୍ରତିଷ୍ଠା କରିବା ପାଇଁ ସେ ଯେଉଁ ପ୍ରଗାଢ଼ ଉଦ୍ୟମ ଚଳାଇଥିଲେ, ତାଙ୍କ ଜୀବଦ୍ଦଶାରେ ତାହା ସମ୍ଭବପର ହେଲା ନାହିଁ । ୧୯୨୫ ମସିହା ମାର୍ଚ୍ଚ ମାସ ୧୨ ତାରିଖ ପୂର୍ବାହ୍ନ ସମୟରେ ମହାତ୍ମା ସନ୍ୟାତ୍ ସେନା ଇହଧାମରୁ ଚିର ଦିନ ପାଇଁ ବିଦାୟ ନେଲେ । ତାଙ୍କର ମୃତ୍ୟୁ ପରେ ଚାଙ୍ଗ୍ କାଇସେକ୍ ହେଲେ ଚୀନର ସର୍ବମୟକର୍ତ୍ତା । ଯୌବନରେ ସେ ଥିଲେ ୟାତ୍ସେନଙ୍କର ଜଣେ ପରମ ଭକ୍ତ । କିନ୍ତୁ ଶାସନକୁ ଆସିବା ପରେ ସେ ଉକ୍ତ ମହାତ୍ମାଙ୍କର ଆଦର୍ଶକୁ ଜଳାଞ୍ଜଳି ଦେବାକୁ ବସିଲେ । ଫଳରେ ପବିତ୍ର ବୁଦ୍ଧବାଣୀ ସଂଚାରିତ ଚୀନ ରାଜ୍ୟ ପରିଶେଷରେ ଅସାମାଜିକ, ମାନବ ସଭ୍ୟତାର ଘୋର ବିରୋଧୀ ଓ ରକ୍ତ ପିପାସୁ ସାମ୍ୟବାଦୀମାନଙ୍କର ହସ୍ତଗତ ହେଲା ।

 

ଦୁର୍ନୀତି ଓ ସ୍ୱାର୍ଥପରତା ସନ୍ୟାତ୍ ସେନଙ୍କ ମନକୁ ମୋଟେ ସ୍ପର୍ଶ କରିନଥିଲା । ଚୀନ ଦେଶରେ ଗଣତନ୍ତ୍ରର ଭିତ୍ତି ସ୍ଥାପନ ପାଇଁ ସେ ଯେଉଁ ଉଦ୍ୟମ ଆରମ୍ଭ କରିଥିଲେ ଅଦ୍ୟାପି ତାହା ଅପୂର୍ଣ୍ଣ ରହିଛି । ଉତ୍କଟ ସାମ୍ୟବାଦୀ ଜନତା ସାଂସ୍କୃତିକ ବିପ୍ଳବ ନାମରେ ସେଠାରେ ନରହତ୍ୟାର ତାଣ୍ଡବ ରଚନା କରୁଛନ୍ତି । ୟାତ୍ସେନଙ୍କୁ ଚୀନ ଜାତୀୟତାର ପ୍ରତିଷ୍ଠାତା ରୂପେ ସ୍ୱୀକାର ନକରି ସେମାନେ କୃତଘ୍ନତାର ଚରମ ନିଦର୍ଶନ ଦେଖାଇଛନ୍ତି । ଜୀବବ୍ଦଶାରେ କତିପୟ ସେନାପତିଙ୍କୁ ହିଁ ସେ କୃତଘ୍ନ ରୂପେ ଦେଖିବାକୁ ପାଇଥିଲେ । ମୃତ୍ୟୁ ପରେ କିନ୍ତୁ ସମଗ୍ର ଚୀନଜାତି ହେଲେ କୃତଘ୍ନ । ତାରି ଫଳରେ ବିଶ୍ୱ ସମକ୍ଷରେ ଚୀନ ଏକ ଘୃଣ୍ୟ ଜାତିରୂପେ ବିବେଚିତ ହେଉଛି ।

★★★

 

ଯଶେଫ୍ ଗାରିବାଲ୍ ଡି

 

ଅତୀତର ଐତିହ୍ୟ ସ୍ମରଣ କରି ଯେଉଁ କେତୋଟି ଦେଶ ଆଜି ଗୌରବାନ୍ୱିତ ଏବଂ ଅତୀତର ସମୃଦ୍ଧି ଓ ସଭ୍ୟତାଦ୍ୱାରା ଅଦ୍ୟାପି ଉଦ୍‍ବୁଦ୍ଧ, ଇଟାଲୀ ସେମାନଙ୍କ ମଧ୍ୟରେ ଅନ୍ୟତମ । ଭାରତ ଭଳି ଦିନେ ଇଟାଲୀର ଏକ ରୁଦ୍ଧିମନ୍ତ ସଭ୍ୟତାର ଅଭ୍ୟୁଦୟ ଓ ଅବସାନ ଘଟିଥିଲା ଏବଂ ପରବର୍ତ୍ତୀ ସମୟରେ ସେ ଏକ ପ୍ରକାର ଅନ୍ଧକାର ଯୁଗରେ ପ୍ରବେଶ କରିଥିଲା । ପ୍ରାଚୀନ ରୋମ ସାମ୍ରାଜ୍ୟର ପତନ ପରେ ପଡ଼ୋଶୀ ରାଷ୍ଟ୍ରମାନେ ଏହା ଉପରେ ଲୋଲୁପ ଦୃଷ୍ଟି ପକାଇଥିଲେ । ଫଳରେ ଶତାଦ୍ଦୀ ଶତାଦ୍ଦୀ ଧରି ଏହା ସେମାନଙ୍କର ଚାରଣଭୂମିରେ ପରିଣତ ହେଲା । ଦୀର୍ଘଦିନ ଧରି ଇଟାଲୀର ଅଧିକାଂଶ ଅଞ୍ଚଳରେ ଛୋଟ ଛୋଟ ଶାସକ ମାନେ ଶାସନ କରିବାରେ ଲାଗିଲେ ଏବଂ ଦୁର୍ଭାଗ୍ୟକୁ ସେମାନଙ୍କ ମଧ୍ୟରେ ଐକ୍ୟ ସ୍ଥାପନ ନିମିତ୍ତ କୌଣସି ବିଶିଷ୍ଟ ବ୍ୟକ୍ତି ବାହାରି ନଥିଲେ । ଫଳରେ ଉକ୍ତ ଛୋଟ ଶାସକମାନଙ୍କୁ ପୋପ ଏବଂ ପଡ଼ୋଶୀ ଆକ୍ରମଣକାରୀ ରାଷ୍ଟ୍ରମାନେ ସହଜରେ କରାୟତ୍ତ କରିପାରିଥିଲେ । ଏବଂ ସେହିମାନଙ୍କର ନିର୍ଦ୍ଦେଶ ଅନୁଯାୟୀ ଇଟାଲୀର ଶାସନ ଚାଲିଥିଲା । ଶାସନ ପରିଚାଳନାରେ ଇଟାଲୀବାସୀଙ୍କର ସୁଖ ସୁବିଧାକୁ ପୁରାପୁରି ଜଳାଞ୍ଜଳି ଦିଆଯାଇ ବୈଦେଶିକ ରାଷ୍ଟ୍ର ଓ ଧର୍ମଗୁରୁ ଗୋପଙ୍କର ସ୍ୱାର୍ଥରକ୍ଷା ପ୍ରତି ପ୍ରାଧାନ୍ୟ ଦିଆଗଲା । ଊନ୍ନବିଂଶ ଶତାଦ୍ଦୀର ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ ଇଟାଲୀ କହିଲେ କେବଳ କେତୋଟି ବିଖଣ୍ଡିତ ଦୀପ ଓ କ୍ଷୁଦ୍ର ରାଜ୍ୟକୁ ବୁଝାଉଥିଲା ଏବଂ ସେଗୁଡ଼ିକ ଅଷ୍ଟ୍ରିଆ, ଫ୍ରାନସ୍, ସ୍ପେନ, ଜର୍ମାନୀ ଓ ଗୋପଙ୍କର ଶାସନାଧୀନ ଥିଲା । ସାର୍ଡିନିଆ ବ୍ୟତୀତ ଅନ୍ୟ ସମସ୍ତ ରାଜ୍ୟ ନିଜର ସ୍ଵାଧୀନତା ହରାଇ ବସିଥିଲେ ଏବଂ ଇଟାଲୀର ଏକ ବିଶିଷ୍ଟ ଭୂଖଣ୍ଡ କେବଳ ଆଷ୍ଟ୍ରିଆ ସରକାରଙ୍କଦ୍ଵାରା ଆକ୍ରାନ୍ତ ହୋଇଥିଲା । ବିଦେଶୀ ସରକାରଙ୍କ ବିରୁଦ୍ଧରେ ଅକସ୍ମାତ୍ କେଉଁଠି ବିଦ୍ରୋହ ଘଟିଲେ ତାହାକୁ ଅଷ୍ଟ୍ରିଆ ଶାସନ କର୍ତ୍ତୁପକ୍ଷ ସହଜରେ ଦମନ କରି ଦେଉଥିଲେ ।

 

ବିଖଣ୍ଡିତ ଇଟାଲୀକୁ ପୁଣି ଥରେ ଏକତ୍ରିତ ଓ ଜାଗ୍ରତ କରିବା ଦିଗରେ ଯେଉଁ କେତୋଟି ଯୋଦ୍ଧା ଆପ୍ରାଣ ଉଦ୍ୟମ କରିଥିଲେ ଗାରିବାଲ୍‍ ଡି, ମେଜିନୀ ଏବଂ କାଭେର୍ ଥିଲେ ସେମାନଙ୍କ ମଧ୍ୟରେ ଶ୍ରେଷ୍ଠତମ । ଏହି ତିନି ନେତା ପ୍ରାୟ ଏକ ସମୟରେ ଇଟାଲୀରେ ଗଣ-ଜାଗରଣ ସୃଷ୍ଟି ଦିଗରେ ଉଦ୍ୟମ କରିଥିଲେ । ମୁସୋଲିନୀ ଶାସନକ୍ଷେତ୍ରରେ ନିଜକୁ ପ୍ରତିଷ୍ଠା କରିବାକୁ ପ୍ରାୟ ନବେ ବର୍ଷ ପୂର୍ବରୁ ଯଶେଫ୍ ଗାରିବାଲ୍‍ ଡି ନିଜକୁ ପ୍ରତିଷ୍ଠିତ କରିପାରିଥିଲେ । ନିଜ ଜାତିର ଶୋଚନୀୟ ଅବସ୍ଥା ଦେଖି ଯୁବକ ଗାରିବାଲ୍‍ ଡି ବିସ୍ମିତ ହୋଇଯାଇଥିଲେ ଏବଂ ଜାତିର ଭବିଷ୍ୟତକୁ ଅତୀତ ଭଳି ଉଜ୍ଵଳ ଓ ଗୌରବମୟ କରିବା ପାଇଁ ଶପଥ ନେଇଥିଲେ । କିନ୍ତୁ ଆକ୍ରମଣକାରୀ ଶାସନ କର୍ତ୍ତୃପକ୍ଷଙ୍କର ବିରୁଦ୍ଧରେ ସଂଗ୍ରାମ ବ୍ୟତିରେକେ ତାହା ସମ୍ଭବ ହେବ କିପରି ? ଏହା ଥିଲା ତାଙ୍କ ଆଗରେ ଏକ ମୌଳିକ ପ୍ରଶ୍ନବାଚୀ । ସମାଧାନର ଏକମାତ୍ର ଉତ୍ତର ଥିଲା-ଆକ୍ରମଣକାରୀ ବିରୁଦ୍ଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ।

 

ଯଶେଫ୍ ଗାରିବାଲ୍‍ ଡି ୧୮୦୭ ମସିହାରେ ନିଜା (Nizza) ନାମକ ସ୍ଥାନରେ ଜନ୍ମଗ୍ରହଣ କରିଥିଲେ । ଏହା କିଛି କାଳ ପାଇଁ ଫରାସୀ ସମ୍ରାଟଙ୍କ ଦ୍ଵାରା ଶାସିତ ହେଉଥିଲା । ବିଖ୍ୟାତ ବିପ୍ଳବୀ ମାଜିନୀଙ୍କଠାରୁ ସେ ଦୁଇ ବର୍ଷ କନିଷ୍ଠ ଥିଲେ ଏବଂ ପ୍ରଖ୍ୟାତ ପ୍ରଶାସକ କାଭେର୍ଙ୍କଠାରୁ ସେ ତିନିବର୍ଷ ଜ୍ୟେଷ୍ଠ ଥିଲେ । ଗାରିବାଲ୍‍ ଡି ଙ୍କ ବଂଶଧରମାନେ କଲମ୍ବସ୍‍ଙ୍କ ଜନ୍ମସ୍ଥାନ ଜେନୋଆଠାରୁ ଆସିଥିଲେ । ତାଙ୍କର ପିତା ଏବଂ ପିତାମହ ଉଭୟେ ଜାହାଜ ଚାଳକ ଭାବରେ ପ୍ରସିଦ୍ଧି ଲାଭ କରିଥିଲେ ଏବଂ ଜୀବନର ଅର୍ଦ୍ଧାଧିକ ଭାଗ ସେମାନେ ସମୁଦ୍ର ଯାତ୍ରାରେ ହିଁ ଅତିବାହିତ କରିଥିଲେ । ଗାରିବାଲ୍‍ ଡି ମଧ୍ୟ ଖୁବ୍ ଶୈଶବରୁ ସମୁଦ୍ର ଯାତ୍ରାକୁ ବେଶ୍ ଭଲ ପାଉଥିଲେ ଏବଂ ତାରି ଫଳରେ ସେ ବିଦେଶ ସମ୍ପର୍କରେ ବିଶେଷ ଅନୁଭୂତି ଲାଭ କରିପାରିଥିଲେ-। ପିତାମାତାଙ୍କର ଇଚ୍ଛାଥିଲା ସେ ଜଣେ ଚର୍ଚ୍ଚ ପୁରୋହିତ ହେବେ କିନ୍ତୁ ପିତାମାତାଙ୍କର ଇଚ୍ଛା ପ୍ରତି ତାଙ୍କର ମୋଟେ ସମର୍ଥନ ନଥିଲା । ଚର୍ଚ୍ଚ ପୁରୋହିତ ହେବା ଦୂରେ ଥାଉ, ସେ ଚର୍ଚ୍ଚର ପାଦଦେଶ ମଧ୍ୟ ମାଡ଼ୁ ନଥିଲେ ।

 

ଇଟାଲୀ ଭୂମିରେ ବୈଦେଶିକ ଶାସନ ଓ ଅତ୍ୟାଚାର ଗାରିବାଲ୍‍ ଡି ଙ୍କୁ ଅତ୍ୟନ୍ତ ଅସହ୍ୟ ବୋଧ ହେଲା । ଦେଶର ଏକତ୍ରିକରଣ ହିଁ ତାଙ୍କ ଜୀବନର ଥିଲା ପ୍ରଧାନ ଅଭିଳାଷ । ସେହି ଅଭିଳାଷକୁ ଚରିତାର୍ଥ କରିବା ଲାଗି ସେ “Young Itally” ନାମକ ଏକ ଯୁବ ଅନୁଷ୍ଠାନରେ ଯୋଗଦେଲେ । ଏହା ଅବଶ୍ୟ ବାହ୍ୟକୁ ଏକ ସାଂସ୍କୃତିକ ଅନୁଷ୍ଠାନ ଥିଲା । ଏହାଦ୍ଵାରା ଯୁବକମାନଙ୍କୁ ଇଟାଲୀ ଜାତୀୟତା ସମ୍ପର୍କରେ ସେ ଶିକ୍ଷା ଦେବାକୁ ଲାଗିଲେ । ଏହାର ଏକ ସକ୍ରିୟ ସଭ୍ୟ ଭାବରେ ନୂତନ ଇଟାଲୀ ଗଠନ ଦିଗରେ କେତେକ ପ୍ରାଥମିକ କାର୍ଯ୍ୟପନ୍ଥା ଗ୍ରହଣ କରିଥିଲେ । ବହି ଯୁବକଙ୍କୁ ଗରିଲା ଯୁଦ୍ଧ ଶିକ୍ଷା ଦେଇ ଅଷ୍ଟ୍ରିଆ ଶାସକ ବିରୁଦ୍ଧରେ ବିଦ୍ରୋହ ଘୋଷଣା କରିବା ନିମିତ୍ତ ସେ ସଜବାଜ ହେଲେ । ଇଟାଲୀ ଜାତି ମଧ୍ୟରେ ଦେଶାତ୍ମବୋଧ ଜାଗ୍ରତ କରାଇବାରେ ସେ ଥିଲେ ଅଗ୍ରଗଣ୍ୟ । ସମୟକ୍ରମେ ସେ ଜାତିର ସେନାପତି ଭାବରେ ଦାୟିତ୍ଵ ବହନ କରିଥିଲେ । ପ୍ରତ୍ୟକ୍ଷ ଭାବରେ ସମର କୌଶଳ ଶିକ୍ଷା କରିବା ଲାଗି ସାର୍ଡିନିଆ ନୌବାହିନୀରେ ଯୋଗ ଦେଇ ତାଙ୍କର ବାସନାକୁ ଚିରତାର୍ଥ କରିପାରିବେ ବୋଲି ମନେ ମନେ ସଙ୍କଳ୍ପବଦ୍ଧ ହେଲେ । ଏହି ସମୟରେ ଇଟାଲୀର ଅନ୍ୟତମ ବିପ୍ଳବୀ ମାଜିନୀ ସେଭୟଠାରେ ଏକ ବିଦ୍ରୋହର ସୂତ୍ରପାତ କରିଥିଲେ । ତାଙ୍କୁ ତତ୍‍କାର୍ଯ୍ୟରେ ସାହାର୍ଯ୍ୟ କରିବା ପାଇଁ ନୌବାହିନୀର ଏକ ଜାହାଜ ଧରି ପିଡମେଣ୍ଟ ସହରକୁ ପଳାୟନ କରିବା ପାଇଁ ଗାରିବାଲ୍‍ ଡି ଏକ ଗଭୀର ଷଡ଼ଯନ୍ତ୍ର କଲେ । କିନ୍ତୁ ତାହା ବୈଫଲ୍ୟରେ ପର୍ଯ୍ୟବସିତ ହେଲା । ଫଳରେ ରଜଦ୍ରୋହ ଅପରାଧରେ ଅଷ୍ଟ୍ରିଆ ସରକାର ତାଙ୍କର ମୃତ୍ୟୁଦଣ୍ଡ ଘୋଷଣା କଲେ । କିନ୍ତୁ ସେ କୌଣସି ମତେ ଦକ୍ଷିଣ ଆମେରିକାରୁ ପଳାୟନ କରି ମୃତ୍ୟୁଦଣ୍ଡରୁ ମୁକ୍ତି ଲାଭକଲେ । ବିପ୍ଳବର ପ୍ରଥମ ପଦକ୍ଷେପ ଶୁଭାଦୟକ ହେଲା ନାହିଁ । ଦକ୍ଷିଣ ଆମେରିକାରେ ସେ ଦୀର୍ଘ ଚଉଦ ବର୍ଷ ନିର୍ବାସିତ ଜୀବନ କଟାଇ ସେଠା ଇଟାଲୀବାସୀଙ୍କ ମଧ୍ୟରେ ଐକ୍ୟ ପ୍ରତିଷ୍ଠା ଦିଗରେ ଉଦ୍ୟମ କରିଥିଲେ ଏବଂ ସ୍ଥାନୀୟ ବିଦ୍ରୋହରେ ମଧ୍ୟ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ରାଈଓ ଗ୍ରାଣ୍ଡେ ନାମକ ଏକ ସ୍ଥାନର ଇଟାଲୀ ଅଧିବାସୀମାନେ ବ୍ରାଜିଲ ସରକାରଙ୍କ ବିରୁଦ୍ଧରେ ଯେଉଁ ବିଦ୍ରୋହ ଘୋଷଣା କଲେ, ଗାରିବାଲ୍ ଡି ସେମାନଙ୍କୁ ଉଭୟ ସ୍ଥଳ ଓ ଜଳଭାଗରେ ସହାୟତା କରିଥିଲେ । ଉକ୍ତ ଇଟାଲୀୟ ବିଦ୍ରୋହ ବିଶେଷ ପରିମାଣରେ ସଫଳ ହେଲା ଏବଂ ସେମାନଙ୍କ ନିମିତ୍ତ ଉଦ୍ଦିଷ୍ଟ ସାନ୍ତା କାଥେରିନା ରାଜ୍ୟର ସ୍ଵାତନ୍ତ୍ର୍ୟକୁ ସ୍ଵୀକାର କରାଗଲା । ଉକ୍ତ ରାଜ୍ୟକୁ ପୂର୍ଣ୍ଣତଃ ସ୍ଵାଧୀନ କରିବା ଥିଲା ଗାରିବାଲ୍ ଡିଙ୍କର ଉଦ୍ଦେଶ୍ୟ । କିନ୍ତୁ ତାହା ହେଲା ନାହିଁ । ଉକ୍ତ ରାଜ୍ୟ ପାଇଁ ସଂଗ୍ରାମ କରୁ କରୁ ସେ ସାଗର ମଧ୍ୟରେ ଏକ ଭୟାନକ ବିପଦର ସମ୍ମୁଖୀନ ହେଲେ । ତାଙ୍କର ଜାହାଜ ସାଗର ମଧ୍ୟରେ ପ୍ରାକୃତିକ ବିପଦର ସମ୍ମୁଖୀନ ହେଲା; କିନ୍ତୁ ସେ ଏବଂ ଆନିଟା ରିବେରାସ୍ ନାମକ ଜଣେ ମହିଳା ଉକ୍ତ ଦୁର୍ଘଟଣାର କରାଳ କବଳରୁ ମୁକ୍ତି ପାଇଯାଇଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ଏକ ଆକସ୍ମିକ ଯୋଗାଯୋଗ ଘଟି ତାହା ଗଭୀର ଆନ୍ତରିକତାରେ ପରିଣତ ହେଲା । ଆନିଟା ଥିଲେ ଦିବ୍ୟ ସୁନ୍ଦରୀ ଏବଂ ଜଣେ ସମ୍ଭ୍ରାନ୍ତ ଯୁବକଙ୍କ ସହ ତାଙ୍କର ବିବାହ ପ୍ରସ୍ତାବ ରହିଥିଲା । କିନ୍ତୁ ବିପ୍ଳବୀ ଗାରିବାଲଡିଙ୍କ ସଂସ୍ପର୍ଶରେ ଆସିବା ପରେ ସେ ଉକ୍ତ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରି ତାଙ୍କୁ ବିବାହ କରିଥିଲେ । ତତ୍ପରେ ଜୀବନର ପରବର୍ତ୍ତୀ ସମୟତକ ସେ ମଧ୍ୟ ଜଣେ ବିପ୍ଳବିଣୀ ଭାବରେ କଟାଇଥିଲେ । ଯୁଦ୍ଧ ଓ ବିପ୍ଳବରେ ସେ ଏଣିକି ପାଇଲେ ଆନନ୍ଦ ଓ ଶିବିର ହେଲା ତାଙ୍କର ନିତିଦିନର ବାସସ୍ଥଳ । ଆନିଟା ଓ ଗାରିବାଲ୍ ଡି ମଣ୍ଟେଭିଡିଓଠାରେ କିଛି ଦିନ ଦାମ୍ପତ୍ୟ ଜୀବନ କଟାଇଥିଲେ । କିନ୍ତୁ ସ୍ଥାୟୀ ଭାବରେ ଗୋଟିଏ ସ୍ଥାନରେ ବାସ କରିବା ତାଙ୍କ ପକ୍ଷରେ ସମ୍ଭବ ହେଲା ନାହିଁ । ମଣ୍ଟେଭିଡିଓ ଉପରେ ଆର୍ଜେଣ୍ଟିନା ଆକ୍ରମଣ କରିବା ଫଳରେ ଗାରିବାଲଡିଙ୍କ ନେତୃତ୍ଵରେ ସେଠାରେ ଇଟାଲୀୟମାନେ ସଙ୍ଗଠିତ ହୋଇ ଆକ୍ରମଣର ପ୍ରତିରୋଧ କଲେ । ଦୀର୍ଘ ଚାରିବର୍ଷ ଧରି ତାଙ୍କୁ ଉରୁଗୁଏ ସାମରିକ ବାହିନୀର ଜଣେ ଅନ୍ୟତମ ସେନାପତି ଭାବରେ କାର୍ଯ୍ୟ କରିବାକୁ ପଡ଼ିଥିଲା । ସିରୋ ଓ ସାଣ୍ଟଆଣ୍ଟୋନି ନାମକ ଦୁଇଟି ସ୍ଥାନରେ ସେ ଆର୍ଜେଣ୍ଟାଇନା ସୈନ୍ୟବାହିନୀର ସମ୍ମୁଖୀନ ହୋଇଥିଲେ ଏବଂ ନିଜର କ୍ଷୁଦ୍ର ବାଟାଲିଅନଦ୍ୱାରା ଶତ୍ରୁପକ୍ଷର ବୃହତ୍ ବାହିନୀକୁ ପରାସ୍ତ କରିଦେଇ ଯୁଦ୍ଧ ପରିଚାଳନାରେ ବିଶେଷ ଦକ୍ଷତା ପ୍ରଦର୍ଶନ କରିଥିଲେ ।

 

ଦକ୍ଷିଣ ଆମେରିକାରେ ଅବସ୍ଥାନବେଳେ ପ୍ରଜ୍ଜ୍ୱଳିତ ଆଗ୍ନେୟଗିରି ଛବିଯୁକ୍ତ ଏକ କଳା ପତାକାକୁ ଜାତୀୟତାର ସଙ୍କେତ ରୂପେ ଗାରିବାଲ୍‍ ଡି ଗ୍ରହଣ କରିଥିଲେ ଏବଂ ସେହି ପତାକା ତଳେ ସେଠା ଇଟାଲୀବାସୀଙ୍କୁ ସଙ୍ଗଠିତ କରାଇ ସେ ବିରାଟ ଆକାରର ଯୁଦ୍ଧ ରଚନା କରିଥିଲେ । ‘ଆଗ୍ନେୟଗିରିର ଲାଭାରେ ଅନବରତ ପରିପୁଷ୍ଟ ଧନାଢ଼୍ୟ ଇଟାଲୀ ଆଜି ଅନ୍ଧକାରାଚ୍ଛନ୍ନ’–ଏହା ହିଁ ତାଙ୍କ ପତାକାର ଅର୍ଥ ବୁଝାଉଥିଲା ଏବଂ ସେହି ମର୍ମରେ ସର୍ବତ୍ର ଭାଷଣ ଦେଇ ସେ ସହସ୍ରସଂଖ୍ୟକ ଇଟାଲୀୟ ଅଧିବାସୀଙ୍କୁ ଉଦବୁଦ୍ଧ କରିପକାଉଥିଲେ ।

 

ଫରାସୀ ବିପ୍ଳବ ପରେ ୟୁରୋପୀୟ ଶାସନ କ୍ଷେତ୍ରରେ ବହୁ ପରିବର୍ତ୍ତନ ଘଟିଯାଇଥିଲା-। ରାଜା ଓ ସମ୍ରାଟମାନେ ନିଜ ଦେଶରେ ସ୍ଥାୟୀ ଶାସନ ପ୍ରତିଷ୍ଠା ସମ୍ପର୍କରେ ସନ୍ଦିହାନ ହୋଇପଡ଼ୁଥିଲେ । ଉନବିଂଶ ଶତାବ୍ଦୀର ମଧ୍ୟ ଭାଗରେ ଏଭଳି ଆଶଙ୍କା ବିଶେଷ ଭାବରେ ବୃଦ୍ଧି ପାଇଥିଲା । ଏପରି ପରୋପକାରୀ ଓ ସ୍ଵଶାସକ ବିଲାତର ରାଜାମାନେ ମଧ୍ୟ ନିଜ ଆସନକୁ ନିରାପଦ ମନେ କରୁନଥିଲେ । ଇଟାଲୀବାସୀଙ୍କ ମଧ୍ୟରେ ବିଦେଶୀ ଶାସନ ପ୍ରତି ଯେଉଁ ବିଦ୍ରୋହ ସଙ୍ଗଠିତ ହେଲା, ତାହା ଉକ୍ତ ୟୁରୋପୀୟ ପରିସ୍ଥିତିର ପ୍ରଭାବ ବୋଲି ମନେ କରାଯାଉଥିଲା-। ଏଭଳି ଏକ ଅନୁକୂଳ ପରିସ୍ଥିତିର ସୁଯୋଗ ନେବା ପାଇଁ ଗାରିବାଲ୍‍ ଡି ଏବଂ ତାଙ୍କର ବନ୍ଧୁମାନେ ନିଷ୍ପତ୍ତି ଗ୍ରହଣ କଲେ ଓ ୧୮୪୮ ମସିହାରେ ଏକ ଗଣ-ବିପ୍ଳବର ସୂଚନା ପାଇ ଦକ୍ଷିଣ ଆମେରିକାରୁ ବିଦାୟ ନେଇ ୟୁରୋପ ପ୍ରତ୍ୟାଗମନ କଲେ । ସେତେବେଳେ ସୁଦ୍ଧା ଇଟାଲୀରେ ତାଙ୍କର ମୃତ୍ୟୁଦଣ୍ଡ ଆଦେଶ ବଳବତ୍ତର ରହିଥିଲା । ତଥାପି ୟୁରୋପରେ ତାଙ୍କର ଉପସ୍ଥିତି ଇଟାଲୀୟଙ୍କ ମନରେ ଐକ୍ୟର ମାତ୍ରା ବୃଦ୍ଧି କଲା । ସହସ୍ରସଂଖ୍ୟକ ଇଟାଲୀୟ ତାଙ୍କୁ ଦେଶର ପରମ ଯୋଦ୍ଧା ଭାବରେ ସ୍ଵୀକାର କଲେ ଏବଂ ତାଙ୍କରି ନେତୃତ୍ଵ ଗ୍ରହଣ କରି ବିଦ୍ରୋହାଗ୍ନିକୁ ଅଧିକ ପ୍ରଜ୍ଵଳିତ କରିବାକୁ ଲାଗିଲେ । ନିସଠାରୁ ଗାରିବାଲଡିଙ୍କର ପ୍ରଥମ ଅଭିଯାନ ଆରମ୍ଭ ହେଲା । ତାଙ୍କର ସ୍ୱେଚ୍ଛାସେବକ ବାହିନୀ କୁଷ୍ଟୋଜାଠାରେ ଶାସନ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ପ୍ରକାଶ୍ୟ ବିଦ୍ରୋହ ଘୋଷଣା କଲେ । କିନ୍ତୁ ଏଥର ମଧ୍ୟ ସେ ସଫଳ ହୋଇପାରିଲେ ନାହିଁ ଏବଂ ଇଟାଲୀରୁ ବିତାଡ଼ିତ ହୋଇ କିଛିଦିନ ପାଇଁ ତାଙ୍କୁ ସୁଇଜରଲାଣ୍ଡଠାରେ ପୁଣି ଥରେ ନିର୍ବାସିତ ଜୀବନ କଟାଇବାକୁ ପଡ଼ିଲା ।

 

କୁଷ୍ଟୋଜା ବିଦ୍ରୋହର କିଛିଦିନ ପରେ ଉତ୍ତର ଇଟାଲୀବାସୀ ମାଜିନୀ ଏବଂ ଗାରିବାଲଡିଙ୍କ ନେତୃତ୍ଵରେ ସଂଗଠିତ ହୋଇ ଏକ ରୋମାନ୍ ରିପାବ୍ଲିକ ଗଠନ କଲେ । ବିପ୍ଳବୀ ନେତା ମାଜିନୀ ନିଜର ଓଜସ୍ଵିନୀ ବକୃତା ବଳରେ ଉତ୍ତର ଇଟାଲୀବାସୀଙ୍କ ମଧ୍ୟରେ ବିପ୍ଳବୀ ମନୋଭାବ ସୃଷ୍ଟି କରି ସେମାନଙ୍କୁ ଐକ୍ୟବଦ୍ଧ କରାଇଲେ ଏବଂ ଗାରିବାଲ୍ଡ଼ି ସେଠାର ଯୁବକମାନଙ୍କୁ ସଂଗଠିତ କରି ଏକ ସେନାବାହିନୀ ଗଠନ କରି ରିପାବ୍ଲିକର ପ୍ରତିରକ୍ଷା ଦୃଢ଼ୀକରଣ ଦିଗରେ ଦୃଷ୍ଟି ଦେଲେ । କିନ୍ତୁ ଶତ୍ରୁପକ୍ଷୀୟ ଫରାସୀ ସେନା ସଂଖ୍ୟାରେ ବହୁତ ଓ ଆଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ତାଙ୍କୁ ଆକ୍ରମଣ କଲେ । ଶେଷ ପର୍ଯ୍ୟନ୍ତ ଲଢ଼େଇ କରି ପରିଶେଷରେ ଗାରିବାଲ୍‍ ଡି ନିଜ ସ୍ୱେଚ୍ଛା ବାହିନୀକୁ ଧରି ପଛକୁ ହଟି ଆସିଥିଲେ ଏବଂ ରୋମାନ୍ ରିପାବ୍ଲିକ୍ କଳ୍ପନାର ଅବସାନ ଘଟିଲା । ଗରିଲା ଯୁଦ୍ଧ ପ୍ରଣାଳୀ ସମ୍ପର୍କରେ ଗାରିବାଲଡିଙ୍କର ଖୁବ୍ ଦକ୍ଷତା ଥିଲା ଏବଂ କେନ୍ଦ୍ର ଇଟାଲୀରେ ଅତ୍ୟନ୍ତ ସଫଳତାର ସହିତ ସେ ତାହାର ପରିଚାଳନା କରିଥିଲେ । କିନ୍ତୁ ଫ୍ରାନସ୍, ଅଷ୍ଟ୍ରିଆ ଓ ସ୍ପେନର ଉନ୍ନତ ସୈନ୍ୟବାହିନୀ ଓ ନେପଲସର ବିରାଟ ସେନାଙ୍କୁ ପରାସ୍ତ କରିବା ଏତେ ସହଜସାଧ୍ୟ ନଥିଲା । ଶତ୍ରୁ ସେନାଙ୍କର ଭୀଷଣ ଆକ୍ରମଣର ସମ୍ମୁଖୀନ ହୋଇ ନପାରି ତାଙ୍କର ଅନୁଚରମାନେ ବହୁ ସ୍ଥଳରେ ପୃଷ୍ଠଭଙ୍ଗ ଦେଇଥିଲେ ଏବଂ ସେ ନିଜେ ନିଉୟର୍କ ପଳାୟନ କରି ପ୍ରାଣରକ୍ଷା କରିଥିଲେ । କିନ୍ତୁ ତାଙ୍କର ବୀରୋଚିତ କାର୍ଯ୍ୟ ଇଟାଲୀବାସୀଙ୍କ ମନରେ ଅପୂର୍ବ ଉତ୍ସାହ ଆଣିଦେଲା ଏବଂ ବିଦେଶୀ ଶାସନ ବିରୁଦ୍ଧରେ ପୁନଃ ପୁନଃ ବିଦ୍ରୋହ ଘୋଷଣା ନିମିତ୍ତ ପ୍ରେରଣା ଯୋଗାଇଦେଲା ।

 

ଏ ମଧ୍ୟରେ ଗାରିବାଲଡିଙ୍କର ପ୍ରିୟତମା ପତ୍ନୀ ବିପ୍ଳବିଣୀ ଆନିଟାଙ୍କର ମୃତ୍ୟୁ ଘଟିଲା ଏବଂ ନିଉୟର୍କଠାରେ ତାଙ୍କୁ ଏକାକୀ ବିଷର୍ଣ୍ଣ ମନରେ କିଛିଦିନ କଟାଇବାକୁ ପଡ଼ିଥିଲା । ୟୁରୋପର ବହୁ ଦେଶରେ ଏକଛତ୍ର ଶାସକମାନଙ୍କର ଉତ୍ପୀଡ଼ନରେ ମର୍ମାହତ ହୋଇ ବହୁ ବ୍ୟକ୍ତି ଶରଣାର୍ଥୀ ଭାବରେ ସେତେବେଳେ ଆମେରିକା ପଳାୟନ କରୁଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ ରାଜନୈତିକ ଶରଣାର୍ଥୀ । ଆମେରିକାବାସୀ ମଧ୍ୟ ସେମାନଙ୍କୁ ଅତି ଆଦରରେ ଗ୍ରହଣ କରୁଥିଲେ । ଗାରିବାଲଡିଙ୍କୁ ମଧ୍ୟ ଆମେରିକାବାସୀ ସମ୍ମାନର ସହିତ ଗ୍ରହଣ କରିଥିଲେ ।

 

କିନ୍ତୁ ଗାରିବାଲ୍ ଡି ସେଠାରେ କାହାରି ବିଶେଷ ଗୋଚରକୁ ଆସିବାକୁ ଚାହିଁ ନଥିଲେ ଏବଂ ଆମେରିକାବାସୀଙ୍କଦ୍ଵାରା ଆୟୋଜିତ ସାଧାରଣ ଅଭ୍ୟର୍ଥନା ସଭାଗୁଡ଼ିକରେ ଯୋଗଦେବା ପାଇଁ ମଧ୍ୟ ଇଚ୍ଛୁକ ନଥିଲେ । ଆମେରିକାଠାରେ ଜଣେ ବିପ୍ଳବୀଙ୍କଦ୍ଵାରା ପ୍ରତିଷ୍ଠିତ ଏକ ମହମବତୀ କାରଖାନାରେ ସେ ଖଣ୍ଡିଏ ଚାକିରି ଗ୍ରହଣ କରିଥିଲେ । ଚାକିରି କରି ଅର୍ଥ ଉପାର୍ଜ୍ଜନର ଲାଳସା ତାଙ୍କର ନଥିଲା । ବହୁଦିନ ତଳେ ଦକ୍ଷିଣ ଆମେରିକାରେ ସେ ଯେଉଁ ବିପ୍ଳବ ଆରମ୍ଭ କରିଥିଲେ ତାହାର ସଫଳତା ଖବର ସେ ନିଉୟର୍କଠାରେ ଶୁଣିବାକୁ ପାଇଥିଲେ । ଇଟାଲୀ ଶାସନର ଗତି ସମ୍ପର୍କରେ ସେ ଶରଣାର୍ଥୀମାନଙ୍କଠାରୁ ଖବର ରଖୁଥିଲେ । ଇଟାଲୀର ଏକତ୍ରିକରଣ ଓ ମୁକ୍ତି ହିଁ ଥିଲା ତାଙ୍କର ଅନ୍ତିମ ଅଭିଳାଷ । ଦୀର୍ଘ ଦଶବର୍ଷ ଉକ୍ତ କାରଖାନାରେ କାର୍ଯ୍ୟ କରିବା ପରେ ସେ ନିଜକୁ ଅଧିକ ସକ୍ରିୟ କରିବା ପାଇଁ ଇଚ୍ଛା ପୋଷଣ କରି ସେଠାରୁ ବିଦାୟ ନେଇ ଏକ ବ୍ୟବସାୟୀ ଜାହାଜରେ ଆଉ ଗୋଟିଏ ଚାକିରି ଗ୍ରହଣ କଲେ । ନିଜର ଜୀବିକା ନିର୍ବାହ ପାଇଁ ତାଙ୍କର କୌଣସି ଅସୁବିଧା ନଥିଲା । କିନ୍ତୁ ଜଣେ ଗଣ-ବିପ୍ଲବୀ ଚାକିରିର ମୋହରେ ଉଦବେଳିତ ହେବା କ୍ଵଚିତ ଶୁଣାଯାଇଥାଏ । ସମୟ ଉଣ୍ଡି ପୁଣି ସେ ଚାଲିଗଲେ ଇଟାଲୀ ।

 

୧୮୫୪ ମସିହା କଥା । ସେ ଇଟାଲୀରେ ପହଞ୍ଚିଲାବେଳେ ସେଠା ବାୟୁମଣ୍ଡଳ ତୁଳନାତ୍ମକ ଶାନ୍ତ ରହିଥାଏ । ତାଙ୍କ ସଂଗଠନଗୁଡ଼ିକ ଶତ୍ରୁ ପକ୍ଷର ବିଷଦୃଷ୍ଟିରେ ପଡ଼ି ନିଷ୍କ୍ରିୟ ହୋଇପଡ଼ିଥାନ୍ତି । ଆମେରିକାରୁ ବିଦାୟ ନେବା ପରେ ସେ କାପ୍ରେରା ଦ୍ଵୀପରେ ବସବାସ କଲେ । ଉକ୍ତ ଦ୍ଵୀପଟି ସାର୍ଡନିଆଠାରୁ ଦୂରରେ ଅବସ୍ଥିତ ଏବଂ ନିର୍ଜ୍ଜନ ଥିଲା । ଉକ୍ତ ଦ୍ୱୀପର ଶାସନକର୍ତ୍ତା ଥିଲେ ଭିକ୍ଟର ଇମାନୁଲ (Victor Emmanuel) । ବିପ୍ଳବୀ ମାଜିନୀ ଇଟାଲୀର ଏକତ୍ରିକରଣ କରି ସେଠାରେ ରାଜତନ୍ତ୍ରର ବିଲୋପ ସାଧନ କରିବା ପାଇଁ ଯେଉଁ କଳ୍ପନା କରିଥିଲେ, ଭିକ୍ଟର ଇମାନୁଲ ତାହା ମୋଟେ ପସନ୍ଦ କରୁନଥିଲେ । କିନ୍ତୁ ବିପ୍ଳବୀ କାଭୋରଙ୍କର କଳ୍ପନା ଥିଲା ଅନ୍ୟ ପ୍ରକାର । ଏକତ୍ରିତ ଇଟାଲୀରୁ ରାଜତନ୍ତ୍ରର ବିଲୋପ ସାଧନ ସେ ଚାହୁଁନଥିଲେ । ବରଂ ତାର ଦୃଢ଼ୀକରଣ ଦିଗରେ ସେ ଉଦ୍ୟମ ଚଳାଇଥିଲେ କାଭୋରଙ୍କର ରାଜନୈତିକ ଦର୍ଶନ ଗାରିବାଲଡିଙ୍କୁ ବିଶେଷ ଆକୃଷ୍ଟ କରିଥିଲା । ରାଜତନ୍ତ୍ର ବ୍ୟତିରେକେ ଏକତ୍ରିତ ଇଟାଲୀର ଆର୍ଥିକ ଓ ରାଜନୈତିକ ଦୃଢ଼ୀକରଣ ଅସମ୍ଭବ ବୋଲି ସେ ମନେ କରୁଥିଲେ । କାରଣ ବିଖଣ୍ଡିତ ଇଟାଲୀର ବିଭିନ୍ନ ମତବାଦର ଲୋକଙ୍କ ମଧ୍ୟରେ ଐକ୍ୟ ସ୍ଥାପନ କରିବାକୁ ହେଲେ ଦୃଢ଼ ଶାସକ ହିଁ ସର୍ବପ୍ରଥମେ କାମ୍ୟ ଏବଂ ରାଜତନ୍ତ୍ର ବ୍ୟତିରେକେ ତାହା ମୋଟେ ସମ୍ଭବ ନୁହେ । ଗାରିବାଲ୍‍ ଡି ଙ୍କର ଯୁକ୍ତି ଭିକ୍ଟର ଇମାନୁଲଙ୍କୁ ବେଶ୍ ଭଲ ଲାଗିଥିଲା ଏବଂ ସେ ଖୁବ୍ ଶୀଘ୍ର ତାଙ୍କୁ ରାଜନୈତିକ ଆଶ୍ରୟ ଦେବା ସଙ୍ଗେ ସଙ୍ଗେ ତାଙ୍କ କାର୍ଯ୍ୟରେ ସହାୟତା କରିବାକୁ ମଧ୍ୟ ଲାଗିଲେ ।

 

କେବଳ ଯେ ବହିଃ ଶତ୍ରୁମାନଙ୍କ ଦ୍ଵାରା ଇଟାଲୀ ବାସୀ ଅତ୍ୟାଚାରିତ ହେଉଥିଲେ ତାହା ନୁହେଁ, ନିଜ ମଧ୍ୟରେ ଅନ୍ତର୍ଯୁଦ୍ଧ ସେମାନଙ୍କୁ ବିଶେଷ ଭାବରେ ବିବ୍ରତ କରି ପକାଉଥିଲା । ଇଟାଲୀର ଅନ୍ୟତମ ପ୍ରାଚୀନ ଓ ସମୃଦ୍ଧି ସହର ଭେନିସ୍ ଅଷ୍ଟ୍ରିଆ ଦ୍ଵାରା ଶାସିତ ହୋଇଥିଲା ଏବଂ ଭେନିସବାସୀ ନିର୍ମମ ବୈଦେଶିକ ଶାସନ ଦ୍ଵାରା ଲାଞ୍ଛିତ ହୋଇଥିଲେ । ପୋପଙ୍କ କବଳରେ ଥିବା ଅଞ୍ଚଳରେ ମଧ୍ୟ ଘୋର ଅଶାନ୍ତି ଲାଗି ରହିଥିଲା । ପୋପଙ୍କର ନିଜର ସେନାବାହିନୀ ଥିଲା ଏବଂ ଶତ୍ରୁ ଅଞ୍ଚଳର ଲୋକଙ୍କୁ ସେ ତଦ୍ଦ୍ଵାରା ପ୍ରତିଶୋଧ ନେଉଥିଲେ । ସିସିଲି ଦ୍ଵୀପର ଶାସନକର୍ତ୍ତା ଫେର୍ଡିନାଣ୍ଡ ମଧ୍ୟ ଜଣେ ଦୁର୍ଦ୍ଦାନ୍ତ ସମ୍ରାଟ ଥିଲେ ଏବଂ ତାଙ୍କର ଅତ୍ୟାଚାର ଦକ୍ଷିଣ ଇଟାଲୀବାସୀ ଅଙ୍ଗେ ଲିଭେଇଥିଲେ ।

 

କାପ୍ରେରାଠାରେ ଗାରିବାଲ୍‍ ଡିଙ୍କର ସୁଖ୍ୟାତି ପ୍ରଚାରିତ ହେଲା । ସେଠା ବିଦ୍ରୋହୀମାନେ ତାଙ୍କୁ ସେମାନଙ୍କର ଆଦର୍ଶ ରୂପେ ସ୍ଵୀକାର କରି ତାଙ୍କର ପରାମର୍ଶ ନେଲେ । ବେସାମାରିକ ଇଟାଲୀବାସୀ ମଧ୍ୟ ତାଙ୍କ ପରାମର୍ଶକୁ ମୂଲ୍ୟବାନ୍ ମନେକଲେ । ଗାରିବାଲ୍‍ ଡିଙ୍କର ଅନ୍ୟତମ ସହକର୍ମୀ ମାଜିନୀ ଇଂଲଣ୍ଡକୁ ପଳାଇଯାଇ ସେଠାରେ ‘Make Italy’ ନାମକ ଏକ ବିପ୍ଳବୀ ସଂଘ ସ୍ଥାପନ କରିଥିଲେ । ବିଲାତ ସରକାର ତାଙ୍କୁ ରାଜନୈତିକ ଆଶ୍ରୟ ଦେଇ ତାଙ୍କର କାର୍ଯ୍ୟପନ୍ଥାକୁ ମଧ୍ୟ ସମର୍ଥନ ଜଣାଇଥିଲେ । କେବଳ ଇଟାଲୀରୁ ନୁହେଁ ବିଶ୍ଵର ବିଭିନ୍ନ ପ୍ରାନ୍ତରୁ ନିର୍ବାସିତ ବିପ୍ଳବୀ ନେତାମାନେ ସେତେବେଳେ ଲଣ୍ଡନଠାରେ ଆଶ୍ରୟ ନେଉଥିଲେ । ଇଂଲଣ୍ଡ ଓ ଆମେରିକା ଥିଲା ସ୍ଵେଚ୍ଛାଚାରୀ ଶାସନରେ ଉତ୍ପୀଡ଼ିତ ଜନତାର ଶେଷ ଆଶ୍ରୟସ୍ଥଳ । ବିଲାତବାସୀ ସେଭଳି ଶାସନର ଫଳାଫଳ ଅତି ସତର୍କତାର ସହିତ ଲକ୍ଷ୍ୟ କରୁଥିଲେ ଏବଂ ଉତ୍ପୀଡ଼ିତ ଜନତା ପ୍ରତି ସେମାନଙ୍କର ସହାନୁଭୂତି ରହିଥିଲା । ଅଷ୍ଟ୍ରିଆର ନୃଶଂସ ସେନାପତି ହାୟାନୁ ଇଟାଲୀରେ ଯେଉଁ ଦମନ ଲୀଳା ଚଳାଇଲେ ତାହା ବିଶ୍ଵରେ ସର୍ବତ୍ର ସମାଲୋଚିତ ହେଲା । କୌଣସି କାରଣରୁ ହାୟାନୁ ଲଣ୍ଡନରେ ଗସ୍ତ କରୁଥିବା ବେଳେ ସେଠା ଶ୍ରମିକମାନେ ପ୍ରତ୍ୟକ୍ଷ ଭାବରେ ତାଙ୍କୁ ଅପମାନ ଦେଇ ପ୍ରହାର କରି ପକାଇଥିଲେ । ଲୋମ୍ବାର୍ଡ ସହରରେ ଉକ୍ତ ସେନାପତିଙ୍କର ଅକଥନୀୟ ଅତ୍ୟାଚାର ସେତେବେଳେ ବିଶ୍ଵରେ ବିସ୍ମୟ ସୃଷ୍ଟି କରିଥିଲା । କେବଳ ମାଜିନୀ ନୁହେଁ, ଇଟାଲୀର ଅନ୍ୟାନ୍ୟ ବିପ୍ଳବୀମାନଙ୍କୁ ମଧ୍ୟ ବିଲାତିବାସୀ ଗଭୀର ଉତ୍ସାହ ଯୋଗାଉଥିଲେ । ସେମାନଙ୍କ ଉତ୍ସାହ ବିଶେଷ ଭାବରେ ଗାରିବାଲ୍‍ ଡିଙ୍କର ଅବଦାନ କିଛି କମ୍ ନଥିଲା । ଗାରିବାଲ୍‍ ଡି ମଧ୍ୟ ଏକ ସମୟରେ ବିଲାତରେ ଆଶ୍ରୟ ଗ୍ରହଣ କରିଥିଲେ ।

 

ବିଲାତରେ ଅବସ୍ଥାନ ସମୟରେ ସାର୍ଡିନିଆ ଓ ଅଷ୍ଟ୍ରିଆ ମଧ୍ୟରେ ଯୁଦ୍ଧ ଘୋଷଣା ଖବର ପାଇ ଗାରିବାଲ୍‍ ଡି ତତ୍‍କ୍ଷଣାତ୍ ଇଟାଲୀ ପ୍ରତ୍ୟାଗମନ କରି ସାର୍ଡିନିଆ ପଦାତିକ ବାହିନୀର ସେନାପତିତ୍ଵ ଗ୍ରହଣ କଲେ । ତାଙ୍କର ସୁଦକ୍ଷ ସୈନ୍ୟଚାଳନାରେ ଭୟଭୀତ ହୋଇ ଅଷ୍ଟ୍ରିଆ ସୈନ୍ୟ ଟାଇଗଲ୍ ପର୍ଯ୍ୟନ୍ତ ପଳାୟନ କଲେ । ଗାରିବାଲ୍‍ ଡି ଙ୍କର ପଦାତିକ ବାହିନୀ ଏଥର ଅଷ୍ଟ୍ରିଆସେନାଙ୍କୁ ବହୁଦୂର ଅନୁଧାବନ କରି ତଟସ୍ଥ କରିଦେଇଥିଲେ । ଏହା ହେଲା ତାଙ୍କ ବିପ୍ଳବୀ ଜୀବନର ଅନ୍ୟତମ ସଫଳତା । ଏହା ପରେ ସେ ନିଜର ଓ ନିଜ ସୈନ୍ୟମାନଙ୍କର ଯୁଦ୍ଧ ଦକ୍ଷତା ସମ୍ପର୍କରେ ଆଶାନ୍ୱିତ ହୋଇ ଉଠିଲେ ଏବଂ ଜୀବନରେ ସର୍ବପ୍ରଥମ ଥର ପାଇଁ ନିଜର ଅଗ୍ରଗତିରେ ସନ୍ତୋଷ ପ୍ରକାଶ କରିଥିଲେ । ଉକ୍ତ ସଫଳ ଅଭିଯାନର କିଛିଦିନ ପରେ ସେ ଜଣେ ସମ୍ଭ୍ରାନ୍ତ ଓ ଧନାଢ଼୍ୟ ମହିଳା ରାଇମାଣ୍ଡିଙ୍କୁ ବିବାହ କରିଥିଲେ । ଏହା ହେଲା ତାଙ୍କର ଦ୍ୱିତୀୟବାର ବିବାହ । କିନ୍ତୁ ଦୁଃଖର କଥା ତାଙ୍କର ନୂତନ ଦାମ୍ପତ୍ୟ ଜୀବନ ସ୍ଥାୟୀ ହୋଇପାରିଲା ନାହିଁ । ମଧ୍ୟ-ଇଟାଲୀରେ ଶତ୍ରୁପକ୍ଷୀୟ ସୈନ୍ୟମାନଙ୍କର ସହସା ଆକ୍ରମଣ ଖବର ପାଇ ସେ ଚୁପ୍ ହୋଇ ରହିପାରିଲେ ନାହିଁ-। ବ୍ୟକ୍ତିଗତ ସୁବିଧା ଅପେକ୍ଷା ଜାତୀୟ ସ୍ଵାର୍ଥ ସିଦ୍ଧିକୁ ସେ ଅଧିକ ଗୁରୁତ୍ଵ ଆରୋପ କରୁଥିଲେ-

 

ଯୁଦ୍ଧର ଆହ୍ଵାନ ତାଙ୍କୁ ଅସ୍ଥିର କରିପକାଇଲା ଏବଂ ରାଇମାଣ୍ଡିଙ୍କୁ ଏକାକୀ ଛାଡ଼ିଦେଇ ସେ ପୁଣି ଥରେ ଯୁଦ୍ଧକ୍ଷେତ୍ରକୁ ଚାଲିଗଲେ । ଏହିଥର ଅଷ୍ଟ୍ରିଆ ସେନାଙ୍କୁ ଇଟାଲୀରୁ ସମ୍ପୂର୍ଣ୍ଣ ହଟାଇଦେବା ଥିଲା ତାଙ୍କର ପରିକଳ୍ପନା । କିନ୍ତୁ ଦୁଃଖର କଥା ତାଙ୍କର ଏ କଳ୍ପନା କଳ୍ପନାରେ ରହିଗଲା । ଯେଉଁ ତୃତୀୟ ନେପୋଲିଅନଙ୍କଠାରୁ ସାର୍ଡିନିଆବାସୀ ସାମରିକ ସାହାଯ୍ୟ ପାଉଥିଲେ, ସେମାନେ ଆଉ ତାହା ପାଇଲେ ନାହିଁ । କାରଣ ଏ ମଧ୍ୟରେ ଅଷ୍ଟ୍ରିଆ ସରକାର ତୃତୀୟ ନେପୋଲିଅନଙ୍କ ସହ ଏକ ଶାନ୍ତି ଚୁକ୍ତିରେ ଆବଦ୍ଧ ହୋଇଗଲେ । ଫଳରେ ଇଟାଲୀର ଦକ୍ଷିଣ ଓ ମଧ୍ୟଭାଗରେ ଅଷ୍ଟ୍ରିଆମାନଙ୍କର ଆଧିପତ୍ୟ ପୂର୍ବଭଳି ବଜାୟ ରହିଲା ।

 

୧୮୬୦ ମସିହାର ସିସିଲି ଅବରୋଧ ହେଲା ତାଙ୍କ ଜୀବନର ଏକ ସଫଳ ଉଦ୍ୟମ । ପୂର୍ବବର୍ତ୍ତୀ ଅଭିଯାନର ଫଳାଫଳରେ ଭୀତ ନହୋଇ ଗାରିବାଲ୍ ଡି ସିସିଲି ଅବରୋଧ କରିବା ପାଇଁ ଅଗ୍ରସର ହେଲେ । ତାଙ୍କର ଉଦ୍ୟମକୁ ଇଟାଲୀର ଅଧିବାସୀମାନେ ନୈତିକ ସମର୍ଥନ ଯୋଗାଇଥିଲେ । ତାଙ୍କର ସୁଦକ୍ଷ ସୈନ୍ୟଚାଳନା ସୈନ୍ୟମାନଙ୍କ ମଧ୍ୟରେ ଗଭୀର ଆସ୍ଥା ସ୍ଥାପନ କରାଇପାରିଥିଲେ । ୧୮୬୦ ମସିହାରେ ସିସିଲିର ମାର୍ସାଲ ନାମକ ଏକ ସ୍ଥାନରେ ପହଞ୍ଚିବା କ୍ଷଣି ସ୍ଥାନୀୟ ଲୋକେ ତାଙ୍କୁ ସ୍ଵାଗତ ଜଣାଇଲେ ଏବଂ ସିସିଲିର ପ୍ରାଣକର୍ତ୍ତା ରୂପେ ବିବେଚନା କଲେ । ଅନ୍ୟାନ୍ୟ ଦେଶ ସମୂହ ଗାରିବାଲଡିଙ୍କ ଅଭିଯାନର ଅଗ୍ରଗତି ଅତି ସତର୍କତାର ସହିତ ଲକ୍ଷ୍ୟ କରୁଥିଲେ । ତତ୍କାଳୀନ ବ୍ରିଟିଶ ସରକାର ତାଙ୍କର ଅଭିଯାନର ଅଗ୍ରଗତି ଦିଗରେ ଯଥୋଚିତ ସାହାଯ୍ୟ କରିଥିଲେ । ତାଙ୍କର ସୈନ୍ୟ ବାହିନୀଙ୍କୁ ମାର୍ସାଲାଠାରେ ଅବତରଣ କରାଇବା ଲାଗି ବ୍ରିଟିଶ ନୌବାହିନୀ ସହାୟତା କଲେ । ତଦ୍ଦ୍ୱାରା ବହୁଗୁଣ ଉତ୍ସାହିତ ହୋଇ ଗାରିବାଲ୍ ଡି ସାଲେମି ଅଭିମୁଖେ ଅଗ୍ରସର ହେଲେ ଏବଂ ଖୁବ୍ ଅଳ୍ପସଂଖ୍ୟକ ସୈନ୍ୟଙ୍କର ସହାୟତାରେ ସେ ସମଗ୍ର ପାଲେରୁମୋ ଅଧିକାର କରିପାରିଥିଲେ ।

 

ଗାରିବାଲ୍ ଡିଙ୍କ ସିସିଲି ଅବରୋଧ ସମଗ୍ର ଇଟାଲୀରେ ଏକ ନୂତନ ଜାଗରଣ ଖେଳାଇ ଦେଲା ଏବଂ ଇଟାଲୀୟ ଯୁବଶକ୍ତି ତାଙ୍କ ଉଦ୍ୟମକୁ ସଫଳ କରିବା ପାଇଁ ସବୁପ୍ରକାର ସହାୟତା ଦେଲେ । ଭିକ୍ଟର ଇମାନ୍ତୁଲଙ୍କ ନେତୃତ୍ଵରେ ଦେଶସାରା ଯୁବକମାନଙ୍କୁ ସେନାବାହିନୀ ପାଇଁ ବଛାଗଲା ଏବଂ ସାମରିକ ବାହିନୀକୁ ସୁଦୃଢ଼ କରାଗଲା । ବହୁ ଇଟାଲୀୟ ଯୁବକ ସ୍ଵେଚ୍ଛାରେ ଭିକ୍ଟର ଇମାନ୍ତୁଲଙ୍କ ନିକଟରେ ଉପସ୍ଥିତ ହୋଇ ସୈନ୍ୟବାହିନୀରେ ନାମ ଲେଖାଇଲେ । ଜେନୋଆ ଓ ଲେଗୋନ ସହରରୁ ସହସ୍ର ସଂଖ୍ୟକ ସୈନ୍ୟ ସିସିଲିରେ ପ୍ରବେଶ କରି ଗାରିବାଲଡିଙ୍କ ସାମରିକ ବାହିନୀକୁ ପୃଷ୍ଟ କରିବାକୁ ଲାଗିଲେ । ସିସିଲିର ମୁକ୍ତି ହିଁ ଥିଲା ସେମାନଙ୍କର ଅଦମ୍ୟ କାମ୍ୟ, ଆକ୍ରମଣ କିମ୍ବା ଲୁଣ୍ଠନ ମନୋଭାବ ନେଇ ସେମାନେ ଯୋଗ ଦେଇନଥିଲେ । ଫଳରେ ସ୍ଥାନୀୟ ଲୋକଙ୍କର ସକଳ ପ୍ରକାର ସହାନୁଭୂତି ସେମାନେ ପାଇଥିଲେ । ଗାରିବାଲଡିଙ୍କର ସୈନ୍ୟମାନେ ନିଃସ୍ଵାର୍ଥପର ଭାବରେ ତାଙ୍କର କର୍ତ୍ତବ୍ୟ କରି ଯାଉଥିଲେ । ଶତ୍ରୁ ସେନାଙ୍କୁ ପରାଜୟ କରିବାରେ ହିଁ ସେମାନେ ଅପାର ଆନନ୍ଦ ଲାଭ କରୁଥିଲେ । କର୍ତ୍ତବ୍ୟରେ ନିଷ୍ଠା ଓ ଦେଶପ୍ରତି ଗଭୀର ଅନୁରକ୍ତି ସେମାନଙ୍କୁ ଶକ୍ତି ଯୋଗାଇଥିଲା । ଦେଶପ୍ରୀତି ମନ୍ତ୍ରହାରା ଉଦ୍‍ବୁଦ୍ଧ ସେନାନୀ ସେମାନଙ୍କଠାରୁ ସଂଖ୍ୟାଧିକ ସେନାଙ୍କୁ ମଧ୍ୟ ପରାହତ କରିପାରିଥିଲେ । ସିସିଲିସ୍ଥ ଚବିଶ ହଜାର ସୈନ୍ୟଙ୍କ ସମେତ ନେପଲସ୍‍ରୁ ଆନୀତ ଏକଲକ୍ଷ ସେନାଙ୍କୁ ଶୋଚନୀୟ ଭାବରେ ପରାହତ କରିଦେଇ ଗାରିବାଲଡିଙ୍କ ସ୍ୱଳ୍ପ ସଂଖ୍ୟକ ସେନା ବିଜୟ ହାସଲ କଲେ ଏବଂ ସିସିଲି ବିଦ୍ରୋହ ଅଚିରେ ସଫଳ ହେଲା ।

 

ତତ୍ପରେ ୧୮୬୦ ମସିହା ସେପ୍ଟେମ୍ବର ମାସରେ ତାଙ୍କ ସୈନ୍ୟବାହିନୀ ବିଜୟ ଉତ୍ସାହରେ ନେପଲସ୍ ରାଜ୍ୟ ଅବରୋଧ କଲେ । ଏହି ଅଭିଯାନରେ ଭିକ୍ଟର ଇମାନ୍ତୁଲଙ୍କ ସହାୟତା ଅତ୍ୟନ୍ତ ପ୍ରଣିଧାନ ଯୋଗ୍ୟ । ଏଥର ମଧ୍ୟ ଗାରିବାଲଡିଙ୍କର ଅଳ୍ପ ସଂଖ୍ୟକ ସେନା ନେପଲସ୍ ରାଜ୍ୟର ୪୦,୦୦୦ ସେନାଙ୍କୁ ପରାସ୍ତ କରିଦେଇ ସେଠାରେ ସେମାନଙ୍କର ବିଜୟ ବୈଜୟନ୍ତୀ ଉଡ଼ାଇଥିଲେ । ମୋଟେ ପାଞ୍ଚୋଟି ମାସର ସାମରିକ ଅଭିଯାନରେ ସେ ଉଭୟ ସିସିଲି ଓ ନେପଲସକୁ ନିଜ ଅଧୀନକୁ ଆଣିଥିଲେ । ସୈନ୍ୟମାନେ ତାଙ୍କର ସମ୍ମୁଖୀନ ହେବାକୁ ମୋଟେ ସାହସ କରୁନଥିଲେ । ସିସିଲିର ଉଭୟ ପ୍ରାନ୍ତ ଅଧିକୃତ ହେବାପରେ ଗାରିବାଲଡିଙ୍କର ଉତ୍ସାହ ବହୁଗୁଣ ବୃଦ୍ଧି ପାଇଥିଲା । ତତ୍ପରେ ସେ ଫରାସୀ ସେନା ଅଧ୍ୟୁଷିତ ଏବଂ ପୋପ ଶାସିତ ରୋମ ନଗରୀ ଅଧିକାର କରି ନେବାପାଇଁ ଉଦ୍ୟମ କଲେ ଏବଂ ସଙ୍ଗେ ସଙ୍ଗେ ରିଗୋ ସହରକୁ ଆକ୍ରମଣ କଲେ । ବନ୍ଧୁ ଭିକ୍ଟର ଇମନୁଲନଙ୍କ ସହାୟତାରେ ସେ ପୋପ ସେନାଙ୍କୁ ପରାସ୍ତ କରି ରୋମ ବ୍ୟତୀତ ଅନ୍ୟାନ୍ୟ ଅଞ୍ଚଳ ଦଖଲ କଲେ । ଫ୍ରାନସ ସମ୍ରାଟ ତୃତୀୟ ନେପୋଲିଅନ ମଧ୍ୟ ତାଙ୍କ ଅଭିଯାନରେ ବିଶେଷ ବାଧା ଦେଲେ ନାହିଁ ।

 

ନେପଲସ୍ ପୋପ ଶାସିତ ରାଜ୍ୟକୁ ଅଧିକାର କରିନେବା ପରେ ଇଟାଲୀରେ ଏକାତ୍ରିକରଣ ଏକ ବାସ୍ତବ ରୂପ ଧାରଣ କଲା । ଭାନିଟା ଓ ରୋମ ବ୍ୟତୀତ ସମସ୍ତ ଇଟାଲୀୟ ରାଜ୍ୟ ଏକତ୍ରିତ ହୋଇ ନୂତନ ଇଟାଲୀ ରାଜ୍ୟ ଗଠିତ ହେଲା । ୧୮୬୧ ମସିହାରେ ନୂତନ ପାର୍ଲାମେଣ୍ଟ ମଧ୍ୟ ଗଠିତ ହେଲା ଏବଂ ଭିକ୍ଟର ଇମାନୁଲଙ୍କୁ ଇଟାଲୀର ରାଜା ରୂପେ ଘୋଷଣା କରାଗଲା । ନୂତନ ରାଜ୍ୟଟିର ଲୋକସଂଖ୍ୟା ଥିଲା ପ୍ରାୟ ଦୁଇକୋଟି । ଏହି ନୂତନ ରାଜ୍ୟରେ ଉପପ୍ରଧାନମନ୍ତ୍ରୀ ରୁପେ ଗିରିବାଲ୍‍ ଡି ଦାୟିତ୍ଵ ବହନ କଲେ । ଇଟାଲୀର ସର୍ବମୟ କର୍ତ୍ତା ହେବାପାଇଁ ସେ ଲାଳାୟିତ ନଥିଲେ । ତାଙ୍କର ଅନ୍ତିମ କାମନା ଆସ୍ତେ ଆସ୍ତେ ପୂରଣ ହେଉଥିବା ଦେଖି ସେ ଖୁବ୍ ସନ୍ତୋଷ ପ୍ରକାଶ କରିଥିଲେ । ତାଙ୍କର ଆନ୍ତରିକ ଉଦ୍ୟମ ଫଳରେ ଇଟାଲୀର ଏକ ବିଶାଳ ଓ ଶୃଙ୍ଖଳିତ ସାମରିକ ବାହିନୀ ଗଠିତ ହେଲା ।

 

ଏକତ୍ରିତ ଇଟାଲୀ ରାଜ୍ୟ ଗଠନ ପରେ ମଧ୍ୟ ଗାରିବାଲ୍‍ ଡି ଚୁପ୍ ହୋଇ ବସିପାରିଲେ ନାହିଁ । ଦେଶରେ ସମ୍ପୂର୍ଣ୍ଣ ଏକତ୍ରିକରଣ ଲାଗି ତାଙ୍କର ଉତ୍କଣ୍ଠା ଜାଗ୍ରତ ହେଲା । ରୋମ ଓ ଭାନିଟା ବ୍ୟତିରେକେ ସମ୍ପୂର୍ଣ୍ଣ ଇଟାଲୀ ପରିକଳ୍ପନା ଏକାନ୍ତ ହାସ୍ୟାସ୍ପଦ । ଖ୍ରୀଷ୍ଟିଆନ ଜଗତର ଧର୍ମଗୁରୁ ପୋପ ଥିଲେ ରୋମର ସମ୍ରାଟ । ଧର୍ମପ୍ରଚାର ପରିବର୍ତ୍ତେ ସାମ୍ରାଜ୍ୟ ପ୍ରସାର ପାଇଁ ସେ ବିଶେଷ ଲାଳାୟିତ ଥିଲେ ଏବଂ ସେ ନିଜର ଏକ ସୈନ୍ୟବାହିନୀ ମଧ୍ୟ ରଖିଥିଲେ । ଗାରିବାଲ୍‍ ଡି ଏଥିରେ ଉତ୍ତ୍ୟକ୍ତ ହୋଇ ରୋମ ଆକ୍ରମଣ କଲେ; କିନ୍ତୁ ପ୍ରଥମ ଆକ୍ରମଣ ସଫଳ ହେଲାନାହିଁ । ଶତ୍ରୁସେନାଙ୍କଦ୍ଵାରା ଗିରଫ ହୋଇ ସେ ଖସି ପଳାଇଯାଇଥିଲେ । ସେ ସମୟରେ ଭେନେଟା ଅଞ୍ଚଳରେ ଅଷ୍ଟ୍ରିଆର ଶାସନ ପ୍ରତିଷ୍ଠିତ ଥିଲା ଏବଂ ଉକ୍ତ ଅଞ୍ଚଳ ଛାଡ଼ି ଚାଲିଯିବା ପାଇଁ ଅଷ୍ଟିଆ ଶାସକମାନେ ମୋଟେ ଇଛୁକ ନଥିଲେ । ୧୮୬୪ ମସିହାରେ ଗାରିବାଲ୍‍ ଡି ଲଣ୍ଡନ ଯାଇ ଆକ୍ରମଣର କେବଳ ପ୍ରାଥମିକ କର୍ତ୍ତବ୍ୟ ସମ୍ପର୍କରେ ବିଲାତ ସରକାରଙ୍କ ସହ ପରାମର୍ଶ କରି ୧୮୬୬ ମସିହାରେ ସେ ଅଷ୍ଟ୍ରିଆ ଶାସନ ବିରୁଦ୍ଧରେ ଭୟାନକ ସଂଗ୍ରାମୀ ଆରମ୍ଭ କରିଦେଲେ । ଅଳ୍ପ କେତୋଟି ଦିନର ସଂଗ୍ରାମ ପରେ ଭେନେଟା ଅଧିକୃତ ହେଲା । ଭାଟିକାନ୍ ପ୍ରାସାଦ ଉପରେ ପୋପଙ୍କର ସାର୍ବଭୌମତ୍ଵ ସ୍ଵୀକାର କରାଯାଇ ୧୮୭୦ ମସିହାରେ ରୋମ ଅଧିକାର କରାଗଲା ।

 

ଗାରିବାଲ୍‍ ଡି ଙ୍କର ପ୍ରତ୍ୟେକ କାର୍ଯ୍ୟ ପ୍ରତି ଭିକ୍ଟର ଇମାନୁଲଙ୍କର ସମର୍ଥନ ଥିଲା । ଫଳରେ ଶତ୍ରୁ ପକ୍ଷୀୟ ସମସ୍ତ ଉଦ୍ୟମକୁ ପଣ୍ଡ କରି ସେ ଏକତ୍ରିତ ଇଟାଲୀର ବାସ୍ତବ ରୂପରେଖ ଦେଲେ । ଗାରିବାଲ୍‍ ଡିଙ୍କର ଅଭିଳାଷ ଚରିତାର୍ଥ ହେଲା ଏବଂ ଦେଶପ୍ରେମୀ ଭିକ୍ଟର ଇମାନୁଲ ଏକତ୍ରିତ ଇଟାଲୀର ସମ୍ରାଟ ହେଲେ ।

 

୧୮୭୪ ମସିହାରେ ଗାରିବାଲ୍‍ ଡି ରୋମ ନଗରୀରେ ଏକ ନିର୍ବାଚନରେ ଅଂଶ ଗ୍ରହଣ କରି ଜଣେ ଡେପୁଟି ରୁପେ ନିର୍ବାଚିତ ହେଲେ । ବାର୍ଦ୍ଧକ୍ୟ ହେତୁ ରାଜକୋଷରୁ ପ୍ରଚୁର ଅର୍ଥ ସାହାର୍ଯ୍ୟ ଦେବା ପାଇଁ ଇଟାଲୀର କାଠ ସରକାର ଯେଉଁ ନିଷ୍ପତି କଲେ ତାହା ଗ୍ରହଣ କରିବା ପାଇଁ ସେ ଇଚ୍ଛୁକ ନଥିଲେ । କିନ୍ତୁ ବାମପନ୍ଥୀ ସରକାର ପ୍ରତିଷ୍ଠିତ ହେବାପରେ ରାଜକୋଷରୁ ଆର୍ଥିକ ସାହାଯ୍ୟ ଗ୍ରହଣ ପ୍ରସ୍ତାବକୁ ସେ ଅନୁମୋଦନ କରିଥିଲେ । ତାଙ୍କର ଉଦ୍ୟମ ଫଳରେ କଭୋର୍ ଓ ଭୋକ୍ଟର ଇମାନୁଲଙ୍କ ପ୍ରତିପତ୍ତି ବୃଦ୍ଧି ପାଇଥିଲା । କ୍ଷମତା ପ୍ରତି ଉଦାସୀନ ଥିବାରୁ ଅନ୍ୟମାନଙ୍କର ପ୍ରତିଷ୍ଠା ବୃଦ୍ଧିଦ୍ଵାରା ସେ ସହଜରେ ଇର୍ଷାନ୍ଵିତ ହେଉନଥିଲେ । ଲକ୍ଷ୍ୟ ଲକ୍ଷ୍ୟ ଇଟାଲୀବାସୀଙ୍କ ହୃଦୟରେ ସେ ସ୍ଥାନ ପାଇଥିଲେ ଏବଂ ଦେଶବାସୀଙ୍କ ପ୍ରତି ସେ ମଧ୍ୟ ଅତ୍ୟନ୍ତ ଅନୁରକ୍ତ ଥିଲେ । ୧୮୮୨ ମସିହାରେ ତାଙ୍କର ବିୟୋଗ ଇଟାଲୀବାସୀଙ୍କୁ ଗଭୀର ଶୋକାପ୍ଲୁତ କଲା ।

 

ଗାରିବାଲ୍‍ ଡି ଙ୍କର କୃତୀ ଇଟାଲୀର ଇତିହାସରେ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ରହିଲା । ତାହାର ସ୍ମରଣ ମାତ୍ରେ ଇଟାଲୀବାସୀ ଆଜି ଗୌରବାନ୍ୱିତ । ନୂତନ ଓ ସ୍ୱାଧୀନ ଇଟାଲୀର ସେ ଥିଲେ ଅଦ୍ୱିତୀୟ ସ୍ରଷ୍ଟା । ଜଣେ ସେନାପତି ଭାବରେ ସେ କେବଳ ସାମରିକ ବାହିନୀ ମଧ୍ୟରେ ନୁହେଁ, ବେସରକାରୀ ଜନତା ମଧ୍ୟରେ ବି ଅପୂର୍ବ ପ୍ରେରଣା ଓ ଦେଶପ୍ରୀତି ଜାଗ୍ରତ କରିପାରିଥିଲେ । ଜଣେ ଦେଶଭକ୍ତ ଭାବରେ ସେ ଥିଲେ ଅତୁଳନୀୟ । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଜବାହରଲାଲ ନେହେରୁ ଗାରିବାଲଡିଙ୍କୁ ନିଜ କୈଶୋର ଜୀବନର ଆଦର୍ଶ ରୂପେ ଗ୍ରହଣ କରି ତାଙ୍କଠାରୁ ଦେଶଭକ୍ତି ଦୀକ୍ଷା ଲାଭ କରିଥିଲେ । ତାଙ୍କର ତ୍ୟାଗ ଓ ଦେଶଭକ୍ତି ବିଶ୍ୱର ବହୁ ନେତାଙ୍କୁ ଉଦ୍‍ବୁଦ୍ଧ କରିଥିଲେ ।

★★★

 

Unknown

ଆତାତୁର୍କ ମୁସ୍ତାଫା କେମାଲ

 

ୟୁରୋପରେ ଅନ୍ୟ ରାଷ୍ଟ୍ରମାନଙ୍କ ତୁଳନାରେ ତୁର୍କୀର ସ୍ଥାନ ଆର୍ଥିକ ଓ ରାଜନୈତିକ ଉଭୟ ଦିଗରୁ ବହୁ ପଛରେ । ଏହାର ଧର୍ମ ଓ ଶାସନରେ ମଧ୍ୟ ବିଶେଷ ପାର୍ଥକ୍ୟ ପରିଲକ୍ଷିତ ହୁଏ ଏବଂ ତାରି ଫଳରେ ବହୁ ସମୟରେ ତୁର୍କୀବାସୀଙ୍କୁ ପଡ଼ୋଶୀ ରାଷ୍ଟ୍ରମାନଙ୍କ ସହ ଯୁଦ୍ଧରେ ବ୍ୟାପୃତ ହେବାର ଦେଖିବାକୁ ମିଳେ । ପ୍ରଥମ ମହାଯୁଦ୍ଧରେ ତୁର୍କୀର ଗୁରୁତ୍ଵପୂର୍ଣ୍ଣ ଭୂମିକା ସତ୍ତ୍ୱେ ଯୁଦ୍ଧରେ ପରାଜିତ ହେବାଦ୍ଵାରା ଏହାର ଅର୍ଥନୀତି ଏକପ୍ରକାର ବିକଳାଙ୍ଗ ହୋଇ ପଡ଼ିଥିଲା । ଏହି ଦୁର୍ବଳତାର ସୁଯୋଗ ନେଇ ବିଜୟୀ ପାଶ୍ଚାତ୍ୟ ରାଷ୍ଟ୍ରମାନେ ୧୯୨୦ ମସିହାରେ ସେଭର୍ସ ନାମକ ଏକ ଅପମାନଜନକ ଚୁକ୍ତି କରାଇ ନେଇ ତୁର୍କୀକୁ ରସାତଳଗାମୀ କରିଦେବା ପାଇଁ ଯେଉଁ ଗଭୀର ଷଡ଼ଯନ୍ତ୍ର କରିଥିଲେ ତାହାକୁ ଉଚିତ୍ ଭାବରେ ବ୍ୟର୍ଥ କରିଥିଲେ ମୁସ୍ତାଫା କେମାଲ । ଉକ୍ତ ଅପମାନଜନକ ଚୁକ୍ତିରେ ସ୍ୱାକ୍ଷର କରିଥିଲେ ତୁର୍କୀ ୟୁରୋପରେ ଏକ ଅନାମଧେୟ ଓ ଅବହେଳିତ ରାଷ୍ଟ୍ର ହୋଇ ରହିବା ହିଁ ସାର ହୋଇଥାନ୍ତା । ଯୁବକ ସାମରିକ ଅଫିସର ମୁସ୍ତାଫା କେମାଲ ହିଁ ଉକ୍ତ ଦେଶର ଭାଗ୍ୟରେ ଘୋର ପରିବର୍ତ୍ତନ ଅଣାଇ ତାହାକୁ ବିଶ୍ୱବିଦିତ କରାଇଥିଲେ । ଅସ୍ୱାଭାବିକ ଭାବରେ ସେ ତୁର୍କୀର ଶାସନ ଦଳକୁ ଆୟତ କରିଥିଲେ । ପରିସ୍ଥିତିର ଚାପରେ ରକ୍ତର ବନ୍ୟା ପ୍ଳାବନ କରି ଏକଛତ୍ର ସମ୍ରାଟ ହେବା ପାଇଁ ସେ ବାଧ୍ୟ ହୋଇଥିଲେ ଏବଂ ଦୁର୍ଦ୍ଦିନରେ ଦେଶର ସ୍ୱାର୍ଥକୁ ସୁରକ୍ଷା କରି ଏକ ଭୟଙ୍କର ଅଧୋଗତିରୁ ରକ୍ଷା କରିବା କରିଥିଲେ । ତୁର୍କୀବାସୀଙ୍କୁ ଜାତୀୟତା ମନ୍ତ୍ରଦ୍ୱାରା ସେ ଏପରି ଭାବରେ ଉଦ୍‍ବୁଦ୍ଧ କରିଥିଲେ ଯେ ସେମାନେ ବ୍ୟକ୍ତି ସ୍ୱାଧୀନତା କିମ୍ବା ଗଣତନ୍ତ୍ର ପଦ୍ଧତିକୁ ଗୌଣ ମନେକରି କେମାଲଙ୍କ ସ୍ୱପ୍ନକୁ ହିଁ ଚରିତାର୍ଥ କରିବା ପାଇଁ ଦୃଢ଼ପ୍ରତିଜ୍ଞ ହେଲେ । ଏକ ସମୟରେ କେମାଲଙ୍କର ଜାତୀୟବାଦୀ ଜନତାପାର୍ଟି ବ୍ୟତୀତ ଅନ୍ୟ କୌଣସି ରାଜନୈତିକ ପାର୍ଟି ଦେଶରେ ତିଷ୍ଠିପାରିଲେ ନାହିଁ । ଦେଶର ବିଭିନ୍ନ କ୍ଷେତ୍ରରେ ଅଭୂତପୂର୍ବ ଅଗ୍ରଗତି ଘଟାଇଥିବା ଫଳରେ ଦେଶବାସୀ ତାଙ୍କୁ ଆଦରରେ ଆତାତୁର୍କ ଅର୍ଥାତ୍ ତୁର୍କୀ ଜାତିର ପିତାରୂପେ ସମ୍ମାନିତ କରିଥିଲେ ।

 

୧୮୮୧ ମସିହାରେ ମୁସ୍ତାଫା କେମାଲ ତୁର୍କୀର ମେସିଡୋନିଆ ପ୍ରଦେଶର ସାଲୋନିକାଠାରେ ଜନ୍ମଗ୍ରହଣ କରିଥିଲେ । ମେସିଡୋନିଆ ଥିଲା ପୂର୍ବ ୟୁରୋପର ସକଳପ୍ରକାର ବିଦ୍ରୋହର ମୁଳପୀଠ । କେମାଲ ମଧ୍ୟ ସେହି ବିଦ୍ରୋହୀ ପରିବେଶ ମଧ୍ୟରେ ବଢ଼ିଥିଲେ । ଏପରିକି ଏଗାର ବର୍ଷ ବୟସରେ ସ୍କୁଲ ଛାତ୍ର ଭାବରେ ମଧ୍ୟ ସେ ବିଦ୍ରୋହ ମନୋବୃତ୍ତି ପୋଷଣ କରି ଶିକ୍ଷା ପ୍ରତି ମୋଟେ ଦୃଷ୍ଟି ଦେଇ ନଥିଲେ ଏବଂ ସହପାଠୀ ଓ ଶିକ୍ଷକମାନଙ୍କ ପ୍ରତି ଅସଦାଚରଣ କରୁଥିଲେ । କିନ୍ତୁ ସାଲେନିକାସ୍ଥ ମିଲିଟାରୀ ସ୍କୁଲକୁ ପ୍ରେରିତ ହେବାପରେ ସେ ଅଳ୍ପ ସମୟ ମଧ୍ୟରେ ଖୁବ୍ ବନ୍ଧୁପ୍ରିୟ ହୋଇ ପାରିଥିଲେ ଏବଂ ଜଣେ ଶୃଙ୍ଖଳିତ କାଡେଟ ଭଳି ଆଚରଣ ଦେଖାଇଥିଲେ । ଗଣିତଶାସ୍ତ୍ରରେ ତାଙ୍କର ଗଭୀର ଜ୍ଞାନ ଦେଖି ତାଙ୍କର ଜଣେ ଅଧ୍ୟାପକ ତାଙ୍କୁ କେମାଲ (Kemal) ନାମରେ ନାମିତ କରିଥିଲେ । ଏହି କେମାଲର ଅର୍ଥ ହେଲା ପୂର୍ଣ୍ଣତା (Perfection) । ମୁସ୍ତାଫାଙ୍କୁ ସୈନିକ ଜୀବନ ବେଶ୍ ଭଲ ଲାଗିଥିଲା ଏବଂ ଜଣେ ଅତି ମେଧାବୀ ମିଲିଟାରୀ ଅଫିସର ରୂପେ ସେ ସୁନାମ ଅର୍ଜ୍ଜନ କରିଥିଲେ । ସେହି ସମୟରେ ସେ ଫରାସୀ ବିପ୍ଳବ ସଂକ୍ରାନ୍ତୀୟ ବହୁ ସାହିତ୍ୟ ଅଧ୍ୟୟନ କରି ନିଜ ଦେଶର ସ୍ୱେଚ୍ଛାଚାରୀ ସମ୍ରାଟଙ୍କର ଅତ୍ୟାଚାର ସମ୍ପର୍କରେ ବିଶଦ୍ ବିବରଣୀ ସଂଗ୍ରହ କରିଥିଲେ ।

 

ସାଲୋନିକା ସ୍କୂଲରୁ ଉତ୍ତୀର୍ଣ୍ଣ ହୋଇ ମୁସ୍ତାଫା କେମାଲ ମୋନାଷ୍ଟିରସ୍ଥ ଅନ୍ୟ ଗୋଟିଏ ମିଲିଟାରୀ ସ୍କୁଲରେ ନାମ ଲେଖାଇଥିଲେ । ସେଠାରେ ତାଙ୍କର ଦକ୍ଷତାରେ ସନ୍ତୁଷ୍ଟ ହୋଇ କର୍ତ୍ତୃପକ୍ଷ ତାଙ୍କୁ କନଷ୍ଟାଣ୍ଟିନୋପଲସ୍ଥ ଇମ୍ପିରିଆଲ୍ ଷ୍ଟାଫ୍ କଲେଜରେ ସବ୍-ଲେଫ୍ଟନାଣ୍ଟ ଭାବରେ ନିଯୁକ୍ତି ଦେଲେ । ସେଠାରେ ସେ ନିଜର କର୍ତ୍ତବ୍ୟ କରିବା ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକଙ୍କ ମନରେ ଏକ ନୂତନ ପ୍ରକାର ଚେତନା ଜାଗ୍ରତ ପାଇଁ ସଜାଗ ହେଲେ ଏବଂ ଏକପ୍ରକାର ଗୁପ୍ତ ଷଡ଼ଯନ୍ତ୍ରରେ ବ୍ୟାପୃତ ହେଲେ । ଉକ୍ତ ଷ୍ଟାଫ୍ କଲେଜର କେତେକ ଯୁବକ ଅଫିସର କେମାଲଙ୍କର ବିପ୍ଳବୀ ମନୋଭାବ ଦ୍ଵାରା ଉଦ୍‍ବୁଦ୍ଧ ହୋଇ ‘ଭାଟାନ୍‍ର’ର ନାମକ ଏକ ବିପ୍ଳବୀ ଗୋଷ୍ଠୀ ସଂଗଠିତ କଲେ । ‘ଭାଟାନ୍‍ର’ ର ଅର୍ଥ ପିତୃଭୂମି (Fatherland) । ଏହି ସଂଗଠନର ଉଦ୍ଦେଶ୍ୟ ହେଲା ଦେଶରେ ରାଜତନ୍ତ୍ରର ଉଚ୍ଛେଦ ସାଧନ ସଙ୍ଗେ ସଙ୍ଗେ ବୈଦେଶିକମାନଙ୍କର ଶୋଷଣରୁ ଦେଶବାସୀଙ୍କୁ ମୁକ୍ତ କରିବା । ମୁସ୍ତାଫା କେମାଲ ହେଲେ ଏହି ସଂଗଠନର ନେତା ।

 

‘ଭାଟାନ୍’ ଗୁପ୍ତ ସଂଗଠନର ଏକ ଅଧିବେଶନ ଚାଲିଥିଲାବେଳେ ତୁର୍କୀ ସୁଲତାନଙ୍କର ପୋଲିସ୍ ଫୌଜ ଆସି ହଠାତ୍ ତାହା ଅବରୋଧ କରି ସଦସ୍ୟମାନଙ୍କୁ ଗିରଫ କରିଥିଲେ । କିନ୍ତୁ ଏକ ଗଣ-ବିପ୍ଳବର ଆଶଙ୍କା ଫଳରେ ସେମାନଙ୍କୁ ଫାଶୀ ଦେବା ପାଇଁ ସୁଲତାନଙ୍କର ସାହାସ ହେଲାନାହିଁ । ‘ଭାଟାନ୍’ ସଂଗଠନ ପୁନର୍ବାର ଯେପରି ଜୀବିତ ନହୁଏ, ସେଥିପ୍ରତି ସଜାଗ ରହି ସୁଲତାନ ବନ୍ଦୀମାନଙ୍କୁ ମୁକ୍ତି ଆଦେଶ ଦେଲେ । ସେ ଭାବିଥିଲେ ଯୌବନ ହିଁ ମଣିଷର ବିପ୍ଳବୀ ମନୋଭାବ ସୃଷ୍ଟିକରେ ଏବଂ ଯୌବନ ପରେ ‘ଭାଟାନ୍’ ସଦସ୍ୟମାନେ ନିଶ୍ଚୟ ରାଜଭକ୍ତ ହେବେ । କେମାଲ ଏଥର ସତର୍କ ହୋଇଯାଇ ସୁଲତାନଙ୍କର ଗୁପ୍ତ ପୋଲିସଙ୍କ ନିକଟରୁ ଦୁରେଇ ହୋଇ ରହିଲେ । ଦାମାସକାସ୍‍କୁ ଦକ୍ଷିଣାଞ୍ଚଳ ଆଦିବାସୀ ବିଦ୍ରୋହୀ ଡ୍ରୁସେସ୍‍ମାନଙ୍କୁ ଦମନ କରିବା ପାଇଁ ଏକ ଅଶ୍ୱାରୋହୀ ରେଜିମେଣ୍ଟର ଅଧିନାୟକ ରୂପେ କେମାଲଙ୍କୁ ପ୍ରେରଣ କରାଗଲା । ଦାମାସ୍‍କାସ୍‍କୁ ସ୍ଥାନାନ୍ତରିତ ହେବା ପରେ ସେ ସେଠାରେ ‘ଭାଟାନ୍’ ସଂଗଠନର ଏକ ନୂତନ ଶାଖା ସୃଷ୍ଟିକରି ତାର ସଦସ୍ୟମାନଙ୍କୁ ବିପ୍ଳବ ସମ୍ପର୍କରେ ଶିକ୍ଷାଦେବା ସଙ୍ଗେ ସଙ୍ଗେ ସୁଲତାନ ହମିଦ୍‍ଙ୍କର ତ୍ରୁଟିପୂର୍ଣ୍ଣ ଶାସନର ଗୁଡ଼ାଏ ଖବର ସଂଗ୍ରହ କଲେ ।

 

୧୯୦୮ ମସିହାରେ ତୁର୍କୀରେ ସଂଗଠିତ ହୋଇଥିବା ଏକ ଯୁବ ଆନ୍ଦୋଳନ (Young Turk Revolution)ର ପୁରୋଧା ଥିଲେ ମୁସ୍ତାଫା କେମାଲ ଏବଂ ତୁର୍କୀବାସୀଙ୍କ ପାଇଁ ଏକ ସମ୍ବିଧାନ ପ୍ରଣୟନ ନିମିତ୍ତ ସେ ସୁଲତାନ ହମିଦଙ୍କ ନିକଟରେ ଦୃଢ଼ ଦାବୀ ଜଣାଇଥିଲେ-। ତୁର୍କୀର ବିଦ୍ରୋହୀ ଯୁବଗୋଷ୍ଠୀକୁ ଶକ୍ତିଶାଳୀ କରି ଗଢ଼ିବା ଦାୟିତ୍ଵ ସେ ନିଜେ ବହନ କରିଥିଲେ ଏବଂ ସେମାନଙ୍କୁ ମିଲିଟାରୀ ଛାଞ୍ଚରେ ପ୍ରସ୍ତୁତ କରାଇବା ଲାଗି ତାଙ୍କର ପ୍ରବଳ ଈପ୍‍ସା ଥିଲା-। ପାଶ୍ଚାତ୍ୟ ଦେଶଗୁଡ଼ିକରେ ପ୍ରଚଳିତ ମିଲିଟାରୀ ଜ୍ଞାନ ହାସଲ ପାଇଁ ସେ ୧୯୧୦ ମସିହାରେ ଫ୍ରାନସ୍ ଯାଇଥିଲେ । ପ୍ୟାରିସ୍ ସହରରେ ଅବସ୍ଥାନବେଳେ ସେ ପାଶ୍ଚାତ୍ୟ ସଭ୍ୟତା ସମ୍ପର୍କରେ ଯେଉଁ ଅନୁଭୁତି ଲାଭ କଲେ ତଦ୍ଦ୍ଵାରା ସେ ବାସ୍ତବିକ ବିହ୍ୱଳିତ ହୋଇପଡ଼ିଲେ ଏବଂ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଦେଶମାନଙ୍କ ମଧ୍ୟରେ ଥିବା ତାରତମ୍ୟ ସମ୍ପର୍କରେ ବେଶ୍ ଅବହିତ ହେଲେ । ପ୍ୟାରିସ୍‍ ଠାରେ ନାରୀ ଶିକ୍ଷାର ଅଗ୍ରଗତି ଏବଂ ବ୍ୟବସାୟୀମାନଙ୍କର ଦକ୍ଷତା ସମ୍ପର୍କରେ ସେ ଅତ୍ୟନ୍ତ କୌତୁହଳପୂର୍ଣ୍ଣ ଅନୁଭୁତି ଲାଭକଲେ । ସେହି ଭାବରେ ନିଜ ଦେଶକୁ ସଜାଡ଼ିବା ପାଇଁ ସେ ଆଗ୍ରହୀ ହୋଇ ଉଠିଲେ ।

 

ମେସିଡେନିଆବାସୀ ସୁଲତାନଙ୍କ ବିରୁଦ୍ଧରେ ଏକ ପ୍ରକାଶ୍ୟ ବିଦ୍ରୋହ କରୁଥିବାର ଖବର ପାଇ ସେ ସଲୋନିକା ଫେରିଯିବା ପାଇଁ ଚିନ୍ତାକଲେ ଏବଂ କିଛି ଦିନ ଛୁଟିନେଇ ଜାଫାଠାରେ ପହଞ୍ଚିଲେ । ସେଠାରେ କିଛି ତୁଳନାତ୍ମକ ଖାତାପତ୍ର ରଖି ଏକ ବ୍ୟବସାୟୀ ଭାବରେ ନିଜର ପରିଚୟ ଦେଲେ ଏବଂ ସେଠାରୁ ଗୋପନରେ ମିଶର ଓ ଗ୍ରୀସ୍ ଦେଇ ସାଲୋନିକାଠାରେ ପହଞ୍ଚିଲେ । କିନ୍ତୁ ସେଠାରେ ସୁଲତାନଙ୍କର କର୍ମଚାରୀମାନେ ତାଙ୍କୁ ଚିହ୍ନି ପକାଇବା ଫଳରେ ସେ ପୁଣି ଥରେ ଗ୍ରୀସ୍ ଦେଇ ଜାଫା ଫେରି ଆସିବାକୁ ବାଧ୍ୟ ହେଲେ । ଜାଫାଠାରେ ତାଙ୍କୁ ବନ୍ଦୀ କରିବା ପାଇଁ ସୁଲତାନଙ୍କର ନିର୍ଦ୍ଦେଶ ଆସିଲା । କିନ୍ତୁ ସୌଭାଗ୍ୟବଶତଃ ଜାଫାର ପୋଲିସ ଅଫିସର ଅହମ୍ମଦ ବେ ‘ଭାଟାନ୍’ ଗୁପ୍ତ ସଂଗଠନର ଜଣେ ସଦସ୍ୟ ଥିଲେ । ସଙ୍ଗେ ସଙ୍ଗେ କେମାଲଙ୍କୁ ଜାଫାରୁ ହରଣ କରିନେଇ ଗାଜାଠାରେ ସୁରୁଖୁରୁରେ ପହଞ୍ଚାଇ ଦେଲେ ଏବଂ କେମାଲ ଗାଜାଠାରେ ସୁଲତାନଙ୍କର ଜଣେ ବିଶ୍ଵସ୍ତ ସୈନିକ ଭାବରେ ଯୁଦ୍ଧ ଚଳାଉଛନ୍ତି ଏବଂ ରାଜା ଛାଡ଼ି ଅନ୍ୟତ୍ର ଯାଇନାହାନ୍ତି ବୋଲି ଏକ ଭୁଲ ରିପୋର୍ଟ ସୁଲତାନଙ୍କ ନିକଟକୁ ପଠାଇଦେଲେ ।

 

ମୁସ୍ତାଫା କେମାଲ ତାଙ୍କ ପ୍ରଥମ ବିପ୍ଳବ ସଂଗଠନରେ ସଫଳ କାର୍ଯ୍ୟ ହୋଇ ପାରିନଥିଲେ ତଥାପି ସେଥିରୁ ତାଙ୍କର ପ୍ରଭୁତ ଅଭିଜ୍ଞତା ହୋଇଥିଲା । ସେ ବୁଝିପାରିଥିଲେ ଯେ ସୁଲତାନ ହମିଦଙ୍କୁ ଗାଦିଚ୍ୟୁତ କରିବାକୁ ହେଲେ ସଲୋନିକାକୁ କେନ୍ଦ୍ର କରି ଏକ ବିପ୍ଳବୀ ସମାଜ ଗଢ଼ିବାକୁ ହେବ । ସାଲୋନିକା ଠାରେ ତେଣୁ ସେ ନିଜର ପ୍ରଧାନ କାର୍ଯ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଉଦ୍ୟମ କଲେ । ନିଜପକ୍ଷରୁ ଉଦ୍ୟମ କରି ସୁଲତାନଙ୍କର ତୃତୀୟ ରେଜିମେଣ୍ଟର ଅଧିନାୟକ ଭାବରେ ସେ ସାଲୋନିକାଠାରେ ନିଯୁକ୍ତ ହେଲେ । ସେଠାରେ ‘ଐକ୍ୟ ଓ ବିକାଶ କମିଟି’ ନାମକ ଏକ ଗୁପ୍ତ କମିଟି ପୂର୍ବରୁ ପ୍ରତିଷ୍ଠା କରାଯାଇଥିଲା । କିନ୍ତୁ ଏହି କମିଟିରେ ବହୁ ସ୍ଵାର୍ଥପର ଓ ଅଦୁରଦର୍ଶୀ ସଦସ୍ୟ ରହିଥିଲେ ଏବଂ ଅନେକେ ବୈଦେଶିକମାନଙ୍କର ଶୋଷଣକୁ ପ୍ରଶ୍ରୟ ମଧ୍ୟ ଦେଉଥିଲେ । ସ୍ଥାନୀୟ ସବୁ ଶ୍ରେଣୀର ଲୋକଙ୍କୁ ଏକାଠି କରି ଗୋଟିଏ ଶକ୍ତିଶାଳୀ ଦଳ ଗଠନ କରିବା ପାଇଁ ସଦସ୍ୟମାନେ ଇଚ୍ଛୁକ ନଥିଲେ । ଫଳରେ କେମାଲଙ୍କର ଦୂରଦୃଷ୍ଟିସମ୍ପନ୍ନ ଯୋଜନାର ଗୁରୁତ୍ଵ କେହି ବୁଝି ପାରିନଥିଲେ । ଅତି ଅଳ୍ପସଂଖ୍ୟକ ଯୁବକଙ୍କୁ ନେଇ ମେସିଡୋନିଆଠାରେ ତୁର୍କୀ ସୁଲତାନ ବିରୁଦ୍ଧରେ ସେମାନେ ଯେଉଁ ଯୋଜନାହୀନ ବିଦ୍ରୋହର ସୂତ୍ରପାତ କଲେ, ସୁଲତାନଙ୍କର ପୋଲିସ ଫୌଜ ତାହାକୁ ସହଜରେ ଦମନ କରି ସେମାନଙ୍କୁ କଠିନ ଅର୍ଥଦଣ୍ଡରେ ଦଣ୍ତିତ କରିଥିଲେ ।

 

ତୁର୍କୀବାସୀଙ୍କର ଦାରିଦ୍ର୍ୟ ଓ ସୁଲତାନଙ୍କ ଶାସନ କାଳର ଅତ୍ୟାଚାର ସେମାନଙ୍କୁ କ୍ରମେ ଅଧିକ ପରିମାଣରେ ବିପ୍ଳବମୁଖକୁ ଆକର୍ଷଣ କଲା । ସୁଲତାନ୍ ଅଗତ୍ୟା ବିଦ୍ରୋହୀମାନଙ୍କର କେତେକ ଦାବୀକୁ ଗ୍ରହଣ କରିନେଇ ଏହି ବିପ୍ଳବକୁ କେମାଲଙ୍କର ସମର୍ଥନ ଥିଲେ ମଧ୍ୟ ସେ ଏହାର ନେତୃତ୍ଵ ନେଇ ନଥିଲେ । ଏହାର ମୁଖ୍ୟ ନେତା ଥିଲେ ଏନଭର । ବିପ୍ଳବକୁ ଶୃଙ୍ଖଳିତ କରି ନପାରି ସେ ସହସା କେତେକ ଗୁରୁତର ଅସୁବିଧାର ସମ୍ମୁଖୀନ ହୋଇଥିଲେ । ବିଦ୍ରୋହଜନିତ ବିଶୃଙ୍ଖଳା ପରିସ୍ଥିତିର ସୁଯୋଗ ନେଇ ଅଷ୍ଟ୍ରିଆ ଓ ଗ୍ରୀସ୍ ତୁର୍କୀର ଖଣ୍ଡେ ଖଣ୍ଡେ ରାଜ୍ୟ ଆକ୍ରମଣ କରି ଅଧିକାର କରିନେଲେ । ବୁଲ୍‍ ଗେରିଆ ଏହି ସୁଯୋଗରେ ସ୍ଵାଧୀନତା ଘୋଷଣା କଲା । ଗାଦିଚ୍ୟୁତ ସୁଲତାନ୍ ହମିଦ ମଧ୍ୟ ଦେଶବାସୀଙ୍କୁ ଭୁଲପ୍ରଚାର କରିଆରେ ବିଦ୍ରୋହୀ ସରକାରଙ୍କୁ ନିନ୍ଦା କରି ପରିଶେଷରେ ଶାସନଭାର ଫେରି ପାଇବା ପାଇଁ ଉଦ୍ୟମ କଲେ । ଦେଶର ଐକ୍ୟ ନଷ୍ଟ ହେଉଥିବା ଓ ବୈଦେଶିକ ନୀତିରେ ଗୁରୁତର ତ୍ରୁଟି ରହିଥିବା ସମ୍ପର୍କରେ ପ୍ରବଳ ପ୍ରଚାର ହେଲା । ଇହୁଦୀ ଓ ଖ୍ରୀଷ୍ଟିଆନ୍‍ମାନେ ତୁର୍କୀରେ ଇସଲାମ୍ ଧର୍ମକୁ ଉଚ୍ଛେଦ କରିବା ପାଇଁ ପ୍ରାଣପଣେ ଲାଗିଛନ୍ତି ବୋଲି ସୁଲତାନଙ୍କର ପୁରୋହିତମାନେ କହି ବୁଲିଲେ । ଏଭଳି ପ୍ରଚାରରେ ଭଳିଯାଇ କନଷ୍ଟାଣ୍ଟିନୋପଲଠାରେ ସ୍ଥାପିତ ସୈନ୍ୟମାନେ ଏନଭରଙ୍କ ଶାସନକାଳ ବିରୁଦ୍ଧରେ ସହସା ବିଦ୍ରୋହ ଘୋଷଣା କରି ଉଚ୍ଚପଦସ୍ଥ କେତେକ କର୍ମଚାରୀଙ୍କୁ ହତ୍ୟାକଲେ ଏବଂ ସୁଲତାନଙ୍କଠାରେ ସେମାନଙ୍କର ଅନୁରକ୍ତି ଘୋଷଣା କଲେ । କିନ୍ତୁ ବିପ୍ଳବୀ ନେତା ଏନଭର ବିଶାଳ ସୈନ୍ୟବାହିନୀ ସହାୟତାରେ ଉକ୍ତ ବିଦ୍ରୋହୀକୁ ସମ୍ପୂର୍ଣ୍ଣ ଦମନ କରି ସୁଲତାନ ହମିଦଙ୍କୁ ତୁର୍କୀରୁ ବହିଷ୍କାର କଲେ । ମୁସ୍ତାଫା କେମାଲ ଏନଭରଙ୍କର ଜଣେ ସେନାପତି ଭାବରେ କାର୍ଯ୍ୟ କରୁଥିଲେ ସୁଦ୍ଧା ପରିଶେଷରେ ତାଙ୍କୁ ଗାଦିଚ୍ୟୁତ କରି ନିଜେ ଶାସନକୁ ଆସିବା ପାଇଁ ବରାବର ଉଦ୍ୟମ କରୁଥିଲେ-। କିନ୍ତୁ ଉକ୍ତ ଉଦ୍ୟମ ୧୯୧୧ ମସିହାରେ ଇଟାଲୀ-ତୁର୍କୀ ଯୁଦ୍ଧ ଦ୍ଵାରା ବାଧାପ୍ରାପ୍ତ ହେଲା । ଏହି ଯୁଦ୍ଧରେ ସେ ତ୍ରିପଲିଟାନିଆଠାରେ ବିପକ୍ଷ ସୈନ୍ୟଙ୍କ ସହ ପ୍ରତ୍ୟେକ୍ଷ ଲଢ଼େଇରେ ଭାଗ ନେଇଥିଲେ । ଅନିନ୍-ଆଲ୍-ମାନସୁରଠାରେ ତାଙ୍କର ପ୍ରଧାନ କାର୍ଯ୍ୟଳୟ ଅବସ୍ଥିତ ଥିଲା । ୧୯୧୨ ମସିହାରେ ସେରଭିଆ, ବୁଲ୍‍ ଗେରିଆ ଓ ଗ୍ରୀସର ମିଳିତ ସେନାବାହିନୀ ତୁର୍କୀର ୟୁରୋପୀୟ ଭୁଖଣ୍ଡକୁ ଅଧିକାର କରିନେଲେ । କିନ୍ତୁ ବିପ୍ଳବୀ ନେତା ଏନଭର ପୁଣିଥରେ ନିଜର ସେନାବାହିନୀ ସହାୟତାରେ ଆକ୍ରମଣକାରୀଙ୍କଠାରୁ ନିଜ ରାଜ୍ୟକୁ ଉଦ୍ଧାର କରିଥିଲେ । ସଂଗଠିତ ଶତ୍ରୁପକ୍ଷୀୟ ସୈନ୍ୟଙ୍କୁ ପ୍ରତିରୋଧ କରିବାରେ ମୁସ୍ତାଫା କେମାଲ ଅସାମାନ୍ୟ ଦକ୍ଷତା ପ୍ରଦର୍ଶନ କରି ତୁର୍କୀର ଜଣେ ପ୍ରତିଷ୍ଠିତ ଜେନେରାଲ ରୂପେ ପରିଚିତ ହୋଇପାରିଥିଲେ । ତଥାପି ଏନଭର ତାଙ୍କୁ ନିଜ ବିଶ୍ଵାସକୁ ନେଇ ନଥିଲେ । ଅସାମାନ୍ୟ ସଫଳତା ପରେ ମଧ୍ୟ ତାଙ୍କୁ ଏକ ଜୁନିଅର ପାହ୍ୟାରେ ରଖାଯିବାରୁ ସେ ଉତ୍‍କ୍ଷିପ୍ତ ହୋଇ ଉଠିଥିଲେ ।

 

ଶାସନକ୍ଷମତା ଅଧିକାର କଲାପରେ ବିଭିନ୍ନ ପ୍ରାନ୍ତରେ ଥିବା ତୁର୍କବାସୀଙ୍କୁ ମିଶାଇ ଏକ ବିଶାଳ ରାଷ୍ଟ୍ର ଗଠନ କରିବା ପାଇଁ ଏନଭର ସ୍ୱପ୍ନ ଦେଖିଥିଲେ । ସର୍ବପ୍ରଥମେ ସେ ଜଣେ ଜର୍ମାନ୍ ଯୁଦ୍ଧ ପରାମର୍ଶଦାତାଙ୍କ ସହାୟତାରେ ସେନାବାହିନୀକୁ ସୁଦୃଢ଼ କରିବାରେ ଲାଗିଲେ । କିନ୍ତୁ ତୁର୍କୀ ଓ ଜର୍ମାନୀ ମଧ୍ୟରେ ପ୍ରତିରକ୍ଷା ଯୋଗାଯୋଗ ଅତ୍ୟନ୍ତ ବିପଜ୍ଜନକ ମନେକରି ମୁସ୍ତଫା କେମାଲ ସୈନ୍ୟବାହିନୀରୁ ହଠାତ୍ କିଛି ଦିନ ପାଇଁ ଚାଲିଯାଇ ସାଧାରଣରେ ତାର ପ୍ରତିବାଦ କଲେ । ଫଳରେ ଏନଭର କେମାଲଙ୍କ ଉପରେ ଘୋର ବିରକ୍ତି ପ୍ରକାଶ କରି ତାଙ୍କୁ ସୋଫିଆକୁ ପ୍ରେରଣ କଲେ ।

 

ପ୍ରଥମ ମହାସମରରେ ମଧ୍ୟ ତୁର୍କୀକୁ ଭାଗ ନେବାକୁ ପଡ଼ିଲା । ରୁଷର ସେନାବାହିନୀକୁ ପରାସ୍ତ କରିବାକୁ ଯାଇ ଏନଭର ଏକ ବଡ଼ ଅସୁବିଧାର ସମ୍ମୁଖୀନ ହେଲେ । ରୁଷ ଦେଶର ଦିଗନ୍ତବିସ୍ତାରୀ ତୁଷାର ପ୍ରାନ୍ତରରେ ତୁର୍କୀ ସୈନ୍ୟମାନେ ନିଶ୍ଵାସରୁଦ୍ଧ ହୋଇଗଲେ ଏବଂ ବହୁ ସୈନ୍ୟ ପ୍ରାଣ ତ୍ୟାଗ କଲେ । ତାଙ୍କର ରୁଷ ଅଭିଯାନ ଏକାବେଳେକେ ବିଫଳତାରେ ପର୍ଯ୍ୟବସିତ ହେଲା । କିନ୍ତୁ ଯୁଦ୍ଧର ବିଭିନ୍ନ ପ୍ରାନ୍ତରେ କେମାଲ ଜୟଯୁକ୍ତ ହେବାକୁ ଲାଗିଲେ । ଗାଲିପଲି ଅବରୋଧବେଳେ ବ୍ରିଟିଶ ସୈନ୍ୟଙ୍କୁ ହତାଶ କରିଦେଇ କେମାଲ ତୁର୍କୀର ସର୍ବଶ୍ରେଷ୍ଠ ଜେନେରାଲ ଭାବରେ ସୁଖ୍ୟାତି ଅର୍ଜ୍ଜନ କଲେ । ତତ୍‍ପରେ ସେ ରୁଷର ଏକ ସୈନ୍ୟବାହିନୀକୁ ମଧ୍ୟ ପରାସ୍ତ କରିଦେଇଥିଲେ । କିନ୍ତୁ ଏନଭର କେମାଲଙ୍କର ପ୍ରତିପତ୍ତି ଓ ଲୋକପ୍ରିୟତା ସହ୍ୟ କରି ପାରୁନଥିଲେ ଏବଂ ପଦୋନ୍ନତି ମଧ୍ୟ କରାଇ ଦେଉନଥିଲେ । ସିରିଆଠାରେ ତୁର୍କୀ ସୈନ୍ୟବାହିନୀ ପରାସ୍ତ ହେଲାପରେ ତୁର୍କୀର ପରାଜୟ ସ୍ୱୀକୃତି ହେଲା ଏବଂ ଏନଭର ଗୋପନରେ ବିଦେଶକୁ ପଳାୟନ କଲେ । ସଙ୍ଗେ ସଙ୍ଗେ ମିତ୍ରପକ୍ଷୀୟ ସୈନ୍ୟମାନେ କନଷ୍ଟାଣ୍ଟିନୋପଲ ଅଧିକାର କଲେ । ଠିକ୍ ଏହି ସମୟରେ ମୁସ୍ତାଫା କେମାଲ ତୁର୍କୀର ଯୁବଶକ୍ତିକୁ ସଂଗଠିତ କରି ରାଜ୍ୟବ୍ୟାପୀ ଏକ ଆନ୍ଦୋଳନର ଆୟୋଜନରେ ଲାଗିଲେ । ପ୍ରଥମ ମହାଯୁଦ୍ଧରେ ମିତ୍ରଶକ୍ତିର ବିଜୟ ଘଟିବା ଫଳରେ ତୁର୍କୀର ଯୁବସେନାଙ୍କ ମଧ୍ୟରେ ପ୍ରଥମେ ଆତଙ୍କ ସୃଷ୍ଟି ହୋଇଥିଲା । କିନ୍ତୁ ମୁସ୍ତାଫା କେମାଲ ତୁର୍କୀ ଜାତୀୟ ପାର୍ଟି (Turkish National party) ନାମକ ଏକ ରାଜନୈତିକ ଦଳ ଗଠନ କରି ତାରି ମାଧ୍ୟମରେ ଯୁବଗୋଷ୍ଠୀର ନୈରାଶ୍ୟ ଦୂର କରିବା ସଙ୍ଗେ ସଙ୍ଗେ ସେମାନଙ୍କ ମନରେ ବିପୁଳ ଉତ୍ସାହ ଓ ଆତ୍ମପତ୍ୟୟ ଅଣାଇ ପାରିଥିଲେ । ବିଲାତ ଓ ଫରାସୀ ସରକାରଙ୍କର ପ୍ରରୋଚନା ଫଳରେ ଇଟାଲୀ ଓ ଗ୍ରୀସ୍ ତୁର୍କୀର ସ୍ଵାର୍ଥ ବିରୁଦ୍ଧରେ ଦ୍ଵିବିଧ କାର୍ଯ୍ୟପନ୍ଥା ଗ୍ରହଣ କରିଥିଲେ। ଇଟାଲୀର ପୁଞ୍ଜିପତିମାନେ ତୁର୍କୀର ଆଣ୍ଟୋନିଆଠାରେ ବାଣିଜ୍ୟ ଉପନିବେଶ ସ୍ଥାପନ କଲେ ଏବଂ ଗ୍ରୀକ୍‍ମାନେ ସ୍ମିର୍ଣ୍ଣାଠାରେ ପ୍ରତିରକ୍ଷା ଘାଟି ସ୍ଥାପନ କଲେ । ଏହା ଫଳରେ ତୁର୍କୀବାସୀ ପୁଣିଥରେ ପାଶ୍ଚାତ୍ୟ ଶାସକମାନକ ସହ ସଙ୍ଘର୍ଷର ସମ୍ମୁଖୀନ ହେଲେ । ୧୯୧୯ ମସିହାରେ ଏଜରୁମଠାରେ ଜାତୀୟ ପାର୍ଟିର ଏକ ଅଧିବେଶନ ଡକାଇ କେମାଲ ତାର ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରି ଉକ୍ତ ମସିହାରେ କନଷ୍ଟାଣ୍ଟିନୋପଲ୍ ପାର୍ଲାମେଣ୍ଟ ପାଇଁ ହୋଇଥିବା ନିର୍ବାଚନରେ ସକ୍ରିୟ ଅଂଶ ଗ୍ରହଣ କଲେ । ସେହି ନିର୍ବାଚନରେ ତାଙ୍କ ଜାତୀୟ ପାର୍ଟି ସଂଖ୍ୟାଗରିଷ୍ଠତା ଲାଭ କଲା । ତତ୍‍ପରେ ସେ ତୁର୍କୀବାସୀଙ୍କ ପାଇଁ ରାଜନୈତିକ ଅଧିକାର ଦାବୀକରି ବିଦେଶୀମାନଙ୍କର ଆଧିପତ୍ୟକୁ ସଂକୁଚିତ କରିଦେବା ପାଇଁ ସ୍ୱର ଉତ୍ତୋଳନ କଲେ । ଏଭଳି ବ୍ରିଟିଶ ଜେନେରାଲଙ୍କ ଅଧିନାୟକରେ ଏକ ସେନାବାହିନୀ କନଷ୍ଟାଣ୍ଟିନୋପଲ ଅବରୋଧ କରି ସେଠାରେ ମିଲିଟାରୀ ଶାସନ ପ୍ରଚଳନ କଲେ ଏବଂ ଜାତୀୟବାଦୀମାନଙ୍କୁ ଦୃଢ଼ ହସ୍ତରେ ଦମନ କରି ସେମାନଙ୍କ ମଧ୍ୟରୁ କେତେକଙ୍କୁ ଦେଶାନ୍ତର ପ୍ରେରଣ କଲେ । କିନ୍ତୁ ବହୁ ଜାତୀୟବାଦୀ ନେତା ବ୍ରିଟିଶ ସୈନଙ୍କର କବଳରୁ ଖସି ପଳାଇ ଯାଇ ଉତ୍ତର ଆଣ୍ଟୋଲିଆର ଅଙ୍ଗୋରଠାରେ ଏକ ବିଦ୍ରୋହୀ ପାର୍ଲାମେଣ୍ଟ ପ୍ରତିଷ୍ଠା କଲେ । ଫଳରେ ଅଙ୍ଗୋର ଅଞ୍ଚଳ ମୂଳ ତୁର୍କୀ ଭୂଖଣ୍ଡରୁ ଅଲଗା ହୋଇଯିବାକୁ ବସିଲା ।

 

୧୯୨୦ ମସିହାରେ ଆଙ୍ଗୋରା ପାର୍ଲାମେଣ୍ଟ ମୁସ୍ତାଫା କେମାଲଙ୍କୁ ତୁର୍କୀର ପ୍ରେସିଡେଣ୍ଟ ଏବଂ ଜାତୀୟବାଦୀ ସୈନ୍ୟବାହିନୀର ପ୍ରଧାନ ସେନାପତି ଭାବରେ ନିର୍ବାଚିତ କଲେ । ଫଳରେ ତୁର୍କୀ ଇତିହାସରେ ଏକ ନୂତନ ଓ ଅଦ୍ଭୁତ ଅଧ୍ୟାୟ ସୃଷ୍ଟି ହେଲା । ଉକ୍ତ ବିଦ୍ରୋହୀ ପାର୍ଲାମେଣ୍ଟ ତୁର୍କୀ ପାଇଁ ଏକ ସ୍ଵତନ୍ତ୍ର ସମ୍ବିଧାନ ପ୍ରସ୍ତୁତ କରିଥିଲେ ଏବଂ ସେଥିରେ ଦେଶର ସାର୍ବଭୌମତ୍ଵ ତୁର୍କୀବାସୀଙ୍କ ହସ୍ତରେ ଅର୍ପିତ ହେବାର ବ୍ୟବସ୍ଥା ରହିଲା । ଉକ୍ତ ପାର୍ଲାମେଣ୍ଟ ଦେଶ ପାଇଁ ଆଇନ ପ୍ରସ୍ତୁତ କରିବାରେ ବ୍ୟସ୍ତ ଥିଲାବେଳେ ମୁସ୍ତାଫା କେମାଲ ତୁର୍କୀର ବିଦେଶୀ ମାନଙ୍କୁ ନିଷ୍କାସିତ କରିବାପାଇଁ ଆପ୍ରାଣ ଉଦ୍ୟମ ଚଳାଇଥିଲେ ଏବଂ ଖୁବ୍ କମ୍ ସମୟ ମଧ୍ୟରେ ସେ ସଫଳତା ହାସଲ କଲେ । ତାଙ୍କର ଅପ୍ରତ୍ୟାଶିତ ବିଜୟରେ ଦେଶବାସୀ ଚମତ୍କୃତ ହୋଇଯାଇ ତାଙ୍କୁ ‘ବିଜୟୀ’ ପଦବୀରେ ଭୂଷିତ କରିଥିଲେ । ଦେଶରୁ ବୈଦେଶିକ ଆକ୍ରମଣକାରୀଙ୍କ ଠାରୁ ମୁକ୍ତ କରିବା ପରେ ଲେମାଲ ପଡ଼ୋଶୀ ଋଷ୍ ସରକାରଙ୍କ ସହ ବନ୍ଧୁତା ସ୍ଥାପନ କରି ନୂତନ ପ୍ରତିଷ୍ଠିତ ଆର୍ମେନିଆ ରିପାବ୍ଲିକକୁ ତୁର୍କୀସହ ସାମିଲ କରାଇ ନେଲେ । ୧୯୨୦ ମସିହାରେ ପାଶ୍ଚାତ୍ୟ ଦେଶମାନେ ସେଭରସ୍ ଚୁକ୍ତି ସ୍ଵାକ୍ଷର କରିବା ପାଇଁ ତୁର୍କୀ ଉପରେ ପ୍ରବଳ ଚାପ ପକାଇଲେ ଏବଂ ଏହି ଚୁକ୍ତି ବିରୁଦ୍ଧରେ ତୁର୍କୀବାସୀ ପ୍ରବଳ ପ୍ରତିବାଦ କଲେ । ଏହି ସୁଯୋଗରେ ଗ୍ରୀକ୍ ପ୍ରଧାନମନ୍ତ୍ରୀ ଅନ୍ୟାନ୍ୟ ରାଷ୍ଟ୍ରର ସମର୍ଥନ କ୍ରମେ ତୁର୍କୀ ଆକ୍ରମଣ କରି ତାହାର ୟୁରୋପୀୟ ଭୂଖଣ୍ଡ ଅଧିକାର କରି ନେଲେ ଏବଂ କେମାଲଙ୍କ ସେନାଙ୍କୁ ବିପର୍ଯ୍ୟସ୍ତ କରିଦେବା ପାଇଁ ଗ୍ରୀକ୍ ସୈନ୍ୟମାନେ ଆଙ୍ଗୋରା ଅଭିମୁଖେ ଗମନ କଲେ । କେମାଲଙ୍କ ଜୀବନରେ ତାହା ଥିଲା ସବୁଠାରୁ ବଡ଼ ସନ୍ଧିଷଣ-। ଏଥର ପରାହତ ହେଲେ ତାଙ୍କର ଆଶା ଧୂଳିସାତ୍ ହୋଇଯିବାର ସମ୍ଭାବନା ଥିଲା-। ସେତେବେଳେ ତାଙ୍କ ନିକଟରେ ଅଳ୍ପ ସଂଖ୍ୟକ ସୁଶିକ୍ଷିତ ସେନା ଥିଲେ । ଖାଦ୍ୟ ସାମଗ୍ରୀ ମଧ୍ୟ ବିଶେଷ କିଛି ନଥିଲା । ଅନ୍ୟ ପକ୍ଷରେ ଗ୍ରୀକ୍ ସେନାମାନେ ଶୃଙ୍ଖଳିତ ଓ ସୁଦକ୍ଷ ଥିଲେ । ପ୍ରଥମେ ଗ୍ରୀକ୍ ସୈନ୍ୟମାନେ ଅଗ୍ରଗତି କରି କେମାଲଙ୍କ ସେନାଙ୍କୁ ଅସୁବିଧାରେ ପକାଇ ଦେଇଥିଲେ-। ସାକାରିଆ ନଦୀତୀରରେ ଉଭୟ ସେନାଙ୍କ ମଧ୍ୟରେ ସଂଗ୍ରାମ ଖୁବ୍ ତୀବ୍ର ହେଲା ଏବଂ ତାହା ବହୁତ ଦିନ ଧରି ଚାଲିଲା । ତତ୍ପରେ ଗ୍ରୀକସେନା ମାନେ ପ୍ରତିକୂଳ ସମ୍ମୁଖୀନ ହେଲେ ଏବଂ କ୍ରମେ ପଛକୁ ହଟିବାକୁ ଆରମ୍ଭ କଲେ । ବିଶ୍ଵ ସାରା ମୁସ୍ତାଫା କେମାଲଙ୍କ ପ୍ରତିରୋଧ ଶକ୍ତିର ଭୁୟସୀ ପ୍ରଶଂସା କରାଗଲା । ଏହା ପରେ ପରେ କେମାଲଙ୍କ ପ୍ରତିରକ୍ଷା ଶକ୍ତିର ବୃଦ୍ଧି ନିମିତ୍ତ ରୁଷ ଓ ଫ୍ରାନସରୁ ସାହାଯ୍ୟ ପରୋକ୍ଷ ଭାବରେ ଆସି ପହଞ୍ଚିଲା । ଦୀର୍ଘ ଏକ ବର୍ଷ ଧରି ସୈନ୍ୟବାହିନୀକୁ ସଂଯତ କରି ଗଢ଼ି ସାରିଲା ପରେ ମୁସ୍ତାଫା କେମାଲ ଗ୍ରୀକ୍ ସେନାଙ୍କ ବିରୁଦ୍ଧରେ ଏକ ତୀବ୍ର ଯୁଦ୍ଧର ପରିଚାଳନା କଲେ । ଏଥର ଗ୍ରୀକ୍ ସେନା ପୂର୍ବଭଳି ଦମ୍ଭରଖି ଯୁଦ୍ଧ କରିନପାରି ଅସ୍ତ୍ରଶସ୍ତ୍ର ଛାଡ଼ି ଇତସ୍ତତଃ ପଳାୟନ କଲେ ଏବଂ ତୁର୍କୀ ସୈନ୍ୟମାନେ ସେମାନଙ୍କୁ ଅନୁଧାବନ କଲେ-। କେମାଲଙ୍କର ସୈନ୍ୟମାନେ ଥ୍ରେସ୍ ପର୍ଯ୍ୟନ୍ତ ସମସ୍ତ ଅଞ୍ଚଳକୁ ଗ୍ରୀକମାନଙ୍କଠାରୁ ଉଦ୍ଧାର କଲେ । କିନ୍ତୁ ଥ୍ରେସ ଅଞ୍ଚଳରୁ ଗ୍ରୀକ୍ ମାନଙ୍କୁ ବିତାଡ଼ିତ କରିବା ପାଇଁ ଉଦ୍ୟମ କଲାବେଳେ କେମାଲ ପୁଣି ଏକ ସମସ୍ୟାର ସମ୍ମୁଖୀନ ହେଲେ । ଥ୍ରେସ ଥିଲା ଗ୍ରୀସ ଓ ତୁର୍କୀ ମଧ୍ୟସ୍ଥ ଏକ ଅନାକ୍ରମଣ ଅଞ୍ଚଳ ଏବଂ ଏଥିରେ ତୁର୍କୀ ସେନାଙ୍କର ଅଗ୍ରଗତି ବ୍ରିଟିଶ ମାନଙ୍କୁ ଅସହ୍ୟ ବୋଧ ହେଲା । କାରଣ ପ୍ରଥମ ମହାସମର ବେଳେ ଏହି ଅଞ୍ଚଳର ଯୁଦ୍ଧବର୍ଜ୍ଜନ ନିମିତ୍ତ ଚୁକ୍ତି ହୋଇଥିଲା । ତେଣୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ଲଏର୍ଡ ଜର୍ଜ ଥ୍ରେସ ଅଞ୍ଚଳରେ ତୁର୍କୀ ସେନାଙ୍କର ଅଗ୍ରଗତିକୁ ବାଧା ଦେବା ପାଇଁ ପ୍ରତିଜ୍ଞା କରି ଏକ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲେ । କିନ୍ତୁ ଅନ୍ୟାନ୍ୟ ୟୁରୋପୀୟ ରାଷ୍ଟ୍ରମାନେ ଏ ପ୍ରଶ୍ନ ଉପରେ ବ୍ରିଟେନକୁ ସମର୍ଥନ ନ କରିବା ଫଳରେ ତୁର୍କୀ ସେନାମାନଙ୍କ ସହ ଏକ ଶାନ୍ତି ଚୁକ୍ତି ସ୍ଵାକ୍ଷର କରିବା ପାଇଁ ସେ ବାଧ୍ୟ ହେଲେ । ଏହି ଯୁଦ୍ଧରେ ତୁର୍କୀର କୁଟନୈତିକ ବିଜୟହେଲା । ସେଭରସ୍ ଚୁକ୍ତି ସହ ସଂପୃକ୍ତ ବ୍ରିଟେନ, ଆମେରିକା, ଋଷ, ଇଟାଲୀ, ରୁମାନିଆ, ଜାପାନ, ୟୁଗୋସ୍ଲୋଭିଆ, ପ୍ରଭୃତି ରାଷ୍ଟ୍ର ମାନେ ଉକ୍ତ ଚୁକ୍ତିର ପୁନର୍ବିଚାର କରି ତୁର୍କୀର ସ୍ୱାର୍ଥକୁ ମୋଟାମୋଟି ସମ୍ମାନିତ କଲେ-

 

୧୯୨୩ ମସିହାରେ ତୁର୍କୀ ପାର୍ଲାମେଣ୍ଟ କେମାଲଙ୍କୁ ପ୍ରଥମ ସମ୍ବିଧାନରେ ପ୍ରେସିଡେଣ୍ଟ ଭାବରେ ନିର୍ବାଚିତ କଲେ । ମୁଦାନିଆ ଅଧିବେଶନରେ ସମସ୍ତ ଗ୍ରୀକ୍ ଅଧିବାସୀ ତୁର୍କୀରୁ ବିଦାୟ ନେଇଯିବା ପାଇଁ ରାଜି ହୋଇଗଲେ । ତଦନୁଯାୟୀ ଗ୍ରୀସ ଓ ତୁର୍କୀ ମଧ୍ୟରେ ମୁସଲିମ ଓ ଖ୍ରୀଷ୍ଟିଆନମାନଙ୍କ ବଦଳ କାର୍ଯ୍ୟ ମଧ୍ୟ ଆରମ୍ଭ ହେଲା । ଏହା ଫଳରେ ଗ୍ରୀସରୁ ପ୍ରାୟ ଚାରିଲକ୍ଷ ମୁସଲମାନ ତୁର୍କୀକୁ ଓ ତୁର୍କୀରୁ ପ୍ରାୟ ଦଶଲକ୍ଷ ଖ୍ରୀଷ୍ଟିଆନ ଗ୍ରୀସକୁ ସ୍ଥାନାନ୍ତରିତ ହେଲେ ।

 

ପ୍ରେସିଡେଣ୍ଟ ମୁସ୍ତାଫା କେମାଲଙ୍କୁ ଏ ମଧ୍ୟରେ ତୁର୍କୀର ଆକାଛାତ୍ର ଶାସକ ରୂପେ ନିଜକୁ ଘୋଷଣା କରି ଦେଶକୁ ପାଶ୍ଚାତ୍ୟ ସଭ୍ୟ ଦେଶମାନଙ୍କର ପର୍ଯ୍ୟାୟଭୁକ୍ତ କରିବା ନିମିତ୍ତ ଅକ୍ଳାନ୍ତ ଉଦ୍ୟମ କଲେ । ଏଭଳି ଏକ ଉଚ୍ଚ ଅଭିଳାଷ ଚରିତାର୍ଥ କରିବାକୁ ଗଲାବେଳେ ତାଙ୍କୁ କେତେକ ଅସୁବିଧାର ସମ୍ମୁଖିନ ହେବାକୁ ହେଲା । କିନ୍ତୁ ତାଙ୍କର ଦୃଢ଼ନୀତି ଫଳରେ ସେ ସବୁ ପ୍ରକାର ସମସ୍ୟାର ଆସି ସମାଧାନ ଅଣାଇ ପାରୁଥିଲେ । ଖୁବ୍ ଅଳ୍ପ ସମୟ ମଧ୍ୟରେ ସେ ଧାରାବାହିକ ଭାବେ ବହୁତ ଗୁଡ଼ାଏ ସଂସ୍କାର କାର୍ଯ୍ୟ ହାତକୁ ନେଇଥିଲେ। ଏକ ସମୟରେ ଗୋଟିଏ ଗୋଟିଏ କାର୍ଯ୍ୟ ହାତକୁ ନେଉଥିବାରୁ ସେ ନିଜ କାର୍ଯ୍ୟ ପନ୍ଥାରେ ଖୁବ୍ ସଫଳତା ହାସଲ କରିପାରିଥିଲେ। ଦେଶର ବିଶାଳ ଜନତା କେମାଲଙ୍କ ପଦକ୍ଷେପକୁ ହାର୍ଦ୍ଦିକ ସମର୍ଥନ ଜଣାଇଥିଲେ । ୧୯୨୭ ମସିହାରେ ଜତୀୟବାଦୀ ପାର୍ଟି ନିର୍ବାଚନରେ ବିଜୟହାସଲ କଲାପରେ କେମାଲଙ୍କୁ ପ୍ରେସିଡେଣ୍ଟ ଜେନେରାଲ ଭାବରେ ନିର୍ବାଚିତ କରାଯାଇଥିଲା । କିନ୍ତୁ ମୁସ୍ତାଫା କେମାଲ ଆଲି ଫେରିବେ ନାମକ ଜଣେ ମାନ୍ଦାଦଳୀୟ ନେତାଙ୍କୁ ଏକ ବିରୋଧୀ ରାଜନୈତିକ ଦଳ ଗଠନ ପାଇଁ ସୁଯୋଗ ଦେଇଥିଲେ ଏବଂ ଫଳରେ ଲିବରାଲ ରିପାବ୍ଲିକାନ ପାର୍ଟି ନାମକ ଏକ ବିରୋଧୀ ଦଳ ଗଠିତହେଲା । କିନ୍ତୁ ଉକ୍ତ ଦଳ ପନ୍ଥରେ ଜନତାର ସମର୍ଥନ ନ ଥିବା ଫଳରେ ଆପେ ଆପେ ତାହା ଭାଙ୍ଗି ପଡ଼ିଥିଲା ।

 

ମୁସ୍ତଫା କେମାଲଙ୍କୁ ଏକାଦିକ୍ରମେ ଚାରିଥର ପାଇଁ ତୁର୍କୀର ପ୍ରେସିଡେଣ୍ଟ ଭାବରେ ନିର୍ବାଚିତ କରାଯାଇଥିଲା । ୧୯୩୫ ମସିହାରେ ସେ ସର୍ବଶେଷଥର ପାଇଁ ନିର୍ବାଚିତ ହୋଇଥିଲେ-। କିନ୍ତୁ ୧୯୩୮ ମସିହାଠାରୁ ସେ ଦୀର୍ଘଦିନ ପାଇଁ ରୁଗ୍‍ଣ ହୋଇପଡ଼ି ୫୮ ବର୍ଷ ବୟସରେ ଇହଧାମରୁ ବିଦାୟ ନେଇଥିଲେ । ତତ୍‍ପରେ ତୁର୍କୀର ସାମାଜିକ ଓ ଅର୍ଥନୈତିକ ଅବସ୍ଥାକୁ ସଜାଡ଼ିବା ପାଇଁ କେମାଲଙ୍କର ଅବଦାନ ସ୍ମରଣ କରି ତୁର୍କୀ ପାର୍ଲାମେଣ୍ଟ ଜେନେରାଲ ଇସମେଟଙ୍କୁ ସର୍ବସମ୍ମତିକ୍ରମେ ତାଙ୍କର ଉତ୍ତରାଧିକାରୀ ରୂପେ ମନୋନୀତ କରିଥିଲେ । ନୂତନ ପ୍ରେସିଡେଣ୍ଟ ଇସମେଟ ମୁସ୍ତାଫାଙ୍କ ଅଧିନାୟକତ୍ଵରେ ଉପଯୁକ୍ତ ତାଲିମ ଲାଭ କରିଥିଲେ ଏବଂ ତୁର୍କୀର ମୁକ୍ତିପାଇଁ ବହୁ ଯୁଦ୍ଧରେ ଅଂଶ ଗ୍ରହଣ କରିଥିଲେ ।

 

୧୯୨୨ ମସିହାରୁ ତୁର୍କୀ ପାର୍ଲାମେଣ୍ଟ ସୁଲତାନଙ୍କର ହାତରୁ ଶାଧନାଭାର କାଢ଼ି ନେଇଥିଲେ ସୁଦ୍ଧା ଇସଲାମ ଧର୍ମ ଜଗତରେ ତାଙ୍କର ସ୍ଥାନକୁ ଗୌଣ କରିନଥିଲେ । ତେଣୁ ସୁଲତାନ ପଦବୀରୁ ଅବ୍ୟାହତ ନେଲେ ସୁଦ୍ଧା ପୂର୍ବଭଳି ଖଲିଫା ପଦରେ ଅଧିଷ୍ଠିତ ଥିଲେ । ତେଣୁ ତାଙ୍କର ରାଜନୈତିକ ପରିସର ଅତ୍ୟନ୍ତ ସଙ୍କୁଚିତ ଥିଲା । କିନ୍ତୁ ରାଜନୈତିକ କାର୍ଯ୍ୟକଳାପରୁ ସମ୍ପୂର୍ଣ୍ଣ ଅବ୍ୟାହତ ନେବା ଖଲିଫାଙ୍କ ପକ୍ଷରେ ମୋଟେ ସମ୍ଭବ ହେଲା ନାହିଁ । ଫଳରେ ପରବର୍ତ୍ତୀ ସମୟରେ ଖଲିଫା ପଦବୀକୁ ଉଚ୍ଛେଦ କରାଯାଇଥିଲା । ଇସଲାମ୍ ଇତିହାସରେ ଏହାକୁ ଏକ ବୈପ୍ଳବିକ ପଦକ୍ଷେପ ବୋଲି କୁହାଯାଇପାରେ ।

 

୧୯୨୪ ମସିହାରେ କେମାଲଙ୍କ ନିର୍ଦ୍ଦେଶ ଅନୁସାରେ ଇସଲାମକୁ ତୁର୍କୀର ରାଷ୍ଟ୍ରୀୟ ଧର୍ମ ରୂପେ ସ୍ଵୀକାର କରାଯାଇଥିଲା । କିନ୍ତୁ ୧୯୨୮ରେ ଉକ୍ତ ସାମ୍ବିଧାନିକ ବ୍ୟବସ୍ଥାକୁ ରଦ୍ଦ କରାଯାଇ ଅନ୍ୟାନ୍ୟ ଧର୍ମାବଲମ୍ବୀମାନଙ୍କୁ ମଧ୍ୟ ମୁସଲମାନମାନଙ୍କ ଭଳି ସମାନ ସୁଯୋଗ ଦିଆଯାଇଥିଲା । ଏହା ସଙ୍ଗେ ସଙ୍ଗେ ଧର୍ମ ସମ୍ପର୍କୀୟ ଆଉ କେତେକ ମୌଳିକ ସଂସ୍କାର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ମସଜିଦ୍ ମଧ୍ୟରେ ପ୍ରବେଶ ପୂର୍ବରୁ ତୁର୍କୀବାସୀ ଗୋଡ଼ରୁ ଜୋତା ବାହାର କରି ବାହାରେ ରଖୁଥିଲେ । କିନ୍ତୁ କେମାଲଙ୍କ ନିର୍ଦ୍ଦେଶକ୍ରମେ ଯୋତା ପିନ୍ଧି ମସଜିଦ୍ ଭିତରେ ପ୍ରବେଶ କରିବା ଆଉ ଅପରାଧ ବୋଲି ବିବେଚିତ ହେଲା ନାହିଁ । ୧୯୩୦ ମସିହାରେ ମୁଷ୍ଟିମେୟ ଅନ୍ଧବିଶ୍ଵାସ ତୁର୍କୀବାସୀ ପୂର୍ବତନ ଖଲିଫା ପଦର ପୁନରୁଦ୍ଧାର ପାଇଁ ଉଦ୍ୟମ କରି ବିଫଳ ମନୋରଥ ହୋଇଥିଲେ । କେମାଲଙ୍କ ସଂସ୍କାର ପ୍ରତି ମୋଟ ଉପରେ ତୁର୍କବାସୀ ସମସ୍ତେ ଆକୃଷ୍ଟ ହୋଇଥିଲେ । ତାଙ୍କର ଆନ୍ତରିକ ଉଦ୍ୟମ ଫଳରେ ଇସଲାମ୍ ଧର୍ମପ୍ରତି ଜନତାର ଆଭିମୁଖ୍ୟ ପରିବର୍ତ୍ତିତ ହେବା ସଙ୍ଗେ ସଙ୍ଗେ ତୁର୍କୀ ମହିଳାଙ୍କ ଦୃଷ୍ଟିକୋଣ ମଧ୍ୟ ପରିବର୍ତ୍ତିତ ହେବାକୁ ଲାଗିଲା । କେତେକ ବଳିଷ୍ଠ ଆଇନ ଦ୍ୱାରା ସେମାନଙ୍କ ମଧ୍ୟରେ ଥିବା କୁସଂସ୍କାର ଦୂରୀକରଣ ଲାଗି ଉଦ୍ୟମ କରାଗଲା । ଶିକ୍ଷାନୁଷ୍ଠାନଗୁଡ଼ିକରୁ ଧର୍ମ ସଂକ୍ରାନ୍ତୀୟ ଶିକ୍ଷାଦାନକୁ ଉଠାଇ ନେବା ସଙ୍ଗେ ସଙ୍ଗେ ଖ୍ରୀଷ୍ଟିଆନମାନଙ୍କର ଧର୍ମାନ୍ତର ଉଦ୍ୟମକୁ ମଧ୍ୟ ଉଚ୍ଛେଦ କରାଗଲା । ମୁସଲମାନ ପଦ୍ଧତିରେ ଟୋପି ପରିଧାନ ଉପରେ ମଧ୍ୟ ବାଧ୍ୟବାଧକତା ରହିଲା ନାହିଁ । ପାଶ୍ଚାତ୍ୟ ମହିଳାଙ୍କ ଭଳି ତୁର୍କୀ ମହିଳା ମଧ୍ୟ ସମସ୍ତ ପ୍ରକାର ସାମାଜିକ ଓ ରାଜନୈତିକ ସ୍ୱାତନ୍ତ୍ର୍ୟ ଲାଭ କଲେ । ସରକାରୀ ବେତାରକେନ୍ଦ୍ର ଜରିଆରେ ସେ ସଂସ୍କାର କାର୍ଯ୍ୟକ୍ରମକୁ ବ୍ୟାପକତର କରିବାରେ ଲାଗିପଡ଼ିଲେ । ୧୯୨୫ ମସିହାରେ ପାସ କରାଯାଇଥିବା ଆଇନ ଅନୁଯାୟୀ ବହୁପତ୍ନୀ ପ୍ରଥାର ଉଚ୍ଛେଦ କରାଗଲା ଏବଂ ସ୍ତ୍ରୀମାନେ ସ୍ଵାମୀମାନଙ୍କୁ ଛାଡ଼ପତ୍ର ଦେବା ଅଧିକାର ମଧ୍ୟ ପାଇଲେ । ଇସଲାମ ପଦ୍ଧତିରେ ବିବାହ ପ୍ରଥାରେ ବଧ୍ୟାବାଧକତା ରଖା ନଯାଇ ବ୍ୟକ୍ତିବିଶେଷର ରୁଚି ଉପରେ ତାହାକୁ ଛାଡ଼ି ଦିଆଗଲା ଏବଂ ୟୁରୋପୀୟ ରୀତିରେ ପୋଷାକ ପରିଧାନ କରିବା ପାଇଁ ମହିଳାମାନଙ୍କୁ ପ୍ରରୋଚିତ କରାଗଲା । ଆଧୁନିକ ବିଜ୍ଞାନ ଓ ଶିକ୍ଷାକୁ ମହିଳାମାନଙ୍କ ମଧ୍ୟରେ ବ୍ୟାପକତର କରିବା ସଙ୍ଗେ ସଙ୍ଗେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ସାଧାରଣ ଅନୁଷ୍ଠାନ ସଂଖ୍ୟା ବୃଦ୍ଧି କରାଗଲା । ୧୯୩୦ ମସିହା ସୁଦ୍ଧା ଶିକ୍ଷିତ ମହିଳାମାନଙ୍କୁ ଦେଶର ସର୍ବୋଚ୍ଚ ବିଚାରାଳୟରେ ବିଚାରପତି ରୂପେ ଏବଂ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ରୂପେ ନିଯୁକ୍ତି ମିଳିଥିଲା । କେମାଲଙ୍କ ଜୀବଦ୍ଦଶାରେ ହାଲିଡ଼େ ଏଡ଼ିବ ନାମକ ଜଣେ ଉଚ୍ଚ ଶିକ୍ଷିତା ମହିଳା ଦେଶର ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ଖୁବ୍ ସୁନାମ ଅର୍ଜନ କରିଥିଲେ । କିନ୍ତୁ ସେ ଏତେ ପରିମାଣରେ ସ୍ଵାଧୀନଚେତା ଥିଲେ ଯେ କେମାଲଙ୍କ ସହ ମତାନ୍ତର ଘଟିବା ସଙ୍ଗେ ସଙ୍ଗେ ତୁର୍କୀରୁ ପଳାୟନ କରି ଏକ ୟୁରୋପୀୟ ବିଶ୍ଵବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କରିଥିଲେ । ମହିଳାମାନଙ୍କର ସ୍ଵାଧୀନତା ଓ ରାଜନୈତିକ ଚେତନାର ସୃଷ୍ଟି ପାଇଁ କେମାଲଙ୍କର ଆନ୍ତରିକ ଉଦ୍ୟମ ସର୍ବଥା ପ୍ରଣିଧାନଯୋଗ୍ୟ । ଆଙ୍ଗୋରାର ନାରୀ ସମାଜକୁ ପ୍ରାଚୀନ ଓଢ଼ଣୀ ପ୍ରଥାରୁ ମୁକ୍ତ ହେବା ପାଇଁ ସେ ବାଧ୍ୟ କରିଥିଲେ ଏବଂ ୟୁରୋପୀୟ ପରିଚ୍ଛେଦ ପିନ୍ଧି ଦରକାର ପଡ଼ିଲେ ପୁରୁଷମାନଙ୍କ ସହ ମିଶି ନୃତ୍ୟ କରିବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ । ମହିଳାମାନଙ୍କର ପରିଚ୍ଛେଦରେ ପୂର୍ବରୁ ପ୍ରଚଳିତ କାରୁକାର୍ଯ୍ୟ ଲୋପ କରାଗଲା ଏବଂ ସେମାନେ ଆମେରିକାର ଟାଇପିଷ୍ଟ ମହିଳାଙ୍କ ଭଳି ସାଦାସିଧା ଅଥଚ ସୁବିଧାଜନକ ପୋଷାକ ବ୍ୟବହାର କଲେ ।

 

ତୁର୍କୀ ଶାସନ ସଂସ୍କାର କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ହେଲା ପ୍ରାଚୀନ ଆଇନ ପ୍ରଣାଳୀ ପରିବର୍ତ୍ତେ ୟୁରୋପୀୟ ରୀତିରେ ଆଇନ ପ୍ରଣୟନ ଓ ବିଚାରାଳୟ ପରିଚାଳନା । ଖବରକାଗଜ ଓ କ୍ୟାଲେଣ୍ଡର ପ୍ରକାଶନରେ ପୁରାତନ ଆରବୀ ଲିପିର ଉଚ୍ଛେଦ କରାଯାଇ ଲାଟିନ ଲିପିକୁ ପ୍ରଚଳନ କରାଗଲା ଏବଂ ଓଜନ ଓ ମାପ କ୍ଷେତ୍ରରେ ମେଟ୍ରିକ ପଦ୍ଧତିକୁ ପ୍ରସାରିତ କରାଗଲା-। ବୈଦେଶିକ ବାଣିଜ୍ୟର ଉନ୍ନତ ନିମିତ୍ତ ତୁର୍କୀ ସରକାର ଏକାଧିକ ବନ୍ଧୁରାଷ୍ଟ୍ରମାନଙ୍କ ସହ ବାଣିଜ୍ୟ ଚୁକ୍ତି ସ୍ଵାକ୍ଷର କଲେ । କୃଷି ଓ ଶିଳ୍ପର ଆଶୁବିକାଶ ନିମିତ୍ତ ସରକାରୀ ଉଦ୍ୟମକୁ ଗୁରୁତ୍ଵ ଦିଆଗଲା-। ସରକାରୀ ଅର୍ଥରେ କୃଷକମାନଙ୍କୁ ବହୁପରିମାଣରେ କଳକବ୍‍ଜା ଏବଂ ଶିଳ୍ପପତିମାନଙ୍କୁ ଘରବାଡ଼ି ଯୋଗାଇ ଦିଆଗଲା । ନିଜେ ମୁସ୍ତାଫା କେମାଲ ନିଜର ଏକ କୃଷି ଫର୍ମ ପ୍ରତିଷ୍ଠା କରି ଟ୍ରାକ୍ଟର ସାହାଯ୍ୟରେ ଚାଷ କରିଥିଲେ ଏବଂ କୃଷି ଉପରୁ ଟିକସ୍ ମାତ୍ରାକୁ କମାଇ ଦିଆଗଲା । କୃଷି, ରାସ୍ତାଘାଟ, ଜଳସେଚନ ଓ ଜମି ସଂରକ୍ଷଣ ଇତ୍ୟାଦି ପାଇଁ ଏକ ଯୋଜନା ସ୍ୱିଡେନ ଇଞ୍ଜିନିଅରମାନଙ୍କ ସହାୟତାରେ ପନ୍ଦର ବର୍ଷଧରି କାର୍ଯ୍ୟକାରୀ କରାଗଲା । ନୂତନ ଶିଳ୍ପାନୁଷ୍ଠାନଗୁଡ଼ିକର ସମୃଦ୍ଧି ନିମିତ୍ତ ବିଭିନ୍ନ ପ୍ରକାର ରିହାତି ବ୍ୟବସ୍ଥାର ପ୍ରଚଳନ ଫଳରେ ଖୁବ୍ କମ୍ ସମୟ ମଧ୍ୟରେ ଦେଶରେ ଲୁଗା, ଚିନି ଓ କାଠ ଶିଳ୍ପର ପ୍ରଭୂତ ବିକାଶ ସାଧିତ ହୋଇପାରିଥିଲା-। ଶିଳ୍ପକ୍ଷେତ୍ରରେ ମେସିନର ବ୍ୟବହାରକୁ ଅଗ୍ରାଧିକାର ଦିଆଯିବା ଫଳରେ ବିଦେଶରୁ ମେସିନ୍ ଆମଦାନୀ ଦିଗରେ କେମାଲ୍ ତତ୍ପର ହୋଇପଡ଼ିଲେ ଏବଂ ଦେଶ ମଧ୍ୟରେ ଥିବା କଞ୍ଚାମାଲ ଓ ଖଣିଜ ସମ୍ପଦର ବିକାଶ ନିମିତ୍ତ ଏକ ବିସ୍ତୃତ କାର୍ଯ୍ୟକ୍ରମ ପ୍ରସ୍ତୁତ କଲେ । ଏହି କାର୍ଯ୍ୟକ୍ରମ ପ୍ରସ୍ତୁତିର ଦଶଟି ବର୍ଷ ମଧ୍ୟରେ ତୁର୍କୀ କାର୍ପାସ୍, କାର୍ପାସ ବସ୍ତ୍ର, ଫଳଜାତ ଦ୍ରବ୍ୟ ଓ ଧୂଆଁପତ୍ର ରତ୍ପାନୀ କରିବାକୁ ଲାଗିଲା । ଗମନାଗମନ ବ୍ୟବସ୍ଥାର ଉନ୍ନତି ସାଧନ ପରେ ପ୍ରାୟ ପ୍ରତ୍ୟେକ ବ୍ୟବସାୟ ଲାଭପ୍ରଦ ମନେହେଲା । ଶିଳ୍ପକ୍ଷେତ୍ରରେ ରାଷ୍ଟ୍ରର କର୍ତ୍ତୃତ୍ଵ ବୃଦ୍ଧି ସଙ୍ଗେ ସଙ୍ଗେ ପରିଚାଳନା କ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇଁ କେମାଲ କେତେକ ପଦକ୍ଷେପ ଗ୍ରହଣ କରିବାକୁ ଲାଗିଲେ । ଦେଶର ସାର୍ବଭୌମତ୍ଵ ଉପରେ ଆଞ୍ଚ ନଆଣି ସେ ଶିଳ୍ପ ବିକାଶ ନିମିତ୍ତ ବୈଦେଶିକ ପୁଞ୍ଜିପତିମାନଙ୍କୁ ନିମନ୍ତ୍ରଣ କଲେ । ସରକାରୀ ଓ ବେସରକାରୀ ଉଭୟ କ୍ଷେତ୍ରରେ ଶିଳ୍ପବିକାଶ, ବିଦ୍ୟୁତ ଉତ୍ପାଦନ ଓ ଖଣିଜ ସମ୍ପଦର ବିନିଯୋଗ ନିମିତ୍ତ ୧୯୩୪ ମସିହାଠାରୁ ବିଧିବଦ୍ଧ ପଞ୍ଚବାର୍ଷିକ ଯୋଜନା କାର୍ଯ୍ୟକାରୀ କରାଗଲା । ଖୁବ୍ ଅଳ୍ପ ସମୟ ମଧ୍ୟରେ ତୁର୍କୀର ବିଭିନ୍ନ ଅଞ୍ଚଳରେ ଶିଳ୍ପ ପ୍ରଧାନ ସହରମାନ ସ୍ଥାପିତ ହେବାକୁ ଲାଗିଲା । ତୁର୍କୀ ବିପ୍ଳବର ମୂଳପୀଠ ଅଙ୍ଗୋରା ସହର ଆଙ୍କାର ନାମରେ ନାମିତ ହେଲା ଏବଂ ଉକ୍ତ ସହରର ରାଜନୈତିକ ଗୁରୁତ୍ଵ ବିଶେଷଭାବେ ବୃଦ୍ଧି ଘଟିଲା । ସମଭାବରେ ସର୍ବତ୍ର ରେଳ ଓ ରୋଡରାସ୍ତାର ପ୍ରସାର କରାଯାଇ ମୁଖ୍ୟ ସହରଗୁଡ଼ିକୁ ବନ୍ଦରମାନଙ୍କ ସହ ସଂଯୁକ୍ତ କରାଗଲା । ସହରାଞ୍ଚଳର ନିରାପତ୍ତା ଦୃଷ୍ଟିରୁ ପୋଲିସ ବାହିନୀର ପୂର୍ଣ୍ଣ ସଂସ୍କାର ନିମିତ୍ତ ମୁସ୍ତାଫା କେମାଲ ନିର୍ଦ୍ଦେଶ ଦେଲେ ।

 

ପ୍ରଥମ ମହାସମର ପରେ ତୁର୍କୀ-ଇରାକ୍ ସୀମା କନ୍ଦଳରେ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କର ପ୍ରତିକୂଳ ମତିଗତିର ଇଙ୍ଗିତ ପାଇ କେମାଲ ପଡ଼ୋଶୀ ରୁଷ ଦେଶ ସହ ବନ୍ଧୁତା ସ୍ଥାପନ କରିବାରେ ଲାଗିଲେ । କିନ୍ତୁ ରୁଷର କମ୍ୟୁନିଷ୍ଟ ବିପ୍ଳବ ପରେ ଦୁଇ ଦେଶ ମଧ୍ୟରେ ପୂର୍ବ ଘନିଷ୍ଠତା ରହିନଥିଲା । ନିଜ ଦେଶରେ କମ୍ୟୁନିଷ୍ଟମାନଙ୍କର ଭଙ୍ଗାରୁଜା କାର୍ଯ୍ୟକଳାପକୁ ଦୃଢ଼ ହସ୍ତରେ ଦମନ କରି ସେମାନଙ୍କୁ ଦେଶର ପହିଲା ନମ୍ବର ଶତ୍ରୁ ବୋଲି କେମାଲ ଚିତ୍ରିତ କରିଥିଲେ । ପରେ ପରେ ସେ ଦେଶରୁ ଦେଶଦ୍ରୋହୀ କମ୍ୟୁନିଷ୍ଟମାନଙ୍କୁ ସମ୍ପୂର୍ଣ୍ଣ ମୂଳପୋଛ କରି ଦେଇଥିଲେ । କ୍ରମେ ପାଶ୍ଚାତ୍ୟ ରାଷ୍ଟ୍ରମାନେ ତୁର୍କୀ ପ୍ରତି ଅଧିକ ଉଦାର ମନୋଭାବ ପୋଷଣ କରିବା ଫଳରେ ସେ ସେମାନଙ୍କର ସହ ବନ୍ଧୁତା ପ୍ରତିଷ୍ଠା ଲାଗି ଜାତିସଂଘର (League of Nations) ସଭ୍ୟଭୁକ୍ତ ହେଲେ । ଇଟାଲୀ ଓ ଫ୍ରାନସ୍ ସହ ଦୁଇଟି ଶାନ୍ତ ଚୁକ୍ତି କରାଇ ନେଇ ସେ ଦେଶର ସ୍ଵାର୍ଥ ସମ୍ପକୀୟ କେତେକ ସମସ୍ୟାର ସମାଧାନ କରିଥିଲେ । ଓଟୋମାନ୍ ଓ ସୁଲତାନ ଶାସନ କାଳରେ କରାଯାଇଥିବା ବୈଦେଶିକ ଋଣ ପରିଶୋଧବେଳେ କେମାଲ ଯେଉଁ ନୀତି ଗ୍ରହଣ କଲେ, ପାଶ୍ଚାତ୍ୟ ରାଷ୍ଟ୍ରମାନେ ସେଥିରେ ସନ୍ତୋଷ ପ୍ରକାଶ କରିଥିଲେ । ୧୯୨୭ ମସିହାର ଗୋଟିଏ ଚୁକ୍ତି ସ୍ଵାକ୍ଷର ପରେ ତୁର୍କୀ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ସଦ୍ଭାବ ପ୍ରତିଷ୍ଠିତ ହୋଇଥିଲା ଏବଂ ୧୯୩୭ ମସିହାର ଅନ୍ୟ ଏକ ଚୁକ୍ତି ଫଳରେ ପୂର୍ବାଞ୍ଚଳରେ ଅବସ୍ଥିତ ଇରାନ୍, ଇରାକ୍ ଓ ଆଫଗାନିସ୍ଥାନ ସହ ସମ୍ପର୍କ ଦୃଢ଼ୀଭୂତ ହେଲା । ଏ ସମସ୍ତ ଦେଶ ବାହାର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନକରିବା ପାଇଁ ଶପଥ ନେଲ ଏବଂ ପରସ୍ପର ମଧ୍ୟରେ ଦୃଢ଼ ଶାନ୍ତିରକ୍ଷା ଲାଗି ବ୍ୟବସ୍ଥା କଲେ । ଆନ୍ତର୍ଜାତିକ ସମସ୍ୟାଗୁଡ଼ିକର ସମାଧାନବେଳେ ପରସ୍ପର ଆଲୋଚନା କରିବା ଲାଗି ମଧ୍ୟ ସେମାନେ ନିଷ୍ପତ୍ତି ଗ୍ରହଣ କଲେ ।

 

ବିଦେଶୀ ରାଷ୍ଟ୍ରଦୂତମାନଙ୍କୁ ଭୋଜିସଭାରେ ଆପ୍ୟାୟିତ କରିବା ପ୍ରଥା ତୁର୍କୀରେ ପ୍ରଚଳିତ ନଥିଲା ଏବଂ କେମାଲ ତାହା ସର୍ବପ୍ରଥମେ ଅତି ସଫଳତାର ସହିତ ପ୍ରଚଳନ କରାଇ ଆନ୍ତର୍ଜାତୀୟ କ୍ଷେତ୍ରରେ ଦେଶର ସମ୍ମାନ ବୃଦ୍ଧି କରାଇଥିଲେ । କେମାଲଙ୍କର ସଂସ୍କାର କାର୍ଯ୍ୟକ୍ରମକୁ ତାଙ୍କର ବହୁ ବନ୍ଧୁ ବିରୋଧ କରୁଥିଲେ ଏବଂ ସୁବିଧା ଦେଖି ତାଙ୍କୁ ଗାଦିଚ୍ୟୁତ କରିବା ପାଇଁ ଷଡ଼ଯନ୍ତ୍ର ମଧ୍ୟ କରୁଥିଲେ । କେଭିଡ ନାମକ ଜଣେ ଇହୁଦୀ ଏହି ଷଡ଼ଯନ୍ତ୍ରର ନେତୃତ୍ଵ ଗ୍ରହଣ କରିଥିଲେ ଏବଂ ସେହି ଉଦ୍ଦେଶ୍ୟରେ ବିଦେଶରୁ ଅର୍ଥ ମଧ୍ୟ ସଂଗ୍ରହ କରିଥିଲେ । କିନ୍ତୁ ଷଡ଼ଯନ୍ତ୍ରର ସଠିକ ପ୍ରମାଣ ମିଳିଲା ପରେ କେଭିଡ଼ଙ୍କୁ ବନ୍ଦୀ କରାଯାଇଥିଲା । ଇସ୍ଲାମର ଇଙ୍ଗିତ ରୂପେ ବ୍ୟବହୃତ ବ୍ୟାଜ ପଦ୍ଧତିକୁ କେମାଲଙ୍କ ନିର୍ଦ୍ଦେଶକ୍ରମେ ଉଠାଇ ଦିଆଯାଇଥିଲା । ଫଳରେ ଦେଶର ବିଭିନ୍ନ ପ୍ରାନ୍ତରେ ବିଦ୍ରୋହ ମଧ୍ୟ ଦେଖାଦେଲା; କିନ୍ତୁ ସରକାରଙ୍କ ପୋଲିସ ବାହିନୀ ଦେଶସାରା ସର୍ବତ୍ର ବ୍ୟାଜ ସବୁ ଚିରି ବାହାର କରିବାରେ ଲାଗିଲେ । ଆବଶ୍ୟକ ସ୍ଥଳେ ସୈନ୍ୟ ଫୌଜ ପଠାଇ ସେ ସବୁ ଉଚ୍ଛେଦ କରାଗଲା । ସେହିଦିନଠାରୁ ତୁର୍କୀବାସୀ ୟୁରୋପୀୟ ହ୍ୟାଟ୍ ପିନ୍ଧିବା ଆରମ୍ଭ କଲେ ।

 

୧୯୩୮ ମସିହା ନଭେମ୍ବର ମାସରେ ମହାନ୍ ବିପ୍ଳବୀ, ଅଦ୍ୱିତୀୟ ରାଷ୍ଟ୍ରନାୟକ ଓ ଶ୍ରେଷ୍ଠ ସଂସ୍କାରକ ଆତାତୁର୍କ ମୁସ୍ତାଫା କେମାଲ ଇହଧାମରୁ ବିଦାୟ ନେଲେ । ଇତିହାସରେ ତାଙ୍କୁ ଜଣେ ଏକଛତ୍ରବାଦୀ ଶାସକ ରୂପେ ଚିତ୍ରିତ କରାଯାଇଥିଲେ ସୁଦ୍ଧା ଆଧୁନିକ ତୁର୍କୀର ନିର୍ମାତା ଭାବରେ ସେ ଆଜି ବିଶ୍ଵରେ ସର୍ବତ୍ର ପରିଚିତ ।

★★★

 

ଉଇନଷ୍ଟନ୍ ଚର୍ଚ୍ଚିଲ

 

ଜଣେ ବୀର ସୈନିକ, ସୁନିପୁଣ ଯୁଦ୍ଧ ପରିଚାଳକ, ଚତୁର ରାଜନୀତିଜ୍ଞ ଓ ପ୍ରଖ୍ୟାତ ସାହିତ୍ୟିକ ଭାବରେ ଉଇନଷ୍ଟନ୍ ଚର୍ଚ୍ଚିଲ ବିଶ୍ଵବିଦିତ । ଅତୀତରେ ଆଫଗାନମାନଙ୍କର ବନ୍ଧୁକ ଚୋଟରୁ ଏବଂ ବୋଏରମାନଙ୍କ ସନ୍ତ୍ରାସ ଆକ୍ରମଣରୁ ସେ ନିଜ ଜୀବନକୁ ରକ୍ଷାକରି ଅସୀମ ବୀରତ୍ଵର ପରିଚୟ ଦେଇଥିଲେ । ହିଟଲରଙ୍କ ଆକ୍ରମଣର ପ୍ରତିରୋଧ କଳ୍ପେ ଦେଶବାସୀଙ୍କୁ ସେ ଯେଉଁ ଅଗ୍ନିମୟ ଭାଷଣମାନ ଦେଇଥିଲେ, ଅଦ୍ୟାପି ତାହା ଦେଶବାସୀଙ୍କ କର୍ଣ୍ଣରେ ନିନାଦିତ । ସେ ଥିଲେ ଖୁବ୍ ଧୈର୍ଯ୍ୟଶାଳୀ ପୁରୁଷ । ଲଣ୍ଡନ ସହରରେ ଯୁବକ ଚର୍ଚ୍ଚିଲଙ୍କର ଲୋଭନୀୟ ଚେହେରା ଦିନେ ଶତସଂଖ୍ୟକ ଯୁବତୀଙ୍କୁ ଆକୃଷ୍ଟ କରିଥିଲା । ବହୁ ସମ୍ଭ୍ରାନ୍ତ ପରିବାର ତାଙ୍କୁ ନିଜର ଜାମାତା ରୁପେ ପାଇବା ପାଇଁ ଲାଳାୟିତ ହୋଇଥିଲେ । ଛାତ୍ର ଭାବରେ ଚର୍ଚ୍ଚିଲ ଥିଲେ ଅପାଣ୍ଡୁକ ଏବଂ ପୁତ୍ର ଭାବରେ ଥିଲେ ଏକାନ୍ତ ଅବାଧ୍ୟ । ସେହି ଚର୍ଚ୍ଚିଲ ପରବର୍ତ୍ତୀ ସମୟରେ ହେଲେ ଜଣେ ଅଦ୍ଭୁତ ଓ ଭୀମକର୍ମା । ଦେଶବାସୀଙ୍କୁ ଅନୁପ୍ରେରଣା ଯୋଗାଇବାରେ ତାଙ୍କର ଥିଲା ଅସୀମ ଶକ୍ତି ।

 

ଚର୍ଚ୍ଚିଲ ତାଙ୍କ ଶିକ୍ଷକମାନଙ୍କୁ ମୋଟେ ସନ୍ତୁଷ୍ଟ କରିପାରୁ ନଥିଲେ । ସେ ଜଣେ ନଷ୍ଟ ପ୍ରକୃତିର ଛାତ୍ର ବୋଲି ତାଙ୍କର ଶିକ୍ଷକମାନେ ଉପଲବ୍‍ଧି କରୁଥିଲେ । ତାଙ୍କର ପିତାଙ୍କ ନାମ ଥିଲା ଲର୍ଡ ରାଣ୍ଡଲଫ୍ ଏବଂ ମାତାଙ୍କ ନାମ ଥିଲା ଜେନି । ରାଣ୍ଡଲଫଙ୍କ ଆର୍ଥିକ ଅବସ୍ଥା ବିଶେଷ ସ୍ୱଚ୍ଛଳ ନଥିଲା । କିନ୍ତୁ ଜେନିଙ୍କୁ ବିବାହ କରିବା ପରେ ପରିବାରର ଆୟ ବୃଦ୍ଧି ପାଇଥିଲା । ରାଣ୍ଡଲଫ୍ ଦେଖିବାକୁ ଗମ୍ଭୀର ଏବଂ ଜଣେ ସେନାନୀ ଭଳି । ଜେନି ଥିଲେ ନିଉୟର୍କ ସହରର ଖବରକାଗଜ ମାଲିକ ଲିଓନାର୍ଡ ଜେରୋମଙ୍କ ରୂପବତୀ ଓ ବୁଦ୍ଧିମତୀ କନ୍ୟା । ତାଙ୍କର କଥା ଭାଷା ଥିଲା ଅତ୍ୟନ୍ତ ଆମୋଦପ୍ରଦ । ପିଆନୋ ବଜାଇବାରେ ସେ ଥିଲେ ଜଣେ ଧୂରୀଣ ଶିଳ୍ପୀ ।

 

ଏକଦା ରାଜବଂଶୀୟ ପ୍ରିନ୍‍ସ ଅଫ୍ ଓ୍ୱେଲସ୍ ଏବଂ ରାଣ୍ଡଲଫଙ୍କ ଭ୍ରାତା ଉଭୟେ ଜଣେ ସୁନ୍ଦରୀ ଯୁବତୀଙ୍କ ପାଣିଗ୍ରହଣ ଲାଗି ଲାଳାୟିତ ହେଲେ । ରାଣ୍ଡଲଫ୍ ନିଜର ଭ୍ରାତାଙ୍କୁ ଏ ଦିଗରେ ସହାୟତା କରି ପ୍ରିନ୍‍ସ ଅଫ୍ ଓ୍ୱେଲସଙ୍କ ବିଷଦୃଷ୍ଟିରେ ପଡ଼ିଥିଲେ । ଫଳରେ ତାଙ୍କ ବିରୁଦ୍ଧରେ କେତେକ କାର୍ଯ୍ୟାନୁଷ୍ଠାନ କରାଗଲା । ରାଜାଙ୍କର ଭୟରେ ତାଙ୍କ ବନ୍ଧୁମାନେ ତାଙ୍କୁ ପରିତ୍ୟାଗ କଲେ । ଏତିକିବେଳକୁ ଉଇନଷ୍ଟନ୍ ଚର୍ଚ୍ଚିଲଙ୍କ ବୟସ ମୋଟେ ଏକ ବର୍ଷ । ଦୀର୍ଘ ଆଠ ବର୍ଷ ପରେ ପ୍ରିନ୍‍ସ ଅଫ୍ ଓ୍ୱେଲସଙ୍କ ସହ ରାଣ୍ଡଲଫଙ୍କର ପୁଣି ଥରେ ବନ୍ଧୁତା ପ୍ରତିଷ୍ଠିତ ହେଲା ।

 

ଶୈଶବରୁ ଉଇନଷ୍ଟନ୍ ପିତାଙ୍କ ଭଳି ଗମ୍ଭୀର ଥିଲେ ଏବଂ ମନରେ ବିଶେଷ ସୁଖ ନଥିଲା । ପାରିବାରିକ ଅଶାନ୍ତି କିଛି ପରିମାଣରେ ତାଙ୍କ ଉପରେ ପ୍ରଭାବ ପକାଇଥିଲେ । ଲର୍ଡ ରାଣ୍ଡଲଫ ଓ ଜେନି ରାଜକାର୍ଯ୍ୟରେ ବିଶେଷ ବ୍ୟସ୍ତ ରହୁଥିବା ଫଳରେ ଉଇନଷ୍ଟାଇନଙ୍କର ବିଶେଷ ତତ୍ତ୍ୱ ନେଇ ପାରିଲେ ନାହିଁ । ଫଳରେ ତାଙ୍କର ଲାଳନ ଭାର ମିସେସ୍ ଏଭେରେଷ୍ଟ ନାମ୍ନୀ ଜଣେ ଧାଈଙ୍କ ହସ୍ତରେ ନ୍ୟସ୍ତ କରାଗଲା । ଆସ୍କଟର ଏକ ବୋର୍ଡ ସ୍କୁଲରେ ଉଇନଷ୍ଟନଙ୍କର ଶିକ୍ଷା ଆରମ୍ଭ ହେଲା ଏବଂ ସେ ସ୍କୁଲରେ ସର୍ବନିମ୍ନ ସ୍ଥାନ ଅଧିକାର କଲେ । ଫଳରେ ଶ୍ରୀମତୀ ରାଣ୍ଡଲଫ୍ ପୁତ୍ରକୁ ବାଇଟନସ୍ଥ ଅନ୍ୟ ଏକ ସ୍କୁଲକୁ ସ୍ଥାନାନ୍ତରିତ କଲେ । ପୂର୍ବାପେକ୍ଷା ଏଠାରେ ସେ ଭଲ ବ୍ୟବହାର ପାଉଥିଲେ ମଧ୍ୟ ପଢ଼ାପଢ଼ିରେ ବିଶେଷ କିଛି ଉନ୍ନତି ଘଟି ନଥିଲା । ଏଠାରେ ମଧ୍ୟ ସ୍କୁଲ ଶିକ୍ଷକ କିମ୍ବା କର୍ତ୍ତୁପକ୍ଷଙ୍କର ଆଦେଶ କିମ୍ବା ଉପଦେଶ ଶୁଣିବା ପାଇଁ ସେ ମୋଟେ ପ୍ରସ୍ତୁତ ନଥିଲେ । ଅତି ଅଳ୍ପ ବୟସରୁ ହିଁ ତାଙ୍କର ବିପ୍ଳବୀ ମନୋଭାବ ସ୍ପଷ୍ଟ ହୋଇଯାଇଥିଲା । ସ୍କୁଲହତା ବାହାରେ ସେ ବେଶ୍ ନିଜର କୃତିତ୍ଵ ଦେଖାଇ ପାରୁଥିଲେ । ଦଶବର୍ଷ ବୟସରେ ସେ ଡ୍ୟୁକ ଅଫ୍ ଏଡିନବରଙ୍କ ଗୃହକୁ ଯାଇଥିଲା ବେଳେ ତାଙ୍କର ସୁନ୍ଦରୀ କନ୍ୟା ମେରୀଙ୍କୁ ଭବିଷ୍ୟତରେ ବିବାହ କରିବେ ବୋଲି ଘୋଷଣା କରିଥିଲେ । ସାହାସ କିଛି କମ୍ ନଥିଲା । କିନ୍ତୁ ସ୍କୁଲଗୃହ ଭିତରେ ପ୍ରବେଶ ମାତ୍ରେ ତାଙ୍କ ମୁଣ୍ଡକୁ ବିଛା କାମୁଡ଼ି ପକାଉଥିଲା । ତେଣୁ ଲର୍ଡ ରାଣ୍ଡଲଫଙ୍କ ହରୋସ୍ଥ ଏକ ଆଦର୍ଶ ଶିକ୍ଷାନୁଷ୍ଠାନକୁ ପୁଣି ସ୍ଥାନାନ୍ତରିତ କଲେ । ହାରୋ ସ୍କୂଲରେ ନାମ ଲେଖାଇବା ପୂର୍ବରୁ ଏକ ସାଧାରଣ ପରୀକ୍ଷା ହେଲା । ସେଥିରେ ବି ଉଇନଷ୍ଟନ୍ ଶିକ୍ଷକମାନଙ୍କୁ ସନ୍ତୁଷ୍ଟ କରିପାରିଲେ ନାହିଁ । କିନ୍ତୁ ଲର୍ଡ ରାଣ୍ଡଲଫଙ୍କ ପ୍ରତିଷ୍ଠା ଦୃଷ୍ଟିରୁ ସ୍କୁଲରେ କୌଣସିମତେ ତାଙ୍କୁ ଗ୍ରହଣ କରାଗଲା । ହାରୋଠାରେ ତାଙ୍କର ବିଦ୍ରୋହୀ ମନୋଭାବର ସମ୍ୟକ୍ ପରିଚୟ ମିଳିଥିଲା । ଗ୍ରୀକ୍ ଓ ଲାଟିନ୍ ଶିକ୍ଷାକୁ ସେ ଭୟଙ୍କର ଘୃଣା କରୁଥିଲେ । ଫୁଟବଲ ଓ କ୍ରିକେଟ ପ୍ରଭୃତି ଦଳବଦ୍ଧ ଖେଳ ମଧ୍ୟ ତାଙ୍କୁ ଭଲ ଲାଗୁ ନଥିଲା । କିନ୍ତୁ ନିଜେ ସେ ଖୁବ୍ ଦ୍ରୁତଗତିରେ ଦୌଡ଼ି ପାରୁଥିଲେ ଏବଂ ଜଣେ ଅଭିଜ୍ଞ ସନ୍ତରଣକାରୀ ଭାବେ ସନ୍ତରଣ କରିପାରୁଥିଲେ । ଅତି ଶୈଶବରୁ ସେ ଘୋଡ଼ାସବାର କରିପାରୁଥିଲେ । କୌଣସି କର୍ତ୍ତୁପକ୍ଷଙ୍କର ଆଦେଶ ଗ୍ରହଣ କରିବା ପାଇଁ ସେ ମୋଟ ପ୍ରସ୍ତୁତ ନଥିଲେ । ସ୍କୂଲ କର୍ତ୍ତୁପକ୍ଷଙ୍କ ବିରୁଦ୍ଧରେ ଏକ ପ୍ରବନ୍ଧ ଲେଖି ସେ ସ୍କୁଲ ମେଗାଜିନରେ ପ୍ରକାଶ କରିବା ପାଇଁ ପଠାଇଥିଲେ ।

 

ଲର୍ଡ ରାଣ୍ଡଲଫ୍ ୧୮୮୫ ମସିହାରେ ଭାରତ ମନ୍ତ୍ରୀ ଏବଂ ୧୮୮୬ ମସିହାରେ ବିଲାତର ଅର୍ଥମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । କିନ୍ତୁ ହଠାତ୍ ମନ୍ତ୍ରୀମଣ୍ଡଳରେ ମତଭେଦ ଯୋଗୁଁ ସେ ଇସ୍ତଫା ଦେଲେ ଏବଂ ଇସ୍ତଫା ଗୃହୀତ ହେଲା । ତତ୍ପରେ ପୁଣି ଥରେ ସେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଲେ ଏବଂ ତାହା ଦୀର୍ଘ ନଅବର୍ଷ ପର୍ଯ୍ୟନ୍ତ ଲାଗି ରହିଲା । ଏହାର ପ୍ରଭାବ ଉଇନଷ୍ଟନଙ୍କ ଉପରେ ପ୍ରତ୍ୟକ୍ଷ ଭାବରେ ପଡ଼ିଥିଲା । ଏ ମଧ୍ୟରେ ଚର୍ଚ୍ଚିଲଙ୍କ ଆମେରିକୀୟ ଅଜା ଜେରୋମଙ୍କର ଦେହାନ୍ତ ଘଟିଥିଲା । ଜୀବଦ୍ଦଶାରେ ଜରୋମ ନାତିର ଚରିତ୍ର ଓ କାର୍ଯ୍ୟ ସମ୍ପର୍କରେ ନୈରାଶ୍ୟଜନକ ଖବର ପାଇଥିଲେ । ତଥାପି ସସୟ ଆସିଲେ ତାହା ପରିବର୍ତ୍ତିତ ହେବ ବୋଲି ସେ ଆଶା ପୋଷଣ କରିଥିଲେ ।

 

ଶ୍ରେଣୀର ସର୍ବ ଶେଷ ଛାତ୍ର ବୋଲି ଉଇନଷ୍ଟନଙ୍କୁ କୁହାଯାଉଥିଲେ ମଧ୍ୟ ସେ ଅନ୍ୟ ଗୋଟିଏ ଦିଗରେ ସହପାଠୀମାନଙ୍କଠାରୁ ଉନ୍ନତି ଥିଲେ । ଇତିହାସରେ ଯୁଦ୍ଧ ଓ ଯୋଦ୍ଧାମାନଙ୍କ ସମ୍ପର୍କରେ ସେ ଅନ୍ୟାନ୍ୟମାନଙ୍କଠାରୁ ଅଧିକ ତଥ୍ୟ ସଂଗ୍ରହ କରିଥିଲେ । ଯୁଦ୍ଧ ପରିଚାଳନାରେ ଦକ୍ଷତା ଅର୍ଜ୍ଜନ କରିଥିବା ସେନାପତି ମାଲବରୋଙ୍କୁ ସେ ନିଜର ଆଦର୍ଶ ରୂପେ ଗ୍ରହଣ କରିଥିଲେ । ବଜାରରେ ବିକ୍ରି ହେଉଥିବା ମୃତ୍ତିକା ନିର୍ମିତ ସୈନ୍ୟ ଓ ସେନାପତି ଖେଳଣା ବହୁପରିମାଣରେ କିଣି ସେ ଗୃହ ସଜାଉଥିଲେ ଏବଂ ବଡ଼ ହେଲେ ସୈନ୍ୟ ବାହିନୀରେ ଯୋଗଦେବେ ବୋଲି ସାଙ୍ଗ ପିଲାଙ୍କୁ ସେ ଦୃଢ଼ ଭାବରେ ଜଣାଇ ଦେଇଥିଲେ ।

 

ଦିନେ ପିତାଙ୍କର ଅଜ୍ଞାତରେ ସେ ଉଦ୍ୟାନରେ ଥିବା ଏକ ଗଛ ଉପରେ ଚଢ଼ିଗଲେ । ଗଛଟିର ଶାଖା ଅତ୍ୟନ୍ତ ଦୁର୍ବଳଥିବାରୁ ସେ ତିରିଶ ଫୁଟ ଉଚ୍ଚରୁ ହଠାତ୍ ତଳେ ପଡ଼ିଗଲେ । ଆଘାତ ଏତେ ତୀବ୍ର ଥିଲା ଯେ ସେ ତିନିଦିନ ପରେ ଚେତନା ପାଇଥିଲେ ଏବଂ ତିନିମାସ ପର୍ଯ୍ୟନ୍ତ ଶଯ୍ୟାଶାୟୀ ହୋଇପଡ଼ିଲେ । ଉକ୍ତ ଦୁର୍ଘଟଣାରୁ ରକ୍ଷା ପାଇବା ପରେ ପରେ ରୟାଲ୍ ମିଲିଟାରୀ ଏକାଡେମୀରେ ନାମ ଲେଖାଇଥିଲେ । ମିଲିଟାରୀ ଶିକ୍ଷାୟତନ ଉଇନଷ୍ଟନଙ୍କୁ ଖୁବ୍ ଆକୃଷ୍ଟ କରିନେଲା ଏବଂ ସେ ଅତ୍ୟନ୍ତ ଆନନ୍ଦିତ ହେଲେ । ଲର୍ଡ ରାଣ୍ଡଲଫ୍ ମଧ୍ୟ ଭବିଷ୍ୟତ ଗଠନ ଉପରେ ଉଇନଷ୍ଟନଙ୍କୁ ବହୁବାର ପରାମର୍ଶ ଦେଉଥିଲେ । ଜୀବନରେ ଏହିଥର ହିଁ ସେ ପିତାଙ୍କ ପରାମର୍ଶକୁ ବିଶେଷ ଗୁରୁତ୍ଵ ସହକାରେ ଗ୍ରହଣ କରିଥିଲେ । ମିଲିଟାରୀ ଏକାଡେମୀରେ ସେ ଖୁବ୍ ସଫଳତାର ସହିତ ଉତ୍ତୀର୍ଣ୍ଣ ହେବାକୁ ଲାଗିଲେ । ଦେଢ଼ଶହ ଛାତ୍ରଙ୍କ ମଧ୍ୟରେ ତାଙ୍କର ସ୍ଥାନ ଥିଲା ଅଷ୍ଟମ । ୧୮୯୫ ମସିହାରେ ପିତାଙ୍କର ଦେହାନ୍ତ ଘଟିଲା ଏବଂ ତତ୍ପରେ ସେ ସୈନ୍ୟବାହିନୀରେ ଭର୍ତ୍ତି ହୋଇଗଲେ । ଜଣେ ସାମରିକ ପରିଦର୍ଶକ ଭାବେ ସେ ସର୍ବପ୍ରଥମେ କ୍ୟୁବା ପରିଦର୍ଶନ କରି ସେଠା ବିଦ୍ରୋହ ଲକ୍ଷ୍ୟ କରିଥିଲେ ।

 

କ୍ୟୁବା ବିଦ୍ରୋହର କିଛି ଦିନ ପରେ ଉଇନଷ୍ଟନଙ୍କର ରେଜିମେଣ୍ଟ ବାଙ୍ଗାଲୋରକୁ ସ୍ଥାନାନ୍ତରିତ କରାଗଲା । ଭାରତକୁ ତେଣୁ ସେ ଜଣେ ସାମରିକ ଅଫିସର ଭାବେ ସର୍ବପ୍ରଥମେ ଆସିଥିଲେ । ସେଠାରେ ସେ ପୋଲୋ କ୍ରୀଡ଼ା ପ୍ରତି ବିଶେଷ ଆକୃଷ୍ଟ ହେଲେ । ଶୈଶବର ସମସ୍ତ ନଷ୍ଟ ଅଭ୍ୟାସ ବର୍ଜ୍ଜନ କରି ନିଜର ସୁଗୁଣଦ୍ୱାରା ସେ ଏଥର ଆଦୃତ ହେବାକୁ ଲାଗିଲେ । ସାମ୍ରାଜ୍ୟର କୌଣସି ପ୍ରାନ୍ତରେ ଆନ୍ଦୋଳନର ସୂତ୍ରପାତ ହେଲେ ସେଥିରେ ନିଜେ ଭାଗ ନେବା ପାଇଁ ସେ ଇଚ୍ଛା ପ୍ରକାଶ କରୁଥିଲେ । ସ୍କୁଲ ଜୀବନରେ ବହି ପଢ଼ିବା ପାଇଁ ତାଙ୍କର ଯେଉଁ ବିରକ୍ତି ଥିଲା, ଯୌବନରେ ତାହା ଆଉ ରହିଲା ନାହିଁ । ବାଙ୍ଗାଲୋର ଅବସ୍ଥାନ କାଳରେ ସେ ବିଶ୍ଵବନ୍ଦିତ ଜନନାୟକ ଓ ଦାର୍ଶନିକମାନଙ୍କର ଲେଖା ସବୁ ଖୁବ୍ ଧ୍ୟାନ ସହକାରେ ପଢ଼ିବା ଆରମ୍ଭ କରିଥିଲେ ।

 

୧୮୯୭ ମସିହାରେ ଭାରତର ଉତ୍ତର-ପଶ୍ଚିମ ସୀମାନ୍ତ ଅଞ୍ଚଳରେ ବିଦ୍ରୋହ ଆରମ୍ଭ ହେଲା ଏବଂ ସେ ନିଜେ ଖାଇବର ଗିରିପଥଠାରେ ପଠାଣମାନଙ୍କର ଗୁଳିର ସମ୍ମୁଖୀନ ହେଲେ । ଉକ୍ତ ବିଦ୍ରୋହ ଦମନ ପରେ ଉଇନଷ୍ଟନ୍ “The Story of Malak and Field Force” ନାମକ ଖଣ୍ଡିଏ ବହି ଏବଂ “Savrola” ନାମକ ଖଣ୍ଡିଏ ଉପନ୍ୟାସ ଲେଖି ଜଣେ ଲେଖକ ଭାବରେ ସର୍ବପ୍ରଥମେ ପରିଚିତ ହେଲେ । ବିଲାତ ଖବରକାଗଜମାନଙ୍କରେ ତାଙ୍କ ଲେଖା ଧାରାବାହିକ ଭାବରେ ପ୍ରକାଶିତ ହେଲାପରେ ସେ ଲେଖକ ଗୋଷ୍ଠୀରେ ମଧ୍ୟ ଆଦର ପାଇବାକୁ ଲାଗିଲେ । “The Story of Malak and Field Force” ବହିଟି ପଢ଼ି ପ୍ରଧାନମନ୍ତ୍ରୀ ସାଲିସ୍ ବରି ଏବଂ ପ୍ରିନସ୍ ଅଫ୍ ଓ୍ଵେଲସ୍ ଖୁବ୍ ସନ୍ତୁଷ୍ଟ ହୋଇ ତାଙ୍କର ସଫଳତା ପାଇଁ ଅଭିନନ୍ଦନ ଜଣାଇଥିଲେ । କିନ୍ତୁ ସାମରିକ ଜେନେରାଲମାନେ ତାଙ୍କ ଉକ୍ତ ବହିଟିକୁ ପସନ୍ଦ କରୁନଥିଲେ । ଏ ମଧ୍ୟରେ ସୁଦାନ ଆକ୍ରମଣ ପାଇଁ ବ୍ରିଟିଶ ସରକାର ମିଶରଠାରେ ଏକ ପ୍ରକାଣ୍ଡ ଓ ସୁଦକ୍ଷ ସେନାବାହିନୀ ଗଠନ କରୁଥିଲେ ଏବଂ ଉଇନଷ୍ଟନ୍ ସେଥିରେ ଯୋଗଦାନ କରିବା ପାଇଁ ଗଭୀର ଇଚ୍ଛା ପ୍ରକାଶ କଲେ । କିନ୍ତୁ ସେନାବାହିନୀର ଅଧ୍ୟକ୍ଷ କିଚନ୍‍ର ତାଙ୍କର ଉକ୍ତ ବହିଟି ପାଠ କରିବା ପରେ ତାଙ୍କୁ ମିଶର ନେବା ପାଇଁ ମୋଟେ ରାଜି ହେଲେ ନାହିଁ । କିନ୍ତୁ ଉଇନଷ୍ଟନ୍ ସାଲିସ୍ଵରିଙ୍କ ସହାୟତାରେ ପରିଶେଷରେ ମିଶର ବାହିନୀରେ ଯୋଗଦେଲେ । କିନ୍ତୁ ସେଠାରେ ତାଙ୍କ ଯୁଦ୍ଧ କ୍ଷେତ୍ରରେ ପ୍ରତ୍ୟକ୍ଷରେ ଭାଗ ନେବା ପାଇଁ ସୁଯୋଗ ଦିଆଗଲା ନାହିଁ ଏବଂ ଜଣେ ସାମରିକ ସମ୍ବାଦଦାତା ଭାବରେ ତାଙ୍କୁ ନିଯୁକ୍ତି ଦିଆଗଲା । ତଥାପି ସୁଦାନ ଆକ୍ରମଣ ବେଳେ ସେ ନିଜକୁ ପ୍ରତ୍ୟକ୍ଷ ଭାବରେ ଆକ୍ରମଣ ସହ ସଂପୃକ୍ତ କରାଇ ପାରିଥିଲେ । ସେନାଧ୍ୟକ୍ଷ କିଚନରଙ୍କ ଅଧୀନରେ ଜଣେ ସମ୍ବାଦଦାତା ରୂପେ କାର୍ଯ୍ୟ କରିବା ପାଇଁ ସେ ଇଚ୍ଛା ପ୍ରକାଶ କରି ନଥିଲେ । ଭାରତରେ ଅନୁଷ୍ଠିତ ହୋଇଥିବା ପୋଲୋ ପ୍ରତିଯୋଗିତାରେ ସେ ଶ୍ରେଷ୍ଠ ଖେଳାଳି ରୂପେ ପ୍ରମାଣିତ ହୋଇଥିଲେ ଏବଂ ତତ୍ପରେ ସେ ଲଣ୍ଡନ ପ୍ରତ୍ୟାଗମନ କଲେ ।

 

ଲଣ୍ଡନଠାରେ ଉଇନଷ୍ଟନ୍ “The River war” ନାମକ ଖଣ୍ଡିଏ ବହି ଲେଖି ତହିଁରେ ସୁଦାନ ଆକ୍ରମଣଜନିତ ସମସ୍ତ ଘଟଣା ଅତି ଜୀବନ୍ତ ଭାବରେ ଲିପିବଦ୍ଧ କରିଥିଲେ । ଏହି ପୁସ୍ତକରୁ ସେ ବହୁ ଅର୍ଥ ଉପାର୍ଜ୍ଜନ କରିଥିଲେ ଏବଂ ଚିରଦିନ ପାଇଁ ସୈନ୍ୟବାହିନୀରୁ ବିଦାୟ ନେଲେ । ବିଧବା ମାତାଙ୍କଠାରୁ ଆଉ ଅର୍ଥ ଗ୍ରହଣ ନ କରିବା ପାଇଁ ଶପଥ ନେଇ ସେ ସାମ୍ବାଦିକତାରୁ ପାଉଥିବା ଅର୍ଥରେ ଚଳିବାକୁ ଲାଗିଲେ । ସେଥିରୁ ସେ ନିଜର ଭରଣପୋଷଣ ପାଇଁ ଆବଶ୍ୟକୀୟ ଅର୍ଥ ଅପେକ୍ଷା ଅଧିକ ପାଉଥିବାରୁ ମଧ୍ୟ ମଧ୍ୟରେ ରାଜନୀତିରେ ଭାଗ ନେବା ପାଇଁ ସେ ଇଚ୍ଛା ପ୍ରକାଶ କଲେ । କୈଳିକ ପ୍ରଥା ଅନୁସାରେ ରାଜନୀତିରେ ଅଂଶଗ୍ରହଣ କରିବା ତାଙ୍କ ପକ୍ଷେ କିଛି ନୂତନ ଘଟଣା ନୁହେ । ଲଙ୍କାସାୟାର୍ସ୍ଥ ଓଲଡ଼୍ହାମ୍ ନିର୍ବାଚନରେ ଭାଗ ନେବାପାଇଁ ଆଗ୍ରହ ପ୍ରକାଶ କରି ସେ କାଠ ଦଳକୁ ସେହି ମର୍ମରେ ଅନୁରୋଧ ଜଣାଇଲେ ଏବଂ ସର୍ବପ୍ରଥମ ଥର ପାଇଁ ସେ ନିର୍ବାଚନରେ ଅଂଶ ଗ୍ରହଣ କଲେ । କିନ୍ତୁ ଲିବାରଲ୍ ଦଳ ଏଠାରେ ଅଧିକ ଦୃଢ଼ ଥିବାରୁ ସେ ପରାସ୍ତ ହେଲେ । ତତ୍ପରେ ତାଙ୍କର ରାଜନୈତିକ ଜୀବନ ଅଳ୍ପ କିଛିଦିନ ପାଇଁ ସ୍ଥଗିତ ରହିଲା । ମାତ୍ର ଚବିଶ ବର୍ଷ ବୟସରେ ସେ ଇଂଲଣ୍ଡର ଜଣାଶୁଣା ସାମ୍ବାଦିକ ଭାବରେ ପରିଚିତ ହୋଇ ସାରିଥିଲେ । ତେଣୁ ଦକ୍ଷିଣ ଆଫ୍ରିକାର ବୋଏର ଯୁଦ୍ଧବେଳେ ଜଣେ ସ୍ଵତନ୍ତ୍ର ସମ୍ବାଦଦାତା ଭାବରେ ତାଙ୍କୁ ସେଠାକୁ ପଠାଯାଇଥିଲା । ଉଇନଷ୍ଟନ୍ ଦକ୍ଷିଣ-ଆଫ୍ରିକାରେ ପହଞ୍ଚିଲାବେଳକୁ ଯୁଦ୍ଧ ସେପରି ଘନେଇ ନଥିଲା । ତଥାପି ସେତେବେଳେକୁ ବୋଏର ସେନା ପ୍ରାୟ ୧୫୦୦ ବ୍ରିଟିଶ ସୈନ୍ୟଙ୍କୁ ନିହତ ଓ ଗିରଫ କରିସାରିଥିଲେ । ଫଳରେ ସେଠାର ବ୍ରିଟିଶବାହିନୀ ରୀତିମତ ଏକ ଯୁଦ୍ଧପାଇଁ ପ୍ରସ୍ତୁତ ହେଲେ । ଉଇନଷ୍ଟନ୍ ଯୁଦ୍ଧକ୍ଷେତ୍ରକୁ ପ୍ରେରିତ ଏକ ସ୍ଵତନ୍ତ୍ର ଟ୍ରେନରେ ଗତିକରି ଅବସ୍ଥାକୁ ସ୍ଵଚକ୍ଷୁରେ ଦେଖିବାର ସୁଯୋଗ ଲାଭ କରିଥିଲେ । ତାଙ୍କ ଟ୍ରେନ୍‍ଟି ବୋଏର ସୈନ୍ୟବାହିନୀର ସମ୍ମୁଖୀନ ହେଲାବେଳେ ତାର ବହୁ କ୍ଷତି ଘଟିଥିଲା । ଯୁଦ୍ଧକ୍ଷେତ୍ରରେ ଉଇନଷ୍ଟନ୍ ନିଜେ ଟ୍ରେନରେ ନେଉଥିବା ସୈନ୍ୟଙ୍କର ସେନାପତି ଭଳି କାର୍ଯ୍ୟ କରିଥିଲ । ଏକ ସମୟରେ ବୋଏର ସୈନ୍ୟଙ୍କର ଘେରରେ ପଡ଼ି ଯାଇ ସେ ବାହୁରେ ଆଘାତ ପାଇଥିଲେ ଏବଂ ଯୁଦ୍ଧବନ୍ଦୀ ରୂପେ ଘୋଷିତ ହୋଇଥିଲେ । ଯୁଦ୍ଧାର୍ତ୍ତ ଅବସ୍ଥାରେ ତାଙ୍କୁ ମାଇଲ ମାଇଲ ଧରି ମାର୍ଚ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତଥାପି ସେ ବୀରତ୍ଵ ପ୍ରଦର୍ଶନ କରି ଉକ୍ତ ସେନାବାହିନୀର ପ୍ରଶଂସାର ପାତ୍ର ହେଲେ । ପ୍ରିଟୋରିଆ ସହରରେ ଯୁଦ୍ଧବନ୍ଦୀ ରୂପେ ତାଙ୍କୁ ରଖାଯାଇଥିଲା ଏବଂ ପାଶବିକ ବ୍ୟବହାର ପାଇ ସୁଦ୍ଧା ସେ ସେଠାରେ ମର୍ମାହତ ହୋଇନଥିଲେ । ତାଙ୍କର ବୁଦ୍ଧି କିଛି କମ୍ ନଥିଲା-। ଜେଲ୍ କର୍ମଚାରୀମାନଙ୍କର ଆଖିରେ ଧୂଳି ପକାଇ ସେ ଅକସ୍ମାତ୍ ଜେଲ ଭିତରୁ ଖସି ପକାଇ ଘୋର ଅରାଣ୍ୟାନୀ ମଧ୍ୟରେ ପ୍ରବେଶ କଲେ । ଅଜ୍ଞାତ ରାସ୍ତାରେ ଯାଉ ଯାଉ ସେ ଏକ ରେଳଷ୍ଟେସନରେ ହାଜର ହେଲେ ଏବଂ ସେଠାରୁ ଏକ ପଣ୍ୟବାହୀ ଟ୍ରେନରେ ବସି ଯାତ୍ରା ଆରମ୍ଭ କଲେ । କିନ୍ତୁ ଟ୍ରେନର ଗନ୍ତବ୍ୟ ସ୍ଥାନ ଅନୁସନ୍ଧାନ କରିବା ପାଇଁ ତାଙ୍କର ସମୟ ନଥିଲା । ଏ ମଧ୍ୟରେ ପ୍ରିଟୋରିଆ ଜେଲ୍ କର୍ତ୍ତୁପକ୍ଷ ଉଇନଷ୍ଟନଙ୍କ ଜୀବିତ ଅଥବା ମୃତ ଅବସ୍ଥାରେ ଧରି ଆସିବା ପାଇଁ ପୁରସ୍କାର ଘୋଷଣା କଲେ ।

 

ପଣ୍ୟବାହୀ ଟ୍ରେନ୍ ନିକଟତମ ଷ୍ଟେସନରେ ଅଟକିବା ପର୍ଯ୍ୟନ୍ତ ଉଇନଷ୍ଟନ୍ ଅପେକ୍ଷା କରିପାରିଲେ ନାହିଁ । ଚଳନ୍ତା ଟ୍ରେନରୁ ସେ ହଠାତ୍ ତଳକୁ ଲମ୍ଫ ପ୍ରଦାନ କରି ଅକ୍ଷତ ଶରୀରରେ ପୁଣି ଏକାକୀ ନିରୁଦ୍ଦିଷ୍ଟ ଭାବରେ ଚାଲିବାକୁ ଆରମ୍ଭ କଲେ । ପ୍ରଖର ସୂର୍ଯ୍ୟକିରଣ ସେବିତ ଅଗମ୍ୟ ରାସ୍ତା । ଖାଦ୍ୟପେୟ ଅଭାବରୁ ଶରୀର ଏଣେ କ୍ଳାନ୍ତ ଓ ଦୁର୍ବଳ । ଦିନସାରା ଚାଲିଚାଲି ପରିଶେଷରେ ସେ ଏକ କ୍ଷୁଦ୍ର ଗ୍ରାମ ନିକଟରେ ପହଞ୍ଚିଲେ ଏବଂ ସୈାଭାଗ୍ୟବଶତଃ ସେଠାରେ ଜଣେ ଇଂରେଜ ବ୍ୟକ୍ତିଙ୍କ ସହ ତାଙ୍କର ସାକ୍ଷାତ ହେଲା । ତାଙ୍କର ସହାୟତାରେ ସେ ଆଉ ଗୋଟିଏ ଟ୍ରେନ୍ ଧରି ପର୍ତ୍ତୁଗୀଜ ପୂର୍ବ ଆଫ୍ରିକାରେ ଆସି ପହଞ୍ଚିଲେ । ସେଠାରୁ ପୁଣି ବାହାରିପଡ଼ି ଡରବାନ୍ ସହରରେ ନିରାପଦରେ ଉପସ୍ଥିତ ହେଲେ । ଡରବାନ୍ ସହରରେ ଇଂରେଜୀ ସୈନ୍ୟମାନେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦେଇ ତାଙ୍କ ଜାତିର ଜଣେ ପରମ ଯୋଦ୍ଧା ବୋଲି ସ୍ଵୀକାର କଲେ । ସେହିଦିନଠାରୁ ସେ ସାମ୍ବାଦିକତା ପରିହାର କରି ପୁଣି ଥରେ ସୈନ୍ୟ ବାହିନୀରେ ଯୋଗ ଦେଲେ । ବୋଏର ଯୁଦ୍ଧର ଅବସାନ ପରେ ଇଂଲଣ୍ଡରେ ପୁଣି ଥରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ମୋଟେ ଛବିଶ ବର୍ଷ ବୟସରେ ସେ ଇଂଲଣ୍ଡର ଜଣେ ପ୍ରତିଷ୍ଠାବାନ ବ୍ୟକ୍ତି ରୂପେ ବେଶ୍ ପରିଚିତ ହୋଇପାରିଥିଲେ ।

 

ବୋଏର ଯୁଦ୍ଧରେ ବିଜୟ ଲାଭ ପରେ ପରେ ଇଂଲଣ୍ଡରେ ନିର୍ବାଚନ ଆରମ୍ଭ ହେଲା ଏବଂ ଉଇନଷ୍ଟନ୍ ଏଥିରେ ଅଂଶଗ୍ରହଣ ପାଇଁ ନିଷ୍ପତ୍ତି ନେଲେ । ଏଥିପୂର୍ବରୁ ନିର୍ବାଚନ ସମ୍ପର୍କରେ ତାଙ୍କର ଟିକିଏ ଅଭିଜ୍ଞତା ରହିଥିଲା । ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ତାଙ୍କୁ ପ୍ରାର୍ଥୀ ରୂପେ ମନୋନୀତ କରିବା ପାଇଁ ଉଦ୍ୟମ ହେଲା । ଜାଠ ଦଳର ପ୍ରାଧାନ୍ୟ ଥିବା ବହୁ ସହଜ ସାଧ୍ୟ ନିର୍ବାଚନ ମଣ୍ଡଳୀରୁ ଅନୁରୋଧ ପାଇଥିବା ସତ୍ତ୍ଵେ ଲିବରାଲ ଦଳର ପ୍ରାଧାନ୍ୟ ଥିବା ଏବଂ ପୂର୍ବେ ଲଢ଼ିଥିବା ଓଲଡହାମ୍ ନିର୍ବାଚନ ମଣ୍ଡଳୀରେ ପୁଣି ଥରେ ଲଢ଼ିବା ପାଇଁ ସେ ମନସ୍ଥ କଲେ ଏବଂ ସେଠାରେ ସେ ଶକ୍ତିଶାଳୀ ଲିବାରାଲ୍ ଦଳର ଆକ୍ରମଣର ସମ୍ମୁଖୀନ ହେଲେ । ପରିଶେଷରେ ମାତ୍ର ୨୨୨ ଭୋଟରେ ସେ ଜୟଲାଭ କଲେ । ନିର୍ବାଚନ ପରେ ତାଙ୍କର ବ୍ୟୟ ବହୁଳ ଜୀବନକୁ ଚଳାଇବା ପାଇଁ ପ୍ରଚୁର ଅର୍ଥ ଆବଶ୍ୟକ ହେଲା । ଫଳରେ ସେ ବୋଏର ଯୁଦ୍ଧ ଓ ତହିଁରେ ନିଜର ଅଂଶ ଗ୍ରହଣ ସମ୍ପର୍କରେ ବହୁ ଉପାଦେୟ ପ୍ରବନ୍ଧ ଲେଖିବା ଆରମ୍ଭ କରିବା ସଙ୍ଗେ ସଙ୍ଗେ ବିଲାତ ଓ ଆମେରିକାର ବହୁ ସ୍ଥାନରେ ଭାଷଣ ଦେଇ ଅର୍ଥ ରୋଜଗାର ପନ୍ଥାକୁ ସୁଗମ କରିବାରେ ଲାଗିଲେ-

 

୧୯୦୧ ମସିହା ଫେବୃୟାରୀ ମାସରେ ପାର୍ଲାମେଣ୍ଟ ସାଧାରଣ ସଭାର ସଭ୍ୟ ଭାବରେ ସେ ଶପଥ ନେଲେ । ତାଙ୍କର ପ୍ରଥମ ଭାଷଣକୁ ସଦସ୍ୟବର୍ଗ ଖୁବ୍ ଧ୍ୟାନ ଦେଇ ଶୁଣିଥିଲେ-। ପ୍ରଥମ ଭାଷଣରେ ହିଁ ସେ ନିଜର ଅସାଧାରଣ ଜ୍ଞାନର ପରିଚୟ ଦେଇ ଜାତୀୟ ବୀର ଭାବରେ ଆଦୃତ ହୋଇଥିଲେ । ପାର୍ଲାମେଣ୍ଟରେ ଭାଷଣ ଦେବା ପୂର୍ବଦିନ ସେ ଘରେ ନିଜ ଭାଷଣକୁ ଅଭ୍ୟାସ କରିଥିଲେ । ଭାଷଣଟି କ୍ଷୁଦ୍ର, ସାରଗର୍ଭକ ଓ ପ୍ରେରଣାଦାୟକ ଥିଲା । ବୁଦ୍ଧିମାନ ପିତାଙ୍କର ଯୋଗ୍ୟତମ ସନ୍ତାନ ଭାବରେ ଏଥର ତାଙ୍କର ପରିଚୟ ମିଳିଲା । ଲିବାରଲ୍ ଦଳର ଜଣେ ଟାଣୁଆ ନେତା ଲଏଡ୍ ଜର୍ଜ ତାଙ୍କ ପ୍ରତିଭାର ଖୁବ୍ ପ୍ରଶଂସା କରିଥିଲେ ।

 

ଆଉ କେତୋଟି ବର୍ଷ ମଧ୍ୟରେ ରାଜନୀତିଜ୍ଞ ଉଇନଷ୍ଟନ୍ ଜଣେ ଐତିହାସିକ ଭାବରେ ପ୍ରତିଷ୍ଠା ପାଇବାକୁ ଲାଗିଲେ । ପିତା ରାଣ୍ଡଲଫଙ୍କର ଜୀବନ ସମ୍ବଳିତ ଦୁଇଖଣ୍ଡି ପୁସ୍ତକ ରଚନା କରି ସାହିତ୍ୟକମାନଙ୍କଦ୍ଵାରା ସେ ଆଦୃତ ହେବାକୁ ଲାଗିଲେ ।

 

ଜୀବନର ପ୍ରତ୍ୟେକ ମୃହୂର୍ତ୍ତରେ ସେ ପ୍ରତିଯୋଗିତାର ସମ୍ମୁଖୀନ ହେଲା ଭଳି ବୋଧ କରୁଥିଲେ । ପାର୍ଲାମେଣ୍ଟର କେତେଜଣ ସଦସ୍ୟ ତାଙ୍କର ଲୋକପ୍ରିୟତା ଫଳରେ ଈର୍ଷାନ୍ୱିତ ହୋଇପଡ଼ିଥିଲେ । ତାଙ୍କ ପିତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅର୍ଥନୈତିକ କ୍ଷେତ୍ରରେ ମୁକ୍ତ ଓ ଅବାଧ ବାଣିଜ୍ୟ (Free Trade) ନୀତିକୁ ଅନୁମୋଦିନ କଲେ ଏବଂ ଲିବରାଲ ଦଳଦ୍ଵାରା ସମର୍ଥିତ ଆର୍ଥିକ ସୁରକ୍ଷା (Protecton) ନୀତିର ବିରୋଧରେ ମତବ୍ୟକ୍ତ କଲେ । ବିଲାତର ଜଣେ ବିଶିଷ୍ଟ ବ୍ୟବସ୍ଥାପକ ଲର୍ଡ ଚେମ୍ୱେରଲିନ୍ ରାଜନୈତିକ ଜୀବନରେ ଉଇନଷ୍ଟନଙ୍କର ବିରୋଧ କରୁଥିଲେ ମଧ୍ୟ ପାର୍ଲାମେଣ୍ଟ ସଭାରେ ତାଙ୍କ ବ୍ୟକ୍ତିତ୍ଵର ଭୁରିଭୁରି ପ୍ରଶଂସା କରୁଥିଲେ । କିନ୍ତୁ ତାଙ୍କର ମୁକ୍ତ ଓ ଅବାଧ ବାଣିଜ୍ୟ ନୀତି ଟୋରୀମାନଙ୍କ ପକ୍ଷେ ମୋଟେ ଗ୍ରହଣଯୋଗ୍ୟ ହେଲାନାହିଁ ଏବଂ ଫଳରେ ସେମାନଙ୍କ ସହ ତାଙ୍କର ପ୍ରକାଶ୍ୟ କଳହର ସୂତ୍ରପାତ ହେଲା । ଉଇନଷ୍ଟନ୍ ଟୋରୀ ପାର୍ଟିର ସାମରିକ ଓ ବଜେଟ ନୀତିର ଘୋର ବିରୋଧ କରି ଚେମ୍ୱେରଲିନ୍ ଓ ବାଲଫୋର ପ୍ରଭୃତିଙ୍କୁ କଟୁ ଭାଷାରେ ସମାଲୋଚନା କରିବାରେ ଲାଗିଲେ । ଏକଦା ତାଙ୍କର କଟୁ ବାକ୍ୟରେ ବିବ୍ରତ ହୋଇ ବାଲଫୋର ଏବଂ ତାଙ୍କ ସମର୍ଥକମାନେ ପାର୍ଲାମେଣ୍ଟ ଭବନ ତ୍ୟାଗ କରି ପଳାଇ ଯାଇଥିଲେ । ଓଲଡ଼ହାମ୍ ନିର୍ବାଚନ ମଣ୍ଡଳୀରେ ତାଙ୍କ ବିରୋଧୀଙ୍କ ସଂଖ୍ୟ ବୃଦ୍ଧି ପାଇବାକୁ ଲାଗିଲା-। ୧୯୦୫ ମସିହା ନିର୍ବାଚନରେ କାମ୍ବେଲ-ବାନେରମାନ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ରୂପେ ନିର୍ବାଚିତ ହେଲେ ଏବଂ ସେ ଉଇନଷ୍ଟନଙ୍କୁ ଉପନିବେଶ ବିଭାଗୀୟ ଅଣ୍ଡର ସେକ୍ରେଟେରୀ ଭାବରେ ଗ୍ରହଣ କଲେ । ଏଥର ତାଙ୍କୁ ସରକାରୀ ବେଞ୍ଚରେ ଉପସ୍ଥିତ ରହିବାକୁ ପଡ଼ିଲା । ସରକାରୀ ବେଞ୍ଚରେ ରହି ବିରୋଧୀ ଦଳର ପଶ୍ନର ଉତ୍ତର ଦେବାରେ ସେ ଖୁବ୍ ସଫଳତା ହାସଲ କଲେ । ୧୯୦୭ ମସିହାରେ ପ୍ରିଭି କାଉନସିଲର ଭାବେ ବିଲାତ ରାଜା ତାଙ୍କୁ ନିଯୁକ୍ତି ଦେଲେ ।

 

ଯେ କୌଣସି କ୍ଷେତ୍ରରେ ସଫଳତା ହାସଲ କରିବାକୁ ହେଲେ କଠିନ ଶ୍ରମ କରିବାକୁ ହିଁ ପଡ଼ିବ । ଉଇନଷ୍ଟନ୍ ଏକଥା ବରାବର ମନେ ରଖିଥିଲେ । କ୍ଲେମେଣ୍ଟାଇନ୍ ନାମକ ଏକ ପରମ ରୂପବତୀ ସ୍କଟଲାଣ୍ଡ ଯୁବତୀ ତାଙ୍କୁ ଖୁବ୍ ଭଲ ପାଇଥିଲେ ଏବଂ ୧୯୦୮ ମସିହା ସେପ୍ଟେମ୍ବର ମାସ ୧୨ତାରିଖରେ ସେ ଉଇନଷ୍ଟଟନଙ୍କୁ ବିବାହ କରିଥିଲେ । ବିବାହର ଚଉଦ ବର୍ଷ ମଧ୍ୟରେ ଉଇନଷ୍ଟନ୍ ପାଞ୍ଚଗୋଟି ସନ୍ତାନର ପିତା ହୋଇଥିଲେ । ୧୯୧୦ ମସିହାରେ ସେ ବିଲାତର ଘରୋଇ ବିଭାଗକୁ ସ୍ଥାନାନ୍ତରିତ ହେଲେ ଏବଂ ସେହି ସମୟରେ ସେ ଶ୍ରମିକ ଆନ୍ଦୋଳନଗୁଡ଼ିକୁ ଖୁବ୍ ସୁନ୍ଦରଭାବେ ଆୟତ୍ତ କରି ପାରିଥିଲେ । ଲର୍ଡ ସଭାର ସଦସ୍ୟମାନଙ୍କୁ ସେ ଅନ୍ତର ଭିତରୁ ଭଲ ପାଉ ନଥିଲେ; କାରଣ ନିର୍ବାଚିତ ହେଉନଥିବାରୁ ସେମାନେ ଜନତାର ସୁଖ ସୁବିଧା ପ୍ରତି ସର୍ବଦା ଉଦାସୀନ ରହୁଥିଲେ । ଆସ୍କୁଇଥ୍ ଏବଂ ଲଏର୍ଡ ଜର୍ଜ ଉଇନଷ୍ଟନଙ୍କ ବହୁ କାର୍ଯ୍ୟକୁ ସମର୍ଥନ ଜଣାଉଥିଲେ । ଲଏର୍ଡ ଜର୍ଜ ଓ ଉଇନଷ୍ଟନଙ୍କର ଚିନ୍ତାଧାରାରେ ବହୁ ସାମଞ୍ଜସ୍ୟ ରହିଥିଲା । ୧୯୧୧ ମସିହାରେ ଉଇନଷ୍ଟନ୍ ବିଲାତର ପ୍ରତିରକ୍ଷା ମନ୍ତ୍ରୀଭାବେ ନିଯୁକ୍ତି ପାଇଲେ ଏବଂ ତାଙ୍କର ମନ୍ତ୍ରିତ୍ଵ ମଧ୍ୟରେ ସେ ଦେଶର ପ୍ରତିରକ୍ଷା ବାହିନୀକୁ ଟରପେଡ଼ୋବାହୀ ସବମେରିନ୍ ଏବଂ ଉଡ଼ାଜାହାଜ ପରିଚାଳନାରେ ଅଭ୍ୟସ୍ତ କରାଇଥିଲେ । ତାଙ୍କରି ଆନ୍ତରିକ ଉଦ୍ୟମ ଫଳରେ ବିଲାତର ରୟାଲ ନେଭାଲ ଏୟାର ସର୍ଭିସ ପ୍ରତିଷ୍ଠିତ ହେଲା । ବିଶ୍ଵରେ ପ୍ରଥମ ଥର ପାଇଁ ସେ ଉଡ଼ାଜାହାଜ ଦ୍ଵାରା ମେସିନଗନ୍ ଏବଂ ଅନ୍ୟାନ୍ୟ ଅସ୍ତ୍ର ପ୍ରେରଣର ବ୍ୟବସ୍ଥା କରାଇଥିଲେ । ଟ୍ୟାଙ୍କ ପ୍ରଭୃତି ଯୁଦ୍ଧାସ୍ତ୍ର ନିର୍ମାଣ ଓ ବିକାଶ ଦିଗରେ ମଧ୍ୟ ତାଙ୍କର ଏକ ବିଶିଷ୍ଟ ଭୂମିକା ରହିଥିଲା ।

 

ପ୍ରଥମ ବିଶ୍ଵ ସମର ଉଇନଷ୍ଟନଙ୍କ ସର୍ବତ୍ର ପରିଚିତ କରିପାରିଥିଲା । ବିଲାତର ନୌବାହିନୀ ଏ ମଧ୍ୟରେ ଏକ ଉନ୍ନତ ସୋପାନରେ ପହଞ୍ଚି ପାରିଥିଲା । ଜର୍ମାନୀ ବାହିନୀର ରୁଷ ଅଭିଯାନ ସମ୍ପର୍କରେ ସେ ବେଶ୍ ଅନୁଭୂତି ଅର୍ଜ୍ଜନ କରିଥିଲେ ଏବଂ ଗାଲିପୋଲି ଆନ୍ଦୋଳନକୁ ଆଶ୍ଚର୍ଯ୍ୟଜନକ ଭାବରେ ଆୟତ୍ତ କରିପାରିଥିଲେ । ଯୁଦ୍ଧବେଳେ ସେ ନୌବାହିନୀର ଜଣେ ଉପଦେଷ୍ଟା ଭାବେ କାର୍ଯ୍ୟ କରିଥିଲେ । ଗାଲିପୋଲି ଆନ୍ଦୋଳନରେ ବ୍ରିଟିଶ ସେନାବାହିନୀର ଯେଉଁ ସବୁ କ୍ଷତି ଘଟିଲା, ସେଥିପାଇଁ କେତେକ ରାଜନୈତିକ ଦଳ ଉଇନଷ୍ଟନଙ୍କୁ ଦାୟୀକରି ତାଙ୍କର ଇସ୍ତଫା ଦାବୀ କଲେ । ଫଳରେ ସଙ୍ଗେ ସଙ୍ଗେ ସେ ଇସ୍ତଫା ଦେଇ ଜଣେ କଲୋନେଲ୍ ଭାବରେ ସୈନ୍ୟବାହିନୀରେ ଯୋଗ ଦେଲେ । ତାଙ୍କୁ ପୁଣିଥରେ କେବିନେଟରେ ରଖିବା ପାଇଁ ଲଏଡ୍‍ ଜର୍ଜ ଯେଉଁ ଉଦ୍ୟମ କଲେ ବହୁ ନେତା ଓ ଖବର କାଗଜ ତାର ଘୋର ପ୍ରତିବାଦ କଲେ । ତଥାପି ପ୍ରତିକୂଳ ରାଜନୈତିକ ପରିସ୍ଥିତି ମଧ୍ୟରେ ସେ ତାଙ୍କୁ ନିଜର କେବିନେଟରେ ଭର୍ତ୍ତି କଲେ । ଏଥର ମଧ୍ୟ ସେ ପ୍ରତିରକ୍ଷା ଦାୟିତ୍ଵ ବହନ କଲେ । ସୋଭିଏଟ୍ ରୁଷରେ ବଲସେଭିକମାନଙ୍କର ବିରୁଦ୍ଧରେ ଯୁଦ୍ଧଘୋଷଣା କରିଥିବା ୱାଇଟ୍ ଗାର୍ଡମାନଙ୍କୁ ସାମରିକ ସାହାଯ୍ୟ ଦେବା ନିମିତ୍ତ ସେ ଯେଉଁ ନିଷ୍ପତ୍ତି ନେଲେ, ଲଏର୍ଡ ଜର୍ଜ ମଧ୍ୟ ତାହା ଅନୁମୋଦନ କଲେ । ପରବର୍ତ୍ତୀ ସମୟରେ ତେଣୁ ସେ ରୁଷର ସାମ୍ୟବାଦୀ ଶାସନକର୍ତ୍ତୃପକ୍ଷଙ୍କ ଦ୍ଵାରା ଘୋର ସମାଲୋଚିତ ହୋଇଥିଲେ ।

 

୧୯୨୧ ମସିହା ଜୁନ୍ ମାସରେ ଉଇନଷ୍ଟନଙ୍କର ମାତା ଲେଡି ରାଣ୍ଡଲଫ୍ ଇହଧାମରୁ ବିଦାୟ ନେଲେ । ମାତାଙ୍କୁ ସେ ଯଥେଷ୍ଟ ସମ୍ମାନ ଦେଉଥିଲେ । ବିଲାତର ଉପନିବେଶ ମନ୍ତ୍ରୀ ଭାବରେ ସେ ଏସିଆ, ଆଫ୍ରିକା ଓ ମଧ୍ୟ-ପ୍ରାଚ୍ୟରେ ଥିବା ବ୍ରିଟିଶ ଉପନିବେଶଗୁଡ଼ିକର ସମସ୍ୟାଗୁଡ଼ିକ ଅନୁଧ୍ୟାନ କରିଥିଲେ ଏବଂ ଗ୍ରୀସ୍ ଓ ତୁର୍କୀ ମଧ୍ୟରେ ଲାଗିଥିବା ଯୁଦ୍ଧର ଅବସାନ ଲାଗି ଉଦ୍ୟମ କରିଥିଲେ । ତାଙ୍କର ଗଭୀର କୂଟନୀତି ଫଳରେ ମୁସ୍ତାଫା କେମାଲ ଭଳି ଜଣେ ଦୁର୍ଦ୍ଦାନ୍ତ ସେନାପତି ମଧ୍ୟ ହାର ମାନିଥିଲେ ।

 

ପରବର୍ତ୍ତୀ ନିର୍ବାଚନରେ ଶ୍ରମିକ ଦଳର ନେତା ରାମସେ ମାକଡୋନାଲ୍‍ଡ ପ୍ରଧାନମନ୍ତ୍ରୀ ରୂପେ ନିର୍ବାଚିତ ହେଲେ ଏବଂ ଆସ୍ କୁଇଥଙ୍କ ସହାୟତାରେ ଏକ ମିଳିତ ମନ୍ତ୍ରିମଣ୍ଡଳ ଗଠନ କଲେ-। କିନ୍ତୁ ଏଥିରେ ଚର୍ଚ୍ଚିଲଙ୍କ ସ୍ଥାନ ରହିଲା ନାହିଁ । ଫଳରେ ସେ ଲିବରାଲ ଦଳ ପରିତ୍ୟାଗ କରିବାକୁ ବାଧ୍ୟ ହେଲେ । ତତ୍ପରେ ସେ କେତେକ ଅସନ୍ତୁଷ୍ଟ ରାଜନୀତିଜ୍ଞଙ୍କୁ ନେଇ ସାମ୍ବିଧାନିକ ଦଳ ନାମରେ ଏକ ସ୍ଵାଧୀନ ଦଳ ଗଠନ କଲେ । କିନ୍ତୁ ପରବର୍ତ୍ତୀ ନିର୍ବାଚନରେ ସେ ତାଙ୍କ ପ୍ରତିଦ୍ଵନ୍ଦୀଙ୍କଠାରୁ ମାତ୍ର ୪୩ଟି ଭୋଟରେ ପରାସ୍ତ ହେଲେ । ଏହିପରି ଭାବରେ ଆଉ ଦୁଇଥର ପରାସ୍ତ ହେବା ପରେ ସେ ପୁଣି ଥରେ ପାର୍ଲାମେଣ୍ଟ ସଭ୍ୟ ଭାବରେ ନିର୍ବାଚିତ ହେଲେ । ଏଥର ସେ ବିଲାତର ଅର୍ଥମନ୍ତ୍ରୀ ଭାବରେ ମନ୍ତ୍ରିମଣ୍ଡଳରେ ଯୋଗ ଦେଲେ । ଅର୍ଥମନ୍ତ୍ରୀ ଭାବରେ ସେ ଦେଶର ମୁଦ୍ରାନୀତି ଓ ସ୍ଵର୍ଣ୍ଣନୀତି ନିର୍ଣ୍ଣୟବେଳେ ବଳିଷ୍ଠ ପଦକ୍ଷେପ ମାନ ନେଇଥିଲେ । କିନ୍ତୁ ତାଙ୍କର କେତେକ ପଦକ୍ଷେପ ଲର୍ଡ କେନସ୍ ପ୍ରଭୃତି ଅର୍ଥନୀତିଜ୍ଞମାନଙ୍କୁ ସନ୍ତୁଷ୍ଟ କରିପାରିଲା ନାହିଁ ।

 

ଭାରତବର୍ଷ ସମ୍ପର୍କରେ ଉଇନଷ୍ଟନ୍ ଚର୍ଚ୍ଚିଲଙ୍କର ଭ୍ରମାତ୍ମକ ଧାରଣା ରହିଥିଲା ଏବଂ ମହାତ୍ମାଗାନ୍ଧୀଙ୍କୁ ଅର୍ଦ୍ଧନଗ୍ନ ଫକୀର ବୋଲି କହି ସେ ଉପହାସ କରୁଥିଲେ । ୧୯୩୧ ବେଳକୁ ସେ ଷାଠିଏ ବର୍ଷରେ ପଦାର୍ପଣ କରିଥିଲେ । ରାଜନୈତିକ ଜୀବନରେ ଏକ ପ୍ରକାର ଅବସାନ ଘଟାଇ ସେ ସାହିତ୍ୟ ଚର୍ଚ୍ଚାରେ ମନୋନିବେଶ କରିଥିଲେ । ତାଙ୍କର ବିବାହ ଜୀବନ ପର୍ଯ୍ୟନ୍ତ ଘଟିଥିବା ସମସ୍ତ ଘଟଣାକୁ ନେଇ “My Early Life” ନାମକ ଖଣ୍ଡିଏ ବହି ସେ ଲେଖିଥିଲେ ଏବଂ ପତ୍ରପତ୍ରିକାମାନଙ୍କୁ ବହୁ ପ୍ରବନ୍ଧ ପଠାଇ ଲେଖକମାନଙ୍କୁ ଏକରକମ ତଟସ୍ଥ କରି ପକାଇଥିଲେ ।

 

ଏ ମଧ୍ୟରେ ଜର୍ମାନୀ ଶାସନ କ୍ଷେତ୍ରରେ ଏକ ବଡ଼ ଧରଣର ପରିବର୍ତ୍ତନ ଘଟିଲା । ସମ୍ବିଧାନକୁ ଜଳାଞ୍ଜଳି ଦେଇ ହିଟଲର୍ ଜର୍ମାନୀର ଚାନସଲାର ରୂପେ ନିଜକୁ ଘୋଷଣା କଲେ ଏବଂ ସଙ୍ଗେ ସଙ୍ଗେ ସେ କମ୍ୟୁନିଷ୍ଟ ଓ ଇହୁଦୀମାନଙ୍କ ବିରୁଦ୍ଧରେ ତୀବ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ । ହିଟଲରଙ୍କର ଆବିର୍ଭାବ ବ୍ରିଟିଶ ଶାସନ ପାଇଁ ଏକ ଭୟାନକ ବିପଦ ବୋଲି ଉଇନଷ୍ଟନଙ୍କର ହୃଦବୋଧ ହେଲା । ଫଳରେ ଦେଶର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସେ ତତ୍କାଳୀନ ମନ୍ତ୍ରିମଣ୍ଡଳକୁ ସତର୍କ କରାଇଦେଲେ । କିନ୍ତୁ ସେତେବେଳେ ପାର୍ଲାମେଣ୍ଟ ସଦସ୍ୟମାନେ ତାଙ୍କ ପରାମର୍ଶର ଗୁରୁତ୍ଵ ବୁଝି ପାରିଲେ ନାହିଁ । ଲେଡି ଆଷ୍ଟର ନାମକ ଜନୈକ ମହିଳା ଉଇନଷ୍ଟନଙ୍କ ପ୍ରତି ଘୋର ଶତ୍ରୁତା ଆଚରଣ କରୁଥିଲେ । ସେ ଯଦି ଉଇନଷ୍ଟନଙ୍କର ପତ୍ନୀଥାନ୍ତେ ତେବେ କଫିରେ ବିଷଦେଇ ତାଙ୍କୁ ମାରିଦେଇଥାନ୍ତେ ବୋଲି ଏକ ସମୟରେ ସେ ଏକ ପ୍ରକାଶ୍ୟ ଘୋଷଣା କରିଥିଲେ । ଉଇନଷ୍ଟନ୍ ସେଥିରେ ବିବ୍ରତ ନହୋଇ କହିଥିଲେ ଯେ ସେ ଯଦି ଲେଡି ଆଷ୍ଟର୍ଙ୍କର ସ୍ଵାମୀଥାନ୍ତେ ତେବେ ଉକ୍ତ ବିଷମିଶ୍ରିତ କଫିକୁ ଅମୃତ ମନେକରି ପାନ କରିଥାନ୍ତେ-

 

ଜର୍ମାନୀ ଏବଂ ହିଟଲର୍ଙ୍କ ସମ୍ପର୍କରେ ଲଏଡ୍‍ ଜର୍ଜ ପ୍ରଭୁତି ବିଲାତ ନେତାଙ୍କର ମନୋଭାବ ଭ୍ରମାତ୍ମକ ବୋଲି ପ୍ରକାଶ କରି ସେ ଏକ ବାସ୍ତବ ନୀତି ବୟାନ କଲେ । ୧୯୩୬ରେ ଜର୍ମାନୀ ଉଡ଼ାଜାହାଜ ନିର୍ମାଣରେ ଆଶାତୀତ ସଫଳତା ଲାଭକଲା । ଏଥର ଉଇନଷ୍ଟନଙ୍କର ସତର୍କତା ପ୍ରତି ବିଲାତବାସୀ ଧ୍ୟାନ ଦେବାକୁ ଲାଗିଲେ । ଷଷ୍ଠ ଜର୍ଜ ଗାଦିକୁ ଆସିବା ପରେ ସେ ଚେମ୍ବରଲିନଙ୍କୁ ପ୍ରଧାନମନ୍ତ୍ରୀ ରୂପେ ନିଯୁକ୍ତ କଲେ । କିନ୍ତୁ ଉଇନଷ୍ଟନଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଲା ନାହିଁ । ଉଇନଷ୍ଟନ୍ କିନ୍ତୁ ଅଧୈର୍ଯ୍ୟ ହେବାର ବ୍ୟକ୍ତି ନଥିଲେ । ଏହି ସମୟରେ ହିଟଲରଙ୍କର ସୈନ୍ୟବାହିନୀ ହଠାତ୍ ଅଷ୍ଟ୍ରିଆ ଅଧିକାର କରି ଚେକୋସ୍ଳୋଭାକିଆ ଅଧିକାର ପାଇଁ ସଜବାଜ ହୋଇ ଗଲେ । ଚେମ୍ବେରଲିନ୍ ହିଟଲରଙ୍କୁ ସନ୍ତୁଷ୍ଟ କରିବା ପାଇଁ ଯେଉଁ ନୀତି ଅବଲମ୍ବନ କଲେ, ତାହାକୁ ବିଲାତବାସୀ ଗ୍ରହଣ କରିପାରିଲେ ନାହିଁ । ଫଳରେ ଉଇନଷ୍ଟନ୍ ଲୋକପ୍ରିୟତା ଅର୍ଜ୍ଜନ କରିବାରେ ଲାଗିଲେ । ଚେକୋସ୍ଳୋଭାକିଆର ପତନ ଏବଂ ଚେମ୍ବେରଲିନଙ୍କ ବ୍ୟର୍ଥତା ପରେ ଉଇନଷ୍ଟନଙ୍କୁ ମନ୍ତ୍ରିମଣ୍ଡଳରେ ନିଆଯିବା ସପକ୍ଷରେ ମତାମତ ପ୍ରକାଶ ପାଇଲା । ରୁଷ ସହିତ ହିଟଲରଙ୍କର ଅନାକ୍ରମଣ ଚୁକ୍ତି ଓ ପୋଲାଣ୍ଡ ଅଧିକାର ପରେ ଇଂଲଣ୍ଡ ପ୍ରତି ବିପଦ ଘନେଇ ଆସିଲା । ଫଳରେ ତ୍ରାଣକର୍ତ୍ତା ଭାବରେ ଉଇନଷ୍ଟନଙ୍କୁ ଜନତା ଆହ୍ୱାନ କଲେ ଏବଂ ଚେମ୍ବେରଲିନଙ୍କର ଅନୁରୋଧ ରକ୍ଷାକରି ସେ ପୁଣି ଥରେ ପ୍ରତିରକ୍ଷା ମନ୍ତ୍ରୀଭାବରେ ମନ୍ତ୍ରିମଣ୍ଡଳରେ ଯୋଗଦେଲେ ।

 

ରୁଷ ଯୁଦ୍ଧରେ ଯୋଗଦାନ କରିବା ପରେ ଯୁଦ୍ଧର ଆକାର ପରିବର୍ତ୍ତିତ ହେଲା । ବାସ୍ତବିକ କେବଳ ଚର୍ଚ୍ଚିଲ ହିଁ ତ୍ରାଣକର୍ତ୍ତା ଭାବରେ ଉଭା ହେଲେ । ବିଲାତର ବିରାଟ ଆକାଶ ଓ ନୌବାହିନୀ ହିଟଲରଙ୍କର ଆକ୍ରମଣର ସମ୍ମୁଖୀନ ହେଲେ । ଏ ମଧ୍ୟରେ ହିଟଲର ହଲାଣ୍ଡ, ବେଲଜିଅମ, ଡେନମାର୍କ ପ୍ରଭୁତି କେତେକ ରାଜ୍ୟ ଦଖଲ କରି ସାରିଥିଲେ । ଫଳରେ ଛଅଷଠୀ ବର୍ଷ ବୟସରେ ସଫଳ ଯୁଦ୍ଧଚାଳକ ଉଇନଷ୍ଟନଙ୍କୁ ପ୍ରଧାନମନ୍ତ୍ରୀ ଦାୟିତ୍ଵ ଅର୍ପଣ କରାଗଲା ଏବଂ ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସେ ଏକ ବିରାଟ ଦାୟିତ୍ଵ ବହନ କଲେ । ତାଙ୍କର ଅଗ୍ନୀମୟୀ ଭାଷଣରେ ସେ ବ୍ରିଟିଶ ଜାତିକୁ ଜାଗ୍ରତ କଲେ ଏବଂ ଐକ୍ୟବଦ୍ଧ ଇଂରେଜ ଜାତି ଭୌଗୋଳିକ ଅଖଣ୍ଡତାର ସୁରକ୍ଷା ପାଇଁ ହିଟଲର‍ଙ୍କ ଉଦ୍ୟମକୁ ବ୍ୟର୍ଥ କରିବା ନିମିତ୍ତ ଶପଥ ନେଲେ । ଚର୍ଚ୍ଚିଲଙ୍କ ନେତୃତ୍ଵ ବ୍ରିଟିଶ ଜାତିକୁ ବହୁଗୁଣରେ ବଳୀୟାନ କଲା । ତାଙ୍କରି ଉଦ୍ୟମ ଫଳରେ ମ୍ୟୁନିକ ଚୁକ୍ତିଭୁକ୍ତ କେତେକ ରାଷ୍ଟ୍ର ଜର୍ମାନୀ ବିରୁଦ୍ଧରେ ଖଡ଼ଗହସ୍ତ ହେଲେ । ତାଙ୍କର ସଫଳ କୂଟନୀତି ଫଳରେ ଜେନେରାଲ ଫ୍ରାଙ୍କୋ ହିଟଲରଙ୍କୁ ସମର୍ଥନ ନକରି ନିରପେକ୍ଷତା ଘୋଷଣା କଲେ ଏବଂ ପ୍ରେସିଡେଣ୍ଟଫାଙ୍କଲିନ୍ ରୁଜଭେଲଟ ସବୁ ପ୍ରକାର ସାମରିକ ସାହାଯ୍ୟ ଦେବା ପାଇଁ ପ୍ରତିଶ୍ରୁତି ଦେଲେ । ଚର୍ଚ୍ଚିଲଙ୍କର ଯୁଦ୍ଧକାଳୀନ ପରାମର୍ଶକୁ ଆମେରିକା ନେତାମାନେ ବିଶେଷତ୍ଵ ଦେଇଥିଲେ-। ତାଙ୍କର ଯୁଦ୍ଧକାଳୀନ ବକ୍ତୃତା ବିଲାତବାସୀଙ୍କ ମନରେ ଅଶ୍ରୁତପୂର୍ବ ଜାତୀୟତା ଜାଗ୍ରତ କଲା-। ବିଲାତବାସୀ ସବୁଦିନ ପାଇଁ ଅଜେୟ ବୋଲି ସେ ବଜ୍ରକଣ୍ଠରେ ଘୋଷଣା କରି ହିଟଲରଙ୍କର ପତନ ଘଟାଇବା ଦିଗରେ ସବୁପ୍ରକାର ତ୍ୟାଗ ସ୍ଵୀକାର ଲାଗି ଦେଶବାସୀଙ୍କୁ ଆହ୍ଵାନ କଲେ-। ଫଳରେ ଯୁଦ୍ଧର ବିଭିନ୍ନ ପ୍ରାନ୍ତରେ ବ୍ରିଟିଶ ସୈନ୍ୟବାହିନୀ ଶେଷ ରକ୍ତ ବିନ୍ଦୁ ଦେଇ ଶତ୍ରୁ ବିରୁଦ୍ଧରେ ଯୁଦ୍ଧ ଚଳାଇଲେ । ଏପରି ସମୟ ଆସିଲା ଯେତେବେଳେ ରୁଜଭେଲଟ, ଡିଗଲ ଓ ଷ୍ଟାଲିନ୍ ଚର୍ଚ୍ଚିଲଙ୍କର ପରାମର୍ଶକୁ ବେଦବାକ୍ୟ ଭଳି ଗ୍ରହଣ କଲେ । ତେହେରାନଠାରେ ସେ ଷ୍ଟାଲିନ ଓ ରୁଜଭେଲଟଙ୍କୁ ସାକ୍ଷାତ କରି ହିଟଲରଙ୍କ ବିରୁଦ୍ଧରେ ଏକ ସଂଘବଦ୍ଧ ଆକ୍ରମଣର ପଥ ପରିଷ୍କାର କଲେ । ତେହେରାନ୍ କଥାବାର୍ତ୍ତା ଓ ତତ୍ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଜର୍ମାନୀ ସେନାଙ୍କର ନୈତିକବଳ ହ୍ରାସ କଲା । ଆମେରିକା ଓ ରୁଷିଆ ଯୁଦ୍ଧରେ ପ୍ରତ୍ୟକ୍ଷ ଭାବରେ ଯୋଗଦେବା ଫଳରେ ଅବସ୍ଥାର ପରିବର୍ତ୍ତନ ଘଟିଲା ଏବଂ ଯୁଦ୍ଧର ଫଳାଫଳ ବିଲାତର ସପକ୍ଷରେ ଗଲା । ୟାଲଟାଠାରେ ବୃହତ୍ ଶକ୍ତିତ୍ରୟ ପୁଣି ଥରେ ବୈଠକରେ ମିଳିତ ହୋଇ ହିଟଲରଙ୍କର ସ୍ୱପ୍ନର ସାମ୍ରାଜ୍ୟକୁ ପରିଶେଷରେ ଚୂର୍ଣ୍ଣୀଭୂତ କଲେ ।

 

୧୯୪୫ ମସିହା ଜୁଲାଇରେ ବିଲାତରେ ନିର୍ବାଚନ ଅନୁଷ୍ଠିତ ହେଲା । ଯୁଦ୍ଧରେ ଜୟ ଲାଭ ହେତୁ ଉତ୍ସାହୀ ଚର୍ଚ୍ଚିଲ ନିର୍ବାଚନରେ ବିଜୟୀ ହେବା ପାଇଁ ଆଶାନ୍ୱିତ ହେଲେ । ଶ୍ରମିକ ଦଳର ନେତା ଅଟଲି କିନ୍ତୁ ନିର୍ବାଚନ ଇସ୍ତାହାରରେ ବହୁ ମୌଳିକ ଶିଳ୍ପ ଓ ବ୍ୟବସାୟକୁ ଜାତୀୟକରଣ କରିବା ବ୍ୟବସ୍ଥା ଗ୍ରହଣ କରି ଶ୍ରମିକ ଓ ସୈନ୍ୟବାହିନୀକୁ ନିଜପଟକୁ ଆକୃଷ୍ଟ କରି ପକାଇଲେ । ସତକୁ ସତ ଅଟଲିଙ୍କର ବିଜୟ ଘଟିଲା । ସତୁରୀ ବର୍ଷ ବୟସରେ ଚର୍ଚ୍ଚିଲ ପୁଣି ଥରେ ନିର୍ବାଚନ ଧକ୍କା ଲାଭ କଲେ । କିନ୍ତୁ ବିରୋଧୀ ଦଳର ନେତା ଭାବରେ ସେ ଅତ୍ୟନ୍ତ ସକ୍ରିୟ ଥିଲେ ଏବଂ ତାଙ୍କର ସମାଲୋଚନା ବିଲାତବାସୀଙ୍କୁ ଅତ୍ୟନ୍ତ ଫଳପ୍ରଦ ହେଲା । ଯୁଦ୍ଧ ପରେ ପରେ ଚର୍ଚ୍ଚିଲ ରାଜନୀତିରୁ ଅବସର ନେବା ଉଚିତ ଥିଲାବୋଲି ଅନେକେ ମନେ କରୁଥିଲେ । କିନ୍ତୁ ଜାଠ ଦଳର ସ୍ଥିତି ତାଙ୍କରି ଉପରେ ବହୁ ପରିମାଣରେ ନିର୍ଭର କରୁଥିବାରୁ ସେ ରାଜନୀତି ଛାଡ଼ି ପାରିଲେ ନାହିଁ । ଆଗତ ନିର୍ବାଚନରେ ପୁଣି ଥରେ ଜାଠଦଳକୁ ଜୟଯୁକ୍ତ କରିବା ଥିଲା ତାଙ୍କର ଅଭିଳାଷ । ଅସ୍ଥିର ଅର୍ଥନୀତି ଓ ବୈଦେଶିକ ଋଣ ଇତ୍ୟାଦି କେତେକ ପ୍ରଶ୍ନ ଶ୍ରମିକ ସରକାରଙ୍କୁ ଅତ୍ୟନ୍ତ ବିବ୍ରୃତ କରି ପକାଇଲା । ଫଳରେ ୧୯୫୧ ନିର୍ବାଚନରେ ଶ୍ରମିକ ଦଳ ବିଲାତବାସୀଙ୍କର ଆଉ ଆସ୍ଥାଭାଜନ ହୋଇ ପାରିଲେ ନାହିଁ । ଜାଠ ଦଳୀୟ ନେତା ବୃଦ୍ଧ ଚର୍ଚ୍ଚିଲ ପୁଣି ଥରେ ପ୍ରଧାନମନ୍ତ୍ରିତ୍ଵ ଗ୍ରହଣ କଲେ-। ତାଙ୍କର ନେତୃତ୍ଵ ସଙ୍ଗେ ସଙ୍ଗେ ସୁଫଳ ଦେଲା । ଦେଶର ରପ୍ତାନୀ ବାଣିଜ୍ୟ କ୍ରମେ ବିକାଶ ଲାଭ କଲା ଏବଂ ଦେଶବାସୀଙ୍କ ମନରେ ପୁଣି ଥରେ ଆଶାର ସଞ୍ଚାର ହେଲା ।

 

ସମାଲୋଚନାରେ ବିଚଳିତ ହେବା ଉଇନଷ୍ଟନଙ୍କର ଜାତକରେ ଲେଖା ନଥିଲା । ଏ ମଧ୍ୟରେ ତାଙ୍କ ବୟସ ଅଶିତମ ବର୍ଷକୁ ଟପି ଯାଇଥାଏ । ସହସା ଷଷ୍ଠ ଜର୍ଜଙ୍କର ମୃତ୍ୟୁ ଫଳରେ ଦ୍ୱିତୀୟ ଏଲିଜାବେଥ ବ୍ରିଟିଶ ସାମ୍ରାଜ୍ୟର ସାମ୍ରାଜ୍ଞୀ ପଦରେ ଅଭିଷିକ୍ତା ହେଲେ ଏବଂ ତତ୍ ପରେ ପରେ ଚର୍ଚ୍ଚିଲଙ୍କର ସ୍ୱାସ୍ଥ୍ୟଭଗ୍ନ ହେଲା । ପ୍ରଧାନମନ୍ତ୍ରୀ ପଦରେ ତାଙ୍କର ଉତ୍ତରାଧିକାରୀ ଆନ୍ଥୋନୀଙ୍କୁ ବସାଇ ସେ ୧୯୫୫ ମସିହାରେ ରାଜନୀତିରୁ ବିଦାୟ ନେଲେ । ତତ୍ପରେ ସେ ସକ୍ରିୟ ଭାବରେ କଲମ ଚାଳନା କରୁ କରୁ ୧୯୬୩ ମସିହାରେ ପୁଣି ଥରେ ରୋଗାକ୍ରାନ୍ତ ହେଲେ ଏବଂ ଶେଷ ନିଶ୍ଵାସ ତ୍ୟାଗ କଲେ ।

 

ଊଇନଷ୍ଟନ୍ ଥିଲେ ଇଂଲଣ୍ଡର ଗର୍ବ । ତାଙ୍କର ଅନୁପସ୍ଥିତିରେ ପାର୍ଲାମେଣ୍ଟ ମଳିନ ବୋଧ ହେଲା । ଯୁଦ୍ଧପର ଇଂଲଣ୍ଡର ସର୍ବଶ୍ରେଷ୍ଠ ବ୍ୟକ୍ତି ଭାବରେ ସେ ସମ୍ମାନିତ । ଦେଶବାସୀଙ୍କ ପ୍ରତି ତାଙ୍କର ମମତା ଥିଲା ଅତୁଟ । ଗୃହୀ ଭାବରେ ସେ ଥିଲେ ଏକ ବିରଳ ଦୃଷ୍ଟାନ୍ତ । ଲେଡି ଚର୍ଚ୍ଚିଲ ଥିଲେ ତାଙ୍କର ସକଳ ପ୍ରେମର ଅଧିକାରିଣୀ । ରୋଗ ଓ ମୃତ୍ୟୁ ତାଙ୍କୁ କଦାପି ଭୟଭୀତ କରିପାରି ନଥିଲା । ଜୀବନରେ ଯାହା ସବୁ ଆସେ ତାହା ସହ୍ୟ କରିବାକୁ ହୁଏ-ଏହା ଥିଲା ତାଙ୍କର ଜୀବନ ଦଶନ ।

Image